Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Tragedy Others

2  

Paramita Mishra

Tragedy Others

କଥା ତ ଏତିକି

କଥା ତ ଏତିକି

10 mins
7.4K


ସୂର୍ଯ୍ୟ ଦେବତା ନିଜର ରାଗ ରୁଷା ଛାଡି ଘର ବାହୁଡ଼ା ହେଉଥିଲେ। ଧୀରେ ଧୀରେ କାଳ ନାଗୁଣୀ ରାତ୍ରି ସାରା ସଂସାରକୁ ନିଜ ଅକ୍ତିଆରକୁ ନେଇ ଯାଉ ଥିଲା, ଯେମିତି ସେ ଅପେକ୍ଷାରେ କେତେବେଳେ ସୂର୍ଯ୍ୟାସ୍ତ ହେବ। ଭାରି କଠିନ ଏ ରାତି, ବେଳକୁ ବେଳ କାଳ ନାଗୁଣୀ ପରି ତାର ଆକାର ବଡ କରିଚାଲେ।

ପ୍ରଶାନ୍ତ ବାବୁ ଆରାମ ଚେୟାରରେ ବସି ବସି ଗୋଟିଏ ହାତରେ ଖଣ୍ଡେ କାଗଜ ଛାତି ଉପରେ ଭିଡି ଧରିଛନ୍ତି ଏବଂ ଅନ୍ୟ ହାତରେ ଚଷମାଟି ତଳକୁ ଓହଳି ରହିଛି। ଆଖି ଦୁଇଟି ମୁଦି ପଡିରହିଛନ୍ତି ସେ। ଏହି ମୁଦ୍ରାରେ ରହି ଭାବନା ରାଇଜରେ କୋଉଠି ହଜି ଯାଇଛନ୍ତି ସେ। ହଠାତ ଚେତନାରେ ଆସିଲେ ହାତରୁ ଚଷମାଟି ଖସି ପଡି ଯିବାରୁ। ଖଣ୍ଡେ କାଚ ବାହାରି ଗଲା ସେଥିରୁ। ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ଚଷମାଟିକୁ ହାତରେ ନେଇ କାଚଟିକୁ ଲଗାଇ ବାକୁ ଲାଗିଲେ ସେ। ସେମତି କାଚକୁ ଚଷମାରେ ଲଗାଇ ଚିଠିଟିକୁ ଉପରୁ ତଳକୁ ବାରମ୍ବାର ଦେଖିବାକୁ ଲାଗିଲେ। ନା କିଛି ଦିଶୁନି। କିନ୍ତୁ ଏ ଚିଠିଟିର କମା ଓ ପୂର୍ଣ୍ଣଛେଦ ବି ତାଙ୍କର ମୁଖସ୍ଥ ହୋଇ ସାରିଛି। ତେଣୁ ଅନର୍ଗଳ ଭାବେ ପଢି ଗଲେ ସେ।

"ପ୍ରିୟ ବାପା

   ମୋର ପ୍ରଣାମ ନେବେ। ଆଶା ଘରେ ସବୁ ଭଲରେ ଥିବେ। ବାପା ମତେ କ୍ଷମା କରିବେ, ଚିକୁ ଆଉ ଚୁନିର ଖର୍ଚ୍ଚ ମୁଁ ଆଉ ଉଠାଇ ପାରିବିନି। ତମେ ତ ଜାଣିଛ ନ୍ୟୁୟୋର୍କରେ ଟଙ୍କାର କେତେ ଅସୁବିଧା, ଏବେ ଘର ଖଣ୍ଡେ କିଣୁଛି ଆଉ ପୁଣି ରନି(ନାତି)ର ପାଠପଢା ପାଇଁ ବହୁତ ଟଙ୍କା ଦରକାର ତେଣୁ ମତେ ଭୁଲ ନବୁଝି ଏ ଦାୟିତ୍ଵରୁ ମତେ ମୁକ୍ତ କରିଦିଅନ୍ତୁ। ଏସବୁ କଥା ଫୋନରେ ବି ହୋଇପାରିଥାଆନ୍ତା କିନ୍ତୁ ମୋର ସେତିକି ସାହାସ ନାହିଁ ବାପା ତେଣୁ ସବୁ ଲେଖିକି ଜଣାଉଛି। ଏଇଟା ଆମର ଶେଷ ବାର୍ତ୍ତାଳାପ ବାପା ୟା ପରେ ମୁଁ ନଜର ଉଠାଇ ଆପଣଙ୍କ ସହ କଥା ହୋଇ ପାରିବି ନାହିଁ କିନ୍ତୁ ସତ କଥାଟା ହେଲା ଆପଣଙ୍କ ବୋହୂ ଲୋରା ଜମା ଚାହେଁନି ମୁଁ ଆପଣଙ୍କ ସହ ମିଶେ । ଆଉ ମୁଁ ଲୋରାକୁ ଛାଡି ପାରିବିନି।   

ଇତି

ଆପଣଙ୍କ ଅଯୋଗ୍ୟ ପୁଅ

ଅନିମେଶ"

କେତେଟା ବର୍ଷ ବିତିଯାଇଛି କେତେବେଳେ ।ମୋଟର ଗ୍ୟାରେଜରେ ଆଉ ଏକୁଟିଆ କାମ କରିବା ସମ୍ଭବ ହେଇପାରୁନି, ଚାଲିଛି ଯେମିତି ସେମିତି। ଏବେ ଆଉ କାମ କହିଲେ କିଛି ନାହିଁ। ଚାକିରି ବି ନାହିଁ। ପ୍ରଶାନ୍ତ ବାବୁ ବାରଣ୍ଡାର ଚେୟାର ଉପରେ ବସି ପୁଅର ସେଇ ଶେଷ ଚିଠି ଧରି ଅପେକ୍ଷାରେ ଏମିତି କେତେ ରାତି କାଟି ଦେଇଛନ୍ତି। ଚିଠିଟିକୁ ପକେଟ ପୁରାଇ ଦେଖନ୍ତି ତ ବହୁତ ରାତି ହେଲାଣି। ନିଲୋଫର ନିଜେ ନିଜେ ଉଠି ପାରନ୍ତିନି ତେଣୁ ମୋବାଇଲ୍ ରେ ପ୍ରଶାନ୍ତଙ୍କ ପସନ୍ଦର ସେଇ ଗୀତଟିକୁ ବଜାଇ ଦିଅନ୍ତି ସେ ଓ ପ୍ରଶାନ୍ତ ବାବୁ ବୁଝି ଯାଆନ୍ତି ଯେ ନିଲୋଫର ଡାକୁଛନ୍ତି।ପ୍ରଛଦପଟରୁ ଗୀତଟି ବାଜି ଉଠିଛି। ନିଲୋଫର ପାଖକୁ ଆସି ପ୍ରଶାନ୍ତ ବାବୁ କହିଲେ ଆରେ ହଁ ହଁ ଜାଣିଛି ଖାଇବା ସମୟ ହୋଇଗଲାଣି। ଝୁନା(ଆୟା) ଛୁଆ ମାନଙ୍କୁ ଖୁଆଇ ଦେଇଛି, ସେଆନେ ବି ଶୋଇବେଣି। ନିଲୋଫର , ପ୍ରଶାନ୍ତଙ୍କର ହାତକୁ ନିଜ ହାତରେ ନେଇ କହିଲେ ବସ ଟିକେ, ସାରା ଜୀବନ ତମେ ଆମ ପାଇଁ ବହୁତ୍ କରିଛ ଶେଷଥର ପାଇଁ କିଛି ମାଗିବି କଣ ଦେବ?

ପ୍ରଶାନ୍ତ ବାବୁ ନୀଲୋଫରଙ୍କ ହାତକୁ ଜାବୁଡି ଧରି ତାଙ୍କୁ ଉଠାଉ ଉଠାଉ କହିଲେ ଥରେ କହିକି ଦେଖ କଣ ଚାନ୍ଦ ଆଣିଦେବି? କିନ୍ତୁ ପ୍ରଥମେ ଖାଇବା ଠିକ୍ ଅଛି। ନିଲୋଫର ବି ସର୍ତ୍ତ ରଖି କହିଲେ ଏଥର ନିଜ ସ୍ଵପ୍ନକୁ ଆକାର ଦେବ ତେବେ ଯାଇ ଖାଇବି। ଦେଖ ଏଇଟା ମୋର ଶେଷ ଇଚ୍ଛା, ସାରା ଜୀବନ ତୁମେ ବହୁତ ଲୋକଙ୍କ ପସନ୍ଦର ଗାଡି ବନେଇଛ। ମୁଁ ତୁମର ବନାଇଥିବା ସେହି ଗାଡିରେ ଥରେ ବସିବାକୁ ଚାହୁଁଛି ଆମ ସ୍ଵପ୍ନର କାରରେ , ଥରେ ବୁଲି ଆସିବାକୁ ଚାହୁଁଛି ସେଇ ସ୍ଵପ୍ନ ର ଗାଁ ଆଡ଼େ, ଶେଷ ନିଶ୍ଵାସ ଛାଡିବା ପୂର୍ବରୁ। କଣ କରିବ ନା?ଆଖିରେ ସମ୍ମତି ଜଣାଇଲେ ପ୍ରଶାନ୍ତ। ଗୀତଟି ଏବେବି ବାଜୁଥିଲା, ଦୁହେଁ ରାତି ଖାଇବା ସାରି ଶୋଇବାକୁ ଉଦ୍ୟତ ହେଲେ।

ଶେଯରେ ପଡି ପ୍ରଶାନ୍ତ ବାବୁ ପ୍ରଶ୍ନବାଚିରେ ଚାହିଁ ରହିଲେ ନିଲୋଫରକୁ। ନିଲୋଫର କହିଲା ଏମିତି ଦେଖନି ଏଇଟା ସତ ଯେ ମୋ ପାଖେ ଆଉ ବେଶି ଦିନ ନାହିଁ।

ପ୍ରଶାନ୍ତ ବାବୁ କହିଲେ ତୁମର ମନେ ଅଛି ନିଲୁ ଆମ ଭଲପାଇବା ଆମ ଶପଥ। ତୁମେ ମୋ ହାତ ଧରି ଘର ଛାଡିଲା ବେଳେ ଆମେ ପରସ୍ପରକୁ କଥା ଦେଇଥିଲେ ଶେଷ ଯାଏଁ ଏକାଠି ଜିଇଁବା ଆଉ ଏକାଠି ମରିବା। ଆଉ ଆଜି!

ନିଲୋଫର ପ୍ରଶାନ୍ତଙ୍କ ହାତକୁ ଜାବୁଡି ଧରି କହିଲେ ମୋର ସବୁ ମନେ ଅଛି,ଆଖିରୁ ଝରି ଆସିଛି ଦୁଇ ଧାର୍ ଅଶ୍ରୁ, ପ୍ରଶାନ୍ତ କହିଲେ ଆଜି ବି ତୁମେ ୩୦ବର୍ଷ ତଳର ସେହି ନାକ କାନ୍ଦୁରୀ ନିଲୁ ଭଳି ଦିଶୁଛ। ଏଇ ଶୁଣିଲ କେତେ ସୁନ୍ଦର ଥିଲା ନା ସେ ଦିନ ସବୁ।............. 

************************

ସୁନ୍ଦର ଘରଟିଏ ଥିଲା ପ୍ରଶାନ୍ତ ବାବୁଙ୍କର। ଇଞ୍ଜିନିୟରିଂ କଲାବେଳେ ନିଲୋଫର ସହ ତାଙ୍କ ଦେଖା, ତା ପରେ ପ୍ରେମ ଆଉ ତା ପରେ ମନ୍ଦିରରେ ବିବାହ। କିନ୍ତୁ ନିଲୋଫରଙ୍କ ଧର୍ମ ଅଲଗା ଥିଲା ନୀଲୋଫର ମୁସ୍ଲିମ୍ ଥିଲେ । ପ୍ରଶାନ୍ତ ଓ ନିଲୋଫର ମିଶି ଚାଳ ଝୁପୁଡି ଘରକୁ ବି ସ୍ଵର୍ଗ କରି ତୋଳିଲେ। ବହୁ ଚେଷ୍ଟା ପରେ ବି ସେମାନଙ୍କ ଘର ଲୋକେ ଆପଣାଇ ବାକୁ ରାଜି ହେଲେନି। ସେତେବେଳକୁ ପ୍ରଶାନ୍ତ ଇଞ୍ଜିନିୟରିଂ ପଢୁଥିଲା । ଟଙ୍କା ଅଭାବରୁ ପାଠ ଛାଡି ଛୋଟମୋଟ କାମରେ ଲାଗିଲେ। ପ୍ରଶାନ୍ତ ଦେହରେ କେବେ ଫୁଲଟିଏ ବି ପଡି ନଥିଲା କିନ୍ତୁ ପ୍ରେମ ପାଇଁ ତାର ତ୍ୟାଗ ଦେଖି ନୀଲୋଫରଙ୍କ ଆଖିରୁ ଝରି ଆସେ ଅଶ୍ରୁ, ପ୍ରଶାନ୍ତ କିନ୍ତୁ ନୀଲୋଫରକୁ ବୁଝାଇ ନିଏ ସବୁବେଳେ ସେହି ଗୀତଟି ଗାଇ, "କଥା ତ ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଛି ଶିଖି, ଆଉ ଆଖିରୁ ଲୁହ ପୋଛି ନୀଲମ ବି ତା ପରେ କହି ଉଠେ ଭାରି ଫିଲ୍ମି ତୁମେ। କିନ୍ତୁ ସତ ପ୍ରଶାନ୍ତ ବାବୁଙ୍କ ଜୀବନଟି ଠିକ୍ ସେଇ ସିନେମା ଭଳି। 

ଇଂଜିନିୟରିଂ ସିନା ଅଧାରୁ ସେ ଛାଡି ଥିଲେ କିନ୍ତୁ ମସିନ ସହ ଦୋସ୍ତି ଛାଡି ନଥିଲେ। ପ୍ରଥମେ ବହୁତ ଦିନ ଯାଏଁ ପ୍ରଶାନ୍ତ ଅନ୍ୟର ଗ୍ୟାରେଜରେ ରହି କାମ ଶିଖିଲେ କିନ୍ତୁ ସେଥିରେ ଘର ଚଳାଇବା କଷ୍ଟକର ଥିଲା ତେଣୁ ଛୋଟିଆ ଚାକିରିଟିଏ କରିଲେ ସେ ସମୟ ବିତିଲା ଅନିମେଶ ଓ ମେହେକ୍ ଆସିଲେ ତାଙ୍କ ଜୀବନରେ। ଘରେ ହୁଏତ ଟଙ୍କାର ଟିକେ ଅଭାବ ଥିଲା କିନ୍ତୁ ଶାନ୍ତି ବହୁତ୍ ଥିଲା। ପ୍ରଶାନ୍ତ ବାବୁ ନିଜର ସବୁ ଝାଳ ବୁହାଇ ନିଜ ପାଇଁ ଦେଖିଥିବା ସ୍ଵପ୍ନ ଛାଡି ପୁଅ, ଝିଅଙ୍କ ଭବିଷ୍ୟତ ସଜାଇଲେ । ହାତରେ ଯାଦୁ ଅଛି ପ୍ରଶାନ୍ତଙ୍କର। କୌଣସି କାମକୁ ଛୋଟ ବୋଲି ଭାବି ନାହାଁନ୍ତି ସେ। ଚାକିରିରୁ ଫେରି ପ୍ରଶାନ୍ତ ଘରର ସେହି ଛୋଟିଆ ଗ୍ୟାରେଜରେ ନିଜର ଏକ ସ୍ଵପ୍ନକୁ ରୂପ ଦେବାରେ ଲାଗି ଯାଆନ୍ତି। କାମ କଲାବେଳେ ରାତିଦିନ ବି ଦେଖନ୍ତିନି। ନିଲୋଫର ଘରେ ଗୀତ ଶିଖାଏ।ଗାଡି ପ୍ରଶାନ୍ତର ବହୁତ ପସନ୍ଦ। ଯେଉଁ କାରର ନମୁନା ସେ ବନାଇଛନ୍ତି ସେଥିରେ ବହୁତ ସମୟ ଓ ଅର୍ଥ ଲାଗିବ, କିନ୍ତୁ ଏ ଦୁନିଆର ବିରଳ କାର୍ ମଧ୍ୟରୁ ଗୋଟିଏ ହେଇପାରିବ। ବେଶି କିଛି ଆଶା ରଖି ନାହାଁନ୍ତି ସେ ବାସ୍ ସେହି ସୁନ୍ଦର ଗାଡି ସେ ନିଜେ ତିଆରି କରିବେ ଆଉ ସେଥିରେ ନିଲୋଫରକୁ ବସେଇ ଗୋଟେ ଲମ୍ବା ଯାତ୍ରାରେ ବାହାରି ଯିବେ।ଏଇ ସ୍ଵପ୍ନଟି ପ୍ରଶାନ୍ତ ବାବୁଙ୍କ ଆଖିରେ ସବୁ ବେଳେ ଥାଏ କିନ୍ତୁ ପିଲାମାନଙ୍କ ସ୍ଵପ୍ନ ସାକାର କରିବା ପାଇଁ ନିଜର ଏଇ ସ୍ଵପ୍ନକୁ ସମାଧି ଦେବାକୁ ସ୍ଥିର କଲେ। ଯେଉଁ ପୁରୁଣା ଗାଡିଟିରେ ସେ ନିଜର ପ୍ରୟୋଗ କରୁଥିଲେ ତାକୁ ଘର ପାଖରେ ଘୋଡାଇ ଦେଇ ରଖିଦେଲେ କାରଣ ପିଲାଙ୍କ ପାଠପଢାରେ ବହୁତ୍ ଟଙ୍କା ଆବଶ୍ୟକ। 

ସମୟ ଗଡିଲା। ଅନିମେଶ ଗୋଟେ ଇଂଜିନିୟର ହେଲା। ମେହେକ ବି ଆଇଏଏସ ପାଇଥିଲା। ଘର ହସ ଖୁସିରେ ଫାଟି ପଡୁଥିଲା। ଅନିମେଶ ବିଦେଶ ଚାଲିଗଲା କାମ ପାଇଁ। ମେହେକକୁ ବି ତା ପସନ୍ଦରେ ବାହା ଦେଲେ। କିନ୍ତୁ ହଠାତ୍ ଦିନେ ସବୁ ଭାଙ୍ଗି ଚୁରମାର ହୋଇଗଲା। ଅନିମେଶ ଖବର ଦେଲା ସେ ସେଠି ଜଣେ ବିଦେଶିନୀକୁ ବିବାହ କରିଛି। ପ୍ରଶାନ୍ତ ବାବୁ ପ୍ରଥମେ ବହୁତ ରାଗିଲେ। କହିଲେ ତୁ ଆମକୁ ଜଣାଇଥିଲେ କଣ ଆମେ ମନା କରିଥାନ୍ତୁ! କିନ୍ତୁ ପରେ ନିଜେ ହିଁ ତାକୁ ଘରକୁ ଆସିବାକୁ କହିଲେ। ରନି, ଅନିମେଶର ପୁଅ। ନିଲୋଫର ତାକୁ ଟିକେ ଦେଖିବାକୁ କେତେ କରି କହିଲେ କିନ୍ତୁ ଅନିମେଶ ଆଉ ଘରକୁ ଫେରିଲାନି। ଏମିତିକି ଭଉଣୀ ବାହାଘରରେ ବି ସେ ମୁହଁ ଦେଖାଇଲାନି। 

ମେହେକର ଦୁଇଟି ଜମଜ ସନ୍ତାନ ଜନ୍ମ ନେଲେ। ନିଲୋଫର ଓ ପ୍ରଶାନ୍ତ ତାଙ୍କୁ ଭାରି ଆଦର କରନ୍ତି। ମେହେକ ଆଉ ତା ସ୍ଵାମୀ ଦୁହେଁ ଚାକିରି କରନ୍ତି ତେଣୁ ପିଲାମାନଙ୍କୁ ଅଜା, ଆଇ ପାଖରେ ହିଁ ଛାଡି ଯାଆନ୍ତି। ଦୁଃଖ ଆସିଲେ କାଳେ ଭାଇ ବନ୍ଧୁ କୁଟୁମ୍ବକୁ ଧରି ଆସେ। ପୁଅର ବିରହ ଝିଅ, ଜ୍ୱାଇଁ ଆଉ ନାତି, ନାତୁଣୀଙ୍କୁ ଦେଖି କଟି ଯାଉଥିଲା । କିନ୍ତୁ ହଠାତ୍ ଦିନେ ମେହେକ ଆଉ ଫେରିଲାନି। ଖବର ଆସିଲା ଗାଡିଟି ଘାଇରୁ ତଳକୁ ଖସି ଯାଇ ସ୍ଵାମୀ, ସ୍ତ୍ରୀ ଦୁଇ ଜଣ ଯାକ ମରି ଯାଇଛନ୍ତି। ଏତକ କଣ କମ ଥିଲା କି ଏ ଖବର ନୀଲୋଫର କାନରେ ପଡିଛି କି ସେ ଦୁଃଖରେ ଭାଙ୍ଗି ପଡ଼ିଲେ। ଆଉ ତାଙ୍କର ଅଧା ଅଂଗ ଅପଙ୍ଗ ହୋଇଗଲା। କଅଁଳିଆ ଛୁଆ ଦୁଇଟା, ଝିଅକୁ ହରାଇ ବାର ଦୁଃଖ ଆଉ ଶେଜରେ ପଡିଥିବା ସ୍ତ୍ରୀ,ପ୍ରଶାନ୍ତ ବାବୁଙ୍କ ଅଣ୍ଟା ଭାଙ୍ଗିଗଲା ଯେତେବେଳେ ଏ ସବୁ ଖବର ପାଇ କିନ୍ତୁ ଅନିମେଶ ଦୌଡି ଆସିବ ବୋଲି ସେ ଭାବିଥିଲେ, ସେଟା ବି ମିଛ ହେଲା କିନ୍ତୁ ଅନିମେଶ ଏତିକି ଭରସା ଦେଇଥିଲା ଯେ ଭଉଣୀର ଛୁଆ ଦୁଇଟାର କଥା ସେ ବୁଝିବ।

ପ୍ରଶାନ୍ତ ଦମ୍ଭ ହୋଇ ଠିଆ ହେଲେ। ପିଲା ଦୁଇଟିକୁ ଆଦରି ନେଲେ ସେ। ଆଗ ଜୀବନ ସବୁ ଏହି ଛୁଆ ଦୁଇ ଜଣଙ୍କୁ ଦେଖି କାଟି ଦେବାକୁ ସ୍ଥିର କଲେ।

 ଏବଂ ଠିକ୍ ତାର ମାସେ ପରେ ଆସିଲା ଅନିମେଶର ସେଇ ଶେଷ ଚିଠିଟି । ସେବେଠୁ ପ୍ରଶାନ୍ତ ଓ ନିଲୋଫର ଅନିମେଶର ଅପେକ୍ଷାରେ ଆଖି ଲଗେଇ ବସିଛନ୍ତି। ଘରର ପୁରୁଣା ନମ୍ବରକୁ ବି ବଦଳାନ୍ତିନି କାଳେ ଅନିମେଶର ଫୋନ ଆସିଯିବ ବୋଲି। ନିଲୋଫର ସବୁବେଳେ ଫୋନ ଆଡେ ଚାହିଁ ରୁହନ୍ତି। ପ୍ରଶାନ୍ତ ସବୁବେଳେ ଡାକ ଡବାଟିକୁ ହାତ ମାରି ଥାଆନ୍ତି କାଳେ ଆଉ କିଛି ଚିଠି ଆସିଥିବ। ମେହେକର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି। 

***********************

ନିଲୋଫରର କଥା ରାତି ସାରା ପ୍ରଶାନ୍ତକୁ ଶୁଆଇ ଦେଲାନି। ସେହି ପୁରୁଣା ସ୍ଵପ୍ନ ସବୁ ପୁଣି ଆଖିରେ ଆସିଲା।

ସକାଳୁ ସକାଳୁ ନିଦ ଭାଙ୍ଗିଲା ଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲେ ଯେ ଆଜି ସେ ଯେମିତି ହେଲେ ଗାଡ଼ିକୁ ସଫା କରିବ। ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡ଼ି ଉପରେ ମଇଳା ପରସ୍ତେ ପଡ଼ିଯାଇଛି। ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡ଼ି ଧୋଇବାରେ ଲାଗିଗଲା। ଏହି ସମୟରେରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତଙ୍କୁ କହିଲା, “ଆଜ୍ଞା ଟଙ୍କା କୋଡ଼ିଏଟା ଯଦି ଦେବେ , ମୁଁ 

ଧୋଇଦେବି” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡ଼ି ଧୋଇଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା। ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ। ସେ ରାଜି ହୋଇଗଲେ। ଲୋକଟାକୁ ବାଲତି ଦେଉ ଦେଉ ପଚାରିଲେ କିରେ ବାବୁ ତୋ ନାଁ କଣ? ଭଲ ଘର ପିଲା ପରି ଦିଶୁଛୁ,କଣ କହିବ ଭାବୁ ଭାବୁ ତା ପାଟିରୁ ବାହାରି ଆସିଲା ବାବୁ ଭାରି ଭୋକ କିଛି ଖାଇବାକୁ ମିଳିବ?

ରହ କହି ପ୍ରଶାନ୍ତ ଭିତରୁ କିଛି ଖାଇବା ନେଇ ଆସି ପିଲାଟିକୁ ଦେଲେ। ପିଲାଟି ଖାଇବା ଦେଖି ତା ଉପରେ ଝପଟି ପଡିଲା ଯେମିତି ଜନ୍ମ ଜନ୍ମାନ୍ତରର ଭୋକିଲା ସେ। ତାକୁ ପେଟ ଭରି ଖାଇବା ଦେଖି ପ୍ରଶାନ୍ତ ବି ଖୁସିହେଲେ। ତା ହାତ ଧରି ତାକୁ ଚେୟାରରେ ବସେଇ ଦେଲେ, କହିଲେ ମତେ ତୋ ବିଷୟରେ କହ।

ପିଲାଟି କହିଲା ମୋ ନା ଚିନ୍ମୟ। ଗାଁରୁ ସହରକୁ ଆସିଥିଲା କିଛି କାମ କରି ଘରକୁ ସାହାଯ୍ୟ କରିବା ପାଇଁ କିନ୍ତୁ ଏଠି ଆସି ବଡ ବିପଦରେ ପଡିଗଲି। ଘରୁ ଯେଉଁ ଟଙ୍କା ତକ ଆଣିଥିଲି ସବୁ ଚୋରି ହୋଇଗଲା। ଘରକୁ ଫେରିବ ବା କୋଉ ମୁହଁରେ। ଘରେ ତ ଦାନା ଦାନାର ଅଭାବ। ଭିକ ମାଗିବା ଠୁ କିଛି କାମ କରି ଖାଇବାକୁ ଶ୍ରେୟ ମନେକଲି। କିନ୍ତୁ ଏଠି କାମ ମିଳିବା ଏତେ ସହଜ ନଥିଲା। ପ୍ରାୟ ଚାରି ଦିନ ହେବ କିଛି ଖାଇନଥିଲି ମୁଁ। ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା ମତେ ଖାଇବାକୁ ଦେଲେ। ଗୋଟେ ଉପକାର କରନ୍ତୁ ଆଜ୍ଞା ମତେ କିଛି କାମ ଦେଇ ଦିଅନ୍ତୁ। ମୁଁ କିଛି ବି କାମ କରିବି। ଗାଁ ସ୍କୁଲରେ ମୁଁ ଦଶମ ଶ୍ରେଣୀରେ ଆମ ବ୍ଲକରେ ପ୍ରଥମ ହୋଇଥିଲି। ସରପଞ୍ଚ ମତେ ପୁରସ୍କାର ବି ଦେଇଥିଲେ। କିନ୍ତୁ ପଇସା ଅଭାବରୁ ଆଉ ପଢି ପାରିଲିନି।

ପ୍ରଶାନ୍ତ ବାବୁ ଭାବୁ ହିଁ ଥିଲେ ତାକୁ କି କାମ କରିବାକୁ କହିବେ, କି ଆଗକୁ ଚିନ୍ମୟ କହିଲା ତାର ଯନ୍ତ୍ର ସବୁ ଭାରି ପ୍ରିୟ, ସବୁବେଳେ କିଛି ନୂଆ କରି ବନାଇ ବାକୁ ଚେଷ୍ଟା କରେ। ପ୍ରଶାନ୍ତ ବାବୁଙ୍କ ଆଖି ଉଜ୍ଜଳ ହୋଇ ଉଠିଲା। ଯେମିତି ଶୋଷିଲାକୁ ପାଣି ମିଳିଗଲା।

ଗରିବ ଲୋକଟେ ବି କେମିତି କମ୍ ଦାମରେ କାର୍ ଟେ ରଖି ପାରିବ, ତା ଉପରେ କେବେଠୁ ପ୍ରଶାନ୍ତ ଗବେଷଣା କରୁଥିଲେ। ଗାଡି ତ ଠିକ୍ ଅଛି କିନ୍ତୁ ସେଥିରେ ପକାଇବାକୁ ପେଟ୍ରୋଲ ଏତେ ଟଙ୍କା ତେଣୁ ଏ ସବୁକୁ ଧ୍ୟାନରେ ରଖି ଅଳ୍ପ ଖର୍ଚ୍ଚରେ କେମିତି ଜଣେ ସାଧାରଣ ଲୋକ ଚାରି ଚକିଆ ଯାନଟି ରଖିପାରିବ ଏକ ନମୁନା ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ। କିନ୍ତୁ ଲୋଡ଼ା ଥିଲା ଖାଲି ଗୋଟିଏ ସାହାଯ୍ୟର ହାତ। ସେଇଟା ବର୍ତ୍ତମାନ ଚିନ୍ମୟ ପୁରା କରିଦେବ ବୋଲି ପ୍ରଶାନ୍ତଙ୍କର ପୁରା ବିଶ୍ଵାସ।

ନିଲୋଫରର ଇଚ୍ଛାକୁ ଯେମିତି ହେଲେ ପୁରା କରିବାକୁ ହେବ। ପ୍ରଶାନ୍ତ ବସିବା ଜାଗାରୁ ଉଠି ଠିଆ ହୋଇ କହିଲେ ଆ ତାହେଲେ। ଆଜିଠୁ ଆମେ ଗୋଟିଏ ସ୍ଵପ୍ନ ତିଆରି କରିବା। ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ଅଭିଳାଷ ଆଉ ମୋର ଏତେ ପରିଶ୍ରମ। ଏ କାର୍ ଟିକୁ ଭଲ ଭାବେ ଧୋଇ ପକା।

ଦୁହେଁ ମିଶି ଗାଡିଟିକୁ ଭଲ ଭାବେ ଧୋଇ ସଫା କରିଦେଲେ।

ଚିନ୍ମୟ ନିଲୋଫରର ଭାରି ଯତ୍ନ ନିଏ। ନିଲୋଫର ନିଜର ଦୁଇ ସନ୍ତାନକୁ ହରାଇ ବହୁତ ଦୁଃଖରେ ଥିଲେ କିନ୍ତୁ ଚିନ୍ମୟର ସେବାରେ ତାଙ୍କ ସ୍ଵାସ୍ଥ୍ୟ ଭଲ ରହିବାକୁ ଲାଗିଲା। ଚିନ୍ମୟ ଭିତରେ ନିଲୋଫରକୁ ଅନିମେଶର ଝଲକ ଦିଶୁଥିଲା।

ଜୋରସୋରରେ ଗାଡି କାମରେ ଲାଗିଗଲେ ଚିନ୍ମୟ ଓ ପ୍ରଶାନ୍ତ। କେଜାଣି କୋଉଠୁ ପ୍ରଶାନ୍ତ ଭିତରେ ଶହେ ହାତିର ବଳ ଆସିଯାଇଥିଲା। ଚିନ୍ମୟ ପ୍ରଶାନ୍ତଙ୍କର ଚିନ୍ତାଧାରା ବିଷୟରେ ଜାଣି ଅତ୍ୟନ୍ତ ପ୍ରଭାବିତ ହୋଇଛି। ସତରେ କେତେ ଭଲ ହେବ ଯଦି ବାବୁଙ୍କ ସ୍ଵପ୍ନର ଗାଡିଟି ସତରେ ବନିଯାଏ।

ପ୍ରଶାନ୍ତ ବାବୁ ସବୁ ପରୀକ୍ଷା ନିରୀକ୍ଷା କରୁଥିଲେ, ଚିନ୍ମୟ ଗାଡି ବାହାର ଅଂଶ ଗୁଡିକ ସୁନ୍ଦର ରୂପ ଦେବାରେ ଲାଗିଥିଲା। ଧିରେ ଧିରେ ନିଲୋଫର ୱିଲ୍ ଚେୟାରରେ ବସି ସବୁ ଦେଖନ୍ତି ଆଉ ଖୁସି ହୁଅନ୍ତି।

ବହୁ ଦିନର ପରିଶ୍ରମ ସଫଳ ହେବାକୁ ଯାଉଥିଲା। ଗାଡିର ସବୁ କାମ ସରିବା ଉପରେ ଥିଲା। ଏକ ସୁନ୍ଦର କାର ବନି କି ପ୍ରସ୍ତୁତ ଥିଲା। କାରରେ ଗୋଟିଏ ପାଣିର ଟାଙ୍କିର ବ୍ୟବସ୍ଥା ଥିଲା ଯାହା ବାହାରୁ ବିଲକୁଲ ଜଣା ପାଉନଥିଲା। ଭଲ କଥା ଏୟା ଥିଲା ଯେ ଏହା ପେଟ୍ରୋଲରେ ନୁହଁ ପାଣିରେ ଚାଲେ ଏଥିରେ ପାଣି ବି ବହୁତ୍ କମ୍ ଖର୍ଚ୍ଚ ହେଉଥିଲା। ଏବଂ ଗାଡିଟିର ଦାମ୍ ବି ଅନ୍ୟ ଆକାରରେ କମ୍। ପ୍ରଶାନ୍ତ ବାବୁ ତ ପୁରୁଣା କାର ଉପରେ ହିଁ ଏ ପ୍ରୟୋଗଟି କଲେ । ପ୍ରଶାନ୍ତ ବାବୁ ନିଜ ସ୍ଵପ୍ନ ସତ ଆକାରରେ ଦେଖି ଖୁସିରେ ଫାଟି ପଡୁଥିଲେ। ଚିନ୍ମୟ, ଗାଡିଟିକୁ ସରକାରୀ ମଞ୍ଜୁର ପାଇଁ ପ୍ରସ୍ତାବ ଦେଲା। ପ୍ରଶାନ୍ତ ବି ରାଜି ହୋଇଗଲେ। ପ୍ରଶାନ୍ତ ଅପେକ୍ଷାରେ ରହିଲେ କେତେବେଳେ ସରକାରୀ ମଞ୍ଜୁର ମିଳିବ ସେ ନିଲୋଫରକୁ ଉପହାର ସ୍ଵରୂପ କାରଟିକୁ ଦେବେ କିନ୍ତୁ ପ୍ରଶାନ୍ତ ବାବୁଙ୍କ ଗାଡି ସରକାରୀ ମଞ୍ଜୁରୀ ମିଳିପାରିଲା ନାହିଁ।

ପ୍ରଶାନ୍ତ ସେଦିନ ଘରକୁ ଫେରି ଟିକେ ମନ ଉଣା କରି ନିଜେ ନିଜକୁ କହିଲେ, ନା ମୁଁ ସେ ସ୍ଵପ୍ନକୁ ପୁରା କରିପାରିଲିନି, ଏ ବୁଢା ହାତରେ ଆଉ ବଳ ନାହିଁ, ବାହାରୁ ଗାଡିର ହର୍ଣ୍ଣ ଜୋର ଜୋରରେ ବାଜୁଥିଲା। କିଏ ଏମିତି ବଜାଉଛି ବୋଲି ପ୍ରଶାନ୍ତ ବାବୁ ବାହାରକୁ ବାହାରି ଦେଖନ୍ତି ତ ଡ୍ରାଇଭର ସିଟ୍ ରେ ନିଲୋଫର ବସିଛନ୍ତି। ଆଉ ତାଙ୍କ ସହ ଚିନ୍ମୟ ଓ ଚିକୁ, ଚୁନି ବି। ହସି କି ନିଲୋଫର କହିଲେ ଚାଲ ଯିବା ଆମର ସେଇ ସପନର ଗାଁ ଆଡ଼େ ଗୋଟେ ଲମ୍ବା ଯାତ୍ରାରେ। ନିଲୋଫରଙ୍କର ସ୍ୱାସ୍ଥ୍ୟର ଏତେ ଉନ୍ନତି ଦେଖି ପ୍ରଶାନ୍ତ ବୁଝିଗଲେ ଯେ ଗାଡିଟି ପାଇଁ ନିଲୋଫର ବହୁତ୍ ଖୁସି ଆଉ ଏଇଟା ହିଁ ତ ତାଙ୍କ ସ୍ଵପ୍ନ ଥିଲା। ପ୍ରଶାନ୍ତ ବାବୁ ଖୁସିରେ ଯାଇ ବସିଗଲେ ତାଙ୍କ ସ୍ଵପ୍ନ ସବାରୀରେ। ଆଉ ସମସ୍ତେ ମିଶି ବାହାରି ଗଲେ ସେହି ଲମମ୍ବା ଯାତ୍ରାରେ। ପ୍ରଶାନ୍ତ ବାବୁଙ୍କ ପ୍ରିୟ ଗୀତଟି ବାଜି ଚାଲୁଥିଲା ଗାଡି ଭିତରେ।

କଥା ତ ଏତିକି.........rm

Paramita mishra

Hb colony, berhampur-10


Rate this content
Log in

Similar oriya story from Tragedy