Manasi Tripathy

Inspirational

2  

Manasi Tripathy

Inspirational

ଭିନ୍ନ ଏକ ସାକ୍ଷାତ

ଭିନ୍ନ ଏକ ସାକ୍ଷାତ

4 mins
7.6K


ଶରତ ସନ୍ଧ୍ୟାର ନିର୍ମଳ ଆକାଶ l ଅକାଶରେ ଅସଂଖ୍ୟ ତlରକା ପନ୍ତି ଜହ୍ନକୁ ବେଢ଼ି ରହିଛନ୍ତି, ପୂର୍ଣ୍ଣମୀ ଜହ୍ନର ରୂପେଲି ଜୋଛନା ରେ ଧରଣୀ ରାଣୀ ଧୌତ ହେଉଛି I ଲାଗୁଛି ତାରା ଫୁଲର ମାଳା ନେଇ ବିଧୁ ଅବନୀ କୁ ଆସିଛି ସତେକି ବିଭାବରୀ ଗଳାରେ ତାକୁ ଲମ୍ବାଇ ଦବାକୁ l ମନ୍ଦ ମନ୍ଦ ପବନରେ ବହି ଆସୁଛି ପାଖ ବଗିଚାରୁ ନାନା ଜାତି ଫୁଲର ବାସ୍ନା l ପୁଣି ଘର ପାଖ ବିଲ ପଠା ରୁ କାଶତଣ୍ଡୀ ର ଧୋବ ଫରଫର ରୂପ ଝଟକି ଉଠୁଛି ତୋଫା ଜହ୍ନ ଆଲୁଅ ରେ l ଜହ୍ନି ଫୁଲ ଗୁଡ଼ାକ ଫୁଟି ସମଗ୍ର ବାଡ଼ ଟା ସୁନେଲି ରଙ୍ଗ ଧାରଣ କରିଛି l ପ୍ରକୃତିର ଏମିତି ମନୋହର ରୂପକୁ ଦେଖି ମୁଁ ପ୍ରାୟ ସମୟ ବିଭୋର ହୋଇପଡେ, ନିମଗ୍ନ ହୋଇଯାଏ ଅସଂଖ୍ୟ କଳ୍ପନାରେ l ଅନ୍ୟ ଦିନ ମାନଙ୍କରେ ଏପରି ଏକ ପରିବେଶରେ କାଗଜ କଲମ ନେଇ ବସିପଡ଼େ, ହୃଦୟର ତନ୍ତ୍ରୀ କେଉଁ ଅଜଣା ପୁଲକରେ ଥରିଉଠେ l ସେଦିନ କିନ୍ତୁ ଘଟିଥିଲା ବ୍ୟତିକ୍ରମ, ମନ ଚଞ୍ଚଳ ହୋଇ ଉଠୁଥିଲା, ପାଦ ଅସ୍ଥିର ହେଉଥିଲା l ଜୀବନରେ କିଛି କରିବାର ଅଦମ୍ୟ କୌତୁହଳ ଜାତ ହେଇଥିଲା ମୋ ଭିତରେ l ତେବେ ସେଥିପାଇଁ ସବୁ ଶ୍ରେୟ ଯାଉଥିଲା ସେଇ ଏକ ସକ୍ଷାତ ପାଇଁ l ତା ପରଠାରୁ ଦେଖା ଦେଇଚି ମୋ ଭିତରେ ଘୋର ପରିବର୍ତ୍ତନ l

ସେଦିନ ଥିଲା କୁମାର ପୂର୍ଣ୍ଣିମା l ପୂର୍ଣ୍ଣମୀ ପୁର୍ବ ଦିନ କଥା ସାରା ଜୀବନ ମୋର ସ୍ମୃତି ହେଇ ରହିବ l ପୂର୍ଣ୍ଣମୀ ନିମନ୍ତେ ନୂଆ ପୋଷାକ କିଣିବାକୁ ମାର୍କେଟ ବାହାରିଥାଏ, ଟାଉନ୍ ବସ୍ ରେ ଯିବାକୁ ହେବ l ଦିନ ତିନିଟା ବେଳକୁ ବାହାରି ପଡ଼ିଲି, ସାଥିରେ କେହି ନଥିବାରୁ ବାଧ୍ୟ ହୋଇ ଏକl ଗଲି l ବସ୍ ର ଗୋଟିଏ ଝରକା ପାଖ ସିଟ୍ ରେ ବସିଥାଏ ଆଉ ନାନା ଭାବନାରେ ବାହ୍ୟ ଜଗତରୁ ଦୁରେଇ କଳ୍ପ ଲୋକରେ ହଜି ଯାଇଥାଏ l

ଏଠି କେହି ଅଛନ୍ତି କି, ପଚାରୁଥିଲା ଝିଅଟିଏ l ସେ ଡାକରେ ହଠାତ୍ ଚେତା ପଶିଲା ମୋର l ପୁଣି ଥରେ ଝିଅଟି ପଚାରିଲା 'ଏଠି କେହି ଅଛନ୍ତି କି, ମୁଁ ବସି ପାରିବି ଏଠି'? ହଁ ହଁ ନିଶ୍ଚୟ.. କହି ମୋ ବ୍ୟାଗ୍ ଟି ବାହାର କରି ନେଲି l ସିଟ୍ ଖାଲି ଥିବା ସତ୍ତ୍ୱେ ଅନୁମତି ମାଗିବା ଦେଖି ଭାବିଲି ଝିଅଟି ନିଶ୍ଚିତ ଭାରି ଭଲ l ପଚାରିଲି କୁଆଡ଼େ ଯିବ? ଭାଇ ଭଉଣୀଙ୍କ ପାଇଁ ଡ୍ରେସ୍ କିଣିବାକୁ;କହିଲା ଝିଅଟି l ତାହାଲେ ଭାରି ବଢ଼ିଆ ମୁଁ ମଧ୍ୟ ମାର୍କେଟ ଯାଉଛି ଡ୍ରେସ୍ କିଣିବାକୁ, ଦୁହେଁ ସାଙ୍ଗ ହେଇ କିଣିବା l ହଠାତ୍ ଝିଅଟି କହିଲା ନା ନା ତମେ ବୋଧେ ମଲ୍ ରୁ କିଣିବ ମୁଁ ବାହାର ଦୋକାନରୁ କିଣିବି l ପଚାରିଲି ଆଛା ତମେ ଅନ୍ନପୂର୍ଣ୍ଣା ମାର୍କେଟ ଯିବତ ଠିକ୍ ଅଛି ମୁଁ ବି ସେଠିକୁ ଯିବି ତେଣୁ ତୁମ ସହ କିଣି ନେବି l ଆଛା ତମ ନାଁ କଣ?

ଦୀପାଳୀ l ଝିଅଟି ସଙ୍ଗେ ସଙ୍ଗେ ଉତ୍ତର ଦେଲା l

ଏତେ ପର୍ଯ୍ୟନ୍ତ ମୋର ନଜର ପଡ଼ି ନଥିଲା ତା ଡାହାଣ ହାତ ଉପରେ l ଯେତେବେଳେ ଦେଖିଲି ଆଶ୍ଚର୍ଯ୍ୟ ହେଲି ହାତଟି ବାହୁ ତଳକୁ ଆଉ ନାହିଁ l ଆଗରୁ ଏମିତି ବହୁ ଭିନ୍ନକ୍ଷମଙ୍କୁ ଦେଖିଛି କିନ୍ତୁ କାହାପ୍ରତି କେବେ କୌତୁହଳ ଜାତ ହେଇନି l କାହିଁକି କେଜାଣି ଦୀପାଳୀ ପ୍ରତି ମୋର କୌତୁହଳ ଜାତ ହେଲା, ତା ବିଷୟରେ ଜାଣିବାକୁ ଆଗ୍ରହ ହେଲା କିନ୍ତୁ କିଛି ପଚାରି ପାରୁନଥାଏ l ଅଳ୍ପ ସମୟର ଦେଖା, କେହି କାହାକୁ ଚିହ୍ନିନୁ, କଣ ବୋଲି ପଚାରିବି?

ସବୁ ଦ୍ବନ୍ଦ୍ବର ଅନ୍ତ କରି ସେ ନିଜେ କହିଲା କଣ ଭାବୁଚ ମୋର ଏ ଖଣ୍ଡିଆ ହାତ କଥା ନା? ହଁ ହଁ ନାଇଁ ମାନେ ମୁଁ..... ଅଗତ୍ୟା କହିବାକୁ ହେଲା ପ୍ରକୃତରେ ମୁଁ ସେୟା ହିଁ ଭାବୁଥିଲି l ଲକ୍ଷ୍ୟ କଲି କୌଣସି ଭାବାନ୍ତର ଦେଖା ଗଲାନି ତା ମୁହଁରେ l କହିଲା ଛୋଟ ବେଳେ ଏକ ଦୁର୍ଘଟଣାରେ ଶିକାର ହୋଇ ହାତଟି କଟି ଯାଇଛି l ସବୁ କାମ ବାଁ ହାତରେ ହୁଏ l ଭାବିଲି ବାଁ ହାତରେ ସବୁ କାମ କରିବା କେତେ କଷ୍ଟ l ଇତିମଧ୍ୟରେ ଆମେ ପରସ୍ପର ଟିକେ ନିକଟ ହେଇ ସାରିଥାଉ l ପ୍ରାୟ ଅଧଘଣ୍ଟା ରେ ଆମେ ଆମ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଗଲୁ l କିଣା କିଣି ସାରିବା ବେଳକୁ ପାଞ୍ଚଟା ହେଲାଣି l ପୁଣି ସାଙ୍ଗ ହୋଇ ଗୋଟିଏ ବସ୍ ରେ ଫେରିଲୁ l ଫେରିବା ବେଳେ ତାକୁ ତା କଥା ପଚାରିବି ଭାବୁଥିଲି ପରନ୍ତୁ କଣ କହିବି କିଛି ଠିକ୍ କରିପାରୁ ନଥିଲି l

ଅଚାନକ ସେ ଆପେ କହିବାକୁ ଲଗିଲା ;ଗୋଟିଏ ଦୁର୍ଘଟଣାରେ ସେ ତା ବାପା କୁ ଓ ତା ହାତଟିକୁ ହରାଇଛି l ତା ପରଠାରୁ ମା ତାର ଘର ସମ୍ଭାଳିଛନ୍ତି l ମୂଲ ଲାଗି ବଡ଼ କଷ୍ଟରେ ତାକୁ ପାଠ ପଢ଼େଇଛନ୍ତି l ସେ ମଧ୍ୟ ପଢ଼ାରେ କେବେ ତ୍ରୁଟି କରିନି, ପରିଶ୍ରମ କରି ପାଠ ପଢ଼ିଛି ଆଉ ପ୍ରତ୍ୟେକରେ ପ୍ରଥମ ହେଇଛି ଖାଲି ସେତିକି ନୁହଁ ତାକୁ ଚିତ୍ର ବି ଆଙ୍କି ଆସେ l ଅର୍ଥାଭାବରୁ ଗ୍ରାଜୁଏସନ ପରେ ଅଧିକ ପଢି ପାରିନି l ଘରର ଅବସ୍ଥା ସୁଧାରିବା ପାଇଁ ରୋଜଗାର ଦରକାର l ଇଶ୍ୱରଙ୍କ କୃପାରୁ ଗୋଟିଏ ପ୍ରାଇଭେଟ୍ ସ୍କୁଲ୍ ରେ ଚାକିରି ଖଣ୍ଡେ ପାଇଛି, ଘରେ ଟିଉସନ୍ ବି କରୁଛି l ଦୁଇଟା ଯାକ ମିଶି ମାସକୁ ପାଞ୍ଚ ହଜାର ଟଙ୍କା ହେଇଯାଉଛି l ସେଥିରେ ଭାଇ ଭଉଣୀଙ୍କ ପଢ଼ା ଖର୍ଚ୍ଚ ଆଉ ତା ନିଜ ଖର୍ଚ୍ଚ ଚଳି ଯାଉଛି, କିନ୍ତୁ ଲକ୍ଷ୍ୟ ତାର l. A. S ହବ, ସେଥିପାଇଁ ପରିଶ୍ରମ ବି କରୁଛି l ଏତକ କହିସାରି କହିଲା କାହିଁକି କେଜାଣି ତମ ଉପରେ ବିଶ୍ଵାସ କରିବାକୁ ଇଛା ହେଲା ତେଣୁ ସବୁ କହିଲି ତେବେ ଗୋଟିଏ ଛୋଟ କଥା, ଜୀବନରେ ଯେତେ ବାଧା ବିଘ୍ନ ଆସୁ ହସିବା ବନ୍ଦ କରିବନି ଦେଖିବ ସବୁ ସମସ୍ୟା ସମାଧାନ ହେଇଯିବ l

ଇତ୍ୟବସରରେ ଦୀପାଳୀର ଷ୍ଟପେଜ ଆସିସାରିଥିଲା, ସେ ତର ତର ହୋଇ ଓହ୍ଲାଇ ଗଲା l ତା ପରଠାରୁ ଘରକୁ ଫେରି ମୋ ଭିତରେ ଦେଖା ଦେଲା ବିରାଟ ପରିବର୍ତ୍ତନ l କଳ୍ପନାର ସୁତା ଖିଅ ସବୁ ଅଡ଼ୁଆ ହେଇ ଯାଇଥିଲା l ଭାବନା ରାଜ୍ୟରେ ଘୁରି ବୁଲୁଥିଲା ଗୋଟିଏ କଥା l ତାର ହାତ ଟିଏ ନଥାଇ ସେ ଏତେ ସବୁ କରି ପାରୁଛି ମୁଁ ସମ୍ପୂର୍ଣ୍ଣ ସକ୍ଷମ ଥାଇ କାହିଁକି ପରିଶ୍ରମ କରିପାରିବିନି? ମନରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହେଲା l ଦୀପାଳୀର ସେଇ କେତେପଦ ଜୀବନର ମନ୍ତ୍ର - ଯେତେ ବାଧା ଆସୁ ହସିବା ବନ୍ଦ କରିବନି ମତେ ଆଛନ୍ନ କରି ରଖିଥିଲା l ରାତିସାରା ତାରି କଥା ଭାବୁଥିଲି ପ୍ରକୃତରେ ସେ ଭାରି ସାହସୀ, ଦୃଢ଼ ଇଛାଶକ୍ତି ରହିଛି ତା ଭିତରେ l ବୋଉ କୁହେ ଦୃଢ଼ ସଂକଳ୍ପ ଆଗରେ ସବୁ ବାଧା ବିଘ୍ନ ହାର ମାନେ l ତାର ମଙ୍ଗଳ କାମନା କରି ଇଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡି ଶୋଇବାକୁ ଚେଷ୍ଟା କଲି l

ତା ପରଦିନ ପୂର୍ଣ୍ଣମୀ l ଚାରିଆଡ଼େ ପୂର୍ଣ୍ଣମୀ ଜହ୍ନର କାଉଁରୀ ଲାଗିଥିଲା କିନ୍ତୁ ମୋ ମନ ଥିଲା ଅସ୍ଥିର l ଦୀପାଳୀ ସହ ଭେଟ ହବା ପରଠାରୁ ମୁଁ ଯେମିତି ଭିନ୍ନ ଏକ ମଣିଷ ପାଲଟି ଯାଇ ଥିଲି l କଳ୍ପନାକୁ ପରିହାର କରି ବାସ୍ତବତାକୁ ଅନୁଭବ କରୁଥିଲି l ଜୀବନରେ କିଛି ବଡ଼ କାମ କରିବି ଓ ସଫଳ ହେବି ବୋଲି ଦୃଢ଼ ପ୍ରତିଶ୍ରୁତି ମଧ୍ୟ ନେଇଥିଲି......


Rate this content
Log in

Similar oriya story from Inspirational