STORYMIRROR

Manasi Tripathy

Others

2  

Manasi Tripathy

Others

ରୋମନ୍ଥନ

ରୋମନ୍ଥନ

2 mins
15.3K


ପ୍ରତି ମୁହୂର୍ତ୍ତରେ ବିଚଳିତ କରିପକାଏ ମତେ ତୁମ ସାନିଧ୍ୟର ସ୍ମୃତି ସବୁ l ଭାବନାର ସେଇ ସମୟ ଗୁଡ଼ାକରେ ଇଚ୍ଛା ହୁଏ ତୁମକୁ ଅତି ନିକଟରେ ପାଇବାକୁ, ତୁମ ସହ ଏମିତି ଘଣ୍ଟା ଘଣ୍ଟା ବିତାଇବାକୁ l ଯେତେବେଳେ ପ୍ରକୃତିସ୍ଥ ହୁଏ ସତରେ ଭାରି କଷ୍ଟ ହୁଏ ହୃଦୟକୁ l ଏ ଏକ ଅବାନ୍ତର, ଅପୂରଣୀୟ ଆଶା ଭାବି ଭାରାକ୍ରାନ୍ତ ହୋଇପଡେ ମନ, ନିରାଶରେ ଭରିଯାଏ ଅନ୍ତର, କୋହ ଉଠେ ହୃଦୟରୁ ପୁଣି ମନେ ପଡିଯାଏ ମୁଁ ନିଜେ ବରି ନେଇଛି ଏ ମରୀଚିକା, ଚିର ଅମେଣ୍ଟା ତୃଷା ତେବେ ଏତେ ବିଚଳିତ କାହିଁକି? ତଥାପି ମନ ବୁଝେନା, ବିନ୍ଦୁ ବିନ୍ଦୁ ଲୁହ ଟୋପା ଗୁଡ଼ାକ ଭିଜାଇ ଦିଏ ଆଖି, ପର ମୁହୂର୍ତ୍ତରେ ତାକୁ ପୋଛିପକାଏ ଶୀଘ୍ର ଶୀଘ୍ର କାଳେ କିଏ ଦେଖିନବ l କେବଳ କ୍ଷଣେ ମାତ୍ର ଆନନ୍ଦ ମିଳେ ଯେତେବେଳେ ତମ ସ୍ପର୍ଶକୁ ଅନୁଭବ କରେ ଆଉ ଅପୂର୍ବ ଶିହରଣରେ ଫୁଲି ଉଠେ ମୋ ଶରୀରଟା, ଇଛା ହୁଏନି ଭାବନାରୁ ମୁକ୍ତ ହେବାକୁ l ହେଲେ କେତେଦିନର ବା ଏ ନାମହୀନ ସମ୍ପର୍କ l ଅଛପା ନଥିଲା ତୁମେ ନିଶ୍ଚିତ ଆଉ ଜଣଙ୍କର ହେବ, ଅନ୍ୟ କାହାର ଅଧିକାର ହେବ ତୁମ ଉପରେ ତଥାପି କାହିଁକି? କାହିଁକି ମୁଁ ଅନ୍ଧ ହୋଇପଡିଲି, ନିଜକୁ ଅଟକାଇ ପାରିଲିନି, ସବୁ ଜାଣି ଶୁଣି ମଧ୍ୟ ତୁମ ଆଗରେ ଉନ୍ମୋଚନ କରିଦେଲି ମୋ ମନର ଅକୁହା କଥା, ମନ ତଳର ଆବେଗ, ତୁମ ପ୍ରତି ମୋ ପ୍ରେମ, ଆସକ୍ତି l ଆଉ କିଛିଦିନ ଯଦି ଚାପି ନେଇଥାନ୍ତି ମନରେ ବେଶ୍ ଭଲ ହୋଇଥାନ୍ତା l ତୁମର ସେଇ ପ୍ରଥମ ସ୍ପର୍ଶ ରେ ମୁଁ ମୋର ସବୁ ନିୟନ୍ତ୍ରଣ ହରାଇ ଦୀର୍ଘଦିନର ମନ କଥାକୁ ଖୋଲି କହିଦେଲି ତୁମ ଆଗରେ, ପ୍ରତି ବଦଳରେ ଗଢିଲି ଏ ଅନାମ ସମ୍ପର୍କ l କହିପାରିବ ମତେ କଣ ଦେବି ଆମ ଏ ସମ୍ପର୍କର ନାଁ ;ବନ୍ଧୁତା, ପ୍ରେମ ନା ଆଉ କିଛି? ମୁଁ ଜାଣେ ତୁମେ କିଛି କହି ପାରିବନି ମୁଁ ବି ଦେଇପାରିବିନି I ଏ କଥା ବି ମୁଁ ଜାଣେ ଯଦିଓ ମୁଁ ତୁମକୁ ପ୍ରେମ କରେ ଆଉ ତୁମେ ପ୍ରେମ ନକରିଲେ ବି ମୋ ପ୍ରତି ଆକର୍ଷିତ ପୁଣି ବିବାହ କରିବ ଅନ୍ୟ ଜଣଙ୍କୁ l ଅବଶ୍ୟ ଏହା ବି ସତ ତୁମେ ମତେ ଗ୍ରହଣ କରିବାକୁ କେବେ ବି ଅରାଜି ନଥିଲ କିନ୍ତୁ ପରିବାରର ସମର୍ଥନରେ ଯାହା ମୋ ପାଇଁ ଅସମ୍ଭବ ଆଉ ଯାହା ସମ୍ଭବ ତାକୁ ତୁମେ କରିବ ନା ମୁଁ ପାରିବି l ଡେଣା କାଟି ପଞ୍ଜୁରିରୁ ଛାଡ଼ି ଦିଆଯାଇଥିବା ମୁକ୍ତ ଚଢ଼େଇ ମୁଁ l ପଞ୍ଜୁରି ରେ ରହିପାରୁନି କି ଉଡ଼ି ବି ଯାଇ ପାରୁନି l ପ୍ରତି କ୍ଷଣ ତୁମ ସ୍ମୃତି ଦହନ କରିଚାଲିଛି ମତେ l ଇଛା ହୁଏ ବେଳେବେଳେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମୁଁ ଉପଭୋଗ କରନ୍ତି ତୁମ ସହ, ସ୍ଵପ୍ନ ଦେଖି କଳ୍ପନାର ରଙ୍ଗରେ ଘୁରି ବୁଲନ୍ତି l କିଛିଦିନ ତୁମ ଉପରେ ନିଜ ଅଧିକାର ଜାହିର କରିପାରନ୍ତି l ଜାଣେ ଏସବୁ ସମ୍ଭବ ନୁହେଁ ତଥାପି ମନ ଚାହେଁ କରିବାକୁ l ଯେତେ ଦୂର ଦୃଷ୍ଟି ଯାଏ ଯେତେବେଳେ ପଲକ ପଡ଼େ ତୁମ ମୁହଁ ଭାସି ଉଠେ l ସାରା ଜୀବନ ଏମିତି ମତେ ଛଟପଟ ହେବାକୁ ହେବ ଜ୍ଵଳନରେ l ତୁମକୁ ଯେ ମୁଁ ଭଲ ପାଇଛି ତାର ମୂଲ୍ୟ ଏ ନିଶ୍ଚୟ l ଭାରି ଇଚ୍ଛା ହୁଏ କାନ୍ଦିବାକୁ ହେଲେ କାନ୍ଦିପାରେନି, ଆଖି ଲୁହକୁ ହୃଦୟର କୋହ ଚାପି ନିଏ କାରଣ ତୁମକୁ ଜଣେଇବିନି କେବେ ମୁଁ ଦୁଃଖରେ ଅଛି l ତୁମଠାରୁ ଦୁରେଇ ଯିବାର କଷ୍ଟ ମୁଁ ସହିପାରିବି ନି l ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିବି ତଥାପି ତୁମ ଆଗରେ ମୁଁ ବହୁତ ଖୁସି ତୁମର ପ୍ରତ୍ୟେକ ନିଷ୍ପତ୍ତି ରେ ତୁମ ସାଥିରେ ରହିବି l କେବଳ ଇଶ୍ଵରଙ୍କୁ ମୋର ପ୍ରାର୍ଥନା ଚଲା ପଥ ତୁମ କୁସୁମିତ ହେଉ, ଭବିଷ୍ୟତ ଦାମ୍ପତ୍ୟ ମଧୁମୟ ହେଉ l ତେଣିକି ମୁଁ ଏମିତି ହିଁ ବଞ୍ଚିଯିବି ସ୍ମୃତି ତୁମ ରୋମନ୍ଥନ କରି l


Rate this content
Log in