Manasi Tripathy

Tragedy

1.0  

Manasi Tripathy

Tragedy

ଅସମାହିତ ପ୍ରଶ୍ନ

ଅସମାହିତ ପ୍ରଶ୍ନ

4 mins
716


ପହଞ୍ଚିଲେ ନିଶ୍ଚୟ କଲ୍ କରିବି, କିଛି ଚିନ୍ତା କରନି... କହି ଚାଲିଯାଉଥିଲା ଆକାଶ, କବାଟ ପାଖରେ ବିସର୍ଣ୍ଣ ବଦନ ନେଇ ତାକୁ ଚାହିଁ ରହିଥିଲା ବର୍ଷା । ଆକାଶ ସଂପୂର୍ଣ୍ଣ ଅଦୃଶ୍ୟ ହେବା ଯାଏ ସେଠି ସେମିତି ଠିଆ ହୋଇ ରହିଥିଲା ସେ, ଆଖିରେ ଲୁହ ଜକେଇ ଆସିଥିଲା କିନ୍ତୁ କାନ୍ଦି ପାରିନଥିଲା ମନ ଖୋଲି।

ଅନେକ କିଛି କହିବାକୁ ଚାହୁଁ ଥିଲା ଆକାଶ କୁ ହେଲେ କିଛି କହି ପାରିଲାନି ।ଏମିତି ବି ଆକାଶ ଅନୁଭବି ପ୍ରେମିକଟେ ନୁହଁ କି ଏ ପ୍ରେମ ତାଙ୍କ ଅଭିନୟ ର ନୁହଁ ଯେ ସିନେମା, ଧାରାବାହିକ ଭଳି ପ୍ରେମିକା କିଛି ନ କହିଲେ ବି ତା ଆଖିକୁ ଚାହିଁ ପ୍ରେମିକ ଟି ସବୁ କିଛି ବୁଝିନବ।

ବର୍ଷା ମନ ରେ ଅଜସ୍ର ପ୍ରଶ୍ନ, ସବୁ ଅଡ଼ୁଆ ତଡ଼ୁଆ, ଛନ୍ଦି ହୋଇ ପଡ଼ୁଛି ସେ ତା ପ୍ରଶ୍ନ ର ଜାଲ ଭିତରେ, ଖୋଜି ଖୋଜି ଉତ୍ତର ପାଉନି ତାର ।

ବେଳେ ବେଳେ ଭାବେ ସତରେ କଣ ପ୍ରେମରେ ଆଖିର ଭାଷା ପଢିହୁଏ? ମୁହଁରେ ପ୍ରକାଶ ନକରି ମନର ଭାଷା ବୁଝି ହୁଏ ? ଅନ୍ତର ରୁ ଡାକିଲେ ଅନ୍ତରଙ୍ଗ ମଣିଷ ପାଖରେ ସେ ଡାକ ପହଞ୍ଚି ପାରେ ? ଯଦି ଏ କଥା ସତ ତେବେ ଆକାଶ କାହିଁକି ବୁଝି ପାରେନି ତା ମନ କଥା, ତା ପ୍ରାଣ ଯେବେ ବ୍ୟାକୁଳ ହୋଇ ବାର୍ ବାର୍ ତାକୁ ହୃଦୟ ଖୋଜେ କାହିଁକି ସେତେ ବେଳେ ସେ ଜାଣି ପାରେନି ? ତେବେ କଣ ଆକାଶ ଆଉ ତାର ସମ୍ପର୍କ ରେ ସେ ଗଭୀରତା ନାହିଁ ନା ତାଙ୍କ ପ୍ରେମ ରେ ସତ୍ୟତା ନାହିଁ ?।

ଛି ଛି ! ଏ ସବୁ ଯେତେ ବାଜେ କଥା, ସେ କେମିତି ସନ୍ଦେହ କରିପାରୁଛି ଆକାଶ କୁ । ସେ ଯେ ତାକୁ କେତେ ଭଲ ପାଏ ଏ କଥା ସେ ନିଜେ ଜାଣିଛି ।

ମନ କୁ ମନ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲା ବର୍ଷା, ହେଲେ କାହିଁକି କେଜାଣି ଆଜି ତା ମନ ସବୁ ଦିନ ଭଳି ତା ପ୍ରଶ୍ନ ର ମନଭୁଲା ଉତ୍ତର ଗୁଡ଼ିକୁ ମାନି ନେବାକୁ ପ୍ରସ୍ତୁତ ନଥିଲା। ଅଜଣା ଆଶଙ୍କା ଆଉ ଦ୍ୱନ୍ଦ୍ବ ରେ ମନ ଆନ୍ଦୋଳିତ ହେଉଥିଲା ।

ଦୁଇ ବର୍ଷ ତଳେ ଆକାଶ ପ୍ରତି ତା ଭଲ ପାଇବା ସୃଷ୍ଟି ହେଇଥିଲା । ପ୍ରଥମ କରି ସେଦିନ ବର୍ଷା ଅନୁଭବ କରିଥିଲା ତନୁମନ ରେ ଏକ ନୂତନ ରୋମାଞ୍ଚ, ନୂଆ ଶିହରଣ ରେ ପୁଲକି ଉଠୁଥିଲା ସେ । ମନ ତାର ପକ୍ଷୀରାଜ ଘୋଡ଼ା ଚଢ଼ି ଯେମିତି ଘୁରି ବୁଲୁଥିଲା।

ଦୁଇ ବର୍ଷ ତଳେ ଭାଲେଣ୍ଟାଇନ୍ ଡେ ଦିନ ବର୍ଷା ନିଜେ ଆକାଶ କୁ ପ୍ରେମ ନିବେଦନ କରିଥିଲା। ଆକାଶ ଯେ ତା କଥା ରେ ରାଜି ହେଇଯିବ ଏ କଥା ବର୍ଷା କୁ ଆଶ୍ଚର୍ଯ୍ୟ କରିଥିଲା ।ଏହା ପରେ ଗଡ଼ି ଚାଲିଥିଲା ତାଙ୍କ ସମ୍ପର୍କ ର ଚକ। ଦୀର୍ଘ ଦୁଇ ବର୍ଷ ର ସମ୍ପର୍କ ଆଜି ବର୍ଷା କୁ କାହିଁକି କେଜାଣି ବହୁ ଅସମାହିତ ପ୍ରଶ୍ନ ରେ ଛନ୍ଦି ପକାଇଛି।

ପ୍ରଥମେ ପ୍ରଥମେ ବେଶ୍ ରୋମଞ୍ଚକ ଭାବରେ ଦିନ ଗୁଡ଼ା ହସ ମଜା ରେ କଟି ଯାଉ ଥିଲା। ଧିରେ ଧିରେ ଆରମ୍ଭ ହେଲା ମନମାଳିନ୍ୟ, ଟିକେ ଟିକେ କଥା ରେ ରାଗ, ରୁଷ।, ଅଭିମାନ। ପ୍ରେମ ରେ ଏମିତି ସବୁ ହୁଏ ବୋଲି ପହିଲୁ ବର୍ଷା ତାକୁ ଅଣଦେଖା କରୁଥିଲା କିନ୍ତୁ ଧୀରେ ଧୀରେ ବଢ଼ିବାକୁ ଲାଗିଲା ସମ୍ପର୍କ ରେ ତିକ୍ତତା ।

କ୍ରମେ ବର୍ଷା ବି ହୋଇ ଉଠିଲା ଉତ୍ସୃଙ୍ଖଳିତା, ସ୍ଵେଚ୍ଛାଚ।ରି, ଆକାଶ ର କୌଣସି କଥା କୁ ଖାତିର କରିଲାନି କି ତାକୁ ଗୁରୁତ୍ବ ଦେଲାନି।

ବର୍ଷା ର ଏତାଦୃଶ ବ୍ୟବହାର ଆକାଶ ମନ ରେ ଆଘାତ ଦେଇଥିଲା ।ଏଥିପାଇଁ ଦୁହିଁଙ୍କ ମଧ୍ୟରେ ନିଇତି କଳହ ଲାଗେ ।

ଆକାଶ ଚାହେଁ ବର୍ଷା ଯାହା ବି କରୁ ସବୁ ସେ ଜାଣିବା ଦରକାର । ତା ଇଛା ବିରୁଦ୍ଧ ରେ ବର୍ଷା ଯେମିତି କୌଣସି କାର୍ଯ୍ୟ ନକରୁ।ଆକାଶ ପାଖେ ଦେଖା ଦେଇଥିଲା ପୁରୁଷ ସୁଲଭ ଅଧିକାର ତେଣୁ ବର୍ଷାର ଏମିତି ମନ ଇଛା ସଭା ସମିତି ରେ ଯୋଗ ଦେବା, କ୍ଲବ ଯିବା କି କୌଣସି ପାର୍ଟି ଅାଟେଣ୍ଡ କରିବା ଆକାଶ କୁ ଜମା ଭଲ ଲାଗେନାହିଁ।

ଏପଟେ ବର୍ଷା ମଧ୍ୟ ତା ବ୍ୟକ୍ତିଗତ ଜୀବନରେ ଆକାଶର ହସ୍ତକ୍ଷେପ କୁ ଆଦୌ ସହ୍ୟ କରି ପାରେ ନାହିଁ । ଏଥି ପାଇଁ ଦୁହିଁଙ୍କ ଭିତରେ ବହୁ ବାର କଥା କଟା କଟି ହୋଇଥିଲା ।ବର୍ଷା ର ସାଙ୍ଗ ମାନେ ମଧ୍ୟ ତାକୁ ଏଥିପାଇଁ ପ୍ରେରଣା ଦେବାରେ କିଛି କମ୍ ନଥିଲେ।

କୁହାଯାଏ "ପର ବୁଦ୍ଧି ପ୍ରଳୟଙ୍କାରୀ", ବର୍ଷା ର ସମ୍ପର୍କ ପାଇଁ ଏହା ସତ୍ୟ ସାବ୍ୟସ୍ତ ହୋଇଥିଲା ।

ରାଗ, ଅଭିମାନ, ମନାନ୍ତର ରେ କିଛି ଦିନ ବିତିଗଲା । ଆକାଶ ଅନେକ ଥର ବର୍ଷା କୁ ବୁଝେଇଛି କିନ୍ତୁ କିଛି ଫଳ ମିଳିନି।

ହଠାତ୍ ଦିନେ ବର୍ଷା ମନରେ ଦେଖା ଦେଲା ପରିବର୍ତ୍ତନ। ନାରୀ ସୁଲଭ ଭାବ ପ୍ରକଟ ହେଲା ତା ମଧ୍ୟରେ। ଯାହା ହେଲେ ବି ସେ ଗୋଟେ ନାରୀ, ବୁଝିବା ଶକ୍ତି ତା ପାଖରେ ଭରପୁର ହୋଇ ରହିଛି। ବର୍ଷା ଭାବିବାକୁ ଲାଗିଲା ଏଇ ଗତ କିଛି ଦିନ ଭିତରେ ଘଟି ଯାଇଥିବା କଥା ଗୁଡ଼ିକୁ। ନିଜକୁ ନିଜେ ପ୍ରଶ୍ନ କଲା କାହିଁକି ସେ ଏମିତି କରୁଛି ? କେତେ ଭଲ ପାଉଥିଲା ସେ ଆକାଶ କୁ ତେବେ ଆଜି କାହିଁକି ସେ ଏତେ ଅସହ୍ୟ ହୋଇ ଉଠୁଛି ?

କାହିଁକି ସେ ବିରକ୍ତି ପ୍ରକାଶ କରୁଛି ? ତା ସମ୍ପର୍କ ଟା କଣ ଏତେ ଫିକା! ଆଜିକାଲିକା ଏଇ ବିଶୃଙ୍ଖଳ ସମାଜ ଭିତରେ ଏ ପ୍ରେମ ଟା କଣ ଭାରି ଶସ୍ତା ହୋଇଯାଇଛି ! କଣ ଏଇ ଇଛା ର ଦୁନିଆ ରେ ସମ୍ପର୍କର ମାନେ କିଛି ନାହିଁ! ।

ଭଲ ପାଇବାର ଏଇ ସମ୍ପର୍କ ରେ କାହା ପାଇଁ କିଏ ନିଜ କୁ ଏତେ ଟିକିଏ ବଦଳେଇ ପାରିବନି। ନିଜ ମନର ମଣିଷ ଟା ସହ ଟିକେ ଆର୍ଜଷ୍ଟ୍ କରିପାରିବନି ?ତେବେ କି ଲାଭ ଏ ମିଛି ମିଛିକା ଦେଖଣିଆ ସମ୍ପର୍କ ରେ ।

ସମ୍ପର୍କ ଟେ ଆଜିର ସମାଜରେ ଯୋଡ଼ି ହେଇଥାଏ ଭାଙ୍ଗିଯିବା ପାଇଁ ନା ପରସ୍ପର କୁ ବୁଝି ସାରା ଜୀବନ ସାଥୀ ହୋଇ ଚାଲିବା ପାଇଁ ?

ଧୀରେ ଧୀରେ ତାର ସବୁ ପ୍ରଶ୍ନ ର ଉତ୍ତର ତାକୁ ମିଳି ଯାଇଥିଲା ଯେତେବେଳେ ସେ ଆକାଶ ସହ ବିତେଇ ଥିବା ତାର ଖୁସି ର ମୁହୂର୍ତ୍ତ ଗୁଡ଼ିକୁ ମନେ ପକେଇ ଥିଲା। ସେ ନିଜ ଭୁଲ୍ ବୁଝି ପାରିଥିଲା । ଆକାଶ କୁ ଏଥି ପାଇଁ କ୍ଷମା ମଧ୍ୟ ମାଗିଥିଲା । ଆକାଶ ବି ଭୁଲି ଯାଇଥିଲା ପୂର୍ବର ସବୁ ରାଗ ଅଭିମାନ।

ବହୁ ଦିନ ପରେ ପୁଣି ଆକାଶ ବର୍ଷା ଆଜି ଏକାଠି ବୁଲୁଥିଲେ। ସନ୍ଧ୍ୟା ପୂର୍ବରୁ ବର୍ଷା କୁ ଘରେ ଛାଡ଼ି ବାହାରି ଯାଇଥିଲା ଆକାଶ।

ତଥାପି କାହିଁକି ପୁଣି ବର୍ଷା ମନରେ ପ୍ରଶ୍ନ, ସନ୍ଦେହ ଘନେଇ ଉଠୁଛି ସେ ଜାଣି ପାରୁନି। ଆକାଶ ଯିବା ପରଠୁ ମନରେ ଗୋଟିଏ କଥା ସେ ଭାବୁଥିଲା,ଆଗକାଳ ରେ କେତେ ମଜଭୁତ ଥିଲା ଏ ସମ୍ପର୍କ ର ଡୋରି ଟା, ଉତ୍ତମ ବୁଝାମଣା ରେ ସଂସାର ସୁରୁଖୁରୁରେ ଚଳି ଯାଉ ଥିଲା।

ଏ ପରିବର୍ତ୍ତିତ ଆଧୁନିକ ସମାଜ ରେ କାହିଁକି ଏମିତି ବଦଳି ଯାଇଛି ସମ୍ପର୍କ ର ପ୍ରତିଛବି । କାହିଁକି ସନ୍ଦେହ, ଅସହିଷ୍ଣୁତା ତାର ସବୁ ମଧୁରତା କୁ ସାରି ଦେଇଛି ? ଏ ପ୍ରଶ୍ନ ର ଉତ୍ତର ବର୍ଷା ଖୋଜି ପାଉନଥିଲା । ସବୁ ତାକୁ ଧୂସର, ଧୂଆଁଟିଆ ଦେଖାଯାଉ ଥିଲା।


Rate this content
Log in

Similar oriya story from Tragedy