ମୁଁ ଅମଣିଷ
ମୁଁ ଅମଣିଷ
ଖରାଦିନରେ ଦିନ ଦ୍ୱିପ୍ରହରେ ରାସ୍ତାରେ ଚାଲିଚାଲି ଯିବାଟା କେତେ ଯେ କଷ୍ଟକର ତାହା ଚାଲିବା ଲୋକ ହିଁ ଅନୁଭବ କରିପାରେ। ଏକୁଟିଆ ଘରକୁ ଫେରୁଥାଏ, ସେଦିନ ମୋର ସାଇକଲ ଟି ପଙ୍କଚର ହୋଇଗଲା, ସମୟ ଆସି ୨ ଟା ହେବ, ସବୁ ସାଇକଲ ମରାମତି ଦୋକାନ ଗୁଡିକ ବନ୍ଦ ହୋଇଗଲାଣି, ଖରା ଯେମିତି ହେଉଛି କିଏ ବା କାହିଁକି ଗରମରେ ସିଝିବ ଯେ; ବହୁତ୍ ଖୋଜିଲି କେହି ମିଳିଲେନି।
କ'ଣ କରିବି ଆଉ ପାଖରେ ପାଣି ବୋତଲଟି ଥିବା ଯୋଗୁ ଦି'ଢୋକ ପାଣି ପିଇଦେଲି, ପାଖରେ ଟଙ୍କା କୋଡିଏଟି ଥିଲା, ୫ ଟଙ୍କିଆ ଆଇସକ୍ରିମ ଟେ କିଣି ଖାଇଲି। ରାସ୍ତାରେ ଏମିତି ଚାଲିଥାଏ ଚଳଚଞ୍ଚଳ ସହର ବି କିଛି ସମୟ ପାଇଁ ଯେମିତି ଶୁନସାନ ହୋଇଯାଇଛି। ଚାଲିବାର ବେଗ ବଢାଇବାକୁ ଚେଷ୍ଟା କଲି, କିନ୍ତୁ ପାରୁନଥାଏ। ଯାହା ବି ହେଉ କେମିତି କଷ୍ଟେମଷ୍ଟେ ଘରେ ପହଞ୍ଚି ଯାଏ ତା'ପରେ ଯାହା କଥା।
ପାଖାପାଖି ଦେଢ କିଲୋମିଟର ଚାଲି ସାରିଥାଏ, ଜଣେ ବୁଢା ଲୋକଙ୍କୁ ଦେଖିଲି, ଦେଖିଲେ ଲାଗୁଥିଲା ଏମିତି ସାଧାରଣ ପୋଷାକ, ସେ ମୋତେ କିଛି କହିଲେ କିନ୍ତୁ ତାଙ୍କ ଭାଷା ଟିକେ ଅଲଗା ଲାଗିଲା ମୁଁ ଠିକ୍ ରେ ବୁଝିପାରିଲି ନାହିଁ। ତାଙ୍କ କଥାରୁ ଲାଗିଲା ସେ ପ୍ରବଳ ଭୋକିଲା, ପାଖରେ ତ ମୋର ୨୦ ଟଙ୍କା ତାଙ୍କୁ ୧୦ ଟଙ୍କା ରେ ଆଖୁରସ ଦେଲି, ଜଳଖିଆ ଦୋକାନ ତ ସବୁ ବନ୍ଦ ହୋଇଯାଇଛି କ'ଣ ଅବା କରିଥାନ୍ତି।
ଆଖୁରସ ପିଇଲା ପରେ ସେ ମୋ' ସହ ଚାଲିବାକୁ ଲାଗିଲେ ବହୁତ କଷ୍ଟ ଲାଗୁଥାଏ, ତଥାପି କଥାବାର୍ତ୍ତା ଚାଲିଥାଏ..., ମୋର ବୁଝିବାରେ ଭୁଲ ଥିଲା ସେ ଓଡିଆ ରେ ହିଁ କହୁଥିଲେ। ହଠାତ୍ କ'ଣ ହେଲା କେଜାଣି ସେ ଦୌଡ଼ିବାକୁ ଆରମ୍ଭ କଲେ ପଛକୁ ଦେଖିଲା ବେଳକୁ ୪-୫ ଜଣ ଲୋକ ତାଙ୍କୁ ଗୋଡାଉଥିଲେ କାରଣ ଖୋଜିଲା ବେଳକୁ ଜଣା ପଡିଲା ସେ ଚୋର ବୋଲି କିନ୍ତୁ ମୋର ବିଶ୍ବାସ ହେଲାନି । ସେ ବୁଢ଼ା ଲୋକ ଜଣଙ୍କୁ ଧରି ସେମାନେ ବାଡାବାଡି କଲେ ମୁଁ ଅଟକାଇଲି ନାହିଁ, ମନେ ମନେ ଭାବିଲି ମୋର ତ ଘରକୁ ଯିବାର ଅଛି ଏ ଖରାରେ ଏମିତି ସମୟ ନଷ୍ଟ କାହିଁକି କରିବି !! ଆମ ଗାଁର ଜଣେ ଡାଲା ଅଟୋ ବାଲା ଦେଖାହେଲା ସାଇକଲ ଲଦିଦେଇ ଘରକୁ ପଳାଇ ଆସିଲି। ସ୍ୱାର୍ଥପର ହୋଇଗଲି ମୁଁ। ମନେ ଭାବୁଥିଲି - ଆଜିକାଲି କାହାକୁ ଭରସା କରିବ !
ଘରେ ପହଞ୍ଚି ଖାଇପିଇ ଶୋଇପଡିଲି, ଉଠିଲା ବେଳକୁ ସନ୍ଧ୍ଯା ୬ ଟା ପରେ। ଟିଭିରେ ସମାଚାର ଦେଖି ବସିଲି। ବ୍ରେକିଂ ନିଉଜ୍ ଆସିଲା ଷ୍ଟେସନ ଛକରେ ଜଣେ ବୁଢ଼ା ଲୋକଙ୍କୁ ଚୋରି ସନ୍ଦେହ ରେ ହତ୍ଯା । ଚୋର ହେଉ ବାନ୍ଧି ହେଉ ହତ୍ଯା କଥା ଶୁଣି ଭାରି ଖରାପ ଲାଗିଲା। ପରେପରେ ପୁଣି ଏକ ଖବର ଯେ ମରିଥିବା ଲୋକ ଚୋର ନୁହେଁ ମାରିଥିବା ଲୋକ ଚୋର।
ମନେମନେ ଅନୁତାପ କଲି, କାନ୍ଦିଲି ବହୁତ ମୁଁ ଚାହୁଥିଲେ ସେ ଲୋକଟି ବଞ୍ଚି ଯାଇଥାନ୍ତା ବୋଧହୁଏ। ନିଜକୁ ପାପ ଲାଗିଲା.. ମନେମନେ ନିଜକୁ ଅଭିଶାପ ଦେଲି, ସତରେ ମୁଁ କେତେ ବଡ ଅମଣିଷ ।
ଦେବବ୍ରତ ମିଶ୍ର
ତା ୧୫.୦୪.୨୦୧୯
ଉରାଳୀ, ଗୋପାଳପୁର, କଟକ