ଯନ୍ତ୍ରଣା ର ସମାଧି
ଯନ୍ତ୍ରଣା ର ସମାଧି
କଥାରେ ଅଛି କାଳଚକ୍ର ଘୂରୁଛି। ତେଣୁ ଇତିହାସର ଅନ୍ୟ ନାମ ପୁନରାବୃତ୍ତି। ଭାରତ ବିଭାଜନ ସମୟରେ ଯେପରି ହୃଦୟଫଟା ଦୃଶ୍ୟ ଦେଖାଯାଇଥିଲା ଆଜି ଠିକ୍ ସେଇୟା ହିଁ ଘଟୁଛି । ହଜାର ହଜାର ଲୋକଙ୍କ ଲମ୍ବା ଧାଡ଼ି ଚାଲିଛି ଏକ ଅନିଶ୍ଚିତ ଭବିଷ୍ୟତ ଦିଗରେ। ଦିନ ଦିନ ଅଖିଆ ଅପିଆ ସର୍ବସ୍ବ ହରାଇ,ଚାଲିଛନ୍ତି ଯେ ଚାଲିଛନ୍ତି..। ସେତେବେଳେ ସେମାନଙ୍କୁ କୁହାଯାଉଥିଲା ସରଣାର୍ଥୀ ଏବେ କୁହାଯାଉଛି ପ୍ରବାସୀ । ଚିତ୍ର କିନ୍ତୁ ସମାନ ଆଉ ଖୁବ୍ ଦାରୁଣ। ପଦଯାତ୍ରୀ ଦଳରେ ସାମିଲ ଥିଲେ କନକ, ମକରା ଓ ଦଶ ମାସର ପୁଅ ଅଖି ....।
ଘଇତା ମାଇପ ଓ ଛଅ ବର୍ଷର ପୁଅ ସତୁ ଭିଟାମାଟି ଛାଡ଼ି କାମ କରିବାକୁ ଯାଇଥିଲେ କେରଳ, ପାଞ୍ଚବର୍ଷ ତଳେ। ଖାଲି କ'ଣ ସେମାନେ ଆହୁରି କୋଡ଼ିଏ ପଚିଶ ଜଣ ଗାଁ ଛାଡି ଥିଲେ ସେଇ ସମୟରେ । କେତେ ବନ୍ୟା କେତେ ବାତ୍ୟା ଯାଇଛି ହେଲେ ତାଙ୍କ ମେରୁଦଣ୍ଡ ଭାଙ୍ଗି ପାରି ନଥିଲା। ସେମାନେ ଖଟିଖିଆ ଲୋକ, କାମ କଲେ ଦାନା ମିଳିଲା । ଦୁଃଖ ସହ ତାଙ୍କ ନିତି ଉଠା ବସା । ଏଇତ ଗତ କେରଳ ର କରାଳ ବନ୍ୟାରେ କନକ ସତୁ କୁ ହରାଇଥିଲା। ଛାତିକୁ ପଥର କରି ପୁଣି ହାଡ଼ଭଙ୍ଗା ପରିଶ୍ରମ କରି ଥିଲେ ଘଇତା ମାଇପ ଏକ ନୂତନ ସ୍ୱପ୍ନ ନେଇ । କୋଳକୁ ଆସିଲା ଆଉ ଗୋଟେ ପୁଅ ଅଖି। ବଞ୍ଚିବାର ନିଶା ଆହୁରି ବଢିଲା।
କୋଉଠୁ ଆସିଲା କେଜାଣି ୟେ ବଉଁଶବୁଡା ମହାମାରୀ ରୋଗ ସବୁ ନାରଖାର କରିଦେଲା। ସବୁ ଘରେ ପଶିଲେ ହାତଗୋଡ ବାନ୍ଧି। ଖଟିଖିଆ ର ହାତଗୋଡ ବନ୍ଦ ହେଲେ ସେ କ'ଣ ବଞ୍ଚି ପାରିବ? ମାସ ମାସ ଧରି ବିନା କାମରେ ବିଦେଶ ରେ କିଏ ଯେ ପୋଷିବ ? ଭୋକ ଉପାସରେ ମରିଗଲେ ବି କିଏ ଦେଖିବେନି। କାମ ନାଇ ତ ଦାନା ନାଇଁ ଏଠି ପଡି ଲାଭ କଣ ? ସବୁ ବାହାରିଲେ ଭିଟାମାଟି। ହେଲେ ପୁଣି ଭାଳେଣି ପଡ଼ିଲା ଯେ, ସରକାର କାଳେ ନିୟମ କରିଛନ୍ତି ବାହାରୁ ଆସୁଥିବା ଲୋକମାନେ ଗାଁ ରେ କାଳେ ପଶି ପାରିବେନି, ଗଗନା କହୁଥିଲା । କି କି ଦିନ ନ ଦେଖିଲା ଏ ମଣିଷ ! କିଛି ନ ହେଲେ ବି ସେଠି ନିଜର ଘର ଖଣ୍ଡିଏ ତ ଅଛି। ଆପଣାର ଲୋକମାନେ ତ ଅଛନ୍ତି। ତା'ପରେ ଦିନ ରାତି ଏକାକାର କରି ସମସ୍ତେ ଚାଲିଛନ୍ତି ଯେ ଚାଲିଛନ୍ତି ଅସରନ୍ତି ରାସ୍ତା। ଖରାକୁ ଭୋକ ବିଚରା ପିଲାଟା କାଉଳୁବାଉଳୁ ହେଇ ଯାଉଥାଏ। ସବୁ ତ କାଷ୍ଟା ଓପାସ କିଏ କାହା କଥା ବୁଝିବ ? କନକର କ୍ଷୀର ବି ବାହାରିବ ବା କେମିତି? ପିଲାଟି ବିକଳରେ ତାର ଛାତିକୁ ଅଣ୍ଡାଳୁ ଥାଏ ବାର ବାର। ମୁଠାଏ ଚିନି ସମ୍ଭାଳି ରଖିଥିଲା ଗଣ୍ଠିଲିରେ ସେ, ସେଇତକ ପାଣିରେ ଗୋଳେଇ ଗୋଳେଇ ଦେଉଥାଏ । ହେଲେ ସେତକ କେତେଦିନ ଯିବ ଯେ ?ଆଜକୁ ଛଅ ଦିନ ହେଲା ଚାଲିଲେଣି।
ଅଷ୍ଟମ ଦିନରେ ଆସି ଛୁଇଁଲେ ଆମ ରାଇଜ ସୀମା। ସେଠି ଯା ହେଉ ଖାଇବା ବସିବାର ବ୍ୟବସ୍ଥା କରିଥିଲେ ସରକାର। ଏତେ ଦିନ ପରେ ଦାନା ଟିକେ ଦେଖିଲା ମଣିଷ। ଥକା ମାରି ସବୁ ବସିପଡିଲେ ସେଠି। ଖାଇବା ପରସା ହେଲା ଓଃ କି ଦୟନୀୟ ଦୃଶ୍ୟ ! ସବୁ ଛାମ୍ପି ପଡିଲେ ପତର ଉପରେ। ଅଖି କାନ୍ଦି ଉଠିଲା ରାହା ଧରି । କନକ ଆଉ ଉପାୟ ନ ପାଇ ଛାତି ରେ ତା'ର ମୁହଁ ଲଗାଇଲା କାଳେ ଦୁଇ ଟୋପା ଝରିପଡିବ। ହଠାତ୍ ଚିତ୍କାର କରି ଉଠିଲା କନକ,ଆଖି ପିଠିରେ ବସେଇ ଦେଲା ଜୋର୍ ରେ ଗୋଟେ ବିଧା। ଦଉଡି ଆସିଲେ ୨/୩ ଜଣ ମାଇପି। ଜଣେ କହିଲା ତୋତେ ଦିଇବ ଛାଡ଼ିଲାଣି କି? କଅଁଳା ଛୁଆ ଟାକୁ ମାରୁଛୁ। କନକ ବିରସ ମୁହଁ ରେ କହିଲା ନାଇଁ ଲୋ ନାନୀ ଭୋକ ବିକଳରେ ଯୋର୍ ରେ କାମୁଡି ଦେଲା, ବହୁତ କଷ୍ଟ ହେଲା ! ରତନୀ କହିଲା, "ହୋଇଲୋ ତୁ ତାକୁ ଏତେ ଜୋରରେ ମାଇଲୁ, ପିଲାଟା କାନ୍ଦିଲାନି ତ, ଦେଖିଲୁ "। ସତରେ ତ ! କନକ ପାଗଳ ପରି ଅଣ୍ଡାଳି ପକେଇଲା। ତାପରେ କନକର ହୋସ ନାହିଁ।
ଆଖି ଖୋଲି ଦେଖିଲା ଧୋବ ଫର ଫର ବିଛଣାରେ ଶୋଇଛି ପାଖରେ ଅଖି ନାହିଁ। ମୁଣ୍ଡ ଟା ଟିକେ ବୁଲେଇ ଦେଲା। ତାପରେ ତ ସେ ଯେମିତି ପୂରା ହାଲକା ହେଇ ଯାଇଛି। ଆକାଶ ରେ ଉଡୁଛି। ସେଠି ଖାଲି ଆନନ୍ଦ ହିଁ ଆନନ୍ଦ। ଖାଲି ତ ଦୌଡି ବୁଲିଲା ହସ୍ପିଟାଲ ରେ ୟେ ଖଟରୁ ସେ ଖଟ।ଏଇ କିଏ ଖୁସି ନେବ ଆସ.... ମୋ ପାଖରେ ମୁଠା ମୁଠା ଖୁସି ! ଆକାଶ ରେ ଉଡିବ.... ଆସ ମୋ ସାଙ୍ଗରେ..। ମକରାକୁ କୁଣ୍ଢେଇ ପକେଇ କହିଲା ଆଜିଠୁ ଆମେ ଦୁହେଁ ମୁକ୍ତ , ଆମକୁ ଭୋକ ଡରେଇ ପାରିବନି। ଆମେ ଦୁହେଁ ଖାଲି ଉଡିବା ଆକାଶରେ ବହୁତ ବହୁତ ଉଚ୍ଚରେ......। ମକରା ସ୍ଥାଣୁ ପରି ନିର୍ନିମେଷ ନୟନରେ ଚାହିଁ ଥାଏ ଆନନ୍ଦ ରାଇଜର ମୁକ୍ତ ଆକାଶରେ ନୂଆ ନୂଆ ଉଡି ଶିଖୁଥିବା ପକ୍ଷୀ ଶାବକଟିକୁ......।
