Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Inspirational Romance Tragedy

4.8  

SIPRA NAMTA

Inspirational Romance Tragedy

ନିଃସର୍ତ୍ତ ପ୍ରେମ

ନିଃସର୍ତ୍ତ ପ୍ରେମ

10 mins
1.0K


ନିଃସର୍ତ୍ତ ପ୍ରେମ

---------------

ଉଦାସୀ ଅପରାନ୍ହ ର ଅଳସ ଆକାଶ ଟା ଚିପୁଡି ହୋଇ ଟିପ ଟିପ ଲୁହ ଝରାଉଛି । ସେଇ ପାଣି ଟିକେ ଟିକେ ଛୁଇଁ ଯାଉଛି ଗଛ ର ବହଳିଆ ପତ୍ର ମଧ୍ୟରେ ,ଝର୍କା ଦେଇ ତା'ର ଆଖି ଲମ୍ବିଯାଇଛି ସେଇ ଆଡକୁ । ।ବର୍ଷଣ ମୁଖର ସନ୍ଧ୍ୟା ଆଗତ ପ୍ରାୟ ।କିଛି ଭଲ ଲାଗୁନି ।ମନ ଟା କୁ ବୁଝାଇ ବୁଝାଇ ଥକିଗଲାଣି ମିହୁଲ । ସମୀର ଏମିତି କରିଵ ବୋଲି ସେ ଆଶା କରି ନ ଥିଲା । ମିକୁ ଯଦି ହଲାଇ ଡାକି ନ ଥାନ୍ତା ପାଣି ଛିଟିକି ବିଛଣା ଓଦା ହେବା କଥା ସେ ଜାଣି ପାରି ନ ଥାନ୍ତା ।

----କାହିଁକି ଏମିତି ହେଉଛୁ ?ଆଉ କିଛି ଭାବିବୁନି ବୋଲି ରାଣ ଦେଇ କହିଥିଲି ପରା ।। କହିଲା ମିକୁ ।

----କିଛି ଭଲ ଲାଗୁନି ....

ଭିଜା ଆଖିର ପଲକ ରୁ ଝରିଆସିଲା କେଇ ଟୋପା ଲୁହ ।ଆର୍ଦ୍ର ଆଖିକୁ ଦେଖି ମିକୁ ବୁଝିଗଲା ମିହୁଲ ସମୀର ର ଭାବନା ରେ ହଜିଯାଇଛି । ସାମାନ୍ୟ ଆଖି ଟେକି ମିହୁଲ ଚାହିଁଲା ସେଇ ଝର୍କା ଦେଇ, ସୂର୍ଯ୍ୟ ଙ୍କର ଦେଖା ନ ଥିଲା ଯଦିଓ ଆକାଶ ଟା ଟିକେ ଫର୍ଚ୍ଚା ଦେଖାଯାଉଥିଲା କିନ୍ତୁ ପାଣି ସେମିତି ଟିପ ଟିପ କରି ପଡୁଥିଲା ।ବର୍ଷା ର ବେଗ ହୁଏତ କିଛି ସମୟ ପରେ ବଢିପାରେ କିମ୍ବା କମିପାରେ କିଛି ବୁଝି ପାରୁ ନ ଥିଲା ସେ ।

ବେଶୀ ବେଶୀ ମନେପଡୁଥିଲା ସମୀର ତା'ର ,ଏଇ ପାଗ ରେ ।କାହିଁକି, କାହିଁକି ,ଏମିତି କଲା ସମୀର ଉଫଃ ଭାରି ବିରକ୍ତ ଓ ଅସନ୍ତୋଷ ରେ ଫାଟିପଡୁଥିଲା ସେ ।ମିକୁ ର ହାତ ଧରି ସେ କଇଁ କଇଁ କାନ୍ଦି ପକେଇଲା ।ଆକାଶ ଟା ବାଦଲ ଘେର ରେ ରହିଲେ ,ସେଥିରେ ଜହ୍ନ ର ବା କି ଦୋଷ ? ସେ ତ କେବେ କାର୍ପଣ୍ୟ ପ୍ରକାଶ କରିନି ଚାନ୍ଦିନୀ ବିତରଣ କରିବାକୁ ।ତେବେ ସମୀର କାହିଁକି ଭୁଲ ବୁଝିଲା ତାକୁ ? ସେ ତ କେବେ ତାକୁ ପ୍ରେମଦାନ କରିବାରୁ ବଞ୍ଚିତ କରିନି ।ତା ନିଜ ଘରେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ଆସିଛି ସେଗୁଡିକୁ ଆଡେଇ ସେ ସମୀର କୁ ପ୍ରସ୍ତାବ ଦେଇ ଥିଲା ।ସମୀର ମଧ୍ୟ

ସେଥିରେ ସହମତି ଦେଇଥିଲା କିନ୍ତୁ ପାରିବାରିକ ସମ୍ପର୍କ ସୃଷ୍ଟି କରିଥିଲା ବ୍ୟବଧାନ ।ମିହୁଲ ସମୀର ର ଭାଉଜଙ୍କ ନଣନ୍ଦ ।

ସମୀର ର ପାଠ ପଢିବା ନ ସରିଥିଲେ ମଧ୍ୟ ମିହୁଲ ଦେଇଥିଲା ପ୍ରସ୍ତାବ ,ସେ ଟ୍ୟୁସନ କରି ଘର ର ଓ କଂପିଟିଟିଭି ପରୀକ୍ଷା ପାଇଁ ଯାହା ଖର୍ଚ୍ଚ ଦରକାର ସେସବୁ ସେ ତୁଲାଇବ ।

ଚିହିଁକି ଉଠିଥିଲା ସମୀର ----"କଣ କହିଲ ........ତୁମେ ପୁଣି ପୋଷିବ ମୋତେ ,ହା.... ହା ।ବହୁତ କଥା କହି ଶିଖିଛ

ଦେଖୁଛି ।"

ପୌରୁଷତ୍ୟ ର ଖୁବ୍ଅହଂକାର ଦେଖାଇଥିଲା ସମୀର ।

ଗଭୀର ଆଶ୍ୱାସନା ରେ ପୋତି ଦେଇ ସମୀର ନିଜ ରାଜ୍ୟ ଛାଡି ,ଦେଶ ଛାଡି ବାହାରକୁ ଚାଲିଯାଇଥିଲା ଚାକିରୀ ଉଦ୍ଦେଶ୍ୟରେ , ଆଉ ଛାଡିଯାଇଥିଲା ମିହୁଲ କୁ ଜଳିବାକୁ ଗଭୀର ଅନ୍ତର୍ଦହନ ରେ । ଫେରିଗଲା ଅତୀତ ର କେଇ ପୃଷ୍ଠା ପଛ କୁ ........

---/// ///// ///---

ସ୍ୱଳ୍ପ ମଧ୍ୟବିତ୍ତ ପରିବାର ର ଦୁଃଖ କଷ୍ଟ ଭିତରେ ବଢିଥିବା ବାପା ଙ୍କର ହୃଦଘାତ ରେ ମୃତ୍ୟୁ ହେବା ପରେ ମାଆ ବି ଅଧିକାଂଶ ସମୟରେ ବିଛଣାରେ ପଡି ପଡି ଜ୍ଵରାକ୍ରାନ୍ତ ହେଉଥାନ୍ତି ।

ମିହୁଲ ର ବାପା ତା ମାଆ ଙ୍କୁ ତାଙ୍କ ପରିବାର ର ଇଛା ବିରୁଦ୍ଧରେ ବିବାହ କରିଥିବାରୁ ସେ ପର୍ଯ୍ୟନ୍ତ ତା ମାଆ ଙ୍କୁ

ଶ୍ୱଶୁର ଘରେ କେହି ଗ୍ରହଣ କରି ନ ଥିଲେ ।କୁଳୀନ ବ୍ରାହ୍ମଣ ପରିବାରରେ ବାପା ଜନ୍ମ ହୋଇ ନିମ୍ନ ଜାତିରେ ବିବାହ କରିଥିବାରୁ ସେ କଥା ସହଜ ରେ କେହି ଗ୍ରହଣ କରି ପାରି ନ ଥିଲେ ।ତେଣୁ ବାପା ଙ୍କ ମୃତ୍ୟୁ ରେ ମାଆ ଙ୍କୁ ନେଇ ମିହୁଲ ର ସେ ଘର କୁ ଯିବାର କୌଣସି ରାସ୍ତା ନ ଥିଲେ ବି ସେ ସାହସ କରି ଥରେ ଯାଇଥିଲା ।କିନ୍ତୁ ସେତେବେଳେ ଯୋଉ ଠିକଣା ଟି ସେ ବାପା ଙ୍କ ପାଖରୁ ପାଇଥିଲା ସେଠାରେ କେହି ନ ଥିଲେ ।

ବାପା ଙ୍କୁ ସବୁ ସମ୍ପତ୍ତି ରୁ ବଞ୍ଚିତ କରି ତାଙ୍କ ବଡ ଭାଇ ସେଠାକାର ଜମି ବାଡି ବିକ୍ରୀ କରି ଅନ୍ୟତ୍ର ସ୍ଥାନିତ ହୋଇଯାଇଛନ୍ତି ବୋଲି ଜାଣିବାକୁ ପାଇଥିଲା ସେ ।ତେବେ ଗୋଟେ ଆଶ୍ଚର୍ଯ୍ୟ ଘଟଣା ଟିଏ ଘଟିଥିଲା ବୋଲି ସେ ଆସି ମାଆ ଙ୍କୁ କହିଥିଲା ।ବାପା ଙ୍କ ବଡଭାଇ ଯାହା ଙ୍କୁ ସେ ଜାଗା ବିକ୍ରୀ କରିଥିଲେ ସେ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ ଏବଂ ଖୁବ୍ ସ୍ନେହୀ ମଧ୍ୟ । ସେ ତାକୁ ଏକ ବନ୍ଦ ଲଫାଫା ଟିଏ ଦେଇ କହିଥିଲେ " ଝିଅ ଏଇଟା ତମ ବୁଢାବାପା ମୋତେ ଲୁଚାଇ ଦେଇଥିଲେ ।ବହୁତ ମନ ଦୁଃଖ କରୁ ଥିଲେ, ତମ ମାନଙ୍କ ପାଇଁ ।ସେଥିପାଇଁ କହିଥିଲେ ,କେହି ଯଦି କେବେ ଆସି ତାଙ୍କୁ ଖୋଜେ ତେବେ ଏଇ ଲଫାଫା ଟି ଦେବ ।ଅନେକ ବର୍ଷ ହେବ ମୁଁ ୟାକୁ ସାଇତି ରଖିଥିଲି ।ଆଉ ଆଶା ବି କରୁ ନ ଥିଲି ଯେ କେହି ଆସିବେ ବୋଲି ।କିନ୍ତୁ ତମ ବୁଢା ବାପା ଙ୍କ ବିଶ୍ୱାସ ଦେଖି ଏବେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।ଦୀର୍ଘ ଦୀର୍ଘ ବର୍ଷ ଧରି ମୁଁ ଏକ ଅଶ୍ୱସ୍ତି ରେ କାଳ କାଟୁଥିଲି ,ଯୁବକ ରୁ ବୃଦ୍ଧହୋଇଗଲି।କିନ୍ତୁ ଏବେ ମୁଁ ନିଶ୍ଚିତ ଓ ଶାନ୍ତି ରେ ନିଃଶ୍ୱାସ ମାରିପାରିବି " ।

ମିହୁଲ ସେ ଲଫାଫା ଟିକୁ ଦେଖିଥିଲା କିନ୍ତୁ ଜାଣିବାକୁ ଚେଷ୍ଟା କରି ନ ଥିଲା ତା ଭିତରେ କଣ ଅଛି ବୋଲି ।କେବଳ ମାଆକୁ ଆଣି ଧରେଇ ଦେଇଥିଲା ।ମାଆ ବି ସେମିତି ସେଇଟିକୁ ରଖି ଦେଉଥିଲା ବେଳେ କଣ ମନ ହେଲା କେଜାଣି ବାପା ଙ୍କ ଫୋଟ ଆଡକୁ ଚାହିଁ ଖୋଲିଥିଲେ ସେଇଟିକୁ ।ସେଥିରେ ଥିଲା ଏକ ତୋଟା ବାଡି ର ଦଲିଲ ଯେଉଁଥିରେ କିଣିବା ଲୋକ ଥିଲେ ତା ବାପା ଶିଵ ନାରାୟଣ ମିଶ୍ର ।ଆଶ୍ଚର୍ଯ୍ୟ ରେ ଆଖି ବଡ ବଡ ହୋଇଯାଇଥିଲା ତା ମାଆ ଙ୍କର । ଗୋଟେ ଛୋଟ କାଗଜ଼ , ଖୁବ୍ ମଇଳା ମଇଳା କାଗଜ଼ ରେ କେଇପଦ....ବାପା ଙ୍କୁ ଉଦ୍ଦେଶ୍ୟ କରି ଲେଖା ହୋଇଥିଲା ,

"ବାବୁ...ରେ

ଖୁବ୍ ଅନୁତାପ ରେ ମୁଁ ଅଛି ,କିନ୍ତୁ ଏବେ ଆଉ କିଛି କରିବାର ନାହିଁ ।ବୋହୂ ଆଉ ପିଲାମାନ ଙ୍କ ସହ କୁଶଳ ରେ ଥା ।ତୋ ଭାଇ ସବୁ ଜାଗା ବିକ୍ରୀ କରିଦେବ କହୁଛି, ମୁଁ ବି କିଛି କରିପାରିବିନି ।ସେଥିପାଇଁ ତୋ ନାଁ ରେ କିଛି ବାଡି ଜାଗା କିଣି ଦେଇଛି ,ଭବିଷ୍ୟତ ରେ କାମ ରେ ଲାଗିବ ।ତୋ ସହ ଏ ଜନ୍ମ ରେ ହୁଏ ତ ଦେଖା ହୋଇ ପାରିବନି ।"

ଇତି ତୋର ବାପା

ନୀଳକଣ୍ଠ ମିଶ୍ର ।

ମାଆ ସେତକ କୁ ଧରି ବୋହେ କାନ୍ଦିଥିଲେ ଆଉ ବାପା ଙ୍କ ଫୋଟ ସମ୍ମୁଖରେ ଠିଆ ହୋଇ ଅଶ୍ରୁ ତର୍ପଣ କରି କହୁଥିବାର ସେ ଶୁଣୁଥିଲା ..."ଏଇ ଦେଖୁଛ ,ବାପା ଆମକୁ ସ୍ଵୀକାର କରିସାରିଛନ୍ତି ।ମିହୁଲ ଆମର ଖାଲି ଝିଅ ନୁହେଁ ସେ ବି ଆମର ପୁଅ ଭଳି କାମ କରି ପାରିଛି ।ଏବେ ଆଉ ମୋର ଦୁଃଖ ନାହିଁ ।

ଏଥର ଶାନ୍ତିରେ ମରିପାରିବି । "

କିନ୍ତୁ ସେଇ ଦିନ ଠାରୁ ମାଆ ର ଦେହ ଭଲ ରହିଲାନି ।ସବୁବେଳେ ମିହୁଲ ର ବିବାହ ପାଇଁ ଚିନ୍ତିତ ରହୁଥିବା ମାଆ ଶେଷରେ ମିହୁଲ କୁ ବାଧ୍ୟ କଲେ ବିବାହ ରେ ରାଜି ହେବାକୁ ।

---"ମା ଲୋ ,ତୁ ଯେତିକି ଝିଅ ସେତିକି ବି ପୁଅ ବୋଲି ମୁଁ ଭାବେ ।ମୋତେ ଅନ୍ୟ ପ୍ରକାରେ ଭାବିବୁ ନାହିଁ ।ମୁଁ ତୋ ଇଛା ବିରୁଦ୍ଧରେ ଯା ବୋଲି କହୁନାହିଁ କିନ୍ତୁ ତୋ ବାହାଘର ଟା ନ ହେବା ପର୍ଯ୍ୟନ୍ତ ମୋତେ ସବୁବେଳେ ଦୁଃଶ୍ଚିନ୍ତା ମାଡି ଆସୁଛି ।ତୁ ବାହା ହେବାକୁ ରାଜି ହୋଇ ଯା । "

ଦୁଃଖ ର ଘନ କଳା ବାଦଲ ମାଡି ଆସିଥିଲା ମିହୁଲ ର ଜୀବନ ରେ ।କି ପ୍ରକାର ନିଷ୍ପତ୍ତି ନେବ ...ଅସହାୟ ଲାଗୁଥିଲା ।ସମୀର ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଥାଏ ତା'ର ।ଏପଟେ ମାଆ ର ସ୍ୱାସ୍ଥ୍ୟ ।ମାଆ ବି କୌଣସି ଜୋର ଜବରଦସ୍ତ କରି ନାହାନ୍ତି ।ମିହୁଲ ତା ପସନ୍ଦ ର ପାତ୍ର କୁ ବାହା ହେଉ ସେତିକି ଯାହା ସେ ଚାହୁଁଛନ୍ତି ।ଏଥିରେ ମାଆ ର ବା ଦୋଷ କଣ ?

ସେ ତ ସମୀର କଥା ଜଣାଇ ଦେଇଥିଲା ।କିନ୍ତୁ ଏବେ କଣ କରିବ କିଛି ଭାବି ପାରୁ ନ ଥାଏ ।ଏହା ମଧ୍ୟ ରେ ବିଭିନ୍ନ ଜାଗାରେ ଚାକିରୀ ପାଇଁ ଆବେଦନ କରୁଥିବା ଅବସ୍ଥା ରେ କୋର୍ଟରେ ଷ୍ଟେନୋ ଚାକିରୀ ଟିଏ ମିଳିଗଲା ମିହୁଲ କୁ ।ସେଥିରେ ଆତ୍ମତୃପ୍ତି ମିଳୁ ନ ଥିଲେ ମଧ୍ୟ ଅନ୍ୟ ଉପାୟ ନ ଥିଲା ତା'ର ।ମାଆ କୁ ଶାନ୍ତି ରେ ରଖିବା ପାଇଁ ଅନେକ ପ୍ରଯତ୍ନ ତା'ର

ବ୍ୟର୍ଥ ହେବାକୁ ବସିଥାଏ ।ମାଆ ର ଫୁସଫୁସ ରେ କ୍ୟାନସର

ତା'ର ଜାଲ ବିସ୍ତାର କରିସାରିଥାଏ ।ଏଣେ ଡାକ୍ତର ଙ୍କ ଅନୁସାରେ ମାଆ ର ସମୟ ଦିନକୁ ଦିନ କମିବାରେ ଲାଗି

ଥାଏ ।ମାଆ ଭୀଷଣ ଆଶା ଆଶଙ୍କା ଦିନ କାଟୁଥିବା ବେଳେ ମିହୁଲ ଉପରେ ମଧ୍ୟ ଚାପ ରହୁଥିଲା ।ମାଆ ର କୋହ ଭରା ସ୍ୱର "ମୁଁ କଣ ତୋତେ ସେଇ ବେଶ ରେ ଦେଖିପାରିବି ନାହିଁ "।

ଭୀଷଣ ଅଶ୍ୱସ୍ତି ରେ ରହୁଥିବା ବେଳେ ମିହୁଲ ସହିତ ଦେଖା ହେଲା ବିକାଶ ର ।ବିକାଶ ଏକ ସ୍ବେଛାସେବୀ ଅନୁଷ୍ଠାନ ସହିତ ଜଡିତ ,ଯୋଉଠି ନାରୀ ମାନଙ୍କର ସୁବିଧା, ସୁରକ୍ଷା ,ସେମାନଙ୍କ ର ଅଧିକାର ଇତ୍ୟାଦି କୁ ନେଇ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ପ୍ରଚାର ,ପ୍ରସାର ଓ ବିଭିନ୍ନ କର୍ମଶାଳା ସଂଯୋଜନା କରାଯାଏ ।ସେ ସେଥିରେ ଏକ ସଂଯୋଜକ ରୂପେ କାର୍ଯ୍ୟ କରେ ।ବିକାଶ ସହିତ ସେ ସେଇ ସନ୍ଦର୍ଭ ରେ ମାଆ ଙ୍କ ରୋଗ କୁ ନେଇ ଆଲୋଚନା କରିବାକୁ ଚାହିଁଥିଲା ।କାଳେ ଯଦି ଅନୁଷ୍ଠାନ ମାଧ୍ୟମରେ ଭଲ ଡାକ୍ତର ଓ ଚିକିତ୍ସା ର ସୁବିଧା ମିଳିପାରେ ।

ସେସବୁ ସୁବିଧା ସଂସ୍ଥା ମାଧ୍ୟମରେ ନ ହେଉ ପଛକେ ବିକାଶ କିନ୍ତୁ ବ୍ୟକ୍ତିଗତ ଭାବେ ମିହୁଲ ର ମାଆ ସୁରମା ଦେବୀ ଙ୍କ ଯତ୍ନ

ନେବାପାଇଁ ଇଛା କରିଥିଲା ।ସେତେବେଳେ ମାଆ ର କଥା ହିଁ କେବଳ ଚିନ୍ତା କରିଥିଲା ମିହୁଲ । ବ୍ୟକ୍ତି ଚରିତ୍ର କୁ ବୁଝିବାର ଯେତିକି ଦକ୍ଷତା ହାସଲ କରିଥିଲା ସେଇ ଆଧାର ରେ ବିକାଶ କୁ ଅନୁରୋଧ କରିଥିଲା କଣ୍ଟ୍ରାକଚୁଆଲ ମ୍ୟାରେଜ ପାଇଁ ।ତା'ର

ସବୁ ଅସୁବିଧା କୁ ଦର୍ଶାଇ ଥିଲା ସେ ,ବିକାଶ କୁ ।ସତେ ଯେମିତି ସେ ଏକ ଦେବଦୂତ ସାଜି ଆସିଛି ତାକୁ ଏ ଦୁର୍ଗତି ରୁ ଉଦ୍ଧାର କରିବା ପାଇଁ ।

ବିଶ୍ୱାସ ....ତା'ର ପରିଭାଷା କଣ ? ଏକ ଅସହାୟ ହୃଦୟ ର କିଛି ଆଶା କୁ ଯିଏ ପୂରଣ କରିବାର ମାଧ୍ୟମ ହୋଇ ଆସେ ! ମନ ର ଏକ ସୁସୁପ୍ତ ଚେତନା ରେ ଯାହା ଆସେ ନା ଆଉ କିଛି ....।ଏତେ ଭିତରକୁ ଯିବାକୁ ଚାହୁଁ ନ ଥିଲା ମିହୁଲ ।ସେ ଖାଲି ଏତିକି ଜାଣିଥିଲା ଯେ ସେ ଯାହା କରୁଥିଲା ମନ ର

ଆବେଗ ରେ ।ବିକାଶ କୁ ବିଶ୍ୱାସ କରିବାକୁ ତା ମନ କହୁଥିଲା ଆଉ ଶେଷରେ ସେ ତାକୁ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ରାଜି ହୋଇଗଲା ।ଦିନ କୁ ଦିନ ଅସହାୟତା ର ସମୟ ଗୁଡିକ ବୃଦ୍ଧି ପାଉଥିଲା ।ବିକାଶ ର ସାହାଯ୍ୟ ସହାନୁଭୂତି ମଧ୍ୟ ବଢ଼ୁଥିଲା ।କାଣିଚାଏ ସ୍ୱାର୍ଥପରତା ଅନୁଭବ କରି ପାରୁ ନ ଥିଲା ସେ ।

ସେଦିନ ସେ ମାଆ କୁ ଦେଖିସାରି ଅଫିସ ଆଡକୁ ମୁହାଉଁଛି ହଠାତ ନଜର ପଡିଗଲା ବଡ କାର ଭିତରେ ସମୀର ପରି କେହି ଜଣେ ବସିଥିବାର ।ଚମକି ପଡିଲା ସେ ଆରେ ...ଏ ତ ସମୀର.... ହଠାତ ଫୋନ ରେ କାହାକୁ ଗୋଟେ ଛୁଟି ଦରଖାସ୍ତ ଦେବାକୁ କହି ସେ କାର କୁ ଅନୁସରଣ କଲା ।ଗୋଟେ ବିରାଟ

ଅଟ୍ଟାଳିକା ଭିତରକୁ ଗାଡି ଚାଲିଗଲା ।ମିହୁଲ ବାହାର ଗେଟ ର ନାମ ଫଳକ ଦେଖିଲା ',ରାଗିଣୀ ସମୀର ସିଂହ ଭଞ୍ଜ ' ।ବାପ ରେ ଏତେ ବଡ ନାଁ ....।ୟେ କଣ ମୋ ସମୀର ନା ଆଉ କେହି ? ପତ୍ତା ଲଗେଇବାକୁ ହେବ ।କଲିଂ ବେଲ ରେ ହାତ ଦେଲା ମିହୁଲ ।ବାହାରି ଆସିଲେ ବେଶ ସମ୍ଭ୍ରାନ୍ତ ଦିଶୁଥିବା ଯୁବକ ।ସେ ଯେ ସମୀର ଏଥିରେ ସନ୍ଦେହ ନ ଥିଲା

ମିହୁଲ ର । କିନ୍ତୁ ସେ ତାକୁ ସମ୍ବୋଧନ କରିବାକୁ ଯାଉଛି ,ପଛ ରୁ କୋମଳ କିନ୍ତୁ ଗମ୍ଭୀର ନାରୀ କଣ୍ଠ ସ୍ୱର ଭାସିଆସିଲା ,"କଣ ହୋଇଛି ଡିୟର "।ସେତକ ସେ କିନ୍ତୁ ଇଂରାଜୀରେ କହି

ଥିଲେ । ଆଖି ଚୋରାଇ ସମୀର ବୋଲି କହୁଥିବା ଯୁବକ ଜଣକ ",କେହି ଜଣେ ଭଦ୍ର ମହିଳା ଜଣକୁ ଖୋଜୁଛନ୍ତି ।"।ମିହୁଲ ସନ୍ଦେହ ରେ ଫେରିଆସିବା କୁ ବାଧ୍ୟ ହେଲା ସତ କିନ୍ତୁ ସମୀର ର ଏ ଅଚିହ୍ନା ପଣ କୁ ସେ ବୁଝିପାରିଲା ନାହିଁ ।ଦିନ ଦିନ ଧରି ଲଗାତାର କିଛି ଦିନ ସେ ସମୀର ର ମହଲ ଚାରିପଟେ ଚକ୍କର କାଟିଲା,, କିନ୍ତୁ କେବଳ ବିଦେଶୀ ଦମ୍ପତ୍ତି ଏଇ କିଛି ଦିନ ହେବ ଆସି ଏଠାରେ ରହିଛନ୍ତି ,,ବ୍ୟତୀତ ଆଉ କିଛି ବିବରଣୀ ପାଇଲା ନାହିଁ ।

ଗୋଟେ ସପ୍ତାହ ପରେ ହଠାତ ସମୀର ର ଉପସ୍ଥିତି ଚମକାଇ ଦେଲା ମିହୁଲ କୁ ତା ଅଫିସ ପ୍ରକୋଷ୍ଠ ରେ ।

"ତୁମର ସାହସ ହେଲା କେମିତି ? ସେ ଘରକୁ ଯିବାକୁ ? ଜାଣିଛ, ତୁମ ପରି ଝିଅ ମାନେ ତା ପାଦ ଧୂଳି କୁ ସରି

ହେବେନି । ମୁଁ ଆସିବା ପରେ ପରେ ତୁମର ସବୁ ଖବର ନେଇ ଜାଣିଲି ତୁମେ ଏକ ଚରିତ୍ରହୀନା ନାରୀ ।ସେଇଥିପାଇଁ ତ ତାକୁ

ଆସିବାକୁ କହିଲି ।ଆଉ କେବେ ମୋ ସହ ସମ୍ପର୍କ ଯୋଡିବାକୁ ପ୍ରୟାସ କରିବନି ।ନୋଚେତ ମୋତେ ସମ୍ପୂର୍ଣ୍ଣ ଏକୁଟିଆ କରିଦେଇ ସେ ଚାଲିଯିବ ।" ଯେମିତି ଧପ ଧାପ ଆସିଥିଲା ସେମିତି ଜୋତା ମଚ ମଚ କରି ଚାଲିଗଲା ସମୀର ।

ଆଖିରୁ ଠପ ଠପ ଲୁହ ଖସି ଆସୁଥିଲା ମିହୁଲ ର ।ସମୀର ତା ବିଷୟ ରେ ଏତେ ଭୁଲ ବୁଝାମଣା ରଖିଛି ଭାବି ପାରୁ ନ ଥାଏ ମିହୁଲ ।ମାଆ ର ଜିଦ ବଢି ବଢି ଚାଲିଛି ,ଶୀଘ୍ର ବାହାଘର କାମ ସାରିଦେବାକୁ ।ଅନନ୍ୟୋପାୟ ହୋଇ ବିକାଶ କୁ ନେଇଯାଏ ମାଆ ପାଖକୁ ।ହସ୍ପିଟାଲ ବେଡ ରେ ଶୋଇ ଶୋଇ ଆଶୀର୍ବାଦ ଦେଉଥିଲେ ସୁରମା ବିକାଶ ଓ ମିହୁଲ କୁ ପରମ ତୃପ୍ତି ରେ । ତାଙ୍କର ଏ ତୃପ୍ତି ଏତେ ଚରମ ସୁଖଦାୟୀ ଥିଲା ଯେ କେଇ ଘଣ୍ଟା ମଧ୍ୟରେ ନଶ୍ୱର ଶରୀର ଟିକୁ ଛାଡିଦେଇ ସ୍ୱାମୀ ଙ୍କ ପାଖକୁ ଯିବା ପାଇଁ ସେ ତତ୍ପର ହୋଇ ଉଠିଲେ । ମିହୁଲ ମଥାରେ ବଜ୍ର ପଡିଲା । ମାଆ ପାଇଁ ଏତେ ଛଳନା ,ଏତେ ବାହାନା ନୋଚେତ ବିକାଶ କୁ ବନ୍ଧୁ ବ୍ୟତୀତ ଆଉ କିଛି ଦୃଷ୍ଟିରେ ସେ ଦେଖି ପାରୁନାହିଁ । କିନ୍ତୁ ବିକାଶ ଯେମିତି ଅନ୍ୟ ଉପାଦାନ ରେ ଗଢ଼ା ।ସେ ମିହୁଲ ସାମ୍ନାରେ ହିଁ କଣ୍ଟ୍ରାକ୍ଟ ପେପର କୁ ଚିରିଦେଇ ଚିରଦିନ ବନ୍ଧୁତ୍ୱ ର ବନ୍ଧନ ରେ ରହିବାର ପ୍ରତିଶୃତି ଦେଲା ଯେମିତି । ବୁଢ଼ାବାପା ଠାରୁ ପାଇଥିବା ତୋଟା ବାଡି କୁ ଜବରଦଖଲ ଉଚ୍ଛେଦ କରି ଖୋଲିଲା "ଶିବନାରାୟଣ ସେବା ଟ୍ରଷ୍ଟ "।ପରିଚାଳନା ର ଦାୟିତ୍ୱ ବିକାଶ ର ।ଅନେକ ବେସାହାରା ଝିଅ ପିଲା ଙ୍କୁ ସାହାରା ଦେଇଛି ଏହି ଟ୍ରଷ୍ଟ ।ଭଡା ଘର ଛାଡ଼ି ଏଇଠୁ ଅଫିସ ଯିବା ଆସିବା କରେ ସେ । ଦୁଇଦିନ ତଳେ ପିଲାଙ୍କ ର ଫଁକ୍ସନ ଥିଲା ।ତେଣୁ ଖୁସି ର ମୁହୂର୍ତ୍ତ ଟିକୁ ହାତ ଛଡା କରିବାକୁ ଚାହୁଁ ନ ଥିଲା ସେ ।ଟ୍ରଷ୍ଟ ସାମ୍ନାରେ ବିରାଟ କାର । କେହି ଆସିଥିବେ କିଛି ଡୋନେଟ କରିବାକୁ ।ଅଫିସ ଭିତରେ କାହାକୁ ଦେଖୁଛି ସେ ।ଏ ତ ସମୀର ....।ମୁହଁ ଲୁଚାଇଲା ମିହୁଲ ।ବିକାଶ ଡାକୁଛି ଯିବାକୁ ସେଠିକୁ ।ହୃଦୟ ଟା ଚହଲି ଯାଉଛି ।ପ୍ରାଣ ଟା ହା ହା କାର କରି ଉଠୁଛି ,ମନ ଟା ଯେମିତି ଝାଉଁଳି ପଡୁଛି ।ଦ୍ୱାର ସେପଟେ ଥାଇ ସେ ଯେ ଅସୁସ୍ଥ ଅନୁଭବ କରୁଛି ,ସୂଚନା ଦେଇ ଏକମୁହାଁ ହୋଇ ନିଜ ରୁମ କୁ ପଶିଗଲା ।ଆଖି ଯେ ଢଳ ଢଳ ଜଳ ରେ ପୂର୍ଣ୍ଣ ହେଲାଣି ସେ କଥା ସେ ବୁଝିପାରୁ ଥିଲା ।ତା ପରେ ଦୁଇଦିନ ପର୍ଯ୍ୟନ୍ତ ଅଫିସ ଯାଇ ପାରି ନ ଥିଲା ସେ ।

---/// ///// ///----

ମିକୁ ର ଡାକ ରେ ସମ୍ବିତ ଫେରିପାଇଲା ମିହୁଲ ।ଅପା ତମକୁ କିଏ ଜଣେ ଖୋଜୁଛନ୍ତି ।

ଆଶ୍ଚର୍ଯ୍ୟ ରେ ଆଖି ବଡ ବଡ ହୋଇଗଲା ତା'ର ।ଏ ଅସମୟ ରେ କିଏ ଖୋଜୁଛି ?କିଏ ହୋଇପାରେ ତା'ଭଳି ଏକ ଅଲୋଡା ପ୍ରାଣୀ କୁ ଦରକାର କରୁଛି ।ପ୍ରାୟ ବିକାଶ ହିଁ ସବୁ କିଛି ହ୍ୟାଣ୍ଡେଲ କରେ ।ଝର୍କା ଦେଇ ଆଖି ପହଁରାଇଲା ସେ ।ଆକାଶ ରେ ମେଘ କଟି ଯାଇଛି ଧୀରେ ଧୀରେ ।ଅନ୍ଧାର ର ପରସ୍ତ ଲେସି ହେବାକୁ ବସୁଛି , ଦୂର ଦିଗବଳୟ ତଳେ ନିଃସଙ୍ଗ ନକ୍ଷତ୍ର ଟି ବେଳେ ଲୁଚିଯାଉଛି ପୁଣି ବେଳେ ମୁହଁ ଟେକୁଛି ।

----ମି ..ହୁ..ଲ

ଆଃ କାହାର ଏ ସ୍ୱର ,ସତ ରେ ମନ ପକ୍ଷୀ ଚିଂ ଚିଂ କରି

ଉଠିଲା ।

-----ପ୍ଲିଜ଼ ମିହୁଲ ଥରୁଟିଏ ଖାଲି ଥରୁଟିଏ ମୋ କଥା ଶୁଣ ।

ବେକ ଭାଙ୍ଗି ଚାହିଁଲା ମିହୁଲ ....ତା ସାମ୍ନା ରେ ସମୀର ଠିଆ ହୋଇଛି ।ଠିକ୍ ଏକ ପରାସ୍ତ ସୈନିକ ପରି ।

ମନ କହୁଥିଲା ସମୀର ଛାତିରେ ଲୋଟିପଡ଼ନ୍ତା କି ....ହିସାବ

ମାଗି ବସନ୍ତା ବିଗତ ଦିନ ର ଅନ୍ତରଦାହ ର ।ସମୟ ର ଇତିହାସ ରେ ବିତିଯାଇଥିବା ମୂହୁର୍ତ୍ତ ର ଦୁଃଖ ର ।କିନ୍ତୁ କିଛି କହିବା ପୂର୍ବରୁ ଗୁଞ୍ଜରି ଉଠିଲା କାନ ରେ , "ଚରିତ୍ରହୀନା...ସେ ଚରିତ୍ର ହୀନା "। ନା ସେ କିଛି ଶୁଣିଵ ନି ।କିଏ ,କାହା କଥା କହିବାକୁ ଯାଉଛି ସେ କିଛି ଶୁଣିବନି ...।କଣ କହୁଛି ସମୀର ,ସେ ଅନୁତାପ ରେ ଜଳୁଛି ....ଜଳୁ ନା ...ବେଶ ତ କିଛି ଗୋଟେ ହୋଇଛି ତେବେ । କ୍ଷମା ,ପଶ୍ଚାତାପ ,ଏସବୁ ର କିଛି ମୂଲ୍ୟନାହିଁ ଏବେ ।

-----କିନ୍ତୁ ମୁଁ ତୁମର ସେ ଚାରିତ୍ରହୀନା ଉକ୍ତି ଟିକୁମନ ଭିତରୁ କାଢି ବାହାରକୁ ଫିଙ୍ଗିପାରୁନି ।ମୁଁ ତୁମର ସେ ମହାନ ଲେଡି ର ପାଦ ତଳ ର ଧୂଳି ସହ ସମାନ ନୁହେଁ ।ପ୍ଲିଜ଼ ତମେ ଏଥର ଯାଇପାର ...ମୁଁ ଯୋଉ ସମୀର କୁ ଜାଣିଥିଲି ସେ ତୁମେ ନୁହଁ ।

ପ୍ଲିଜ଼ ...ପ୍ଲିଜ଼ ଯାଅ ।ଆଖିରେ ହାତ ଚାପି କହିଲା ପରେ ବେଶ କେଇପଦ କଥା କହିଦେଇଥିଲା ସେ --- ତୁମରି ପାଇଁ ଖାସ ତୁମରି ପାଇଁ ମୁଁ ଏ ଦୁନିଆରେ ଆଉ କାହାକୁ ଭଲପାଇ ପାରିଲିନି ।ତୁମେ ...ତୁମେ ହିଁ ମୋତେ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଇଛ ।ମୁଁ ଆଉ ସହିପାରୁନି ...ସହି ପାରୁନି .....।

କଥା କହୁଥିବା ଅବସ୍ଥାରେ କାହାର ବଳିଷ୍ଠ ବାହୁ ବନ୍ଧନରେ ନିଜକୁ ଆବିଷ୍କାର କରୁଥିଲା ମିହୁଲ ।

----ମୁଁ କିନ୍ତୁ ତୁମକୁ ପ୍ରାଣ ଦେଇ ଭଲପାଉଥିବି ମିହୁଲ

ତୁମେ ପାଅ କି ନ ପାଅ ମୋର କୌଣସି ସର୍ତ୍ତ ନାହିଁ ସେଥିରେ ।

ସମ୍ପୂର୍ଣ୍ଣ ନିଃସର୍ତ୍ତ ...। ସେ ଥିଲା ବିକାଶ ।ବିକାଶ ର କଥା ରେ

ମିହୁଲ ତା'ର ଲୁହ ଭିଜା ମୁହଁକୁ ବିକାଶଛାତିରେ ଗୁଞ୍ଜି ଦେଇ ଥର ଥର କଣ୍ଠ ରେ କହୁ ଥିଲା --"ତୁମେ ମୋତେ ଛାଡି ଚାଲି ଯିବନି ତ ...?

ଝର୍କା ଦେଇ ଦିଶୁଥିଲା ସେଇ ନିଃସଙ୍ଗ ନକ୍ଷତ୍ର ପାଖରେ ଆଉ ଏକ ନକ୍ଷତ୍ର ଆଖି ମିଟିକା ମାରୁଥିଲା ।

--------- -------- -----------

ସିପ୍ରା ନାମତା ,ନମ୍ରତା

8249850168

ବାରିପଦା


Rate this content
Log in

Similar oriya story from Inspirational