ତୃପ୍ତ ହେଉ ଦଗ୍ଧ ପ୍ରାଣ
ତୃପ୍ତ ହେଉ ଦଗ୍ଧ ପ୍ରାଣ
ତେଜି ମାନ ଅଭିମାନ
ବକ୍ଷେ ଲୋଟିଯାଅ ପ୍ରିୟା
ତୃପ୍ତ ହେଉ ଦଗ୍ଧ ପ୍ରାଣ ।
ରଙ୍ଗଭରା ଯଉବନ
ଖୋଜେ ଖାଲି ତୁମ ଛୁଆଁ
ପୀରତିରେ ଭିଜି ମନ ।
ବୟସର ପଦଚିହ୍ନ
ଏ କି ଭାବାବେଗ ନୂଆ
ଖେଳିଯାଏ ଶିହରଣ ।
ଆଖିତଳେ ତୁମ ସ୍ୱପ୍ନ
ଜାଳିଦିଏ ହୃଦେ ନିଆଁ
ଝୁରୁଅଛି ରାତିଦିନ ।
କୋକିଳର କୁହୁ ତାନ
ମନେ ତୋଳେ ଛନ୍ଦ କିଆଁ
ପ୍ରୀତି ସୁଧା କରି ପାନ ।
ଆକାଶରେ ଦେଖି ଜହ୍ନ
ତୁମ ସ୍ମୃତି ଛିଟା ଆହା
ନୀରବତା କରେ ଭଗ୍ନ ।
ପକାଉଛି ପ୍ରିୟା ରାଣ
ଜୀବନର ସ୍ୱାଦ ଯାହା
ଭରିଦିଅ ପ୍ରତିଦାନ ।

