ଅମୃତମୟ
ଅମୃତମୟ


କେବେ କେବେ ପତ୍ନୀର ମନ-ହୃଦୟରେ ଉଙ୍କି ମାରି ଦେଖ
ପାଶେ ଶୋଇଥିବା ଗାର୍ଲଫ୍ରେଣ୍ଡ ମିଳିଯିବ
ସ୍କୁଲ କଲେଜ ବେଳର ଏକପାଖିଆ ପ୍ରେମିକା ଦିଶିବ
ପଡୋଶୀ ଭାଉଜର ଚିକ୍କଣ ଚାକ୍କଣ ଶିଉଳୀ ଅଣ୍ଟା ବି ପାଇବ
ନଈ ଆରପଟ କନକ ଗୋରୀକୁ ଛୁଇଁ ପାରିବ ।
କେବେ କେବେ ପୁଅ ସହ ସାଙ୍ଗ ହୋଇ ଦେଖ
ଯୌବନ ପୁଣି ଚେଇଁ ଉଠିବ ଚଉବନରେ
ଅପହଞ୍ଚ ସ୍ୱପ୍ନସବୁ ଲାଗିବ ହାତମୁଠାରେ
ଆଞ୍ଜୁଳା ଆଞ୍ଜୁଳା ମାଦକତା ଭୋଦୁଅ ଖରାରେ
ଶୀତ ବସିବ ମୀତ ବିଗତ ମିଠା ଅନୁଭବରେ ।
କେବେ କେବେ ଜୀବନପଥରେ
ପ୍ରଥମ ସଖା- ସାଙ୍ଗକୁ ମନେପକାଅ
ସର୍ବପ୍ରଥମେ ମା' ମନେ ପଡ଼ିଯିବ
ବଦଳା ସଂପର୍କ ଋତୁଚକ୍ରେ ହସହସ ମୁଁହ ଦିଶିଯିବ
ଆକାଶ ଠାରୁ ବିଶାଳ ତା'ର ତ୍ୟାଗ ବଳିଦାନ ଗଣିହେବ
ଧରଣୀସମ ସର୍ବସଂହା ସ୍ନେହ ପାରାବାର ବୁଡ଼ି ହେବ ।
କେବେ କେବେ ବୁଢା ବାପ ସହିତ ଦି- ଚାରିପଦ ଗପିଦିଅ
ଜ୍ଞାନୀ ସଖା-ସୋଦର ଘରେ ହିଁ ପାଇବ
ବିଜ୍ଞାନୀ ଅନୁଭବି ତିନିମୁଣ୍ଡିଆ ପାଖରେ ଦିଶିବ
ଅନୁସନ୍ଧାନୀ ପାକଳାବାଳିଆ ସମର ସୈନିକ ଭେଟିବ ।
କାହିଁ କରୁଛ ହେ ଗୋଲକଧନ୍ଦା
କାହିଁ ଧାଉଁଛ ହେ ଅଜଣାପନ୍ଥା
ଖସଡା ଅମଡ଼ାବାଟ ଯେ ଅମା ଅନ୍ଧାର
ଆଗରେ ମୁଚୁକୁନ୍ଦ ହସ ପଛେ ତୀକ୍ଷଣ ଛୁରିକା ପ୍ରହାର ।
କିସ ପାଇଁ ଖୋଜୁ ସାଂଗ ମେଳେ ସଂପର୍କ
ନା ସଂପର୍କରେ ସାଙ୍ଗ ଖୋଜୁ
କିସ ପାଇଁ ଯୋଡୁ ସାଥି ସାଥେ ଵନ୍ଧୁତ୍ୱ
ନା ବନ୍ଧୁତ୍ଵରେ ସାଥି ଖୋଜୁ ।
ନିଜ ପରିବାର ପରା ସୁଖମୟ ସୁଧାମୟ ମଧୁମୟ
ହସିଲା ଫୁଟିଲା ବଂଚିଲା ଆପଣାର କର ଭାବ ବିନିମୟ ।
ବେଳେ ବେଳେ ଏମିତି ଭାବିଲେ
ବେଳେ ବେଳେ ମଣିଲେ ଚନ୍ତିଲେ
ସବୁ ବେଳେ ହେବହିଁ ଅମୃତମୟ ।