ଆଖିର ଲୁହରେ ଲେଖେ କବିତା
ଆଖିର ଲୁହରେ ଲେଖେ କବିତା
ଦ୍ଵିତୀୟ ବ୍ରହ୍ମା ଏ କବିକୁଳ ବର୍ଗ
ମର୍ଯ୍ୟାଦା ସମ୍ପନ୍ନ ପଦ,
ଲେଖନୀ ମାଧ୍ୟମେ ଶିକ୍ଷଣୀୟ ଉକ୍ତି
ନକରି ମନେ ବିଭେଦ ।
କଳ୍ପନାକାଶର ମୁକ୍ତ ବିହଙ୍ଗଟେ
ଯୁକ୍ତିବାଢେ ସତ୍ୟତାର
କେତେବେଳେ ପୁଣି ପ୍ରେମ ରାଇଜର
ହୁଅନ୍ତି ରାଜକୁମାର ।
ପରିବାର ମଧ୍ୟେ ଏକତା ବନ୍ଧନ
ଶିକ୍ଷାଦିଏ କବିଟିଏ
ଛାତ୍ର ଜୀବନରେ ଏକାଗ୍ରତା ଭାବ
ମହତ୍ତ୍ଵ ବୁଝାଇ ଦିଏ ।
ଗ୍ରୀଷ୍ମର ପ୍ରକୋପ ବର୍ଷାର ପ୍ରଭାବ
ଶୀତର କବିତା ଲେଖେ
ଧନୀକର ସୁଖ ପ୍ରାଧାନ୍ୟ ନ ଦେଇ
ଚାଷୀର ଦୁଃଖକୁ ଦେଖେ ।
ଯେବେ ଯେବେ ସ୍ଥିତି ଅସମ୍ଭାଳ ହୁଏ
କବି ଭାଙ୍ଗେ ନୀରବତା,
ସମାଧାନ ପାଇଁ କବିର କଲମ
ଲୁହରେ ଲେଖେ କବିତା ।
ସ୍ୱାର୍ଥାନ୍ଧ ପୁଅର ଅନ୍ୟାୟ ଦାଉରୁ
କାନ୍ଦେ ଯେବେ ବୁଢ଼ୀମାତା
କବିଟିଏ ତାର ଲେଖନୀ ବଳରେ
ଲୁହରେ ଲେଖେ କବିତା ।
ନିଜର ଦୁଃଖକୁ ନ କରି ଭ୍ରୁକ୍ଷେପ
ମନରୁ ବାଢେ ଦୃଢ଼ତା
ସୃଜନ ଶକ୍ତିରେ ନିଃସ୍ୱାର୍ଥ ସାଧନା
ଦୂରକରି ଆବିଳତା
ଆଖିର ଲୁହରେ ଲେଖେ କବିତା ।