ଯୌତୁକ-ଏକ ବ୍ୟାଧି
ଯୌତୁକ-ଏକ ବ୍ୟାଧି


ଆଜି ଅପରାହ୍ନରେ ଏକ ପୁରୁଣା ମୋବାଇଲରୁ କିଛି ଫୋଟୋ ଦେଖୁଥିଲା ସୋନାଲି । ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରୁ ଟିକିଏ ଫୁରସତ ମିଳିଥିଲା ହୁଏତ ତାକୁ ଏମିତି କିଛି ପୁରୁଣା ସ୍ମୃତି ଗୋଟେଇବା ପାଇଁ ଆଜି । ସେ ମୋବାଇଲରୁ ଅନେକ ପୁରୁଣା ଫୋଟୋ ସବୁ ଦେଖୁଥାଏ । ମଝିରେ ମଝିରେ ଟିକିଏ ହସି ଦେଉଥାଏ । ହଠାତ କିଛି ଫୋଟୋ ଦେଖି ସେ କାନ୍ଦିବାକୁ ଲାଗିଲା । ସେ ଫୋଟୋ ଥିଲା ତା ବାହାଘର ବେଳର ଝିଅବିଦା ଫୋଟୋ । ସେଇ ଫୋଟୋରେ ସୋନାଲିର ବାପା,ମାଆ ଆଉ ଆତ୍ମୀୟ ମାନଙ୍କର ତାକୁ ଧରି କାନ୍ଦିବାର ଦୃଶ୍ୟ ସେ ଦେଖିଲା । ଓଃ ସତରେ କେଡେ ଦାରୁଣ ମୁହୂର୍ତ୍ତ ଥିଲା ତାହା । ଯେଉଁ ଝିଅକୁ ତା ବାପା ଆଉ ମାଆ ଅକ୍ଲାନ୍ତ ପରିଶ୍ରମ କରି ପାଠ ପଢ଼ାଇଲେ, ସଂସ୍କାର ଶିଖାଇଲେ,ଲାଳନପାଳନ କରି ନିଜ ଗୋଡ଼ରେ ନିଜେ ଠିଆ ହେବା ଶିଖାଇଲେ, ସେଇ ଝିଅକୁ ଅନ୍ୟ ହାତକୁ ଟେକିଦେଇ କେମିତି ସେମାନେ ଧର୍ଯ୍ୟ ଧରୁଥିବେ । କିଛି କ୍ଷଣ ପାଇଁ ସୋନାଲିର ମନେ ପଡ଼ିଗଲା ତା ବାହାଘର ବେଳର କଥା । ବାପା,ମାଆଙ୍କର ଅଲିଅଳି ଥିଲା ସେ । ବହୁତ ଗେଲହାରେ ବଢିଥିଲା । ଘରର ବଡ ଝିଅ ବୋଲି ବହୁତ ସ୍ନେହ,ଆଦର ପାଉଥିଲା । ସବୁ ବନ୍ଧୁବାନ୍ଧବଙ୍କର ଅତି ପ୍ରିୟ ଥିଲା ସୋନାଲି । ତାର ବାହାଘର ମଧ୍ୟ ଖୁବ ଧୁମଧାମରେ ,ଖୁବ ବଡ ଘରେ ସମ୍ପନ୍ନ ହେଲା । ସୋନାଲି ଯାହାକୁ ବାହାହେଲା ସେ ସାତ ଭାଇ । ସୋନାଲି ସମସ୍ତଙ୍କଠାରୁ ସାନ । ସବୁଠୁ ସାନ ବୋଲି ସୋନାଲି ମନେମନେ ଖୁବ ଖୁସି ଥିଲା । କାରଣ ସେ ଭାବିଥିଲା ସବୁଠୁ ସାନ ହେଲେ ଖୁବ ସ୍ନେହ,ଆଦର ପାଇବ । ସମସ୍ତେ ତାର ବହୁତ ଯତ୍ନ ନେବେ । ସେ ତାର ଝିଆରୀ,ପୁତୁରାଙ୍କ ସହିତ ମିଶି ଖେଳିବ । ଛଅ ଯାଆମାନେ ତାକୁ ନିଜର ଗୋଟେ ଛୋଟ ଝିଅ ଭାବି ସ୍ନେହ କରିବେ । କାରଣ ସେ ଜାଣିଥିଲା ଯେ, ତାର ଛଅ ଯାଆ ମାନେ ବୟସରେ ତାଠାରୁ ଖୁବ ବଡ । ଛଅ ଦେଢଶୁରମାନେ ମଧ୍ୟ ତାକୁ ଭାଇବୋହୁ ନୁହେଁ ବରଂ ନିଜର ଗୋଟେ ଛୋଟ ଝିଅ କି ଗୋଟେ ଛୋଟ ଭଉଣୀର ସ୍ନେହ ଦେବେ । ତାର ପ୍ରତ୍ୟେକଟି ଆବଶ୍ୟକତା ପୁରା କରିବେ, ତାକୁ ଚକୋଲେଟ ଆଉ ଆଇସକ୍ରିମ ଆଣିଦେବେ ଏବଂ ଜଣେ ବାପା ଆଉ ବଡ ଭାଇ ପରି ତାକୁ ସବୁ ବିପଦରୁ ରକ୍ଷା କରିବେ । ଶାଶୂ ରୂପେ ସେ ମାଆଟିଏ ପାଇବ । ଯାହାର ପଣତକାନିରେ ସେ ମୁହଁ ପୋଛିପାରିବ । ଥକିଗଲେ ମା...ମା... ଡାକି ସେ ଯାଇ ଯାହା କୋଳରେ ମୁହଁ ଗୁଞ୍ଜି ଶୋଇପଡିବ । କିଛି ଆବଶ୍ୟକତା ପାଇଁ ଅଳି କରିପାରିବ ଆଉ ତାର ଆବଶ୍ୟକତା ପୂରଣ ନହେଲେ ତଳେ ମାଟିରେ ବସିପଡି ଗୋଡ କଚାଡି କାନ୍ଦିବ । ଏମିତି ଅନେକ କିଛି ସ୍ବପ୍ନ ଦେଖିଥିଲା ସୋନାଲି । ବାହାଘର ସରି ସୋନାଲି ଶାଶୂଘରକୁ ଆସିଲା । ପ୍ରଥମ ତିନିଦିନ ତାର ସ୍ବପ୍ନ ଅନୁଯାୟୀ ସବୁ ଠିକ ଚାଲିଲା । ଖୁବ ସାରା ସ୍ନେହ ମିଳିଲା ତାକୁ । ଖୁବ ଆଦର ମଧ୍ୟ । ବାହାଘରର ଚତୁର୍ଥ ଦିନ । ସୋନାଲିଙ୍କ ଘରୁ ଚତୁର୍ଥୀ ଭାର ଆସିଲା । ଚତୁର୍ଥୀ ପିଣ୍ଡ ମଧ୍ୟ ସରିଲା । ଧୀରେ ଧୀରେ ସୋନାଲିକୁ ଅନୁଭବ ହେଲା ଯେ ଯେଉଁମାନେ ତାକୁ ତିନିଦିନ ଧରି ଏତେ ସ୍ନେହ ଶ୍ରଦ୍ଧା କରୁଥିଲେ ସେଇ ମାନଙ୍କର ମୁହଁ ଏତେ ମଳିନ କ'ଣପାଇଁ ? କାହାରି ମୁହଁରେ ହସ ନାହିଁ । ଯେମିତି ସବୁ ଗୁମସୁମ । ଭିତରେ ଭିତରେ କିଛି ଚର୍ଚ୍ଚା । ସୋନାଲିକୁ ଦେଖି ସବୁ ଚର୍ଚ୍ଚା ବନ୍ଦ ହେଇଯାଏ ପୁଣି ସୋନାଲିର ଅନୁପସ୍ଥିତିରେ ଚର୍ଚ୍ଚା ଚାଲେ । ସୋନାଲି ମନେମନେ ଖୁବ ଡରିଯାଇଥାଏ । ବେଳେବେଳେ ଏକୁଟିଆ କେଉଁ ଏକ କୋଣରେ ଲୁଚି ଅସରାଏ କାନ୍ଦିପକାଏ ମଧ୍ୟ । ଯାହା ବି ହେଉ ସେଦିନଟି କଟିଗଲା ଯେମିତି ସେମିତିରେ । ସ୍ୱାମୀଙ୍କ ସ୍ନେହରେ ସେ କିଛି ମୁହୂର୍ତ୍ତ ପାଇଁ ଅନ୍ୟ ସବୁକୁ ପାସୋରି ଦେଇଥିଲା । ଭାବିଥିଲା ସକାଳେ ସବୁ ଠିକ ହେଇଯିବ । ରାତି ପାହି ସକାଳ ହେଲା । ସୋନାଲି ସକାଳ ନିତ୍ୟକର୍ମ ସାରି ସମସ୍ତଙ୍କୁ ପ୍ରଣାମ କଲା । ହେଲେ ଏ କ'ଣ ? ସମସ୍ତେ ଏତେ ରୁକ୍ଷ କ'ଣ ପାଇଁ ? ସେ କ'ଣ ଭୁଲ କରିଦେଇଛି କି ? ଏମିତି ବହୁତ ପ୍ରଶ୍ନ ଭିଡରେ ସେ ଅଣନିଶ୍ୱାସୀ ହୋଇ ପଡୁଥିଲା । ଶେଷରେ ସେ ଜାଣିବାକୁ ପାଇଲା ଯେ ଯୌତୁକ ସମସ୍ୟା ତାର ସ୍ୱପ୍ନକୁ ଭାଙ୍ଗିବାରେ ଲାଗିଛି । କିଛି କ୍ଷଣ ପାଇଁ ସେ ଭାବିଲା ଯୌତୁକ ଭଳି ସାଧାରଣ ଜିନିଷ ସାମ୍ନାରେ ତାପରି ଏକ ବାସ୍ତବ ଚରିତ୍ର କ'ଣ ଏତେ ମୂଲ୍ୟହୀନ ? ତାର ପାଠପଢା, ତାର ସଂସାର, ତାର ନୀତି,ଆଦର୍ଶ କ'ଣ ସବୁ ମୂଲ୍ୟହୀନ ଏଇ ଯୌତୁକ ସାମ୍ନାରେ । ତା ବାପା,ମାଆଙ୍କର ତ୍ୟାଗ କଣ ଏତେ ଛୋଟ ଏଇ ଯୌତୁକ ସାମ୍ନାରେ ? ତା ଠାରୁ କଣ ଏତେ ମୂଲ୍ୟବାନ ଏଇ ଯୌତୁକ ? ତା ବାପା ନିଜର ଛାତିର କଲିଜାକୁ ଦାନ କଲାପରେ ବି , ତା ମାଆ ନିଜର ରକ୍ତ ,ମାଂସରେ ଗଢିଥିବା ସୁନ୍ଦର ପିତୁଳାକୁ ,ବର୍ଷ ବର୍ଷ ଧରି ସ୍ନେହ,ପ୍ରେମ ଦେଇ ପାଳିଥିବା ସୁନାକଣ୍ଢେଇକୁ ଶିକ୍ଷାଦିକ୍ଷା,ସଂସ୍କାର ସବୁକିଛି ଦେଇ ଶେଷରେ ଏମାନଙ୍କୁ ଦାନ କଲାପରେବି ଏମାନେ ନିଜ ଭିତରେ କଥା ହେଉଛନ୍ତି ଯେ ତା ବାପା,ମାଆ କ'ଣ ଦେଇଛନ୍ତି ? କାହାର ନିଶ୍ୱାସ କୁ,ଛାତିର କଲିଜାକୁ ,ହୃଦୟର ସ୍ପନ୍ଦନକୁ ଛଡେଇ ଆଣିବା ପରେ ଆଉ ସେ ଲୋକ ପାଖରେ କ'ଣ ଥାଏ ଯେ ଅନ୍ୟକୁ ଦେବ ? ସତରେ ଶାଶୂଘର ମାନେ କ'ଣ ଖାଲି ଯୌତୁକ ଆଣିବା ? ସୋନାଲିର ସ୍ବପ୍ନ ଆଉ ବାସ୍ତବତା ଭିତରେ ତାକୁ ବହୁତ ଦୂରତା ଅନୁଭବ ହେଉଥିଲା । ସେ ଖୁବ କାନ୍ଦିଲା ଲୁଚିଲୁଚି । ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଜିନିଷକୁ ନେଇ ତାକୁ ତାଛଲ୍ୟ କରାଯାଉଥିଲା । ତାର ଲୁଗା ରଖିବା ଆଲଣା ଭଲ ନୁହେଁ,ତାର ଆଣିଥିବା ଖଟ ଭଲନୁହେଁ,ତାର କୌଣସି ଜିନିଷ ଭଲନୁହେଁ ଏମିତି ଅନେକ କିଛି ଶୁଣିବାକୁ ପଡୁଥିଲା ତାକୁ । ସେ କାନ୍ଦୁଥିଲା ଆଉ ଚିତ୍କାର କରୁଥିଲା ନୀରବରେ ଯେ,"ମତେ ଚିହ୍ନ ଦୟାକରି, ଯୌତୁକ ନୁହେଁ ! ମତେ ଚିହ୍ନ" । କେହି ତାର ହୃଦୟର ଚିତ୍କାରକୁ ଶୁଣିପାରୁନଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା -ଏଇଟା ମିଳିନି,ସେଇଟା ମିଳିନି, ଏଇଟା ଭଲନୁହେଁ,ସେଇଟା ଭଲନୁହେଁ,ଭଲ ଶାଢ଼ୀ ଆଣିନି, ସାୟା ବ୍ଲାଉଜ ଆଣିନି ଏମିତି ଅନେକ କଷ୍ଟଦାୟକ ଚର୍ଚ୍ଚା । ଶେଷରେ ନଣନ୍ଦପୁଟୁଳି ଖୋଜା ଚାଲିଲା । "ନଣନ୍ଦ କହିଲେ ଗୋଟିଏ ନାହିଁ କିନ୍ତୁ ଖୋଜା ଚାଲିଲା ନଣନ୍ଦ ମୁଦି କାହିଁ" ? ସେଥିରେ ବି ସୋନାଲିକୁ ମିଛେଇର ଆଖ୍ୟା ଦିଆଗଲା । ସୋନାଲି ନଣନ୍ଦ ମୁଦୀଟି ହାତରେ ପିନ୍ଧିଥିଲା ବାହାଘର ବେଳେ । ତାହା ଟିକିଏ ବଡ ସାଇଜ଼ ହେବାରୁ ମୁହଁ ଧୋଉ ଧୋଉ ସେଇଟା ସୋନାଲି ଗାଧୁଆ ଘରେ ଛାଡିଥିଲା । ଏଇଟା ସୋନାଲିର ଗୋଟେ ବଡ ଖରାପ ଅଭ୍ୟାସ । ସେ ପ୍ରାୟ ଗାଧୁଆ ଘରେ ହେଉ କି ରୋଷେଇ ଘରେ କିମ୍ବା ବେଳେବେଳେ ଅନ୍ୟ କେଉଁଠି ନିଜର ହାତ ଘଣ୍ଟା,ପିନ୍ଧିଥିବା ମୁଦି,କିମ୍ବା ଅନ୍ୟ କିଛି ଜିନିଷ ଛାଡିଦିଏ ଆଉ ଭୁଲିଯାଏ । ଠିକ ସେଇପରି ବାହାଘରର ବ୍ୟସ୍ତତା ମାହୋଲ ଭିତରେ ସେ ଭୁଲିଯାଇଥିଲା ଆଣିବାକୁ ନିଜର ନଣନ୍ଦ ମୁଦିଟିକୁ । ସେ ଶାଶୂଘରେ କହିଲା ମଧ୍ୟ ଯେ ସେ ଭୁଲିଯାଇଛି ଆଣିବାକୁ । ଘରକୁ ଖବର ଦେଇଛି ଆଣି ଆସିବେ । କିନ୍ତୁ ନିଷ୍ଠୁର ଶାଶୂଘର ଲୋକ ତା କଥାକୁ କେହି ବିଶ୍ୱାସ କଲେନି । ସେ ନିଜକୁ ଆଉ ନିଜ ଘରଲୋକଙ୍କୁ ବଞ୍ଚେଇବା ପାଇଁ ମିଛ କହୁଛି ବୋଲି କହିଲେ । ସେତେବେଳେ ସୋନାଲି ପାଖରେ ନିଜକୁ ମିଛେଇର ଆଖ୍ୟାରୁ ମୁକ୍ତ କରିବାପାଇଁ କିଛି ପ୍ରମାଣ ନଥିଲା । ହଁ ପ୍ରମାଣ ଥିଲା । ତାର ସମସ୍ତ ବନ୍ଧୁବାନ୍ଧବଙ୍କୁ ତାର ଏଇ ଭୁଲା ଗୁଣ ବିଷୟରେ ଅବଗତ ଥିଲା । ହେଲେ ସେ କାହାକୁ ବି ଡାକି ଏହି ସତ୍ୟତାର ପ୍ରମାଣ ଦେବାପାଇଁ ଚାହୁଁନଥିଲା । କେବଳ ନୀରବରେ ଲୁଚି ଲୁଚି କଇଁ କଇଁ ହେଇ କାନ୍ଦୁଥିଲା । ଖାଲି ସେତିକି ନୁହେଁ ବହୁତ ଛୋଟ ଛୋଟ ଜିନିଷକୁ ନେଇ ତାକୁ ତାଛଲ୍ୟ କରାଯାଉଥିଲା । ସେ କିନ୍ତୁ ନିରୁପାୟ ଥିଲା । ଏତେ ଅଚିହ୍ନା ମୁହଁ ଭିତରେ ତାକୁ କେହି ହେଲେ ଆପଣାର ଲାଗୁନଥିଲେ । ସମସ୍ତଙ୍କ ଚରିତ୍ରରେ ଖାଲି ଲୋଭ ଆଉ ତାଛଲ୍ୟତାର ଲହରୀ ଦୃଶ୍ୟମାନ ହେଉଥିଲା । ସେ ନିଜ ଭାଗ୍ୟକୁ ନିନ୍ଦା କରୁଥିଲା ଆଉ ଚିତ୍କାର କରୁଥିଲା,"ମତେ ଚିହ୍ନ ! ଏଇ ତୁଚ୍ଛ ଯୌତୁକ ଠାରୁ ମୁଁ ଅଧିକ ମୂଲ୍ୟବାନ । ମୁଁ ଯେଉଁ ଖୁସି ତୁମମାନଙ୍କୁ ଦେଇପାରିବି ସେଇ ଖୁସି ଏଇ ଯୌତୁକ ଦେଇପାରିବନାହିଁ " । ହେଲେ ତାର କରୁଣ ଚିତ୍କାର କାହାରି କାନରେ ବାଜୁନଥିଲା । ଦିନେ ନୁହେଁ କି ଦୁଇଦିନ ନୁହେଁ ଏମିତି ବର୍ଷ ବର୍ଷ ଧରି ତାକୁ ଯୌତୁକ ପାଇଁ ବହୁତ କଟୁ କଥା ଆଉ ତାଛଲ୍ୟ ଶୁଣିବାକୁ ପଡିଲା । ସେ ଧୀରେ ଧୀରେ ନିଜ ଶାଶୂଘର ଲୋକଙ୍କୁ ଘୃଣା କରିବାରେ ଲାଗିଲା । ସେମାନଙ୍କ ସହିତ ମିଶିବାକୁ ସୋନାଲିର ଅନ୍ତରାତ୍ମା ତାକୁ ବାଧା ଦେଉଥିଲା ବାରମ୍ବାର । ସେ ହୃଦୟରୁ ସମସ୍ତଙ୍କଠାରୁ ଦୁରେଇଗଲା । ଆଜି ସୋନାଲିର ଶରୀରଟା ସେମାନଙ୍କ ସହିତ ମିଶି ଗୋଟିଏ ଘରେ ରହୁଛି ସତ କିନ୍ତୁ ସୋନାଲିର ଆତ୍ମା ଆଜିବି ସେମାନଙ୍କୁ ଭୟ କରୁଛି । ସେମାନଙ୍କର କର୍କସତାକୁ ମନେ ପକାଇ ଆଜି ବି ସୋନାଲି ଲୁଚି ଲୁଚି କାନ୍ଦୁଛି । ଆଜିବି ସୋନାଲି ସେମାନଙ୍କ ଭିତରେ ସେଇ ଯୌତୁକ ରାକ୍ଷସମାନଙ୍କୁ ଦେଖି ପାରୁଛି ।
ସୋନାଲି ପରି ଲକ୍ଷ ଲକ୍ଷ ଝିଅ କୋଉଠି ନା କୋଉଠି ଏମିତି ଲୁଚି ଲୁଚି କାନ୍ଧୁଛନ୍ତି । ସୋନାଲିର ବାପା,ମାଆଙ୍କ ପରି ବହୁତ ବାପା,ମାଆମାନେ ଆଜି ନିଜର ସର୍ବସ୍ବ ହରେଇ ଦେଇଛନ୍ତି ନିଜ ଝିଅର ଶାଶୂଘରକୁ ଯୌତୁକ ଦେବାରେ । କିଛି ବାପା,ମାଆ ମଧ୍ୟ ଏଇ ଯୌତୁକ ପାଇଁ ନିଜର ଅଳିଅଳି ଝିଅକୁ ସବୁଦିନ ପାଇଁ ହରାଇ ଦେଉଛନ୍ତି । ଏଥିପାଇଁ କିଏ ଦାୟୀ ? ଯୌତୁକ ନିର୍ଯାତନା ଦେଉଥିବା କିଛିଟା ରାକ୍ଷସମାନେ ନୁହେଁ ତ ?