ବାପା
ବାପା
ବାଣ୍ଟିବାକୁ ସୁଖ
ବାକିରେ କିଣଇ
ବାଛି ବାଛି ଦୁଃଖ ଯେତେ,
ପାଦରୁ ମଗଜ
ପାରିବା ପର୍ଯ୍ୟନ୍ତ
ପାଇଟି ରେ ଦିନ ବିତେ ।
ବାସି ପଖାଳକୁ
ବାଡ଼ି କନିସିରା
ବାଞ୍ଝ କଦଳୀର ମଞ୍ଜା,
ପାସୋରି ଯାଆନ୍ତି
ପାଟିର ଲାଳସା
ପାଞ୍ଚ ପ୍ରାଣୀ ପେଟ ଖଞ୍ଜା ।
ବାସେ ମହ ମହ
ବାତ୍ସଲ୍ୟ ସେନେହ
ବାସ ହୀନ ବାସି ଦେହୁ ,
ପାଦରୁ ପାଦୁକା
ପାଇ ପାଇ ଧୋକା
ପାଣି କରୁଥାନ୍ତି ଲହୁ ।
ବାଳ ପାଚି ଯାଏ
ବାଙ୍କି ଯାଏ ଅଣ୍ଟା
ବାଟ ହୁଏ ନାହିଁ ଶେଷ ,
ପାକୁଆ ପାଟିରେ
ପାକୁଳାନ୍ତି ବସି
ପାଚିଲା ଦୁଃଖର ଘାସ ।
ବାର୍ଦ୍ଧକ୍ଯ ରେ ଯେବେ
ବାଧା ଦିଏ ବପୁ
ବାଙ୍କ ଚାହାଣିରେ ହସ ,
ପାଦେ ଦଳି ଦ୍ୟନ୍ତି
ପାଇବା ହାରିବା
ପାହାନ୍ତି ପ୍ରହର ଶୋଷ ।