॥ ଅବଜ୍ଞୋପହତ ॥
॥ ଅବଜ୍ଞୋପହତ ॥
ତ୍ୟଜିବାକୁ ନୁହଁ ତେଜିବାକୁ ବହ୍ନି ପ୍ରଳୟ ବିପ୍ଲବଧାରା।
ଠିଆ ଆଜି ମୁହିଁ ପର୍ଯ୍ୟାସ ଅର୍ଥେ ଅବଞ୍ଚା ହେୟ ହରା॥
ପୁଞ୍ଜିପତି କୂଟନୀତି କାର୍ସାଜିଆ ଉଦଣ୍ଡ ଚକ୍ରବର୍ତ୍ତୀ ।
ତା’ପାଇଁ କେବେ ବୁର୍ଜ୍ଜୁଆ କେବେ ମଜ୍ଦୂର ଅଇଁଣ୍ଠା କୁତ୍ତି॥
ପିଠି ମୋର ବିଣ୍ଡି ଆଦିମ କାଳରୁ ବାହା ପ୍ରସାରୀ ମୁଁ ଠିଆ ।
ଖରାରେ ତାତେନା ମୋ ଆଣ୍ଟ ଚମଡ଼ା ଶୀତରେ ଥରେନା ହିଆ॥
ରକତ ବର୍ଷାରେ ଭିଜିଅଛି କେତେ ପଲାସୀ ପାନିପଥ ।
ରାଷ୍ଟ୍ରକୁ ମୋର ବାଟେଇ ଦେବାକୁ ଯୁଗେ ଯୁଗେ ବସନ୍ତ॥
ଗାନ୍ଧୀ ସାଥେ ବାଟ ଅହିଂସା ଚାଲିଛି ନେତାଜୀର ଦିଲ୍ଲୀ ଚଲୋ।
କେବେ ନେଲ୍ସନ୍, ମାର୍ଟିନ୍ , ସେତୁଙ୍ଗ୍ ଚେ ଲେନିନ୍ କାର୍ଲ୍॥
ବିବର୍ତ୍ତନରେ କେବେ ବଦଳିନି ମନ ବଦଳିନି ବେଶଭୂଷା।
ଅସ୍ଥି ରକ୍ତ ଚର୍ମ ଉଷ୍ମ ରଖିଛି ହୋଇ ସଦା ଲୋକହସା॥
ବାରାକ୍ପୁର ଚମ୍ପାରଣ ଇରମ୍ ଲାଲଦୁର୍ଗ କଳାପାଣି ।
ସ୍ୱେଦରେ ପୋଛାଇ ଲହୁରେ ଲେଖିଛି ମୋର ଆତ୍ମଜୀବନୀ॥
ଚଉରା ଚଉରୀ ଦାଣ୍ଡୀ ଝାନ୍ସୀ ମୁମ୍ବାଇ ଆଉ କାକୋରୀ ।
ଜାଲିୱାନାୱାଲାବାଗରେ ଛାତେଇ ଫିରିଙ୍ଗୀ ସେନାର ଗୁଳି॥
୧୬୮୫ରେ ଗ୍ରେଟ୍ ବ୍ରିଟେନ୍ ୧୭୭୪ ଆମେରିକାରେ ନିଆଁ
୧୭୯୧ରେ ହାଇତି ୧୮୫୧ ତାଇପିଙ୍ଗ ୧୯୧୭ରେ ଋଷିଆ॥
ଯୁଗ ବଦଳିଛି ବଦଳାଇଅଛି ମୁଁ ଲେଖିଅଛି ଇତିହାସ।
ଅତୀତରୁ ଯାତ୍ରା ବର୍ତ୍ତମାନେ ଠିଆ ଲମ୍ପିବାକୁ ଭବିଷ୍ୟ॥
-ପ୍ରଭୂ
ଜ୍ଞାତାର୍ଥ
ଅବଜ୍ଞୋପହତ – ଘୃଣା ସହକାରେ ବ୍ୟବହୃତ, ଅବମାନିତ
ପର୍ଯ୍ୟାସ – ପରିବର୍ତ୍ତନ, ବିନାଶ, ପତନ