ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ଗୁଳି ଗୋଳା ଖାଇ ରକତ ନିଗାଡ଼ି
ନିଜ ପାଇଁ ନିଜେ ସଂବିଧାନ ଗଢ଼ି
ଦେଶ ଜାତି ପାଇଁ ଦେଇ ଗଲେ ବାଢ଼ି
ଅମର ଏ ମହାପୁରୁଷେ ,
ଆଜି ଏଇ ସାଧାରଣତନ୍ତ୍ର ଦିବସେ ।
ଅନୁଭବ ହୁଏ ଅତୀତର ବ୍ୟଥା
ବୁକୁଫଟା ଏଇ ସ୍ବାଧୀନତା କଥା
ଭାରତ ମାତାକୀ ଜୟ ଧ୍ବନି ଯେବେ
ଦୂରୁ ଭାସି ଭାସି ଆସେ ,
ଆଜି ଏଇ ସାଧାରଣତନ୍ତ୍ର ଦିବସେ ।
ଜାତୀୟ ସଂଗୀତ ଗୁଣୁଗୁଣୁ ହେଇ
ତ୍ରିରଙ୍ଗା ପତାକା ଉଡ଼େଇ ଉଡ଼େଇ
ସ୍ବାଧୀନ ଭାରତ ଭବିଷ୍ୟତ ବୋଲି
ଅବୋଧ ଶିଶୁଟି ହସେ ,
ଆଜି ଏ ସାଧାରଣତନ୍ତ୍ର ଦିବସେ ।
ଅବଳା, ଦୁର୍ବଳା, ସଧବା, ସବଳା,
ଅନୂଢ଼ା, ପ୍ରୌଢ଼ା ,ଲଙ୍ଗଳା, ଫୁଙ୍ଗୁଳା
କୃଷକ, ଶ୍ରମିକ ସବୁରି ଦେହରୁ
ସ୍ବାଧୀନ ଅତର ବାସେ ,
ଆଜି ଏଇ ସାଧାରଣତନ୍ତ୍ର ଦିବସେ ।
ମନ ପୁରି ଯାଏ , ଛାତି ଫୁଲି ଯାଏ
ବନ୍ଦେ ମାତରମ୍ ଆତ୍ମା ଗାଉ ଥାଏ
ମୁକ୍ତ ଆକାଶରେ ତ୍ରିରଙ୍ଗା ଉଡ଼େଇ
ଲାଲକିଲ୍ଲା ଯେବେ ହସେ ,
ଆଜି ଏ ସାଧାରଣତନ୍ତ୍ର ଦିବସେ ।
ଆସ ଭାଇ ବଂଧୁ ନେତା ଜନତା
ଅଖଣ୍ଡ ରଖିବା ଦେଶର ଗାଥା
କୋଟିଏ ସଲାମ ଭେଟି ଦେବା ଆମେ
ଶହୀଦ୍ ମହତ୍ ଉଦ୍ଦେଶ୍ୟେ,
ଆଜି ଏ ସାଧାରଣତନ୍ତ୍ର ଦିବସେ ।
