ନିରବ ଯନ୍ତ୍ରଣା
ନିରବ ଯନ୍ତ୍ରଣା
ଅନନ୍ୟାର ମନରେ ଅଜସ୍ର ପ୍ରଶ୍ନ ଉଙ୍କି ମାରୁଛି, ପ୍ରଶ୍ନର ଘନଘଟାରେ ଛନ୍ଦି ହୋଇ ପଡୁଛି ସେ। କଣ କରିବା ଉଚିତ୍ କଣ ଅନୁଚିତ କିଛି ଠିକ୍ କରିପାରୁନି! ଅପହଞ୍ଚ ଇଲାକା ଆଡ଼କୁ ପ୍ରାଣପଣେ ଅଗ୍ରସର ହେଉଥିବା କ୍ଲାନ୍ତ ବାଟୋଇଟିଏ ଯେମିତି।ଭାବନାର ଘନ ଅନ୍ଧକାରେ କୁହୁଡ଼ି ପହଁରିବା ହିଁ ସାର ହୋଇପଡିଛି।
ଏଇ କିଛିଦିନ ତଳେ ସୁବ୍ରତ ତାକୁ ବିବାହ କରିବାର ପ୍ରସ୍ତାବ ଦେଇଥିଲା। ଉଭୟ ଙ୍କ ମଧ୍ୟରେ କୌଣସି ସାମାଜିକ ତାରତମ୍ୟ ନାହିଁ ଭାବି ସେ ଆଗ ପଛ ଚିନ୍ତା ନକରି ତା କଥାରେ ରାଜି ହୋଇ ଯାଇଥିଲା। ବର୍ତ୍ତମାନ କିନ୍ତୁ ମନରେ ଭୟ ସଞ୍ଚାର ହୋଇପଡିଛି।
ସୁବ୍ରତର ପ୍ରସ୍ତାବ କୁ ସେ ଗ୍ରହଣ କରିନେଇଛି ସତ କିନ୍ତୁ ମନରେ ତାର ନାନା ଆଶଙ୍କା ବସା ବାନ୍ଧି ସାରିଲାଣି। ସ୍ଵପ୍ନ ଭାଙ୍ଗିବାର, ବେଡ଼ି ପଡ଼ିବାର, ସ୍ଵାଧୀନତା ହରାଇବାର ଆଉ ସବୁଠୁ ବେଶୀ ପରିବାର କଥା ବୁଝି ପାରିବ କି ନାହିଁ ସେଇ ଡ଼ର।
ଅବଶ୍ୟ ସୁବ୍ରତ ଯୋଉଦିନ ବିବାହ ପ୍ରସ୍ତାବ ଦେଇଥିଲା ଅନନ୍ୟା ର ଆଶ୍ଚର୍ଯ୍ୟର ସୀମା ନଥିଲା। ଆଶ୍ଚର୍ଯ୍ୟାନୁଭୂତି ଆଉ ଅତ୍ୟଧିକ ଖୁସିରେ ସେ ଆତ୍ମହରା ହୋଇପଡିଥିଲା। ମନ ତାର ପରି ରାଇଜର ରଙ୍ଗୀନ ଦୁନିଆରେ ଡେଣା ଝାଡି଼ ଉଡ଼ି ବୁଲୁଥିଲା। ସର୍ବାଙ୍ଗ ପୁଲକରେ ପୁଲକି ଉଠୁ ଥିଲା।
ତାପରେ, ତାପରେ ଭାବି ଚାଲିଥିଲା ଅନନ୍ୟା, ବୋଧହୁଏ ସେ ଭୁଲ କରିଦେଇଛି ସୁବ୍ରତର କଥାକୁ ଗ୍ରହଣ କରି। ତା ପକ୍ଷେ ଅନ୍ତତଃ ଠିକ୍ ନଥିଲା ଏ ସବୁ ସ୍ୱପ୍ନର କୁହେଳି ରେ ଘୁରି ବୁଲି କଳ୍ପନାର ରଙ୍ଗ ରେ ଭରି ଜୀବନକୁ ଉପଭୋଗ କରିବା। ବୋଧହୁଏ ଠିକ୍ ହବନି ସୁବ୍ରତକୁ ତା ନିଜ ସହ ସାମିଲ କରିବା।
ସେ ସୁବ୍ରତକୁ ଖାଲି ନିଜର କରିବନି ବରଂ ତା ଉପରେ ଲଦି ଦେବ ନିଜର ଯାବତୀୟ ବୋଝ, ଭାରାକ୍ରାନ୍ତ କରିଦେବ ତାର ମନ କୁ, ଦୁର୍ବିସହ କରି ପକାଇବ ଯେମିତି ତା ଜୀବନକୁ।
ହେଲେ, ହେଲେ ସେ ତ ଚାହୁଁନି ତା ପାଇଁ ଦୁଶ୍ଚିନ୍ତା ରେ ଭରିଯାଉ ସୁବ୍ରତ। ତାକୁ ନିଜର କରିବାକୁ ହେଲେ ସୁବ୍ରତକୁ ଆପଣେଇ ନବାକୁ ପଡ଼ିବ ତା ଅଭାବ କୁ, ତା ସମସ୍ୟାକୁ। କାହିଁକିବା ସୁବ୍ରତ ତା ପାଇଁ ଏତେ ସବୁ ଦୁର୍ଦ୍ଦଶା ମୁଣ୍ଡେଇବ।
ସେଦିନ ସୁବ୍ରତ କହିଥିଲା, ଦେଖ ;ଯେ ମତେ ନିଜର କରେ ଏହା ନିଶ୍ଚିତ ଯେ ତାର ଅଧା ଦୁଃଖ ମୁଁ କିଣିପାରିବି, ଆଉ ଚେଷ୍ଟା କରିବି ମୋର ସବୁ ସୁଖ ତାର ଯେମିତି ହୁଏ।
ସତରେ କଣ ସୁବ୍ରତ ତା ଦୁଃଖ କୁ କିଣି ପାରିବ, ଭରି ପାରିବ ତା ଜୀବନରେ ଖୁସି!
ଆସନ୍ନ ସନ୍ଧ୍ୟାର ଅସ୍ତଲଗ୍ନରେ ଦୂର ଚକ୍ରବାଳର ପଟ୍ଟଭୂମିର ଛାୟାବାଜୀ କୁ ଅନେଇ ବାରଣ୍ଡା ରେ ବସି ରହଛି ଅନନ୍ୟା କେଉଁ ଅଦୂର ବାରି ମାଳ ତରୁଲତା ଗହଳରୁ ସଦ୍ୟ ପ୍ରସ୍ଫୁଟିତ ଶେଫାଳି ଆଉ ମାଳତୀ ଫୁଲର ବାସ୍ନା ଭାସି ଆସୁଛି ମନ୍ଦ ମନ୍ଦ ପବନରେ। ଏଇ ମାତ୍ର ଅସ୍ତଲଗ୍ନ ଅତିକ୍ରମ କରିଗଲା, ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଗଲେଣି, ଶରତ ସନ୍ଧ୍ୟାର ନିର୍ମଳ ଆକାଶରେ ମୁଗ୍ଧ ତlରକା କେତୋଟି ଆଖି ମିଟି ମିଟି କରି ଉଠିଲେଣି।
ଭାବନାର ଅନ୍ତ ନାହିଁ, ଭାବୁଛି ଅନନ୍ୟା ବରଂ ଭଲ ହବ ସେ ଦୁରେଇ ଯିବ ସୁବ୍ରତ ଠାରୁ, କୌଣସି ନା କୌଣସି ଭାବେ ବାହାନା କରି ମୁକୁଳାଇ ଦେବ ତାକୁ ତା ବନ୍ଧନ ରୁ।
ପୁଣି ମନରେ ପ୍ରଶ୍ନ ଉଠିଲା, ସତରେ କଣ ସେ ପାରିବ ସୁବ୍ରତକୁ ନିଜଠାରୁ ଦୁରେଇ, ଭୁଲି ପାରିବ ତାକୁ, ନା ସେ ମାନି ପାରିବ ଅନନ୍ୟା ର କୌଣସି ବାହାନା କୁ?
ବଡ଼ ବ୍ୟସ୍ତ ହୋଇପଡିଥିଲା ଅନନ୍ୟା। ନା ସେ ଆଉ ବେଶି ଭାବିବନି। ତାକୁ ନିଶ୍ଚିତ କିଛି ନିଷ୍ପତ୍ତି ନେବାକୁ ପଡ଼ିବ, ସେ ଚାହୁଁନି ସୁବ୍ରତ କୁ ବିବ୍ରତ କରାଇବାକୁ, ଅସୁବିଧାରେ ପକାଇବାକୁ।
ଭାରାକ୍ରାନ୍ତ ମନ ନେଇ ଘର ଭିତରକୁ ଉଠି ଆସୁଥିଲା ଅନନ୍ୟା ଠିକ୍ ସେତିକିବେଳେ ଫୋନ୍ ବାଜି ଉଠିଲା, ଫୋନ୍ ର ଡିସ୍ପ୍ଲେ ଉପରେ ସୁବ୍ରତର ନାଁ ଲେଖା ଥିଲା
ଫୋନ ଉଠାଇଲା ଅନନ୍ୟା ସେପଟରୁ ସୁବ୍ରତର କଣ୍ଠ ସ୍ଵର ଶୁଣାଗଲା ଭାରି ବ୍ୟସ୍ତ।
କଣ ହେଇଛି? ଫୋନ୍ ଟା କେତେବେଳୁ ରିଙ୍ଗ ହେଉଛି? ରିସିଭ୍ କରୁନ କାହିଁକି? ପଚାରିଲା ସୁବ୍ରତ
ଓହୋ! ତମକୁ ମୁଁ ସବୁ କଥାର କୈଫିୟତ୍ ଦେଇ ପାରିବିନି, ବିରକ୍ତ ପ୍ରକାଶ କରି କହିଲା ଅନନ୍ୟା
ପରକ୍ଷଣରେ ସୁବ୍ରତକୁ ନ ଦେଖିଲେ ବି ଅନନ୍ୟା ଅନୁଭବ କରିପାରୁଥିଲା ବେଦନାରେ ଭରି ଯାଇଥିଲା ତାର ମନ।ଅନନ୍ୟା ସହଜ ହୋଇ କଥା ହବାକୁ ଚେଷ୍ଟା କଲା କିନ୍ତୁ ଠିକ୍ କରିପାରୁନଥିଲା କଣ କହିବ ତାକୁ, ବାରମ୍ବାର ସୁବ୍ରତ ତାକୁ ପଚାରୁଥିଲା କଣ ହେଇଛି?।
ଅଚାନକ ଅନନ୍ୟା ପଚାରିଲା ;ଆଛା ମୁଁ ଯଦି କିଛିଦିନ ତୁମ ସହ କଥା ନହୁଏ, କଣ କରିବ?
ଏ ପ୍ରଶ୍ନରେ ଅବାକ୍ ହୋଇଥିଲା ସୁବ୍ରତ, କହିଥିଲା ଅଚାନକ କାହିଁକି ଏମିତି ପ୍ରଶ୍ନ? ପୁଣି କହିଥିଲା ଯାହା ମତେ କଷ୍ଟ ଦେବ ସେମିତି କଥା ଅନ୍ତତଃ ତମେ ପଚାରନି।
ଯନ୍ତ୍ରଣାରେ ଛଟପଟ ହେଉଥିଲା ଅନନ୍ୟା। କିଛି ସମୟ କଥା ହେଇ ରଖି ଦେଇଥିଲା ଫୋନ୍ ଓ ପୁଣି ଭାବିବାକୁ ଲାଗିଥିଲା କଣ କରିବ ସେ। କେମିତି ସେ ବୁଝେଇବ ସୁବ୍ରତକୁ ହୁଏତ ସେ ତା ପାଇଁ ଉପଯୁକ୍ତ ନୁହେଁ? ଆଜି ସୁବ୍ରତ ସିନା ତାକୁ ଗ୍ରହଣ କରିନେଇଛି, କାଲି ଯଦି ତା ପରିବାର ତାକୁ ଗ୍ରହଣ ନକରନ୍ତି ତେବେ ଏକାବେଳେ ସେ ଭାଙ୍ଗି ପଡ଼ିବ। କାହାକୁ କହିବ ମରମ ବେଦନା? ତିଳ ତିଳ ହୋଇ ଜଳିବା ଖାଲି ସାର ହେବ।
ନିଜକୁ ବଡ଼ ଅସହାୟ, ନିରୁପାୟ ମନେ କଲା ଅନନ୍ୟା। ନୀରବ ଯନ୍ତ୍ରଣାରେ ମନ ତାର ଗୁମୁରି କାନ୍ଦୁଥିଲା। ଜୀବନଟା ତାକୁ ବୋଝ ପରି ଲାଗୁଥିଲା।
ରାତି ଦଶଟା ବାଜି ସାରିଲାଣି ତଥାପି ଭୋକ ନାହିଁ ତାକୁ, ବସିଛି ସେମିତି। ଚାରିଆଡ଼େ ଶୂନଶାନ, ନୀରବ ରାତିର ବୁକୁ ଚିରି ବାହାରେ କୁକୁର ଯୋଡ଼ିଏ ଆର୍ତ୍ତନାଦ ଦେଉଥିଲେ, ସେ ଚିତ୍କାରରେ ଅନନ୍ୟା ନିଜ ମନ ତଳର ଚିତ୍କାର କୁ ଯେମିତି ଅନୁଭବ କରିପାରୁଥିଲା, ଆଉ ବ୍ୟର୍ଥ ମନୋରଥ ନେଇ ଆସନ୍ତା ଦିନର ସମ୍ଭାବନାକୁ କଳ୍ପନା କରୁଥିଲା।