Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁକ୍ତି
ମୁକ୍ତି
★★★★★

© ସ୍ତୁତିରେଖା ମିଶ୍ର

Tragedy

10 Minutes   7.7K    21


Content Ranking

― ବାସ୍ ! ମୁଁ ଆଦୌ ସହି ପାରୁନି ଏସବୁ । ବନ୍ଦ କର ଏ ସବୁରାତିର ଅଧ୍ୟାୟ । ମତେ ଏସବୁ ଭଲ ଲାଗୁନାହିଁ ।

ଠାଏ କି ଚଟକଣୀଟାଏ ବସିଗଲା ମୋ' ଗାଲରେ ।ମୋଡ଼ି ଧରିଲେ ହାତଟାକୁ ପିଠି ପଟକୁ । ମୁଁ ନିରୁପାୟ ନୁହେଁ କିନ୍ତୁ ବିବଶ । ମୋ ଭଳି ଅନେକ ବିବଶ ହେଉଥିବେ , ସନ୍ଦେହର ଶିକାର ହେଉଥିବେ ।ପ୍ରତି ରାତିର ଅନ୍ଧାରରେ ନିଜ ଅସ୍ତିତ୍ୱକୁ ଖିନ୍ ଭିନ୍ ହେବାର ଦେଖି ବି ଚୁପ୍ ରହୁଥିବେ । ମୁଁ ବି ତ ସହି ଆସୁଛି ପ୍ରାୟ ବର୍ଷେ ଧରି ଏସବୁ !!!

― ଜାଣେ ତୋର ଆଉ କାହା ସହ ସମ୍ପର୍କ ଥିଲା। ତୋ ଵୋପା ମା ମୋରି ବେକରେ ଛନ୍ଦିଦେଲେ ଆଣି । କେବଳ ସମ୍ପତ୍ତି ଲୋଭରେ ,ଘର ଲୋକ ବି କିଛି ବୁଝିଲେନି । ସାରା ଜୀବନ ଏଠି ମୁଁ ଧନ୍ଦି ହେଉଛି। ଇଚ୍ଛା ଥାଉ କି ନ ଥାଉ ତୁ କିନ୍ତୁ ମୋର । ମତେ ମୋ ଭାଗତକ ବେଶ୍ ଭୋଗି ଆସେ ।

― ଶୁଣ ! ମୁଁ ସ୍ପଷ୍ଟ କହି ଆସିଛି ମୁଁ ଚରିତ୍ରହୀନ ନୁହେଁ ।

― ଯା ! ଚାଲିଯା ଏଠୁ ! ବହୁତ ସହିଲି ତୋ ନାଟକ ଆଉ ନୁହେଁ । ସବୁ ରାତିର ଏ ଯନ୍ତ୍ରଣା ଆଉ ଆବଶ୍ୟକ ନାହିଁ ମୋର ।

ମୁଁ ନୀରବ ରହିଲି । ସେ ଏମିତି ରାଗିବାର ଅନେକ ଥର ହୁଏ । ପୁରୁଷର ମନ ଖୁବ୍ ଟାଣ । ବେଶୀ କିଛି ଆବେଗକୁ ବୁଝିପାରିବା ଭଳି ସାମର୍ଥ୍ୟ ନ ଥାଏ। କେବଳ ନିଜ ଅଵଶ୍ୟକତା କୁ ପ୍ରାପ୍ତ କରିବା ହିଁ ଜୀବନର ଲକ୍ଷ୍ୟ ବୋଲି ଧରିନିଏ । ଗୋଟାଏ ବ୍ୟାଗରେ ମନ ଇଚ୍ଛା ମୋ ଲୁଗାପଟା ପୁରାଇ ମୋ ଆଗରେ ଫିଙ୍ଗି ଦେଲେ । ଦୁମ୍ ଦୁମ୍ କରି ରୁମରୁ ବାହାରି ଯାଉ ଯାଉ କହିଲେ ,“ କାଲି ଆଉ ଏଠି ନ ଥିବୁ । ମୋର ତତେ ଦେଖିବାର ନାହିଁ। ” ଇଚ୍ଛା ହେଉଥିଲା ଜୋର୍ ଚିତ୍କାର କରି କାନ୍ଦି ଦିଅନ୍ତି । କିନ୍ତୁ ତଣ୍ଟି ବାଟେ ପବନ ବି ଯାଇ ପାରିବ କି ନାଁ ସନ୍ଦେହ ହେଉଥିଲା ମତେ ।

ତୁମେ ବି ଏଇମିତି ଥିଲ । ଭାରି ରାଗି । କିନ୍ତୁ ତୁମ ରାଗ ଭିତର ପ୍ରେମ ଟା ବେଶ୍ ପସନ୍ଦ ମୋର । ତୁମେ ଯେବେ ରାଗରେ ମୋ ହାତକୁ ଜାବୁଡି ଧରି ଟାଣି ନିଅ , ମୁଁ ଭାବେ ଏମିତି ଚାଲନ୍ତି କି ଦିଗରୁ ଦିଗବଳୟ ଯାଏଁ । ସେଇଯାଏଁ ଅନ୍ତତଃ ଯେଉଁଠି ଆମେ ଏକାଠି ବଂଚିବାରେ ପ୍ରତିବନ୍ଧକ ନ ଥିବ ଆଦୌ ।

ତଳକୁ ଆସିଲି ରାତି ଆହୁରି ବାକି । ଡ୍ରାଇଭର ତାଙ୍କ ଛୋଟିଆ ଟିଣ ଘରଟାରେ ନିଦ୍ରାଛନ୍ନ । ଆଉ କାହାକୁ ଶୋଇଥିବାର ଦେଖିଲେ ମୋର ଭାରି ଇର୍ଷା ହୁଏ । କେଜାଣି କେତେ ଦିନ ହେଲା ଶାନ୍ତିରେ ଆଖି ବୁଜିବାର ଅନୁଭୂତି ଟାଏ ହରେଇ ବସିଛି ମୁଁ । ସ୍ୱପ୍ନରେ ତୁମ ଉପସ୍ଥିତି , ବାସ୍ତବରେ ମୋର ସ୍ୱାମୀଙ୍କର ଉଭୟ ମତେ କଷ୍ଟ ଦିଏ। ମୁଁ ବିରହ ଓ ପଶ୍ଚାତାପର ଜ୍ୱାଳା ସହି ସହି କେବଳ ମୁଠାଏ ପାଉଁଶ ଛାତିରେ ନେଇ ବଂଚି ରହିଛି ଯାହା । ଦୁଇ ତିନି ଥର ଡାକିବା ପରେ ମଉସା ଉଠିଲେ । ତାଙ୍କ ଆଖିରେ ବି ଅନେକ ପ୍ରଶ୍ନ । ମତେ ଏ ପ୍ରଶ୍ନିଳ ଆଖି ଭାରି କଷ୍ଟ ଦିଏ ।

ମଣିଷ କହିଲେ କଣ ? କେଇଟା ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗର ସାମାହାରରେ ଗଠିତ ଅବୟବ , ଜୀବନ ବୋଲାଉଥିଲା କିଛି ଗୋଟେ ଅଦୃଷ୍ଟ ଶକ୍ତି , ଆଉ ମେଞ୍ଚାଏ ଆବେଗ । ସ୍ନେହ , ପ୍ରେମ , ବାତ୍ସଲ୍ୟ , ଘୃଣା , କ୍ରୋଧ , ତ୍ୟାଗ ଏମିତି କେତେ କଣ !! ସମସ୍ତ କିଛି ଆମ ଭିତରେ ଭରି ରହିଥିଲେ ମଧ୍ୟ ଆମେ ଭିନ୍ନ। ସହଜରେ ମାନି ନିଅନ୍ତିନି ଆମକୁ କେହି। ସମାଜର ଗୁଡାଏ ବଦ୍ ଗୁଣ ଭିତରୁ ଏ ବି ଗୋଟାଏ ଯେ ସମାନତା ଦେବାର ଭୀଷଣ ଭାଷଣ କେବଳ ପେଣ୍ଡାଲ ଉପରେ ରହି ଯାଏ କିନ୍ତୁ ସାଧାରଣ ଜୀବନ ଯାଏଁ ପହଂଚି ପାରେନା !!

ଗାଡି ପହଁଚିଲା ମୋ ଘରର ବିରାଟ ଷାଠିଏ ବର୍ଷ ପୁରୁଣା ଲୌହପ୍ରହରୀ ଆଗରେ । ଖୋଲିବାର ଶବ୍ଦରେ ଠିକ୍ ସିଧା ଦୁଇ ମହଲା ଉପର ବଖରାରୁ ବାହାରି ଆସିଲେ ବାପା, ଏତେ ସକାଳୁ କାହାର ଅଗମନର ଆଶଙ୍କାରେ । ମତେ ଦେଖି ଖୁସି ହେଉଥିଲେ ସେ ଯେବେ ମୁଁ କଲେଜ ଛୁଟି ରେ ଘରକୁ ଆସୁଥିଲି । ଗୁଡାଏ ବରାଦ୍ କରି ରଖୁଥିଲେ ଭିନ୍ନ ଭିନ୍ନ ଜାଗାରେ। ମୋର ସମସ୍ତ ପସନ୍ଦ ନା ପସନ୍ଦକୁ ମା ଠୁ ଅଧିକ ଚିହ୍ନୁଥିବା ବାପା ଏବେ ଆଉ ମତେ ବି ଚିନ୍ହି ପାରୁ ନ ଥିଲେ କିମ୍ବା ଚାଂହୁ ନଥିଲେ। ମା ଆସିଲା ସଂଦେହୀ ଆଖିରେ ଗୁଡାଏ ପ୍ରଶ୍ନ ମୋ ଆଡ଼କୁ ଫିଙ୍ଗି ଫିଙ୍ଗି ।ଗାଡି ରୁ ଓଲ୍ହାଉ ଓଲ୍ହାଉ ଡ୍ରାଇଭର ମଉସାଙ୍କ ପ୍ରଶ୍ନିଳ ଆଖିରେ ମୋ ଆଖି ମିଶିଗଲା ଅଚାନକ୍ । ବେଶୀ ଗୋଟାଏ ବ୍ୟସ୍ତ ହେଲି ମୁଁ କହିଲି

― ମା ଙ୍କୁ କହିବ କିଛି ଜରୁରୀ କାମ ଅଛି ତେଣୁ ହଠାତ ଆସିବାକୁ ହେଲା ।

― ହଉ !

ଛୋଟିଆ ଉତ୍ତର ଟାଏ ଫେରାଇ ଚାଲିଗଲେ ସେ । ମୁଁ କିନ୍ତୁ ବିରାଟ ପ୍ରଶ୍ନର ଉତ୍ତର ଦେବାକୁ ନିଜକୁ ପ୍ରସ୍ତୁତ କରୁଥିଲି।

― କୁଆଡେ ଆସିଛୁ ତୁ ?

― ବାପଘର ବୋଲି କୁହନ୍ତି ତ ? ସଂଜ୍ଞା ବଦଳି ଯାଇଥିବ ଯଦି ଧାରଣା ନାହିଁ। ମଣିଷ ବଦଳି ଯିବା ପରେ ସଂଜ୍ଞାର ଆଉ କିଛି ମୂଲ୍ୟ ନ ଥାଏ ।

ଅନେକ କଥା କହିହୁଏନି ,ଅତି ଉଚ୍ଚ ଶବ୍ଦ କରିପାରୁଥିବା ସ୍ୱର ଯନ୍ତ୍ର ବି ଶାନ୍ତ ପଡ଼ିଯାଏ ଅନେକ ଜାଗାରେ । ମା ବି ଚୁପ ରହିଲା , ମୁଁ ମଧ୍ୟ । ବାପାଙ୍କ ମୁହଁର ଭାବ ମତେ ସ୍ପଷ୍ଟ ହେଉ ନ ଥିଲା , ଦୂରତା ହେଉ ଅବା ମୋ ଆଖିରେ ଜମାଟ ବାନ୍ଧିଥିବା ଗୁଡାଏ ପାଣିର ପ୍ରତିଫଳନ ଯୋଗୁଁ ହେଉ ।

ଦିନର ଉଜ୍ଜ୍ୱଳ ଆଲୋକରେ ଅନେକ ଅକୁହା କଥା ଅକୁହା ରହିଯାଏ । ନିବିଡ଼ ନିଶିଥ ଛୋଟିଆ ଜାଗା ଟିକେ ଦେଇ ଦିଏ ମନ ଭିତରର ଦରଜ ଦରଦୀ ଆଗରେ ବାଣ୍ଟିବାକୁ । କିନ୍ତୁ ମୁଁ ଯେ ଦରଦୀ ହୀନ ଦରିଦ୍ର ଟିଏ , ତା ବୋଧହୁଏ ମୋ ଜନ୍ମଦାତ୍ରୀ ବି ବୁଝି ପାରୁ ନ ଥିଲା , କିନ୍ତୁ କିଛି ଗୋଟାଏ ଭୀଷଣ ଭୟ ତା ସ୍ନେହ ଟିକକୁ ବନ୍ଦୀ କରିନେଇଥିଲା ଅଦୃଷ୍ଟ ଶିକୁଳିରେ ।

ସବୁ ରୂମ୍ ର ଆସବାବପତ୍ର ପ୍ରାୟ ପରିବର୍ତ୍ତନ ହୋଇସାରିଥିଲା । କିନ୍ତୁ ମୋ ରୂମର ସେଇ ପୁରୁଣା ପଲଙ୍କ ଏବେ ବି ଥିଲା । ସେ ପଲଙ୍କରେ ବସିବା ମାତ୍ରକେ ବୃଦ୍ଧ ଲୋକଟିକୁ କଷ୍ଟ କାର୍ଯ୍ୟ ଦେବା ଭଳି ଚାପା ଚିତ୍କାର ଟାଏ କରି ପକାଇଲା ସେ । ତୁମ ହଷ୍ଟେଲ ଖଟ ବି ଏଇମିତି ଚିତ୍କାର କରେ ବୋଲି ତୁମେ ବିରକ୍ତିରେ ତଳେ ଶୋଇପଡ । ତୁମକୁ ଥଣ୍ଡା ହୁଏ ଆଉ ମୋରି ଆଗରେ ଜିଦି କର ମୁଣ୍ଡ ଚିପିଦେବା ପାଇଁ । କେଜାଣି କେମିତି ଦୁଇ ତିନି ଥର ମେଡ଼ିସିନ ଖାଇବା ପରେ ବି କମୁ ନ ଥିବା ତୁମ ମୁଣ୍ଡ ବିନ୍ଧା ମୁଁ ଚିପି ଦେଲେ କମି ଯାଏ ବୋଲି ତୁମେ ବାହାନା କର । ମୁଁ ଠିକ ବୁଝେ ମୋ ସହ ସମୟ ବିତେଇବାର ଏଇମିତି ଅନେକ ବାହାନା ତୁମେ ଅନାୟାସରେ ଖୋଜି ନିଅ ।

ପ୍ରେମରେ ବଡ଼ ଯାଦୁଗରୀ ଶକ୍ତି ଅଛି ବୋଲି ଦୁନିଆ ବିଶ୍ୱାସ କରେ । ମୁଁ ବୁଝେ ପ୍ରେମ ମନ ମସ୍ତିଷ୍କରେ ଏଇମିତି ରାଜୁତି ଟାଏ କରି ବସେ ଯେ ,ପ୍ରେମ ଭିନ୍ନ ଅନ୍ୟ ଅନୁଭବ ତୁଚ୍ଛ ମନେ ହୁଏ। ତା ଆଗରେ ତୁମ ସାମାନ୍ୟ ମୁଣ୍ଡବିନ୍ଧା କେତେ ସମୟ ରହି ପାରନ୍ତା। ତୁମେ ଆମ ଘରକୁ ଆସୁଥିଲ , ମା ତୁମକୁ ସ୍ନେହ କରେ । ମୋ ଠୁ ବଡ଼ ବୋଲି ମୋ ଦାୟିତ୍ୱ ତୁମକୁ ସମର୍ପି ଦିଏ । ମୁଁ ଭାବେ ମୋ ପାଇଁ ତୁମଠୁ ଅଧିକ ଯୋଗ୍ୟ ଆଉ କିଏ ହୋଇ ପାରିବ । ମନେ ଅଛି ଧଉଳି ବୁଲି ଯିବା ଦିନ ,ଝରଣା ପାଖରେ ତୁମେ ମୋ ବାହୁ ଟାକୁ ଖୁବ ଜୋରେ ଭିଡି ଧରିଥିଲ କାଳେ ମୋ ପାଦ ଖସିଯିବ ବୋଲି। ପୁରା ଦିନ ମୋ ଛାଇ ନୁହେଁ ମୁଁ ତୁମକୁ ପାଉଥିଲି ଆଖ ପାଖରେ । ହଁ ଠିକ ଛାଇ ପରି ତୁମେ ଥିଲ , ଆଲୁଅରେ ମୋ ଆଗରେ ପଛରେ ବାଁ ରେ ଡ଼ା ରେ ସବୁ ଆଡେ ।କିନ୍ତୁ ସଞ୍ଜ ଆସୁ ଆସୁ ତୁମେ କୁଆଡେ ହଜିଗଲ , ମୁଁ ବୁଝି ପାରିଲିନି । ହଜିଲ କି ମୁଁ ହଜେଇ ଦେଲି ତା ବି ମୋ ନିମନ୍ତେ ଅବୋଧ୍ୟ। ମା କବାଟ ଖୋଲିଲା ! କବାଟର ଶବ୍ଦ ଆଉ ମା 'ର ଓଜନିଆ ଗହଣାର ଛନ୍ ଛନ୍ ଶବ୍ଦ ମୋ ସ୍ମୃତିରେ ପୂର୍ଣଛେଦ ଟାଏ ଭିଡି ଟାଣି ପକାଇ ଦେଲା । ଉଠି ବସିଲି ସେ ପୁରୁଣା ପଲଙ୍କର କେଁ କାଁ ଶବ୍ଦ ସହିତ ।

― ତୁ କେତେ ଦିନ ରହିବୁ ?

― ତୁ ବୋଧ ହୁଏ ପ୍ରଥମ ମା ଯିଏ ଝିଅ ଘରକୁ ଆସୁ ଆସୁ ବିଦା କରିବା ପାଇଁ ବ୍ୟସ୍ତ ହୋଇପଡୁଥିବୁ। ମୋ ନଣନ୍ଦ ଘରକୁ ଆସିଲେ ଶାଶୂ ଯିବା ପାଇଁ କହିବା ମୁଁ ପୁରା ବର୍ଷରେ ଥରେ ବି ଶୁଣି ପାରିଲି ନାହିଁ।

― ତୋ ନଣନ୍ଦ ତୋ ଭଳି ଝିଅ ହୋଇ ନ ଥିବେ। ମା ବାପା ଙ୍କ ଜୀବନ ବର୍ବାଦ କରିଥିବା ଝିଅ କୁ କେତେଦିନ କିଏ ମୁଣ୍ଡେଇବ ।

ଜନନୀଟିଏ କେବେ ନିଜ ଜନ୍ମିତକୁ ତିରସ୍କାର କରି ପାରେନି । ପିଲା ଦିନରେ ଦେଖିଥିବା ଶଂଖୀ ବିଲେଇଟି ନିଜ ଅପଙ୍ଗ ଛୁଆଟିକୁ ଆଖି ଫିଟିବା ଆଗରୁ ଛାଡି ଚାଲିଯିବା ପରେ ସେ ଛୋଟ ବିଲେଇଟି ପାଇଥିବା କଷ୍ଟ ଆଜି ମୁଁ ଅନୁଭବ କରି ପାରୁଥିଲି । ସତରେ ମୋ ଭିନ୍ନ ହେବାର ଦୋଷୀ କିଏ ? ମୁଁ ନିଜେ ତ ନୁହେଁ ! ତେବେ ମୋ ପ୍ରତି ଏତେ ତିରସ୍କାରର କାରଣ କଣ ?

― ତୋର ସେ ପିଲା ସହିତ ଆଉ କିଛି ସମ୍ପର୍କ ଅଛି ?ତୁ ଯଦି ତା ପାଇଁ ଘର ଛାଡ଼ି ଆସିଥାଉ ତୋ ପାଇଁ ମୋ ଘରେ କିଛି ଜାଗା ନାହିଁ ।

― ମୋ ପାଇଁ କେଉଁଠି ବି ଜାଗା ନାହିଁ। ସ୍ୱାମୀର ଶେଯରେ ଅତ୍ୟାଚାର , ମାର କୋଳରେ ତିରସ୍କାର । ଏ ଜୀବନ ରହି ଲାଭ କଣ ? ତୁ ଜନ୍ମ ବେଳେ ମୋ ତଣ୍ଟି ଚିପି ଦେଇଥିଲେ ଆଉ ଏତେ କଷ୍ଟ ନ ଥା'ନ୍ତା ।

ମା ଚୁପ୍ ରହିଲା ଏଥର । ଆସି ଚୁପ୍ କରି ବସିଲା ମୋ ମୁଣ୍ଡ ପାଖରେ । ତତେ ମାରି ଦେବାର ଥିଲେ ତୋ ପାଇଁ ଏତେ କଷ୍ଟ କରୁ ନ ଥାନ୍ତି ଲୋ । ତୋ ଜୀବନ ସୁଧୁରି ଯିବ ବୋଲି ଏତେ ଭଲ ଘରେ ବିଭା ଦେଲି ତୁ ସିନା ଖୁସିରେ ରୁହନ୍ତୁ । କଣ ଅଭାବ ତୋର ? ଧନ ସମ୍ପତ୍ତି ଚାକର ବାକର ,ସବୁ ଖଞ୍ଜା ! ଶାଶୁ ଶ୍ୱଶୁର କେଡେ ସୁଧାର ମୁଣ୍ଡରେ ବସେଇ ରଖି ଛନ୍ତି ତତେ !

― ଆଗକୁ କହ ! ଅଟକି ଗଲୁ କାହିଁକି ? ଯଦି ନ ପାରୁଛୁ ମୁଁ କହି ଦେଉଛି ଶୁଣୁ। ତୋର ଏ ଅଯୋଗ୍ୟ ଝିଅକୁ ପ୍ରତି ରାତି ଭୋଗିବାକୁ ପଡେ ନିଷିଦ୍ଧ କାନ୍ଥର ନିରବ ଚିତ୍କାର । ଦିନର ଜୀବନ ଖୁବ୍ ସହଜ , ସେତିକି କଷ୍ଟ ହୁଏ ରାତିର କେଇ ଘଣ୍ଟା । ଦେହ ସବୁବେଳେ ଦେହ ,ସେ ମନର ଭାଷା ବୁଝି ପାରେନି। ମନ ସିନା ତୁମ ସମ୍ମାନ ରକ୍ଷା ଭାରରେ ଚୁପ ରୁହେ । ଦେହ କିନ୍ତୁ ସେସବୁ ବୁଝେନି । ଆଉ ମୁଁ ପ୍ରତିଦିନ ପେଶୀ ହୋଇ ଚୁନା ହେବା ପରେ ପୁଣି ଥରେ ନିଜକୁ ସାଉଁଟି ଠିଆ ହୁଏ ଆଗାମୀ ଚବିଶ ଘଣ୍ଟାର ଜୀବନ ପାଇଁ ।

ମା ଠିକ ବୁଝିପାରେ ମୋ କଷ୍ଟ । କିନ୍ତୁ ପ୍ରକାଶ କରେନି । ସମାଜର ଛାଟ ବଡ଼ ଶକ୍ତ। ମା' ର ମମତା ବି କେଜାଣି କେମିତି ଗୋଟାଏ ଶିକୁଳି ଆଗରେ ବନ୍ଧା ପଡେ ତା ବୁଝିବା ମୋ ପକ୍ଷେ ଅସମ୍ଭବ ଥିଲା । ହୁଏତ ମୁଁ ମା ହୋଇନାହିଁ ବୋଲି ,ମାତୃତ୍ୱ ପ୍ରତି ମୋର ଲୋଭ ହୁଏ କି ନାଁ ମୁଁ ବୁଝି ପାରେନି । କିନ୍ତୁ ମୋ ସ୍ୱାମୀଙ୍କୁ ସନ୍ତାନ ଅଭାବ ବେଶ୍ କଷ୍ଟ ଦିଏ ଯାହାର ପରିଣାମ ମତେ ଭୋଗିବାକୁ ପଡେ ପ୍ରତିଥର।

ତୁମକୁ ବି ପିଲା ଭାରି ପସନ୍ଦ ଥିଲେ । ସବୁ ରବିବାର ତୁମେ ମତେ ନେଇ ଯାଉଥିଲ ଅନାଥ ଆଶ୍ରମ ଖୁବ୍ ମଜା କରୁଥିଲେ ଆମେ । ତୁମେ କହୁଥିଲ ଆମେ ଗୋଟେ ପିଲା ନେବା ତାକୁ ଖୁବ୍ ସ୍ନେହରେ ପାଳିବା। ସେହି କେଇ ମୁହୂର୍ତ୍ତର ମାତୃତ୍ୱ ମତେ ଅସୀମ ଆନନ୍ଦ ଦେଉଥିଲା। ତୁମ ପ୍ରେମରେ ହଜିବାର ନିଆରା ଅନୁଭୂତି ମତେ ଦୁଇ ବର୍ଷ ଭିତରେ ଅନେକ ବଦଳେଇ ଦେଇଥିଲା ।

ଏଥର ଫେରିବାର ବେଳ ଯୁକ୍ତ ତିନି ସାରି । ତୁମେ ଦୁଃଖୀ ଥିଲ । ମୁଁ କିନ୍ତୁ ଭାଙ୍ଗି ପଡୁଥିଲି । ଆଉ ଭେଟିବା ସମ୍ଭବ ହେବନି। ମୋ ରକ୍ଷଣଶୀଳ ପରିବାର ତୁମକୁ ଯେ ଗ୍ରହଣ କରିବେ ସେ ବିଶ୍ୱାସ ମୋର ନଥିଲା । ଶେଷ ରାତି କଲେଜର ସବୁ ପିଲା ମିଶି ଭୋଜି କଲେ । କିନ୍ତୁ ଏତେ ଭିଡ଼ ଭିତରେ ତୁମେ ଖୋଜି ନେଇଥିଲ ଆମ ପାଇଁ ଟିକିଏ ନିରୋଳା ଜାଗା ।ତୁମ ସ୍କୁଟି ପଛପଟେ ବସି ପୁରା ସହର ଘୁରିବା ପରେ ସେଇ ନିଷିଦ୍ଧ କୋଠରୀ ଯାହାକୁ ତୁମେ ତୁମ ଅଦିନିଆ ବସା ବୋଲି କୁହ ସେଠିକି ନେଇ ଯାଇଥିଲ।

ମୋର ଏବେ ବି ମନେ ଅଛି। ପାଦ ରଖିବାକୁ ବି ଜାଗା ଟାଏ ନ ଥିଲା ସେଠି। ଇସ୍ ସଂଗେ ସାଙ୍ଗେ ଯେମିତି ଝଡ଼ ଟାଏ ଵୋହି ଯାଇଛି ରୁମ ଭିତରେ । ଆୟତ୍ତ ହରାଇ ଜିନିଷ ସବୁ ଛିଟିକି ପଡିଛନ୍ତି ମରୁଭୂମିର ଧୂଳି ଝଡ଼ ପରି। ତୁମ ମୁହଁର ହସ ବଡ଼ ଆଶ୍ଚର୍ଯ୍ୟ ଲାଗେ । ମୁଁ ରାଗୁଥିଲି ତୁମେ ହସୁଥିଲ। ସେଇ ହସ ଟିକକର ମୋହ ମୁଁ ଜମା ଏଡାଇ ପାରେନି। ହସ ହସ ଓଠର ସ୍ପର୍ଶ ବେଶୀ ବେଶୀ ମାଦକତା ଭରୁଥାଏ । ତୁମ ହାତ ବିଶେଷ ଟାଣ ନୁହେଁ। ତଥାପି ମୋ ହାତକୁ ବେଶ୍ ଶକ୍ତ ଜାବୁଡି ଧରି ନିଅ ତୁମେ। ହୁଏତ ମୁଁ ଚାହେଁ ନାହିଁ ଖସେଇ ନେବାକୁ । ଅଳିଆ ବେଡ଼୍ ସିଟ୍ ବି ଭଲ ଲାଗେ ମହଣେ ନିଦ ଶୋଇ ଯିବାକୁ ସେଇ ଦିନ ଜାଣିଲି ପ୍ରଥମ । ଅସଂଖ୍ୟ ଆଶା ଏକା ସହ ପୂରଣ ହେବାର ଅନୁଭୂତି ସହଜ ନୁହେଁ ବୁଝିବା । ଉଷ୍ମତା କେବଳ ଅନୁଭବ , ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସେଥିପାଇଁ ବୋଧେ ନିଜ ଅବୟବକୁ ଜାଳି ମଧ୍ୟ ଆନନ୍ଦିତ ହୁଏ ସଳିତା ।

ଗାଡି ଟିଏ ଲୌହ ପ୍ରହରୀ ଖୋଲି ଭିତରକୁ ପଶିଲା। ଉଭୟ ଶବ୍ଦ ମୋର ପରିଚିତ । ସେ ପ୍ରାଗ୍ ଐତିହାସିକ ଯୁଗର ଜିପ୍ ଓ ଲୌହ ପ୍ରହରୀ ! ବୁଝିଗଲି ମୋର ବନ୍ଦୀଶାଳରୁ ବାହନ ଆସିଛି। ଏଥର କିନ୍ତୁ ଫେରିବାର ସାହାସ ନ ଥିଲା ମୋର । ନିଜକୁ ସୁରକ୍ଷିତ କରିବାର ଉପାୟ ବି ନାହିଁ। ମା ଦୌଡ଼ି ଆସିଲା ଶାଢ଼ୀ ଖଣ୍ଡେ ଧରି ।

― ପିନ୍ଧି ପକା ତୁରନ୍ତ । ଶାଶୁ ଆଉ ଜୋଇଁ ଆସିଛନ୍ତି।

― ମୋର ଯିବାର ନାହିଁ। ତୁ ଯା ଏଠୁ । କହିଦେ!!

― ତୋ ବାପା ଜାଣିଲେ ବନ୍ଧୁକ ଫୁଟି ଯିବ । ମୋ ଗର୍ଭ ଫାଟିଲାନି ଯାହା ତତେ ଜନ୍ମ ଦେଲି । ମୁଁ ତ ମାରି ପାରୁନି ତୁ ମରି ଯାଉନୁ ।

ଶାଢ଼ୀ ଫୋପାଡ଼ି ଚାଲିଗଲା ସେ । ମୁଁ ନିର୍ବିକାର ବସି ରହିଲି । ସେଇ ପୁରୁଣା ପଲଙ୍କ ଉପରେ।

ସେଦିନ ସକାଳୁ ବି ବସିଥିଲି ନୀରବରେ। ତୁମେ କଫି ତିଆରି କଲ । ଶହେ ଥର ବାସନ ଫୋପାଡ଼ି ଫିଙ୍ଗି ଅଧଘଣ୍ଟେ ଲାଗିପାତି, କଫି କପ୍ ଦି ଟା ସହ ଝାଳ ରେ ବତୁରୀ ବାହାରି ଆସିଲ ତୁମେ। ବିଦାୟୀ ବେଳର ଅବର୍ଣ୍ଣନୀୟ ପୀଡା , ଭୋଗିବା ଲୋକ ହି ବୁଝିପାରେ।ତୁମେ ତଥାପି ଶାନ୍ତ । ସେଇ ଚେନାଏ ହସ ତୁମ ମୁହଁରେ ଲହଡି ଭାଙ୍ଗୁଥାଏ, ମତେ ଦେଖାଇ ଲୁହ ଲୁଚାଇବାର ବ୍ୟର୍ଥ ପ୍ରୟାସରେ। ମୁଁ ଚୁପ ରହିଲି । ମୁଁ ସବୁବେଳେ ଚୁପ ହିଁ ରୁହେ ଭୟର ଆବରଣ ଭାଙ୍ଗି ପରିବାର ସାମାନ୍ୟ ସାହସ କରି ପାରେନି କେବେ । ସମୟ ସରିଲା ଟ୍ରେନର ଶବ୍ଦ ଭିତରେ ମୋ କୋହ ଆଉ ତୁମ ଲୁହ ଉଭୟ ଲୁଚିଗଲା। କେବଳ ମୋ ଦେହରେ ତୁମର ଉଷ୍ମତା ବାକି ଥିଲା କିଛି।

ପୁଣି ଖୋଲିଲା ମୋ ରୂମର କବାଟ ଏଥର ନିଜକୁ ମୋ ମାଲିକ ଭାବୁଥିବା ଲୋକଟି ପଶି ଆସିଲା। ତା ସହ ଶାଶୁ !! ଆଖିରେ ଆଖିଏ ସ୍ନେହ ଭରି ମୋ ଉପରେ ଢାଳି ମତେ ଓଦା କରିବାର ଅନେକ ପ୍ରଚେଷ୍ଟା ଚାଲିଲା ଢେର ସମୟ ଯାଏଁ । ମା' ଏଇ ଭିତରେ ମୋ ବ୍ୟାଗ ଟା ଅଣେଇ ଦେଲା । ନୂଆ ଲୁଗା ଗହଣା ମେଞ୍ଚେ ପଠେଇ ଦେଲା ।ମୋ ଦେହକୁ ବାନ୍ଧି ବନ୍ଦୀଶାଳାକୁ ବିଦା କରିବା ଉଦ୍ଦେଶ୍ୟରେ । ଏଇ ଦୁଇ ଦିନରେ ମୁଁ ଏଠି ମୋର ସ୍ଥାନ ନାହିଁ ବୋଲି ବୁଝି ସାରିଥିଲି ଏକ ରକମ । ଉଠିଲି ନିଜ ଜୀବନର ଅନ୍ତିମ ଠିକଣାକୁ । ମା ଶାଶୁଙ୍କୁ କହିଲା

– “ ବ୍ୟସ୍ତ ହୁଅନି ସମୁଦୁଣୀ ଦେହ ଭାରୀ ହେଲେ ମନ ଆପେ ଲାଗିଯିବ। ଗେଲ୍ହାରେ ବଢିଛି ତ ଗୋଟାଏ ଝିଅ ଟିକେ ଅମାନିଆ ହେଉଛି। ”

ସେଇ ରାତି ସେଇ କଷ୍ଟ ସେଇ ଚବିଶ ଘଣ୍ଟିଆ ଜୀବନ। ଏଥର ଆଉ ଟିକେ ଅଧିକା ଆକ୍ରୋଶ ମିଶିଵ ରାତିର ଆତ୍ୟାଚାରରେ ! ମୁଁ ଭୟଭୀତ ନୁହେଁ ଅଭ୍ୟାସ ଗତ କଷ୍ଟ ସହିବାକୁ ନିଜକୁ ପ୍ରସ୍ତୁତ କରୁଥିଲି କେବଳ। ବନ୍ଦୀଶାଳରେ ପାଦ ଦେଉ ଦେଉ ଦଉଡି ବନ୍ଧା ଜୀବ ପରି କାନ୍ଥ ଭିତରକୁ ଟଣା ହୋଇ ଗଲି।

― ବହୁତ ସାହସ ହେଇ ଗଲାଣି ? ରାତି ଅଧରେ ଚାଲି ଯାଉଛୁ !! ତୋ ଵୋପା ତ ରଖିବାକୁ ନାରାଜ ! ନିଜେ ଫୋନ୍ କରି କହିଲା ନେଇ ଯିବାକୁ ତୁ କୋଉ ମୁଂହ ରେ ଯାଇଥିଲୁ ? କଳଙ୍କିନୀ ଆଜି ଯାଏଁ ଵଂଶ ପଦା ରହିଲା ତୋ ପାଇଁ।ଆଜି ତୋର ନିସ୍ତାର ନାହିଁ।

ମା ' ଦେଇଥିବା ଦାମୀ ଶାଢ଼ୀ ଆଉ ଗହଣା କେହି ମୋ ରକ୍ଷା କରି ପାରିଲେ ନାହିଁ। ବେଲ୍ଟର ଦାଗ ନୂଆ ଅଳଙ୍କାର ଆଙ୍କୁଥିଲା ମୋ ଦେହରେ । ଶରୀରର କୌଣସି କୋଣ ଆଉ ଅପହଞ୍ଚ ନଥିଲା ତାଙ୍କ ପାଇଁ । କେବେବି ରୁହେନି। ମନ ଇଛା ହାସିଲ୍ କରି ନିଅନ୍ତି ସେ । ଆଜି ବି କରୁଛନ୍ତି । ଆଗକୁ ବି ହେବ।

★★★★

ମୃତ୍ୟୁ କଣ ଏକ ମାତ୍ର ମୁକ୍ତି ? ଭିନ୍ନତା କଣ ଏତେ ବଡ଼ ଅପରାଧ ? ନିଜ ଭିତରର ଯୁଦ୍ଧ, ନିଜକୁ ଦୁର୍ବଳ କରେ । ମୁଁ ବି ହାରି ଚାଲିଥିଲି ପ୍ରତି ମୁହୂର୍ତ୍ତରେ। ଅସହାୟତାର ଶେଷ ସୀମା , ବେଳେ ବେଳେ ଶକ୍ତିର ନୂତନ ପରିଚୟ ପ୍ରଦାନ କରେ ।

― ତୁମର ଅଭ୍ୟାସ ଟିକେ ବି ବଦଳିନି ଏବେ ବି ଏ ରୁମରେ ପାଦ ପକେଇବାକୁ ଜାଗା ନାହିଁ । ମୁଁ ରହିବା ପାଇଁ ଜାଗା ହେବ ତ ? ଝିଅ ପିଲାଟେ ହୋଇ ବି ତୁମର ଟିକେ ବି ସଣ୍ଠଣା ନାହିଁ।

― ତୁମର ଏ ଠିକଣା ମନେ ଥିଲା ?

― ନିଜ ଠିକଣା ହରେଇଥିବା ପକ୍ଷୀକୁ ଅଦିନିଆ ବସା ହିଁ ଟାଣି ଆଣେ !!

● ସ୍ତୁତିରେଖା ମିଶ୍ର ●

ମୁକ୍ତି ନାଟକ ଯନ୍ତ୍ରଣା

Rate the content


Originality
Flow
Language
Cover design

Comments

Post

Some text some message..