ଆସୁଛି କାଳିଆ ସୁନା
ଆସୁଛି କାଳିଆ ସୁନା
ଆଗରେ ଗଲେଣି
ସୁଭଦ୍ରା ବଳିଆ
ପଛରେ କାଳିଆ ସୁନା
ତ୍ରିଭଙ୍ଗି ଠାଣିରେ
ନାଚି ନାଚି ଆସେ
ସତେକି କିଛି ଜାଣେନା।
ଶଙ୍ଖ ହୁଳହୁଳି
ଘଣ୍ଟ ଘଣ୍ଟା ଧ୍ୱନି
ଭେରୀ ତୁରୀ ହରିବୋଲ
ବେତକୁ ହଲାଇ
ଡାହୁକ ଡାକୁଛି
ମାଡିଚାଲ ମାଡି ଚାଲ ।
ନନ୍ଦିଘୋଷ ରଥ
ଗଡି ଆସୁଅଛି
ଆସୁଛି କାଳିଆ ସୁନା
ବାମନ ମୁର୍ତ୍ତିରେ
କି ଶୋଭା ଦିଶୁଛି
ନିରେଖି ରଥକୁ ଅନା।
ଷୋଳ ସସ୍ରଗୋପୀ
ରଥ ଭିଡୁଛନ୍ତି
ଷୋଳ ଚକ ଲାଗି ଅଛି
ଷୋଳ କଳା ରୂପ
ଅନାଲୋ ସଜନୀ
ଚକା ଆଖିରେ ଦେଖୁଛି।
ହଟିଆ ନାଗର
ସେ କଳା ଠାକୁର
ନାଟ କେତେ ଭିଆଇଛି
ବଡଦାଣ୍ଡ ଟାରେ
ହଲି ଝୁଲି କରି
ମତ୍ତଗର୍ବେ ଆସୁ ଅଛି।
