Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୋଉ-ସତଟିଏ ଗପ ପରି
ବୋଉ-ସତଟିଏ ଗପ ପରି
★★★★★

© Nandini RayMohapatra

Inspirational

3 Minutes   409    50


Content Ranking

ବୋଉ ଯିବାର ଷୋହଳ ବର୍ଷ ହେଇ ସାରିଥିଲା। ବୋଉ ସହ ବିତାଇ ଥିବା ମୁହୂର୍ତ୍ତ ସବୁ ଝାପସା ଝାପସା ଦେଖା ଯାଉଥିଲେ, ଧୂଆଁଳିଆ। ବୋଉ ଗଲା ବେଳକୁ ମୋତେ ମାତ୍ର ଛ' ବର୍ଷ। ବୋଉ କଣ ବୋଲି ଜାଣିବା ଆଗରୁ, ଭଲ କରି ବୁଝିବା ଆଗରୁ, ବୋଉ ଚାଲି ଯାଇଥିଲା କେଉଁ ଏକ ଅଫେରା ରାଇଜ କୁ। ଖାଲି ଯାହା ଛାଡି ଯାଇଥିଲା କିଛି ଅସ୍ପଷ୍ଟ ସ୍ମୃତି।

ବୋଉ ଅନ୍ତେ ବାପା, ପିଉସୀ, ଜେଜେମା ଆଉ ପରିବାର ର ଅନ୍ୟ ସମସ୍ତେ ମୋତେ ବୋଉ ର ଅଭାବ ଅନୁଭବ କରିବାକୁ ଦେଇ ନଥିଲେ। ଢେର ସାରା ଭଲପାଇବା, ଅପର୍ଯ୍ୟାପ୍ତ ସ୍ନେହ ଆଉ ଉପଯୁକ୍ତ ଅନୁଶାସନ ରେ ବିତିଯାଇଥିଲା ମୋ ପିଲା ଦିନ। ହୁଏତ ମୋ ଜାଗା ରେ ଆଉ କିଏ ଥିଲେ ବୋଉ କୁ ଗୋଟାପଣେ ଭୁଲି ଯାଇଥାଆନ୍ତା

ମୁଁ କିନ୍ତୁ ଭୁଲିପାରେନି ବୋଉ କୁ।ସତ କହିବାକୁ ଗଲେ ମୁଁ ତାକୁ ଭୁଲିବାକୁ ଚାହେଁନି। ମୋ ଭିତରେ ତାକୁ ବଞ୍ଚେଇ ରଖିବା ପାଇଁ ନିଇତି ଅହରହ ଚେଷ୍ଟା କରେ ମୁଁ। ସାଙ୍ଗସାଥୀ, ଚିହ୍ନାଜଣା ଲୋକ ଟୁପଟାପ୍ ହୁଅନ୍ତି। "କଣ ମ! ଏତେ ଦିନ ହେଲା ମା ମଲାଣି,ଇଏ କଣ ଏବେ ଯାଏଁ ଭୁଲି ପାରୁନି।" କିଏ କିଏ ବିଦ୍ରୁପ କରନ୍ତି, କିଏ କିଏ ମୁହଁ ମୋଡ଼ନ୍ତି।କେତେକଙ୍କ ମଧ୍ୟରେ ୟାକୁ ନେଇ ଗୋଟେ ଜୋରଦାର୍ ଚର୍ଚ୍ଚା ଚାଲେ। ହସ, ଦୟା ଆଉ ତାଚ୍ଛଲ୍ୟର ଗୋଟେ ମାହୋଲ ସୃଷ୍ଟି ହୁଏ।

ମୁଁ କିନ୍ତୁ ଚୁପ୍ ଥାଏ, କାହାକୁ ବୁଝେଇ ପାରେନା ଯେ ବୋଉ ମୋ ପାଇଁ ଗୋଟେ ପରୀରାଇଜ ର କାହାଣୀ ଭଳି। ସେଇ କାହାଣୀ ଭିତରେ ମୁଁ ଜିଏଁ,ନାକ ବନ୍ଦ ହେବା ଯାଏଁ ଲୁହ ଢାଳେ। ଡେରି ରାତି ଯାଏଁ ବୋଉ ର କଳ୍ପନା ରେ ନିଜକୁ ମସଗୁଲ ରଖେ। କେବେ କେମିତି ବାଡ଼ି ରେ, ଆମ୍ବତୋଟା ରେ ବସି କେତେ କଣ ଅବାନ୍ତର କଳ୍ପନା କରେ। ଲାଗେ ଆମ୍ବ ଗଛ ସେପଟୁ ବୋଉ ବାହାରି ଆସିବ। ନହେଲେ ପରୀ ବେଶ ରେ ଉଡ଼ି ଆସିବ ମୋ ପାଖକୁ। ସୁନ୍ଦର ସୁନ୍ଦର ଭାବନା ରେ ଆଖି ବୁଜି ହେଇଆସେ। ବୋଉ ଆସେ। ବୋଉ ଥାଏ ଠିକ୍ ଷୋହଳ ବର୍ଷ ତଳ ଭଳି। ବୋଉ ର ମୁହଁ କିମ୍ବା ଦେହ କୋଉଠି ବି ବୟସ ର ଛାପ ନଥାଏ। ସେ ଆଉ ଟିକେ ପାଖକୁ ଆସେ। ଧୀରେ ଧୀରେ ହସେ। ମୁଁ ଖୁସି ରେ ଉଲୁସି ଉଠେ। ହଠାତ୍ ଆଖି ଖୋଲି ହେଇଯାଏ। ମୁଁ ଚାରିଆଡକୁ ଅନାଏ। ନିଜ ଉପରେ ଦୟା ଆସେ। ମୁଁ ଜାଣେ ଏସବୁ ଅବାନ୍ତର, ଯୁକ୍ତିହୀନ, ହେଲେ କାହିଁକି କେଜାଣି ଏତେ ବଡ଼ ହେଲା ପରେ ବି ମୋର ଏ ଚିରାଚରିତ ଅଭ୍ୟାସ କୁ ମୁଁ ଦୂରେଇ ପାରେନି।

ବେଳେବେଳେ ଲାଗେ ବୋଉ ଭୂତ ହେଇ ଯାଇଛି। ଅନ୍ଧାର ରେ ବୁଲୁଛି। ଦିନରେ ବା ଆସିବ କେମିତି? ରାତି ଟିକେ ଅଧିକା ହେଇଗଲା ପରେ ମୁଁ ଧିରେ ଝରକା ଖୋଲେ, ବାହାରକୁ ଦେଖେ। କେବେ କେମିତି ଦୁଆର କବାଟ ଖୋଲିବାକୁ ଭାବିଲେ ମନରେ କେତେ କଣ ଭାବନା ଆସେ। ସତରେ ଯଦି ବୋଉ ଭୂତ ହେଇକି ଆସେ ତାହେଲେ ତାକୁ ଦେଖି ମୁଁ ଡରିଯିବିନି ତ! ମୋତେ ସେ ଚିହ୍ନି ପାରିବ ତ! ଏମିତି ଭାବୁ ଭାବୁ ମୁଁ ବାହାରକୁ ଆସେ। ବହଳ ଅନ୍ଧାର ଭିତରେ ବୋଉ କୁ ତମାମ ଖୋଜିଲା ପରେ, ଆଖି ଜାଲୁଜାଲୁଆ ହେଇ ଆସେ। ଛାତି ରୁନ୍ଧି ହେଇଯାଏ। ଲୁହ ସବୁ ନାକ ବାଟ ଦେଇ ପାଟି କୁ ପଶିଯିବା ପରେ ମୁଁ ମୋର ଏ ଅସମ୍ଭବ ପ୍ରଚେଷ୍ଟା ରୁ କ୍ଷାନ୍ତ ହୁଏ। ରୁମ୍ କୁ ଆସେ। ବୋଉ ର ଫୋଟୋ ଦେଖୁ ଦେଖୁ ନିଦ ହେଇଯାଏ।

ବୋଉ ଯେ ନିଇତି ନିଇତି ମୋର ମନେ ପଡ଼େ ତା' ନୂହେଁ। ହେଲେ ମୁଁ ତାକୁ ମନେ ପକାଏ। ତାର ସେ ଅଧାଲିଭା ଝାପସା ସ୍ମୃତି କୁ ଉଖାରେ। ମୁଁ ଚାହେଁ ବୋଉ ର ସ୍ମୃତି ଜୀବନ୍ତ ରହୁ ପ୍ରତି ମୁହୂର୍ତ୍ତ ରେ। ସେଥିରେ ଗୋଟେ କ୍ଷଣ ପାଇଁ ବି ଅଳନ୍ଧୁ ନ ଲାଗୁ। ବୋଉ ପାଇଁ ଜାଣି ଜାଣି ମୁଁ କଷ୍ଟ ପାଏ। ସେ କଷ୍ଟ ମୋତେ ଭଲଲାଗେ। ମୋ ଦେହ ରେ ଗୋଟେ ଅଲଗା ଶକ୍ତି ଦିଏ। ମୋ ମନୋବଳ ବଢିଯାଏ। ଲାଗେ ବୋଉ ଯେମିତି ମୋ ଚାରିପାଖେ ଘୁରିବୁଲୁଛି। ମୋର ସବୁ ବିପଦ ଆପଦ ରେ ମୋ ସହ ଅଛି।

ହଷ୍ଟେଲ୍ ଛୁଟି ହେଲେ ମୁଁ ଯେବେ ଘରକୁ ଯାଏ, ସକାଳ ଦଶଟା ପୂର୍ବ ରୁ ବିଛଣା ଛାଡେନି। ନିଦ ଭାଙ୍ଗି ଯାଇଥିଲେ ବି ବିଛଣା ରେ ଗଡୁଥାଏ, ଠିକ୍ ସେଇ ଜାଗା ରେ, ଯୋଉଠି ଶେଷଥର ପାଇଁ ମୁଁ ବୋଉ ସହ ଶୋଇଥିଲି। ତକିଆ ରେ ମୁହଁ ଚାପି ମୁଁ ବୋଉ କୁ ମନେ ପକାଏ। ଏମିତି ଲାଗେ ମୁଁ ସେଇ ଛ' ବର୍ଷ ର ଛୁଆ, ଆଉ ବୋଉ ଛାତି ରେ ମୁହଁ ଗୁଞ୍ଜି ସବୁ ଉଷ୍ଣତା ଶୋଷି ନେଉଛି।

"ଏ ମା ଉଠ୍। ଏତେ ଡେରି ଯାଏଁ କିଏ ସୁଏ! ହଷ୍ଟେଲ୍ ରେ ଖାଲି ଶୋଉଥିବୁ ତୁ। ଉଠ୍ ଉଠ୍। ହେଇ ତୋ ଚା' ସେଇଠି ଡ୍ରେସିଂଟେବୁଲ୍ ଉପରେ ରହିଲା।ପିଇଦେ।ଉଠିକି ଦାନ୍ତ ଘଷିକି ଖା।ପାଠ ପଢ୍ ତା ପରେ।" ବାପା ଙ୍କ କଥା ରେ ମୁଁ ମୁହଁ କାଢ଼ି ତାଙ୍କୁ ଚାହେଁ। ମୋ ଦେବପ୍ରତିମ ବାପା ଙ୍କ ତେଜୋଦୀପ୍ତ ସ୍ନେହୀ ମୁହଁ ରେ ବୋଉ ଅଳ୍ପ ଅଳ୍ପ ହସୁଥାଏ।

- ନନ୍ଦିନୀ ରାୟ ମହାପାତ୍ର।

ବୋଉ ଷୋହଳ ବର୍ଷ

Rate the content


Originality
Flow
Language
Cover design

Comments

Post

Some text some message..