Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଛାୟା
ଛାୟା
★★★★★

© Deepak Sarangi

Tragedy

6 Minutes   577    20


Content Ranking

ଛାୟା

ଦୀପକ ଷଡଙ୍ଗୀ

ଅଜୟ ର ବନ୍ଧୁ ସହଦେବ ତାକୁ ବହୁତ ଥର ଡାକିଛି ଯେ ଠାରେ ଏଇ ସହରୀ ଜୀବନଯାପନ ଛାଡି କିଛି ଦିନ ଶିମିଳିପାଳ ଜଙ୍ଗଲ ଆଡେ ବୁଲି ଆସିବାକୁ , କିନ୍ତୁ ଅଜୟ ପାଖରେ ଏ ସବୁ ପାଇଁ ସମୟ ନ ଥିଲା । ବ୍ୟାଙ୍କ୍ ଚାକିରି ର ବ୍ୟସ୍ତତା ଆଉ ଲେଖାଲେଖି ରୁ ଫୁରସତ୍ ମିଳିଲେ ତ କୁଆଡେ ଯିବ । ସହଦେବ ତା’ର ପିଲା ଦିନର ବନ୍ଧୁ । ଏକା ସ୍କୁଲ ଓ କଲେଜ୍ ରୁ ପାଠ ପଢା ସରିବା ପରେ ସେ ଷ୍ଟେଟ୍ ବ୍ୟାଙ୍କ୍ ରେ ଯୋଗ ଦିଏ ଆଉ ସହଦେବ ଡାକ୍ତରୀ ପଢେ ବୁର୍ଲା ମେଡିକାଲ କଲେଜରେ । ଏବେ ସହଦେବ ୨ ବର୍ଷ ହେଲାଣି ଶିମିଳିପାଳ ଅଞ୍ଚଳରେ ପୋଷ୍ଟିଂ ପାଇଛି । ଅଜୟର ଲେଖାଲେଖି ର ଅଭ୍ୟାସ କଲେଜ ବେଳରୁ । ରହସ୍ୟ ଓ ରୋମାଞ୍ଚ କାହାଣୀ ରଚନା କରିବାରେ ସେ ସିଦ୍ଧହସ୍ତ । ତା’ର ବହୁ କାହାଣୀ ବିଭିନ୍ନ ପ୍ରକାର ପତ୍ରପତ୍ରିକାରେ ସ୍ଥାନ ପାଇଛି । ସହଦେବ ବି ତା’ର ଲେଖାର ଗୋଟେ ବଡ ପ୍ରଶଂସକ । ସହଦେବ ସେଥିପାଇଁ ତାକୁ ବହୁତ ଥର ଡାକିଛି ଯେ “ତୁ ଏଠିକି ଥରେ ଆସେ ଦେଖିବୁ ତତେ ଏ ବଣଜଙ୍ଗଲ ଘେରା ପାହାଡ ପର୍ବତ ଭିତରେ ତୋର କାହାଣୀ ପାଇଁ ଗୋଟେ ଭଲ ପ୍ଲଟ୍ ମିଳିଯିବ” । ସବୁ ଥର ନାହିଁ ନାହିଁ କହିଲା ପରେ ଏଥର ଶୀତଦନ ଡିସେମ୍ବରରେ ଅଜୟ ଭବିଲା ଯେ ସେ ସହଦେବ ପାଖକୁ ଶିମିଳିପାଳ ଯିବା ପାଇଁ । କଟକରୁ ଗାଡି ଧରିଲା ସେ ଶିମିଳିପାଳ ପାଇଁ । ଗାଡି ଚାଲି ଥାଏ ଘାଟି ରାସ୍ତା ଦେଇ । ଜଙ୍ଗଲର ଅପରୂପ ଶୋଭା ତାକୁ ଅଭିଭୂତ କରୁଥାଏ । ଗାଡି ବସ୍ ଷ୍ଟାଣ୍ଡ ରେ ପହଞ୍ଚିବା ପୂର୍ବ ରୁ ସେ ସହଦେବ କୁ ଫୋନ୍ କରିଦେଲା । ସହଦେବ କାର୍ ଧରି କି ଆସି ବସ୍ ଷ୍ଟାଣ୍ଡ ରେ ଅଜୟ କୁ ଅପେକ୍ଷା କରିଥାଏ । ବସ୍ ଆସି ପହଞ୍ଚିଗଲା । ଦୁଇ ବନ୍ଧୁଙ୍କର ପୂରା ୬ ବର୍ଷ ପରେ ଦେଖା ସାକ୍ଷାତ । କାର୍ ରେ ବସି ଦୁଇ ଜଣ ସହଦେବର ସରକାରୀ କ୍ଵାଟର୍ କୁ ଗଲେ । ବହୁ ସମୟ ଧରି ଦୁଇ ଜଣ ବନ୍ଧୁ କଥାବାର୍ତ୍ତା ହେଲେ । ସହଦେବର ବାହାଘର ଠିକ ହୋଇ ସାରିଥାଏ ଆସନ୍ତା ଫେବୃଆରି ମାସକୁ । ରାତିରେ ଖାଇପିଇ ଦୁଇ ବନ୍ଧୁ ଗପ କରି ଶୋଇ ପଡିଲେ ।

ସକାଳୁ ଉଠି ଚା ଜଳଖିଆ ଖାଇ ସହଦେବ ଚାଲିଗଲା ତା କ୍ଲିନିକ୍ କୁ । ଅଜୟ କୁ ସବୁ ବତେଇ ଦେଇଗଲା ଯେ କେଉଁଠି କ’ଣ ଅଛି । ସହଦେବ ଗଲା ପରେ ଅଜୟ ହାତରେ ବହି ଖଣ୍ଡେ ଧରି କ୍ଵାଟର୍ ଆଗରେ ଥିବା ଲନ୍ ରେ ବସି ଶୀତୁଆ ସକାଳକୁ ଭରପୂର ଉପଭୋଗ କରୁଥାଏ । ଏଇ ସମୟରେ ସହଦେବ ର ପିଅନ ଆଣି ଚା କପ ସହିତ ଖବରକାଗଜ ଆଣି ଦେଇଗଲା । ଆଉ କହି କି ଗଲା ଯେ ତା’ର ଘରେ କିଛି କାମ ଅଛି ; କିଛି ସମୟ ପରେ ସେ ଆସିଲେ ଖରାବେଳ ପାଇଁ ଖାଇବା ତିଆରି କରିଦେବ । ଏତିକି କହି ସେ ଯିବା ର କିଛି ସମୟ ପରେ । ଗେଟ୍ ଖୋଲି ଜଣେ ଅତି ଜୀର୍ଣ୍ଣକାୟ ଲୋକ ଆସିଲା । ଅଜୟ କୁ ଦେଖି ନମସ୍କାର କଲା । ଅଜୟ ଭବିଲା ବୋଧେ ସହଦେବର କୌଣସି ରୋଗୀ ହୋଇଥିବ । ସେଥି ପାଇଁ ସେ ତାକୁ କହିଲା ଏବେ ସାର୍ ଘରେ ନାହାଁନ୍ତି ତୁମେ ସନ୍ଧ୍ୟା ବେଳକୁ ଆସ । ଏତିକି କହି ସାରି ଅଜୟ ତା ଠାରୁ ନଜର ଫେରାଇ ନେଇ ଖବରକାଗଜ ଉପରେ ପକେଇ ପଢି ବସିଲା ଆଉ ତାକୁ ଧ୍ୟାନ ଦେଲା ନାହି । କିଛି ସମୟ ପରେ ଖବର କାଗଜ ଲେଉଟାଇଲ ବେଳକୁ ସେ ଲୋକଟି ଆସି ପୂରା ଅଜୟ ର ପାଖରେ ଛିଡା ହୋଇ ଯାଇଥାଏ । ଚମକି ଉଠିଲା ଅଜୟ ତାକୁ ଦେଖି । ତା ଦେହରୁ ଗୋଟେ ଅଜବ ପ୍ରକାର ର ଗନ୍ଧ ବାହାରୁ ଥାଏ ଲାଗୁ ଥାଏ ଯେମିତି ସେ ଲୋକଟି ବହୁତ ଦିନ ହେଲା ଗାଧୁଆପାଧୁଆ କରିନି । ଏଥର ଅଜୟ ତାକୁ ଟିକେ ଚଢା ଗଳାରେ କହିଲା “କହିଲି ପରା ଏବେ ସହଦେବ ନାହିଁ କ୍ଲିନିକ କୁ ଯାଇଛି ତୁମେ ସନ୍ଧ୍ୟା ବେଳେ ଆସ ତା ସହ ଦେଖା ହେବ” । ଲୋକ ଟି କିପରି ଏକ ଅଦ୍ଭୁତ ସ୍ଵର ରେ କହିଲା “ମୁଁ ଡାକ୍ତର ଙ୍କ ପାଖ କୁ ଆସିନି । ମୁଁ ତୁମ ପାଖ କୁ ଆସିଛି” । ଏତିକି କହି ଜୋର ରେ କାଶି ଉଠିଲା । ଏମିତି ଗୋଟେ ଅଦ୍ଭୁତ ପ୍ରକାର ର ଶବ୍ଦ ଶୁଣି ଅଜୟ ଡରି ଯାଇ ଚେୟାର୍ ରୁ ଉଠି ପଡି କହିଲା “କିଏ ତୁମେ? ମୋ ପାଖରେ ତୁମର କି କାମ ?” ଲୋକଟି କହିଲା “ତୁମେ ଅଜୟ ମହାନ୍ତି ନା ବିଶିଷ୍ଟ କାହାଣୀକାର । ମୋର ଶେଷ ଇଛା ତୁମେ ମୋ ଜୀବନର କାହାଣୀ କୁ ବି ଦୁନିଁଆ କୁ ଜଣାଅ” । ଅଜୟ ଡରି ଯାଇ କହିଲା “ତୁମେ ମୋତେ କେମିତି ଜାଣିଲ ଯେ ମୁଁ ଲେଖାଲେଖି କରେ ବୋଲି” । ଲୋକଟି କହିଲା ମୋ ପାଖେ ବେଶି ସମୟ ନାହିଁ “ମୁଁ ଯାହା କହୁଛି ତୁମେ ତାକୁ ମନ ଦେଇ ଶୁଣ” । ଅଜୟକୁ କହିଲା ଚେୟାର ବସିବା ପାଇଁ ଓ ନିଜେ ତଳେ ବସି ସେ ଗପିବାକୁ ଆରମ୍ଭ କଲା ।

ମୋ ନା ରଘୁନାଥ ଦାସ । ମୁଁ ଏଇ ଶିମିଳିପାଳ ଜଙ୍ଗଲ ରେ ଫରେଷ୍ଟ ଅଫିସର ଭାବେ ୧୫ ବର୍ଷ ତଳେ ଆସିଥିଲି । ମୋତେ ରହିବା ପାଇଁ ଗୋଟେ କ୍ଵାଟର୍ ଦିଆ ହୋଇଥିଲା ଆଉ ବୋଲହାକ କରିବା ପାଇଁ ଗୋଟେ ପିଅନ ଶମ୍ଭୁ । ଶମ୍ଭୁ ମୋର ବହୁତ ଯତ୍ନ ନେଉଥିଲା ମୋର ଖାଇବା ପିଇବା,ରେ ଯେପରି କିଛି ଅସୁବିଧା ନା ହେବ ସେଥିପାଇଁ ସେ ସବୁ ବେଳେ ଯତ୍ନ ବାନ ଥିଲା । ଧୀରେ ଧୀରେ ମୋର ଆଉ ଶମ୍ଭୁ ଭିତରେ ଗୋଟେ ଭଲ ବନ୍ଧୁତା ସୃଷ୍ଟି ହୋଇଗଲା । କିନ୍ତୁ କିଛି ବର୍ଷ ଯିବା ପରେ ମୁଁ ଶମ୍ଭୁ ର ଚାଲି ଚଳନରେ ଗୋଟେ ଭିନ୍ନତା ଲକ୍ଷ୍ୟ କଲି । ମୁଁ ଲକ୍ଷ୍ୟ କଲି ସେ ବେଳେ ବେଳେ ମୋ ପକେଟ ରୁ ପଇସା ଚୋରି କରୁଛି ମୋର ଅନୁପସ୍ଥିତି ରେ ମୋ ଜିନିଷ ପତ୍ର ଖେଳାଉଛି ଯେଉଁଟା କି ମୋତେ ଟିକେ ଭଲ ଲାଗୁ ନଥିଲା । ଥରେ ମୁଁ ରାତିରେ ଦେଖିଲି ସେ ଏକୁଟିଆ ଯାଇ କେଉଠି ଗୋଟେ ଗୁଣୀ ବିଦ୍ୟା ଶିଖୁଛି । ମୁଁ ତାକୁ ଏ ବିଷୟରେ ତାଗିଦ୍ କଲି । କହିଲି ତୋର ଯଦି ଏମିତି କିଛି କରିବାର ଅଛି ତୁ ଆଉ ମୋ ସଙ୍ଗେ ରହନା । ଏତିକି କହି ତାକୁ ଘରୁ ଚାଲି ଯିବାକୁ କହିଲି । ସେ ଭୀଷଣ ଭାବେ ମୋ ଉପରେ ରାଗିଗଲା । ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଲା । ଏମିତି ଦିନେ ରାତିରେ ହଠାତ୍ ସେ ରାଗି ଯାଇ ଗୋଟେ କଟୁରୀ ଧରି ମୋତେ ହାଣି ବାକୁ ଆସିଲା । ମୁଁ ଦେଖିଲି ସେ ମୁଣ୍ଡରେ ନାଲି ସିନ୍ଦୁର ପିନ୍ଧିଛି । ଅଣ୍ଟା ରେ ଗୋଟେ ବାଘ ଛାଲ ପିନ୍ଧିଛି । ଆଖି ଯୋଡାକ ଲାଲ ଲାଲ ହୋଇ ଯାଇଛି ସତେ ଯେପରି କେଉଁ ଆତ୍ମା ତା ଦେହରେ ପ୍ରବେଶ କରିଛି । ତା’ର କଥାର ସ୍ଵର ବି ବଦଳି ଯାଇଛି । କେମିତି ଗୋଟେ ପୁରୁଷ ଓ ନାରୀ ମିଶାମିଶି ସ୍ଵରରେ ସେ ଗର୍ଜନ କରୁଥାଏ । ମୁଁ ତାକୁ ଦେଖି ଖୁବ ଡରି ଯାଇଥାଏ । ସେ ମୋ ପାଖକୁ କଟୁରୀ ଧରି ଝପଟି ଆସିଲା ବେଳକୁ ମୁଁ ତାର ହାତ କୁ ମାଡି ବସିଲି । ଆଉ ପାଖରେ ଥିବା ଠେଙ୍ଗା ରେ ତା ମୁଣ୍ଡ କୁ ଗୋଟେ ଶାକ୍ତ ପାହାର ଦେଲି । ଠେଙ୍ଗା ପାହାର ଖାଇ ଶମ୍ଭୁ ସେଇଠି ଟଳି ପଡିଲା । ତା ମୁଣ୍ଡ ଫାଟି ରକ୍ତ ଧାର ବୋହି ଚାଲିଥାଏ । ସେ ପଡି ଯିବାର ଦେଖି ମୁଁ ତାକୁ ଉଠେଇଲା ବେଳକୁ ଗଲା ରୁ ସେ ମୋତେ ପୁଣି ସେମିତି ଗର୍ଜନ କରି କହିଲା “ରଘୁ ଦାସ ଆଜି ମୁଁ ତତେ ମାରି ବଳି ଦେଇ ଥିଲେ ମୋର ସିଦ୍ଧି ହେଇ ଥାଆନ୍ତା , କିନ୍ତୁ ତୁ ମୋତେ ମାରି ମୋର ସିଦ୍ଧି ରେ ବାଧା ଦେଲୁ । ମୁଁ ସିନା ଆଜି ଚାଲି ଯାଉଛି କିନ୍ତୁ ମନେରଖ ଯେତେଦିନ ପର୍ଯ୍ୟନ୍ତ ତୁ ବଞ୍ଚିଛୁ ମୁଁ ତତେ ଶାନ୍ତିରେ ରଖେଇ ଦେବିନି । ସବୁ ବେଳେ ତୋ ସହ ତୋ ପାଖେ ପାଖେ ଛାୟା ହେଇ ରହିଥିବି । ତୋର ଉଠିବା ବସିବା ଶୋଇବା ରହିବା ସବୁ କୁ ମୁଁ ହିଁ ପରିଚାଳନା କରେଇବି । ଆଉ ଠିକ ବର୍ଷେ ପରେ ମୁଁ ତତେ ମୋ ପାଖ କୁ ନେଇ ଆସିବି” ।ଏତିକି କହି ଶମ୍ଭୁ ସେଇଠି ଟଳି ପଡିଲା ।

ଏତକ କଥା କହି ସରିବା ପରେ ଅଜୟ ପାଖରେ ବସିଥିବା ରଘୁ ହଠାତ ଛିଡା ହେଇ କି କାନ୍ଦିବାକୁ ଲାଗିଲା କହିଲା ହେଇ ଦେଖ ଅଜୟ ବାବୁ ସେ ଶମ୍ଭୁ କେମିତି ସେ ଗେଟ୍ ପାଖରେ ଛିଡା ହୋଇଛି । ରଘୁ ଅଙ୍ଗୁଳି ଦେଖାଇଲା ଗେଟ୍ ଆଡକୁ । ଅଜୟ କୁ କିଛି ଦେଖାଯାଉ ନ ଥାଏ । କିନ୍ତୁ ହଠାତ୍ କେଉଁଠୁ ଗୁଡାଏ କୁକୁର ଭୁକିବା ଆରମ୍ଭ କରି ଦେଲେ କେମିତି ଗୋଟେ ଅଦ୍ଭୁତ ସ୍ଵରରେ । ଏଥର ଅଜୟ ଶଙ୍କିତ ହେଇ ପଡିଲା । ଡିସେମ୍ବର ମାସ ଶୀତରେ ବି ସେ ଝାଳରେ ଗାଧେଇ ପଡିଥାଏ ।

ରଘୁ କହିଲା ଅଜୟ ବାବୁ କାଲି ହେଉଛି ଶମ୍ଭୁ ର ବର୍ଷିକିଆ ଆଉ ମୋ ଜୀବନ ର ଶେଷ ଦିନ । ଆପଣ ଯେମିତି ହେଲେ ମୋର ଏ କାହାଣୀ କୁ ଲୋକ ଲୋଚନ କୁ ଆଣନ୍ତୁ କାରଣ ମୋତେ ଲୋକ ମାନେ ଆଜି ଯାଏଁ ଭୁଲ ବୁଝି ଆସିଛନ୍ତି ଯେ ମୁଁ କାହିଁକି ଶମ୍ବୁ ର ହତ୍ୟା କଲି ବୋଲି । ଆଉ ପୁଲିସ ଠାରୁ ଲୁଚି ଲୁଚି ମୁଁ ବି ଅଣନିଃଶ୍ଵାସୀ ହୋଇ ଗଲିଣି । ଏତିକି କଥା କହି ସାରି ରଘୁ ସେଠାରୁ ଚାଲି ଗଲା । ସେଦିନ ରାତିରେ ଅଜୟ ଠିକ ସେ ସୋଇ ପାରିଲା ନାହିଁ । ସେ ମନସ୍ଥ କଲା ଯେ ପର ଦିନ ଏଠାରୁ ସେ ଚାଲି ଯିବ ବୋଲି । ସକାଳୁ ସକାଳୁ ଉଠି ସହଦେବ କୁ କହିଲା ଯେ ତାକୁ ବସ ଷ୍ଟାଣ୍ଡ ରେ ନେଇ ଛାଡି ଦେଇ ଆସିବାକୁ । ତା’ର ବ୍ୟାଙ୍କ ରୁ ଫୋନ ଆସିଥିଲା କିଛି ଗୋଟେ ଜରୁରୀ କାମ ପାଇଁ ତାକୁ ଆଜି ହିଁ ଯିବା କୁ ପଡିବ ବୋଲି । ସହଦେବ ଅଜୟ କୁ ନେଇ ବସ୍ ରେ ବସାଇ ଦେଇ ଆସିଲା । ବସ୍ ରେ କିଛି ବାଟ ଗଲା ପରେ ଡ୍ରାଇଭର ହଠାତ ବସ୍ ଟିକୁ ରଖି ଦେଲା କହିଲା ଆଗରେ କିଛି ଗୋଟେ ଦୁର୍ଘଟଣା ହୋଇଛି ବୋଧ ହୁଏ ସେଥି ପାଇଁ ଲୋକେ ରାସ୍ତାରେ ଛିଡା ହୋଇଛନ୍ତି ।  ଉତ୍ସୁକତାର ସହ ଅଜୟ ବସ୍ ରୁ ବାହାରି ବାହାରକୁ ଆସିଲା ଜାଣିବା ପାଇଁ କଣ ହୋଇଛି ବୋଲି । ଦେଖିଲା ଗୋଟେ ଲୋକର ତଣ୍ଟି କାଟି କେହି ଜଣେ ହତ୍ୟା କରି ଫିଙ୍ଗି ଦେଇଛି । କିନ୍ତୁ ଏ କଣ ଏ ତ ସେଇ ଲୋକ ଯିଏ କାଲି ତା ପାଖ କୁ ଆସିଥିଲା । ଭୟରେ ଶୀତେଇ ଉଠିଲା ତା’ର ସର୍ବାଙ୍ଗ ଶରୀର । ଚୁପଚାପ୍ ଆସି ସେ ନିଜ ସିଟ୍ ରେ ବସି ପଡିଲା । କିଛି ସମୟ ପରେ ପୁଲିସ ଆସିବାରୁ ରାସ୍ତା ସଫା ହେଲା ପରେ ଗାଡି ଚାଲିଲା କଟକ ଅଭିମୁଖେ । ରାସ୍ତା ସାରା ଅଜୟ ସେଇ କଥା ଭାବି ଭାବି ଅନ୍ୟମନସ୍କ ହୋଇ ପଡୁଥାଏ । ରାତିରେ ଘରେ ପହଞ୍ଚିବା ପରେ ସେ ରଘୁ କହିଥିବା ସବୁ କଥା କୁ ଗୋଟେ କାହାଣୀ ର ରୂପଦେଇ ଗୋଟିଏ ଭଲ ପତ୍ରିକା କୁ ପଠେଇ ଦେଲା । ରାତିରେ ଶୋଇବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା । ପର ମାସର ସଂଖ୍ୟାରେ ଅଜୟର ଗପ “ଛାୟା” ପ୍ରକାଶିତ ହୋଇଥିଲା ଓଡିଶାର ଗୋଟେ ନାମୀ ପତ୍ରିକାରେ । 


ଜଙ୍ଗଲ ଡାକ୍ତର ଫରେଷ୍ଟ ଅଫିସର

Rate the content


Originality
Flow
Language
Cover design

Comments

Post

Some text some message..