Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରବତା
ନୀରବତା
★★★★★

© Amiya Bej

Tragedy

8 Minutes   14.8K    13


Content Ranking

ଏଇମିତି ଆଖେଇ ରହିଥିବ , ସେ ବସ୍ ଚଢିବାଯାଏଁ । କେଉଁ ମନନେଇ ତା'କୁ ଅପଲକହୋଇ ଚାହିଁ ରହେ କେଜାଣି ପିଲାଟା ?? ସମ ବୟସର ଅବା କିଛି ଛୋଟ ବି ହୋଇପାରେ ତା'ଠାରୁ । ଅନେକ୍ ସ୍କୁଲ କଲେଜ୍ ର ଝିଅ ବି ଏଇ ସମୟରେ ଭିଡ କରନ୍ତି ଛକରେ । ସେମାନଙ୍କୁ ଆଡ କରି ତା'ରି ଆଡକୁ ନଜରେଇବା ଅସ୍ବାଭାବିକ ଲାଗେ ଶ୍ବେତାକୁ ।

କ୍ରମାଗତ ଅଭ୍ୟାସ ବଳରେ ଅଭିଜ୍ଞ ହୋଇଥାଏ ନାରୀ । ସିଧାସଳଖ ନଦେଖି ବି , ଜାଣିହୁଏ ପୁରୁଷ ଆଖିର ଉଦ୍ଦେଶ୍ୟ । ଖୁବ୍ ଆକ୍ତାମାକ୍ତା ଲାଗେ ଏସବୁ ଚାହାଣୀ ।

ଏ ଛକରେ ଅଳ୍ପ ବହୁତେ ଶ୍ବେତାକୁ ଚିହ୍ନନ୍ତି କିଛି । ପିଲାଟା କିନ୍ତୁ ଅର୍ଖ ନୂଆ । କେଉଁ ସ୍ବଚ୍ଛଳ ବାପର ପାଠପଢୁଆ ବେକାର୍ ପୁଅଟିଏ ହୋଇପାରେ ।

ଆଗ୍ରହରେ ଦେଖିବା , ଆଉ ତତଜନିତ ଖୁସିହେବା , ଏକ ପ୍ରାଥମିକ ଲୋଭ ।

ପିଲାଟାକୁ ଦେଖିଲେ ଆଉରି ସମ୍ଭ୍ରମ ହୋଇପଡେ ଶ୍ବେତା । ବାରହାତର ଶାଢ଼ୀକୁ, ଦଶଦଶଟା ସେଫ୍ଟିପିନ୍ ରେ ଆୟତ୍ତ କଲାପରେ ବି , ବଳକା ରହିଯାଏ କିଛିକାଂଶ । ଆଉ ସେଇ ଦୃଶ୍ୟପଟକୁ ନେଇ ଉତ୍ତପ୍ତ ଏ ସହର !

ଦେବୀତୁଲ୍ୟ ନାରୀ ହେଉ ଅବା ନାରୀତୁଲ୍ୟ ଦେବୀଙ୍କର ଚିତ୍ର ଅବୟବ ଆଙ୍କିଲା ବେଳେ ଶିଳ୍ପୀଟିଏ କେବଳ ଯୌବନକୁ ପ୍ରଧାନ୍ୟ ଦିଏ । କହିବା ବାହୁଲ୍ୟ , ଯୁଗେଯୁଗେ ଶିଳ୍ପୀକୂଳ ପୁରୁଷ ପ୍ରଧାନ୍ୟ !

ଶ୍ବେତାକୁ ସାରା ସହର ନିରିଖେଇବାରେ ଅସ୍ବାଭାବିକତା ନଥିଲା । କାହିଁକି କେଯାଣି , ଛକର ସେଇ ପାନଦୋକାନ କଡକୁ ଢେରା ଦେଇ , ଅଙ୍କାବଙ୍କା ହୋଇ ଛିଡାହୋଇଥିବା ପିଲାଟାର ତୀର୍ଯ୍ୟକ୍ ଚାହାଣୀକୁ ସେ' ସହ୍ୟ କରିପାରୁନଥିଲା ଜମା । ସେ ଖୁବ୍ ଇଛା କରୁଥିଲା , ତା' ଯିବା ଫେରିବା ରାସ୍ତାରେ , ପିଲାଟି ନଥାନ୍ତାକି ।

●●●

- ମୁଁ ବାହାରିଲି । କବାଟ ଭିତରୁ ଦେଇଦେବ ।

- ହୁଁଉଁଉଁଉଁ ।

ତରତରରେ ବାହାରିପଡେ ଶ୍ବେତା । ନ'ଟା ପନ୍ଦର ବସକୁ ଯାଇ ଧରିବାକୁ ହୁଏ । ସେଇ ବସ୍ ଟିରେ ଅପେକ୍ଷାକୃତ କମ ଭିଡ ଆଉ ପାଞ୍ଚ ମିନିଟ୍ ଆଗରୁ ଅଫିସ୍ ରେ ପହଞ୍ଚି ହୁଏ ।

ଅନ୍ୟର ସମବେଦନାକୁ ବିଶେଷ ସହ୍ୟ କରିପାରେନା ଶ୍ବେତା । ସମବେଦନା ଜଣାଉଥିବା ମଣିଷ , ସର୍ବଦା ମୁଖାଟିଏ ପିନ୍ଧି ରହିଥାଏ । ସେ ବସ୍ ରେ ସିଟ୍ ଛାଡିଦେଇ , ଲଦିହୋଇ ଛିଡାହେବାକୁ ନିଜ ଅଧିକାର ମନେକରୁଥିବା ପୁରୁଷ ହେଉ ଅବା କଥାକଥାକେ ସାହାଯ୍ୟର ହାତ ବଢାଉଥିବା ଅଫିସ୍ ର ସହକର୍ମୀ ହେଉ ।

ନାରୀଟିଏ ଯେବେ ସଂକଳ୍ପବଦ୍ଧ ହୋଇଯାଏ , ପର୍ବତ ଶିଖର ବି ତୁଚ୍ଛ ହୋଇପଡେ । କାଂଧ ତଳକୁ କାନି ଛାଡି ନୁହେଁ , ଅଣ୍ଟା ବେଷ୍ଟନୀରେ କାନି ଖୋସିଦେଲେ ଯାଇ , ନାରୀ ବୁଝିପାରେ ତା' ପରାକ୍ରମ । ନିର୍ଭରଶୀଳତାର ବହୁଯୁଗୀୟ ଲାଞ୍ଛନାକୁ ଅଚିରେ ଅତିକ୍ରମିଯାଏ ସେତେବେଳେ ।

ଦୁଃଖ ସବୁ ଢେର୍ ଦିନଯାଏଁ ରାଜୁତି କରି , ତା'କୁ ଦୁର୍ବଳ କରି ଚାଲିଥିଲେ । ଭୁଲିବାର କୌଶଳ ଧିରେଧିରେ ଶିଖିଗଲା ଶ୍ବେତା । ଅନିକେତ ର ପତ୍ନୀ ବୋଲି , ଅଫିସ୍ ରେ ପ୍ରଥମରୁ ତା'ପ୍ରତି ଜମିଥିବା ସମବେଦନାକୁ ନିଜର କାର୍ଯ୍ୟଦକ୍ଷତା ବଦଳରେ ବଦଳାଇଦେଇଥିଲା ସେ । ଏବେ ସବୁଠାରୁ ଦକ୍ଷ କର୍ମଚାରୀ ଭାବେ ଶ୍ବେତାକୁ ହିଁ ଖୋଜାପଡୁଥିଲା ।

ସଂସାର ସୁଖ କିନ୍ତୁ ଭିନ୍ନ କିଛି । କାର୍ଯ୍ୟ ଦକ୍ଷତା ସହ କୌଣସି ସମ୍ପର୍କ ନଥାଏ ।

କ୍ଳାନ୍ତ ହୋଇ ଫେରିବା ପରେ , ଘର ଦୁଆରେ ଉଦାସୀ ଅନିକେତଙ୍କୁ ଦେଖି , ଭାଙ୍ଗିପଡେ ସେ ଭାରି ଭିତରେ ଭିତରେ । ପରସ୍ପର ନୀରବରେ ପଢିଯା'ନ୍ତି ମନର ଭାଷାତକ । ଢେର୍ ଆଗରୁ ସବୁଯାକ ସାନ୍ତ୍ଵନା ସରିସାରିଥାଏ । ଚା' କପ୍ ଟେ ବଢାଇ ଦେଇ , ଗୋଟିଗୋଟି କରି ବଖାଣି ଚାଲେ ଅଫିସ୍ ର ଘଟଣାବଳୀ । ନିରୁତ୍ସାହ ହୋଇ ଅନିକେତ ଶୁଣନ୍ତି ସେସବୁ । ଶ୍ବେତା ବୁଝିପାରେ । କଥା ଅଧାରଖି ରୋଷେଇ ଘରକୁ ଚାଲିଯାଏ । ରାନ୍ଧିସାରି ଆସି କୁହେ

- ରାତି ହେଲାଣି । ଖାଇନିଅ । ଔଷଧର ସମୟ ହେଲାଣି ।

ଔଷଧର ପ୍ରଭାବରେ , ଅନିକେତ ଶୋଇପଡେ । ଏବେ ଛଟପଟ ହୁଏ ଶ୍ବେତା । ଦେହର ଗୋଟେ ଅଭ୍ୟାସ ଥାଏ । ଅଭ୍ୟାସୀଟେ ସହଜରେ ନିୟନ୍ତ୍ରିତ ହୋଇପାରେନା । ଫ୍ରିଜ୍ ରୁ ଥଣ୍ଡା ପାଣି ବୋତଲଟା କାଢି ପିଇବାକୁ ଚେଷ୍ଟା କରେ ଶ୍ବେତା । କିଛି ବୋହିଯାଏ ଦେହତକ । କମେନି ବ୍ୟସ୍ତତା । ଅତିହେଲେ ଯାଇ ସାଓ୍ବାର୍ ତଳେ ଯାଇ ବସିପଡେ ମଝି ରାତିଟାରେ । ଏ ଯନ୍ତ୍ରଣାର ସଠିକ୍ ନାଁ ଟେ ନଥାଏ ।

ଅନେକ ସଫଳତାର ସ୍ବାକ୍ଷର ମଣ୍ଡନକରି ,ଧନାଢ୍ୟ ସାଜିଥିବା ଶ୍ବେତାର ଫୁଲଶେଯ ଆଜି ଅସୁସ୍ଥ । ସବୁକିଛି ସମ୍ଭାଳି ନେଲାପରେ ବି ଏଇ ବିଛଣାରେ ରହିଯାଏ ମହଣମହଣ ଦୁଃଖ । କେ' ଗୋଟେ କାନତଳେ ଚୁପ୍ କି ଆସି କହିଦିଏ ଯେମିତି -

- ବଦଳାଇନେ ଏ ବିଛଣା ଶ୍ବେତା । ନଚେତ୍ ଅନିଦ୍ରିତ ହେବ ତୋ' ସାରାରାତିତକ ଖାଲି !

ତକିଆ ଦୁଇଟିକୁ ଧରି ସୋଫା ଉପରକୁ ଉଠିଆସେ ଶ୍ବେତା । କିଛି ନିଦ ଆଖିରେ ଭରିଯାଏ ।

ପୁଣି ସକାଳୁ ଅନିକେତଙ୍କ ବାଥରୁମ୍ , ଡ୍ରେସିଂ , ଦିନବେଳା ଖାଇବା ଆଦିରେ ସରିଯାଏ ସମୟ । ତରତରରେ ନିଜକୁ ଯେନତେନ ସଜାଡି , ବାହାରିପଡେ ନ'ଟା ପନ୍ଦର ବସ୍ ଧରିବା ଲକ୍ଷରେ । ପନ୍ଦର ମିନିଟ୍ ର ଚଲାରାସ୍ତା ପରେ ଆସେ ଛକ । ଆଉ ପନ୍ଦର ମିନିଟ୍ ବିରକ୍ତିରେ ଚାହିଁ ରହିଲେ , ଖୁବ୍ ଅଳସେଇ ଆସି ପହଂଚେ ନ'ଟା ପନ୍ଦରର ବସ୍ । ଭିତରୁ ଥାଇ ସେ ମୋଟା କଣ୍ଡକ୍ଟର ତା' ନିତିଦିନିଆ ଘୋଷା ଦୋହରାଏ -

- ଦିଦି ! ଆଗ ଦୂର ପାସେଞ୍ଜର ଚଢିସାରନ୍ତୁ ।

ଚଢୁଚଢୁ ମୁହଁ ଫେରାଇ ଦେଖେ ଥରୁଟିଏ ଶ୍ବେତା ପିଲାଟିକୁ । ତା'କୁ ଲାଗେ ତଥାପି ବି ସେ ତାକୁ ଚାହିଁ ରହିଛି । ଓଃ ଭାରି ଅସହ୍ୟ ଏସବୁ । କିନ୍ତୁ ନାରୀଟିଏ ତ ସର୍ବକାଳ ନିରୁପାୟ !!

●●●

ଦିନଥିଲା ଅନିକେତ ଖୁବ୍ କ୍ଷିପ୍ର । ମୁହୂର୍ତ୍ତେ ବସିରହିବାକୁ , ପୁରୁଷର ସର୍ବାଧିକ ଅପମାନ ବୋଲି ମନେକରୁଥିଲା । ଶ୍ବେତାକୁ ଭଲଲାଗେ ଏ ଦୌଡ । ନାରୀର ଈଛା , ସର୍ବଦା ତା' ପ୍ରିୟ ପୁରୁଷର କ୍ଷିପ୍ରତା । ଆରମ୍ଭର ପହିଲି ଦୁଇବର୍ଷ , ଏଇମିତି ବେଗତମ ହୋଇ କଟିଯାଇଥିଲା ଦୁହିଙ୍କର ।

ପ୍ରେମ ଜୁଆରରେ ଭଟ୍ଟା ଟାଣିଦେଇ , ଅଫିସ୍ ଚାଲିଯାଏ ଅନିକେତ । ଆଖିପତା ତଳେ ସନ୍ତୋଷର ବିରହ ଜମାଇ ଜମାଇ , ଦିନସାରା ଆତୁରା ହୋଇ ରୁହେ ଶ୍ବେତା । ଅଫିସ୍ ଫେରନ୍ତା ଅନିକେତଙ୍କ କ୍ଳାନ୍ତ ଅବୟବକୁ ଆମନ୍ତ୍ରିତ କରି , ତତକ୍ଷଣାତ୍ ଜୁଆରିତ ହେବାରେ ଆଉ ସମୟ ସାରେନି ସେ ! ନା ଅଭିମାନ , ନା କିଛି ଅଭିଯୋଗ । ଏସବୁ ପ୍ରହସନ ପାଇଁ , ନା ଥାଏ ସ୍ଥାନ , ନା ସମୟ ।

- ଶ୍ବେତା !

- ଉଁ , କୁହ ?

- ଏଇ ଭଲପାଇବାରେ ଭାଗ ବସାଇବାକୁ ନୂଆ ଆଗନ୍ତୁକକୁ ଆଉ କେଯାଏଁ ଅପେକ୍ଷା ?

- ଈଛାଟିଏ କର । ମୁଁ ସର୍ବଦା ପ୍ରସ୍ତୁତ ।

- ହେଇ କଲିଦେଖ ।

- ହାହାହା ! କାଲିଠାରୁ ଅପେକ୍ଷାରେ ରୁହ ଠିକ୍ ନ'ମାସ !!!

କାଲିଟାଏ ସ୍ୱପ୍ନ ବୁଣେ । କିଛି ଆସନ୍ତାକାଲି ସ୍ୱପ୍ନ ସବୁଙ୍କୁ ଚୁରମାର୍ କରିଦିଏ ମଧ୍ୟ ।

ଅଫିସ୍ ଯିବାରାସ୍ତାରେ ଘଟେ ଏକ ମର୍ମନ୍ତୁଦ ଦୁର୍ଘଟଣା !

ଦୀର୍ଘ ଛ'ମାସର ସଂଘର୍ଷ , ପ୍ରାର୍ଥନା , ସଂଚୟର କାଣିକଉଡି , ଆଖିର ଶେଷତମ ଲୁହ ନିଗାଡି ଦେବାପରେ ଯାଇ ଘରକୁ ଫେରନ୍ତି ଅନିକେତ । କିନ୍ତୁ ଆଗପରି କ୍ଷିପ୍ରତା ନେଇ ନୁହେଁ । ଖୁବ୍ ଏକ ଦରିଦ୍ର ପାଲଟି , ବେସାହାରା ହୋଇ !!

ଏଇ ଦୁଃଖର ଛ'ମାସରେ କିନ୍ତୁ , ଶ୍ବେତା ପାଲଟି ସାରିଥାଏ ପଥର ପରି ଶକ୍ତ , ବନ୍ଧୁର । ସଂସାର କ'ଣ ସେଇ ଗୋଟାଏ ନିୟମରେ ବନ୍ଧା ???

ସ୍ୱାମୀଟିଏ ସଂଜଯାଏଁ ବାହାରକୁ ଯିବ , କେବଳ ସ୍ତ୍ରୀଟିକୁ ସାମାଜିକ ନିରାପତ୍ତାର ସୁଖଭୋଗ ଦେବାପାଇଁ ? ଓଲଟା ହୋଇପାରେ ବି ଜୀବନ ।

ଅନିକେତଙ୍କ ଅଫିସ୍ , ଶ୍ବେତାକୁ ଗ୍ରହଣ କରିନେଲା । ଭଙ୍ଗା ସଂସାର ସଜାଡିବାରେ ମନସ୍କ ହୋଇଗଲା ଶ୍ବେତା ।

●●●

ବେଶିଗୋଟେ ନିୟମର ଦାୟରେ , ସାଇତି ରଖିହୁଏ ଦେହ । ମନ ସଙ୍ଖୋଳି ହୁଏନା କିନ୍ତୁ !!!

ନୀରବତାର ସମୟତକ ଖୁବ୍ ପୀଡାଦାୟି ବି । କ୍ରମଶଃ ଜଡ଼ ପାଲଟୁଥିବା ଅନିକେତଙ୍କ ଆଖି ଦୁଇଟାକୁ ଚାହିଁଲେ, ଶ୍ବେତାକୁ ଲାଗେ ଯେପରି ନିଜ କଷ୍ଟ ପାଇଁ ନୁହେଁ , ଶ୍ବେତା ଭୋଗୁଥିବା ଯନ୍ତ୍ରଣା ପାଇଁ ଖୁବ୍ ଏକ ଅନୁତପ୍ତ ହୋଇ ରହୁଛନ୍ତି ସବୁବେଳେ ସେ । ଏଇତକରେ ଦ୍ବିଗୁଣିତ ହୋଇଯାଏ ଦୁଃଖ । ଯନ୍ତ୍ରଣାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ନଥାଏ । କେଉଁ ସମୟରେ କେଉଥିପାଇଁ ଶ୍ବେତା ଅବସାଦରେ ଚାଲିଯାଏ , ନିଜେ ଠଉରାଇବା ମୁସ୍କିଲ ହୋଇପଡେ ।

ତଥାପି ଏଇ କିଛିଦିନ ହେଲା , ଏକ ଭିନ୍ନକଷ୍ଟ ନେଇ ସେ ପୀଡା ପାଏ । ତା'କୁ ସବୁବେଳେ ଲାଗେ ଦୁଇଟା ରହସ୍ୟମୟ ଆଖି ଯେମିତି ପିଛା କରିଚାଲିଛି । ରାସ୍ତାରେ , ଘାଟରେ , କୋଳାହଳରେ , ନୀରବତାରେ , ସବୁଠାରେ ଯେମିତି କେ' ତାକୁ ଚାହିଁ ରହିଛି । ବାଥରୁମ୍ ର ଦିଆଲରେ ବି ହଳଟିଏ ଆଖି ! ନିଜକୁ ଖୋଲିପାରେନା ଶ୍ବେତା । ବିଛଣାର ବଳକା ଯାଗା ମାନଙ୍କରେ ଗଡୁଛନ୍ତି ଆଖି ଯୋଡିଏ । ସେ ଶୋଇପାରେନା ।

ଭୟଙ୍କର ମାନସିକ ଅବସାଦ ।

- ଜାଣ ! ଏକୁଟିଆ ଝିଅଟେ ପାଇଁ , ବାହାରଟା ଭାରି ଅମାନବନୀୟ ।

- କ'ଣ ହେଲା ଶ୍ବେତା ?

- ନାଃ ! ଏଇ କିଛିଦିନ ହେଲା , ଛକରେ ପିଲାଟିଏ ମୋ' ଯିବାଆସିବା ବେଳରେ ଆସି ଛିଡାହେଉଛି ।

- ଅନ୍ୟ କିଛି ଉଦ୍ଦେଶ୍ୟରେ ସେ ଥାଇପାରେ ।

- ହୁଏତ ଥାଇପାରେ । ହୁଏତ ନଥାଇପାରେ ବି । କେବଳ ମୋ' ଉଦ୍ଦେଶ୍ୟରେ ଆସୁଥାଇପାରେ ।

- ହା ହା , ଏମିତି କାହିଁକି ?

- ତା' ଚାହାଣୀ ମୋତେ ବ୍ୟସ୍ତ କରିଦେଉଛି । ଲାଗୁଛି ସେ ସବୁବେଳେ ଗୋଟେ ସୁଯୋଗର ଅପେକ୍ଷାରେ ଅଛି ।

- ଓଃ ! ଅଯଥା ଭୟ କରନି । ସେ ଛକରେ ଆମକୁ ଢେର୍ ଲୋକ ଜାଣନ୍ତି ।

ହ୍ବୀଲ୍ ଚେୟାର୍ କୁ ଗଡାଇ ଗଡାଇ ଅନିକେତ ବେଡରୁମକୁ ଚାଲିଗଲେ ଅଧା ଚା'କପ୍ କୁ ଛାଡିଦେଇ । ଶ୍ବେତାକୁ ଲାଗିଲା ଏକଥାଟିକୁ ତାଙ୍କୁ ନକହିଥିଲେ ବି ଚଳିଥାନ୍ତା !!

ଦେହ ଆଭ୍ୟନ୍ତରରେ ଉଦବେଳିତ କରୁଥିବା ଅଂଶତକ ଖୁବ୍ ସ୍ପର୍ଶକାତର । ଉଦବେଳନ ବି ନିହାତି କ୍ଷଣସ୍ଥାୟୀ । ଛୁଞ୍ଚିଟାଏ ନେଇ ଟପ୍ କିନା ଫୋଡିଦିଅ । ଠୋପାଏ ରକ୍ତ ନିଗିଡିଗଲେ ଶାନ୍ତ ପଡିଯାଏ ସମୁଦ୍ର । କିନ୍ତୁ ମନ ???

ମନ ସର୍ବଦା ଏକ ଦୀର୍ଘଶ୍ବାସ !!

●●●

ଅଫିସ୍ ଯିବାବେଳେ ଆକାଶଟା ତୋଫା ଗୋରାଥିଲା । ଫେରିବା ବେଳକୁ ମୂଷଳଧାରା । ଅଧା ବୁଡିଗଲାଣି ସହର । ବସ୍ ଷ୍ଟପରୁ ଘରଯାଏଁ ପନ୍ଦର ମିନିଟ୍ ର ରାସ୍ତାକୁ ପାରିହେବା ଆଜି ସହଜ ହୋଇନପାରେ । ଛତାଟିକୁ ନେବା ଜରୁରୀ ମନେକରିନଥିଲା ସକାଳେ । ଏବେ ଫଳ ଭୋଗିବାର ସମୟ । ଗାଡି ତା'କୁ ନିର୍ଦୟ ହୋଇ ଛାଡିଦେଲା ଛକରେ । ଏକରକମ୍ ଧାଇଁଗଲା ଶ୍ବେତା ସେ ପାନ ଗୁମୁଟିର ଅସ୍ଥାୟୀ ଘେରାକୁ । ବର୍ଷା ଯୋଗୁଁ ଖୁବ୍ ନିରୋଳା ଆଜି ଛକ । ସେପଟକୁ ଦୁଇଜଣ ଗୁମୁରୁଛନ୍ତି । ଅଥଚ ଛିଡା ହୋଇଛି ସେ ଅସହ୍ୟ !!

- ଏ ଛତା ନେଇ ଯା'ନ୍ତୁ । କାଲି ଫେରାଇଦେବେ । ବର୍ଷା ଏବେ ଛାଡିବନି ।

ଅଣ୍ଟା ବେଷ୍ଟନୀରେ କାନି ଖୋସି ବସ୍ ରୁ ଓହ୍ଲାଇଥିଲା ଶ୍ବେତା । ଏଥର ପିଲାଟିକୁ ଭଲକରି ଚାହିଁଲା ଥରେ । ଆଦୌ ଅସୁରକ୍ଷିତ ମନେ ହେଲାନି ତା'କୁ । ହାତରୁ ଛତାଟିକୁ ନେଇ , ଏକମୁହାଁ ଚାଲିବାରେ ଲାଗିଲା ପନ୍ଦର ମିନିଟ୍ ର ପାଦଚଲା ରାସ୍ତା ।

ଅନିକେତ ବ୍ୟସ୍ତ ହେବା , ଆଉ ତା'କୁ ଦେଖି ଆଶ୍ୱସ୍ତ ହେବା ସ୍ୱଭାବିକ୍ ଥିଲା ।

- ଜାଣ ! ଛତା ନେଇନଥିଲି । ଛକରେ ସେଇ ପିଲାଟିକୁ ନ ମାଗି ବି ଦେଇଦେଲା । ମାନବିକତା ଥାଇପାରେ ।

କିଛି ନକହି ହ୍ବୀଲ୍ ଚେୟାର୍ ଗଡାଇ ଭିତରକୁ ଚାଲିଗଲେ ଅନିକେତ ।

ନୀରବତା ବି ଏକ ପ୍ରେମଭାଷା । ବୁଝିପାରିବାର ମନଟିଏ ଥିଲେ ଯାଇ ହେଲା ।

ଛତାଟିକୁ ବାଲକୋନୀରେ ଶୁଖାଇଦେଇ , ଘରକାମରେ ଲାଗିଗଲା ଶ୍ବେତା । ମଝିରେ ମଝିରେ ଆସି ଦେଖିଯାଉଥିଲା ପବନ ଉଡେଇ ଦେଉନିତ ଆଉ ??

●●●

ଅନିକେତ ଶୋଇପଡିଲେଣି କେତେବେଳୁ । ଅଣ୍ଟାତଳୁ ଭାଙ୍ଗିରୁଜି ଯାଇଛି ଦେହ । ବୁଝିବାର ଖୁବ୍ ଏକ ଛାତିଟାଏ ଅଛି କିନ୍ତୁ ସ୍ୱାମୀଙ୍କର । ଶ୍ବେତା ବୁଝିପାରେ ଯେ' ଅନିକେତ ତା'କୁ ବେଶ୍ ବୁଝିନିଅନ୍ତି ।

ଅସୁସ୍ଥ ବିଛଣାରୁ ଉଠିଆସି ସୋଫା ଉପରେ ଗଡିପଡିଲା ଶ୍ବେତା । ଏଇ ସୋଫାରେ ହିଁ କିଛି ନିଦ ଭୋଗିନିଏ ସେ । ସ୍ୱପ୍ନ ଦେଖୁଥିଲା । ଘର ସାରା ଭାରି ବର୍ଷା । ସେ କିନ୍ତୁ ନିଶ୍ଚିନ୍ତ ହୋଇ ଶୋଇରହିଛି । ତା' ଉପରେ ଢଙ୍କା ଏକ ବଡ଼ କଳା ରଙ୍ଗର ଛତା !!

●●●

ପରଦିନଠାରୁ , ଗଲା ପାଞ୍ଚ ଦିନଯାଏଁ ଆକାଶ ଫାଙ୍କା ଥିଲେ ସୁଦ୍ଧା ସାଙ୍ଗରେ ନେବାଆଣିବା କରୁଥାଏ ଛତାଟିକୁ ଶ୍ବେତା । ଅଥଚ ପିଲାଟିର ଦେଖା ନାହିଁ । ଫେରାଇବ କେମିତି ? ବ୍ୟସ୍ତ ଲାଗୁଥିଲା ଭାରି ।

ପାନଦୋକାନକୁ ଢେରାଦେଇ ଛିଡା ହୋଇଥିବା ଏବର ମଣିଷ ମାନେ , ସେ ପିଲାଟି ନୁହେଁ । ଛକର ସବୁଯାକ ଲୋକ ତା'କୁ ନିରିଖେଉ ଥିଲେ ବି , କେହି ତା'ପରି ଯନ୍ତ୍ରଣା ଦେଇପାରୁନଥିଲେ ଶ୍ବେତାକୁ ଆଦୌ । ସେଇତକ କଷ୍ଟ ଏବେ ଶ୍ବେତା ପାଇଁ ।

ବେଳେବେଳେ କେହି ଗୁରୁତ୍ୱ ଦେଲେ , ମାତ୍ରାଧିକ ଲାଗେ । ପୁଣି ଗୁରୁତ୍ୱହୀନ କରିଦେଲେ ଖାଲିଖାଲି ଲାଗେ ସଂସାର !!!

ଭାରି ବ୍ୟାକୁଳରେ , ଭାରି ଆତୁରାଇ ଶ୍ବେତା ଯାଇ ପଚାରିଲା -

- ମଉସା ! ଏଇ ପାଖରେ ପ୍ରାୟ ଗୋଟେ ପିଲା ଛିଡାରହେ । ହପ୍ତାଏ ହେଲା ଦେଖୁନି ତା'କୁ ???

- ଓଃ ! ଝିଅ , ସେ ଲମ୍ବା ହୋଇ ଯେଉଁ ??

- ହଁ ହଁ , ସେ ଅଳ୍ପ ଅଳ୍ପ ଦାଢୀ ଥାଏ ...

- ଏଇ ଛକ ଉପରେ , ରାସ୍ତା ପାରିବେଳେ ଗାଡି ପିଟିଦେଲା ହପ୍ତାକ ତଳେ । ବର୍ଷା ଯୋଗୁଁ ବନ୍ଦ ଥିଲା ଦୋକାନ । ପରେ ଶୁଣୁଛି , କେୟାର୍ ହସପିଟାଲରେ ପଡିଛି ବୋଲି ।

ଅଫିସ୍ ନଯାଇ କେମିତି ଟାଣିହୋଇଗଲା ଶ୍ବେତା ନିଜେ ଜାଣି ପାରିନଥିଲା । ଜାଣି ପାରିନଥିଲା ବି ତା 'ଭିତରେ କାହିଁକି ଏତେ ଆକୁଳତା ??

ପହଞ୍ଚି , ସାମାନ୍ୟ ଖୋଜୁଖୋଜୁ ପାଇଗଲା ଠିକଣା । କାଚଫାଙ୍କରେ ଦେଖିଲା ଘେରିରହିଛନ୍ତି ଆତ୍ମୀୟ । ଖୁବ୍ ଯନ୍ତ୍ରଣା ନେଇ ଶୋଇରହିଛି ସେଇ ପିଲା । ଖଟକୁ ଲାଗି ହ୍ବୀଲ୍ ଚେୟାର୍ ଟିଏ !!!!

ଖସି ପଡୁଥିଲା । କିନ୍ତୁ ତା'କୁ ଆଉଥରେ ଖସିବାରେ ନଥିଲା । ଅଣ୍ଟା ବେଷ୍ଟନୀରେ କାନୀ ଖୋସିଦେଇ , ଖୁବ୍ ନୀରବରେ କ୍ୟାବିନ୍ ର ଦୁଆରେ ଛତା ଥୋଇଦେଇ ଫେରିଆସୁଥିଲା ଶ୍ବେତା ।

ଯଦିଓ ୟା'ଭିତରେ ଖୁବ୍ ବର୍ଷାର ଆରମ୍ଭ ହୋଇସାରିଥିଲା !!

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର

ଶ୍ବେତା ଅନିକେତ ନୀରବତା

Rate the content


Originality
Flow
Language
Cover design

Comments

Post

Some text some message..