ଏକାନ୍ତ ଏକାକୀ
ଏକାନ୍ତ ଏକାକୀ
ରୋମାଣ୍ଟିକ କବି ମାୟାଧର ମାନସିଂହ
ନିଖିଳ ସଂସାର ମଧ୍ୟେ, କୁଟୁମ୍ବ ସଙ୍ଗତେ
ଏକାନ୍ତ ଏକାକୀ ମୁହିଁ, ସଙ୍ଗୀହୀନ ପ୍ରାଣୀ ;
କାହାର ପରମ ସଖ୍ୟ ଖୋଜେ ଅନ୍ତର୍ଗତେ,
ଚିର ବିରହିତ ମୁହିଁ କେମନ୍ତେ କେଜାଣି ।।
ମନେହୁଏ କାହାରେ ମୁଁ ଖୋଜୁଛି ଅନ୍ତରେ
ବହୁ ଜନ୍ମେ, ବହୁ ଲୋକେ ଅନାଦି କାଳରୁ,
ଉତ୍କଣ୍ଠେ ଧାଇଁଛି ତେଣୁ ସହସ୍ର ସଖ୍ୟରେ, -
କେ କିନ୍ତୁ ଶ୍ୟାମଳ ନାହିଁ କଲା ଚିତ୍ତ-ମରୁ ।।
ହେ ଅଜ୍ଞାତ ସଖା ମମ, ଅଛ ତମେ କାହିଁ ?
ଦିଅ ମୋରେ ତବ ସ୍ପର୍ଶ, ପ୍ରଣୟ କୋମଳ,
କ୍ଲାନ୍ତ ମୁଁ, ସଂଧାନେ ମୋର ଆଉ ଶକ୍ତି ନାହିଁ -
ତୁମକୁ ନ ପାଇ କିନ୍ତୁ ଜୀବନ ବିଫଲବ ।।
ବେଣୁର ସଂକେତ ଦିଅ - ସକଳ ତିଆଗି
ଭ୍ରମିବି ପୁଣି ମୁଁ ବିଶ୍ୱ, ଶୁଭ-ଦୃଷ୍ଟି ଲାଗି ।।
ସମାପ୍ତ