Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନର ଗୋଟିଏ ଦିନ
ଜୀବନର ଗୋଟିଏ ଦିନ
★★★★★

© Manasi Tripathy

Inspirational

4 Minutes   14.2K    17


Content Ranking

ମେଘ ମୁକ୍ତ ନିର୍ମଳ, ନିର୍ଲିପ୍ତ, ନିଥର, ନିଶବ୍ଦ ଆକାଶ l ରାତ୍ରି ଆସନ୍ନ ପ୍ରାୟ l ବିହଙ୍ଗ ମାନଙ୍କ କାକଳି କାହିଁ କେତେବେଳୁ ବନ୍ଦ ହେଇଗଲାଣି l ଉଷୁମ ଟାଣି ନିଜ ନିଜ ନୀଡ଼ରେ ସେମାନେ ସୁପ୍ତ ତା ସାଙ୍ଗକୁ ଜାଗ୍ରତ ହୋଇପଡିଲେଣି ଶହ ଶହ ଜୁଳୁଜୁଳିଆ ଆଉ ଝିଙ୍କାରୀ l ଅନ୍ଧାର ଘୋଟି ଆସିଲାଣି, ଶୁଭିଲାଣି ଅସଂଖ୍ୟ ଝିଙ୍କାରୀ ମାନଙ୍କ ଝିଁ ଝିଁ ର ଐକତାନ, ଦେଖାଗଲାଣି ପୁଞ୍ଜା ପୁଞ୍ଜା ଖଦ୍ୟୋତର ମିଞ୍ଜି ମିଞ୍ଜି ଆଲୋକ। ସମୟ ସାତଟା ପାର ହୋଇଗଲାଣି ବୋଧେ, ଦୂରରୁ ବଡ଼ ବଡ଼ କୋଠା ମାନଙ୍କରୁ ବିଜୁଳିବତୀର ଆଲୋକ ସବୁ ଛିଟିକି ପଡ଼ୁଛି I ନେଳି, ନାଲି, ସବୁଜ, ହଳଦିଆ ରଙ୍ଗ ରଙ୍ଗିଆ ଦେଖାଯାଉଛି ଚାରିଆଡ଼େ l ଗାଢ଼ ଅନ୍ଧକାର ମାଡ଼ି ପଡ଼ିଲାଣି, ତାରି ଭିତରେ ମୁଁ ନିଜକୁ ହଜେଇ ଦେଇଥାଏ ଯେମିତି, ଖୋଜିଲେ ବି ପାଉ ନଥାଏ ମୋର ସତ୍ତା, ଛାତ ଉପରୁ ଉଠି ତଳକୁ ଯିବାକୁ ଇଚ୍ଛା ହେଉନଥାଏ l କଣ ବା କରିବି ଯାଇ ତଳକୁ? ଖାଲି ଶୁଣିବାକୁ ସେହି ଟାହି ଟାପରା ନିନ୍ଦା, ଅପବାଦ ବରଂ ଏଠି ଟିକେ ଶାନ୍ତିରେ ନିଶ୍ଵାସ ମରିବି ବୋଲି ଭାବୁଥାଏ ବସି l ଇଚ୍ଛା ହେଉଥାଏ ରାତିର ଗାଢ଼ ଅନ୍ଧକାର ଭିତରେ କେଉଁଆଡ଼େ ହଜିଯିବାକୁ ହେଲେ ପାରିବିନି ଏକଥା ବି ଜାଣିଥିଲି l ଓ! କି ଯନ୍ତ୍ରଣା, ଅନ୍ତର୍ଦାହ, ଅସହ୍ୟ ବେଦନା, ଧୈର୍ଯ୍ୟଚ୍ୟୁତି ଘଟିଥିଲା ମୋର l ଅନ୍ୟ କିଛି ନୁହଁ ସେ ପୁଣି ଚୋରି ନିନ୍ଦା ଶୁଣିବାକୁ ମିଳିଛି ମତେ l ନା! ଏ ଅପବାଦ ମିଥ୍ୟା ;ମୁଁ କେବେ ଚୋରି କରିପାରେନା, ହେଲେ କିଏ ବା ବିଶ୍ବାସ କରୁଛି ମୋ କଥା l

ଘରର ବଡ଼ ଝିଅ ମୁଁ, ବାପା ମା, ସାନ ଭଉଣୀ, ଭାଇ ସମସ୍ତଙ୍କ ଦାୟିତ୍ଵ ମୋ ଉପରେ l ଦାରିଦ୍ର୍ୟର କଷାଘାତରେ ସନ୍ତୁଳିତ ହଉଥିଲି ଖାଲି ତେଣୁ ଆଖିରେ ଆଖିଏ ସ୍ବପ୍ନ ନେଇ ଚାଲି ଆସିଥିଲି ସହରକୁ ରୋଜଗାର ନିଶାରେ l ଅର୍ଥାଭାବରୁ ଗ୍ରାଜୁଏସନ ପରେ ପାଠ ପଢ଼ାରେ ଡୋରି ବନ୍ଧା ହେଇଥିଲା l ଭଗବାନଙ୍କ କୃପାରୁ ଗାଁରେ ସ୍ଥାପିତ ହୋଇଥିବା ଏକ ତାଲିମ୍ ଶିବିରରେ ଯୋଗଦେଇ ତିନିମାସ ପରେ ଉକ୍ତ ସଂସ୍ଥା ପକ୍ଷରୁ ପ୍ରଥମେ ଅନତିଦୂର ଭଞ୍ଜନଗରରେ ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତି ପାଇଲି l ଖାଇବା ରହିବାକୁ ଦେଇ ଦରମା ପଚିଶି ଶହ, ଭାରି ଖୁସି ହେଲି l ଅବିରାମ ଗତିରେ ସମୟ ଆଗେଇ ଚାଲିଥାଏ l ୟା ଭିତରେ ସୁଖେ ଦୁଃଖେ ସାନ ଭାଇର ବ୍ରତ କର୍ମଟି ସମାପନ ହୋଇଗଲା l ମୁଣ୍ଡ ଉପରେ ଗୁଡ଼ାଏ କରଜ; ବେଳେବେଳେ ରାତି ନିଦ ହୁଏନି, ବୋଝ ବଢି ଯାଇଥାଏ l ସବୁ ପରେ ବି ମତେ ଖୁସି ହବାର ଛଳନା କରିବାକୁ ପଡେ l ସବୁ ସରସତା ମୋର ମରିଗଲା ଯେତେବେଳେ ଖରାଛୁଟି ପରେ ମତେ ଆଉ ବିଦ୍ୟାଳୟକୁ ଡକା ଗଲାନି l ଇଶ୍ୱରଙ୍କ ଦୟା ଅପାର, ସେହି ବିଦ୍ୟାଳୟର ମୁଖ୍ୟ ଶାଖାରୁ ଡ଼ାକରା ଆସିଲା l ଭାରି ଖୁସି ଲାଗିଥିଲା ସେଦିନ l ଆଖିରେ ଅସରନ୍ତି ସ୍ଵପ୍ନ ମନରେ ଅସୁମାରି ଆଶା ନେଇ ପାଦ ଥାପିଲି ସୁଦୂର ବ୍ରହ୍ମପୁର ସହରରେ l ସହରଠାରୁ ଦୂରରେ ଶେଷଭାଗରେ ନିରୋଳା ପରିବେଶରେ ବିଦ୍ୟାଳୟଟି l ଦରମା ପୁଣି ତିନି ହଜାର, ଖୁସି କହିଲେ ନସରେ l ଚାହୁଁ ଚାହୁଁ ଗୋଟିଏ ବର୍ଷ ଆରାମରେ ବିତିଗଲା l

ଆଗକୁ ଏତେ ବିପର୍ଯ୍ୟୟ ଅଛି ମୋ ଜୀବନରେ ତା ଜଣାନଥିଲା l ଦ୍ବିତୀୟ ବର୍ଷରୁ ଆରମ୍ଭ ହେଲା ସଂଘର୍ଷର ଦିନ ନିଜର ଅସ୍ତିତ୍ଵକୁ ବଜାୟ ରଖିବା ପାଇଁ l ମୋର ଜଣେ ସହକର୍ମୀ ଅତ୍ୟନ୍ତ ଈର୍ଷାନ୍ବିତ ଥିଲେ ମୋ ପ୍ରତି l ବିଦ୍ୟାଳୟ ସାରା ପିଲାଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହକର୍ମୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ନାନା କଥା ମୋ ବିଷୟରେ କହି ବୁଲୁଥିଲେ l ମୁଁ ଗରିବ, ଛୋଟ ଲୋକୋ ଘର ଝିଅ, ଭଲରେ ଖାଇବା କି ପିନ୍ଧିବା ଜାଣିନି ଏମିତି ବହୁତ କିଛି l ସବୁ ଶୁଣି କାହାକୁ କିଛି କହେନି ସବୁ ଭାଗ୍ୟ ଉପରେ ଛାଡିଦିଏ l ଏ ସ୍ଥାନ ମୁଁ ଛାଡ଼ି ପାରିବିନି କାରଣ ଭାଇ, ଭଉଣୀଙ୍କ ପଢ଼ା ଖର୍ଚ୍ଚ ଦେବାକୁ ପଡେ l ହଠାତ୍ ଦିନେ ମୋର ଦୁର୍ଭାଗ୍ୟ ପଡ଼ିଲା, ମୋ ଭାଗ୍ୟରେ ଗ୍ରହଣ ଲାଗିଗଲା, ଖୁସିର ଚନ୍ଦ୍ରକୁ ରାହୁ ଗ୍ରାସ କରିନେଲା l ସେଦିନ ଦିନ ବେଳା ମନ ଭଲ ନଥିବାରୁ ଟିକେ ବିଳମ୍ବରେ ଖାଇବାକୁ ଗଲି ତା ପୂର୍ବରୁ ସମସ୍ତେ ଚାଲିଯାଇଥିଲେ ତେଣୁ କୋଠାରୀରେ ମୁଁ ଏକା l ସଞ୍ଜ ବେଳକୁ ମୋର ସେହି ସହକର୍ମୀ ଜଣକ ଘୋଷାଣ କରିଲେ ତାଙ୍କର ତିନି ହଜାର ଟଙ୍କା ଚୋରି ହେଇଯାଇଚି l ବହୁତ ଖୋଜା ଖୋଜି ହେଲା ସନ୍ଦେହ ତାଙ୍କର ମୋ ଉପରେ l ତା ପରଦିନ ସକାଳୁ ସକାଳୁ ମୁଁ ଶୋଇଥିବା ଅବସ୍ଥାରେ ସମସ୍ତଙ୍କ ପେଡ଼ି ପୁଟୁଳା ତଲାସ କରିବା ବାହାନାରେ ପ୍ରଥମେ ମୋ ସlମାନ ମୋ ବିନା ଅନୁମତିରେ ତଲାସ କରିବାକୁ ଲାଗିଲେ, ଦୁର୍ଯୋଗକୁ ଦରମା ମିଳିଥିବା ସବୁତକ ଟଙ୍କା ଭେନିଟିରେ ଥାଏ l ତାକୁ ଦେଖି ମୁଁ ହିଁ ସେ ଟଙ୍କା ଚୋରି କରିଛି ବୋଲି ନିନ୍ଦା କରି ଗାଳିଗୁଲଜ କରିବାକୁ ଲାଗିଲେ l କୋହ ଉଠିଲା ଛାତିରୁ, କାନ୍ଦ ମାଡ଼ିଲା କିନ୍ତୁ କାନ୍ଦି ପାରିଲିନି, କେତେ ଅନୁନୟ ପୂର୍ବକ କହିଲି ମୁଁ ଚୋରି କରିନି ହେଲେ ଫଳ କିଛି ହେଲାନି; ମୁଁ ଚୋରଣୀ ବୋଲି ସିଦ୍ଧ ହୋଇଗଲା l ହୃଦୟ ବିଦାରି ହୋଇଯାଉଥିଲା l ତିଳ ତିଳ କରି ଛଟପଟ ହଉଥିଲି ଏତେ ବଡ଼ ନିନ୍ଦାଟାଏ ମୁଣ୍ଡାଇ l ଡର ଥିଲା କଳଙ୍କର ଟୀକାକୁ ପୁଣି ଆଶଙ୍କା ମନରେ ଘର କଲା ବୋଧହୁଏ ସଭିଏଁ ଦୋଷୀ ଭାବିବେ ମତେ l ଇଚ୍ଛା ହେଉଥିଲା ବୋଉ କୋଳରେ ମୁଣ୍ଡ ରଖି ଅତି ଉଚ୍ଚ ସ୍ବରରେ କାନ୍ଦିବାକୁ ଆଉ ମୁଁ ଗରିବ ହେଇପାରେ ହେଲେ କେବେ ଚୋରଣୀ ହେଇ ପାରେନା ବୋଲି ଦୁନିଆକୁ ଜଣେଇବାକୁ ମାତ୍ର ଅବଶୋଷ ଏ ଖାଲି ବୃଥା ଭାବନା l ମୋ ପାଖରେ କିଛି ପ୍ରମାଣ ନଥିଲା ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ l ଭାରାକ୍ରାନ୍ତ ମନ, ଅକଥନୀୟ ବେଦନା ନେଇ ଦିନ ଦୁଇପହର ରୁ ଛାତ ଉପରକୁ ଚାଲିଆସିଥିଲି ଯେ ଜମା ଯାଇନି ତଳକୁ l ଏଇ କିଛି ଘଣ୍ଟା ଭିତରେ ସତେ ଯେମିତି କେତେ ଯୁଗ ବିତିଗଲାଣି ଲାଗୁଥିଲା l ନିଶ୍ଚୟ କଲି ବିଦ୍ୟାଳୟ ପରିତ୍ୟାଗ କରିବି l ଆଜି ଏଠି ଯେମିତି ଅବହେଳିତା, ଲାଞ୍ଛିତା ହେଇଛି ଜୀବନରେ ପୁଣି ସେଦିନ ଆସିବାକୁ ଦେବିନି l ହେଲେ କଣ କରିବି? କେଉଁଆଡ଼େ ଯିବି? ମନରେ ଅଜସ୍ର ଭାବନାର ଢେଉ ଉଛୁଳି ଉଠିଲା, ପରିବାରର ଦୈନ୍ୟତl ଆଖି ଆଗରେ ନାଚି ଉଠିଲା ଏହା ସତ୍ତ୍ୱେ ସବୁ ପଛକୁ ଠେଲି ନିର୍ଣ୍ଣୟ ନେଲି ଆହୁରି ଅଧିକ ପଢ଼ିବି, ଭଲ ଚାକିରି କରିବି, ଯୋଉଠି ସମ୍ମାନ ମିଳିବ ସେଠାକୁ ଯିବି ତେଣିକି ଯେତେ ପ୍ରତିବନ୍ଧକ ଅସୁନା କାହିଁକି ଇଶ୍ୱର ଦୟା କଲେ ମତେ ମୋ ଲକ୍ଷ୍ୟ ସ୍ଥଳ ନିଶ୍ଚୟ ମିଳିବ l ମନରେ ଆଶା ଉଙ୍କି ମାରିଲା, ଟିକେ ହାଲୁକା ଲଗିଲା ନିଜକୁ, ନୂତନ ଏକ ଜୀବନର ଆଶା ସଞ୍ଚାର କରି ତଳକୁ ଓହ୍ଲାଇ ଆସିଲି ଛାତରୁ ସେତେବେଳକୁ ରାତି ପ୍ରାୟ ଦଶଟା ବାଜିଥିଲା, ନୂଆ ସକାଳକୁ ସ୍ଵାଗତ କରିବାକୁ ଶୋଇବାକୁ ଚେଷ୍ଟା କଲି

ସେଦିନର ସେ ଦୃଢ ସଂକଳ୍ପ ପରେ ଆଜି ଜୀବନର ଏ ପରିବର୍ତ୍ତିତ ପରିସ୍ଥିତିରେ ଠିଆ ହୋଇ ମନେ ପଡେ ସେକଥା l ଆଜି ହୁଏତ ପରିବାରର ଅବସ୍ଥା ସୁଧୁରି ପାରିନି, କିନ୍ତୁ ମୁଁ ଅଧିକ ପାଠ ପଢ଼ି ପାରିଛି, ସମ୍ମାନର ସହ ବଞ୍ଚୁଛି, ଘରୋଇ ମହାବିଦ୍ୟାଳୟ ହେଲେ ମଧ୍ଯ ସେଠି ମୋ ଗୁରୁତ୍ୱ ରହିଛି l କେବଳ ଆଶା ଅସରନ୍ତି, ଆହୁରି ଆଗକୁ ବଢ଼ିବାର ଦୃଢ଼ ଇଚ୍ଛା ନେଇ ଆଗେଇ ଚାଲିଛି l

ବଡ଼ ଝିଅ ଚୋରି ମହାବିଦ୍ୟାଳୟ

Rate the content


Originality
Flow
Language
Cover design

Comments

Post

Some text some message..