ପାପପୁଣ୍ୟ
ପାପପୁଣ୍ୟ
ସାର୍ ଉପର ମହଲାରେ ରହନ୍ତି । ପାହାଚ ଚଢିବା ବେଳେ ସୀମା ହସିହସି ଭାବୁଥାଏ, ବାଗରେ ପାଦ ପଡିଲେ କେତେ ସହଜରେ ଚଢି ହୋଇଯାଏ ସତେ ! ଫୋନରେ ଆସିବାର ଅନୁମତି ନେଇ ସାରିଥିବାରୁ ଆଉଜା ଦରଜା ଠେଲି ଭିତରକୁ ପଶିଗଲା ଅବାଧରେ । ସାର୍ ଯେମିତି ବାଟ ଜଗିଥିଲେ ତାର , ପାନିଆରେ ଚନ୍ଦା ମୁଣ୍ଡକୁ ସଜାଉ ସଜାଉ ଆସି ବସିଗଲେ ସୋଫା ଉପରେ। ଜହ୍ନି ମଞ୍ଜିଠୁ ଟିକିଏ ସଫା ହେବେ ବୋଧେ ,ହେଲେ ପେଟଟା ତୁମ୍ବା ଭଳି । ପିଲାଙ୍କୁ କଟକରେ ଛାଡି ଏକା ରହନ୍ତି ଏଇଠି ।
ପ୍ରଫେସର ହେଲାଠୁଁ ବିଶ୍ବବିଦ୍ୟାଳୟର ଦାୟିତ୍ବ ବହନ କରି ଖୁବ୍ ନାଆଁ କମେଇଲେଣି । ତାଙ୍କ ରଚିତ ଅନେକ ବହି ପାଠ୍ୟ ପୁସ୍ତକ ରୂପରେ ମାନ୍ୟତା ପାଇ ସାରିଲାଣି ।
ସରି ସାର୍ , ଏହି ଥରକ ପାଇଁ... କହୁ କହୁ ହାତ ଉପରକୁ ଉଠେଇ ଭିଡି ମୋଡି ହୋଇ ଅଳସ ଭାଙ୍ଗିବା ଛଳରେ ସୀମା ତଳକୁ ଖସାଇ ଦେଇଥିଲା ଚୁନିକୁ । ମାଂସାଳ ଦେହ ,ତୀକ୍ଷ୍ଣ ଚାହାଣି.. ପ୍ରଦର୍ଶନ କଳା ଶିଖିସାରିଛି ସିଏ । ବିଉଟି ପାର୍ଲର୍ ଦେଇ ଏବେ ଏବେ ଫ୍ରେସ୍ ହୋଇ ଆସିଛି । " ତୁ କାହିଁକି ଚିନ୍ତା କରୁଛୁ , ମୁଁ ଅଛି ନା.." ଏ ଆଶ୍ବାସନା ଦେଇ ପିଠିରେ ଥାପୁଡାଇ ପାଖକୁ ଲାଗି ବସି ପଡିଲେ ସାର୍ । ଶରୀରର ଆଦିମ ଭୋକ ବେଳେ ବେଳେ ଶିହରାଇ ଦିଏ ତାଙ୍କର ପାକଳ ସ୍ନାୟୁତନ୍ତ୍ରକୁ । ସୀମାର ବେକରେ ଝୁଲୁଥିବା ସରୁ ହାରର ଲକେଟ୍ ଗୋଟିକୁ ଧୀରେ ଛାତିରୁ ଉଠାଇ ବଢିଆ ହୋଇଛି ବୋଲି କହୁ କହୁ ତା' ନରମ ଚିବୁକକୁ ଧରି ତୋତେ କେତେ ପର୍ସେଣ୍ଟ ଦରକାର ବୋଲି ପଚାରିଲେ। ଏତିକି ବେଳକୁ ସୀମା ଅନୁରୂପ ଅଭିନୟ ଆରମ୍ଭ କରି ସାରିଥିଲା। ଅନେକ ଦିନର ଅଭିଜ୍ଞତା ସାରଙ୍କୁ ଅସହଜ କରିଦେଲା।
ପୂର୍ବରୁ ପ୍ରସ୍ତୁତ ସୀମା ସମୟର ସଦୁପଯୋଗ କରି ଅନାୟାସରେ ଢଳି ଯାଇଥିଲା । ଅବୁଝା ଦେହର ମଧୁର ଅନୁଭୂତି ନେଇ ସାର୍ କହୁଥିଲେ , ପାପପୁଣ୍ୟ ଭଲମନ୍ଦ ଏସବୁ ତୁଚ୍ଛା କଥା ସୀମା.. ହାଇ ସୋସାଇଟି ଆଉ ଫରେନ୍ ରେ ଏଗୁଡିକ ଅତି ସାମାନ୍ୟ କଥା ,ସୁବିଧା ଦେଖି ମଝି ମଝିରେ ଆସୁଥିବୁ । ମନେମନେ ଆଶ୍ବସ୍ତ ହୋଇ ସୀମା ସହଜରେ ପାହାଚ ଗଣି ତଳକୁ ଓହ୍ଲେଇ ଆସିଲା। ଏଥର ଶତକଡା ୭୦ ତ ସୁନିଶ୍ଚିତ । ସେଦିନ ଘରକୁ ଫେରି ସୀମା ଶେଯଟାରେ ଶୋଉ ଶୋଉ ତକିଆଟାକୁ ଛାତି ଉପରେ ଭିଡି ଧରି ନିଜେ ନିଜେ ହସୁଥାଏ ଆଉ ଭାବୁଥାଏ , ସତରେ ତ୍ରେତୟାର ସିଦ୍ଧ ଯତିମାନେ ଦ୍ବାପରରେ ଷୋଳ ହଜାର ଗୋପୀ ସାଜି କେଡେ ସହଜରେ କୃଷ୍ଣଙ୍କୁ ତୃପ୍ତ କରାଇ ପାରିଲେ !!
ପାପ ବୋଲି ଗୋଟେ କଣ ? ଏ ତ ସମାଜର ଏକ ଭ୍ରାନ୍ତି ମାତ୍ର । କଥାଟା ସିନା ଦାଣ୍ଡରେ ପଡିଲେ ପାପ ! କିଏ କାହିଁକି ଜାଣିବେ ଯେ ..., ବିଦେଶିନୀ ପ୍ରେତଟିଏ ଯେମିତି ସବାର୍ ହୋଇ ଯାଉଥିଲା ତାର ସଂସ୍କାରରେ ।
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା -୨
ଦୂରଭାଷ - ୭୯୭୮୧୯୨୨୨୭