STORYMIRROR

Sunanda Mohanty

Action Classics Fantasy

3  

Sunanda Mohanty

Action Classics Fantasy

ଯାତ୍ରା ପାର୍ଟିଆର

ଯାତ୍ରା ପାର୍ଟିଆର

4 mins
9

ଶୀତରେ ଥରି ଥରି,ନାରାୟଣ ନାରାୟଣ ଉଚ୍ଚାରଣ କରି କରି ନାରଦ ମୁନି ପହଁଞ୍ଚିଲେ ଜମପୁରୀରେ. ଯମଦେବ ଉଦାସରେ ବସିଥିବାର ଦେଖି ପଚାରିଲେ କଣ ହୋଇଛି ମହାଭାଗ?ନାହିଁ କିଛି ନାହିଁ ଦେବଶ୍ରୀ, ଆଜିକାଲି ଆଉ ଏତେ କାମ ନାହିଁ. ନାରାୟଣ ମଣିଷମାନଙ୍କୁ ସବୁଠୁ ବୁଦ୍ଧିଆ କରି ଛାଡିଲେ ଯେ ସେମାନେ ତାଙ୍କ ବୁଦ୍ଧି ବଳରେ ଆୟୁଷ ବଢ଼େଇ ଚାଲିଛନ୍ତି. ସହଜେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଲାଗିରହୁଥିଲା ଯେ ସେତକ ବି ଏବେ ଆଉ ନାହିଁ. ତେଣୁ ହାତରେ କାମ ନଥିବାରୁ ବସିଛୁ ଆମେ ଚିତ୍ରଗୁପ୍ତ ଓ ମୁଁ. ଆଜ୍ଞା ଏତ ବହୁତ ଭଲ କଥା. ଦୁର୍ଘଟଣା, ଇଲେକ୍ଟ୍ରି ସକ,ଦୈବ ଦୁର୍ବିପାକ,ବାତ୍ୟା, ବନ୍ୟା, ମରୁଡି, କରୋନା, ମହାମାରୀ, ଆତ୍ମହତ୍ୟା ଆଦିରେ ସମୟ ପୂର୍ବରୁ ମୃତ୍ୟୁ ବରଣ କରି ମଣିଷମାନେ ବୟସ ନହେବା ପୂର୍ବରୁ ମୃତ୍ୟୁ ବରଣ କରି ଜମପୁରୀରେ ଭିଡ଼ ଜମେଇବା ସହ ଉତ୍ପାତ କରୁଥିଲେ. ଆପଣ ଦୁହେଁ ବ୍ୟତିବ୍ୟସ୍ତ ହୋଇପଡୁଥିଲେ. ସମୟ ମିଳିଛି ଯଦି ଆଉ କୋଉ କାମରେ ମନୋନିବେଶ କରନ୍ତୁ. ହଁ ଦେବଶ୍ରୀ ନାରଦ. ମର୍ତ୍ତ୍ୟରେ ସଡ଼କ ସୁରକ୍ଷା ପାଳନ ସପ୍ତାହ ଚାଲିବାରୁ ଗାଡି ମଟର ଦୁର୍ଘଟଣା କମିଛି ସତ ହେଲେ ଏ ଉତ୍ପାତିଆ ଯୁବକ ଗୋଷ୍ଠୀ କଣ ସତରେ ସଡ଼କ ସୁରକ୍ଷା ନିୟମ ପାଳୁଛନ୍ତି? ଟିକେ ମର୍ତ୍ତ୍ୟପୁରୀ ଯାଇ ଦେଖି ଆସିବାକୁ ଖୁବ ଇଛା ହେଉଛି. ହଉ ଚାଲନ୍ତୁ ଆଜ୍ଞା, ଜମପୁରୀ ଦାଇତ୍ୱ ଚିତ୍ରଗୁପ୍ତଙ୍କୁ ଦେଇ ଦୁହେଁ ଛଦ୍ମବେଶରେ ସୁକ୍ଷ୍ମ ରୂପରେ ବାହାରିଲେ ମର୍ତ୍ତ୍ୟ ଭୁବନ. ଯମଦେବ କହୁଥିଲେ ମଣିଷମାନଙ୍କର ଗତିପଥ କୁଆଡୁ କୁଆଡେ ପରିବ୍ୟାପ୍ତ ହେଉଛି ଦେଖିବାର ଆସକ୍ତି ଆଜି ଆପଣଙ୍କ ଯୋଗୁଁ ପୂରଣ ହେଲା ନାରଦ ମହାଶୟ. ନାରଦ ନାରାୟଣ ନାରାୟଣ ସୁମରଣା କରି ହସି ହସି ବାହାରି ପଡିଲେ. ଢ଼ିଙ୍କି ବାହାନକୁ ଅଳ୍ପ ଦୂରତାରେ ଲୁଚାଇ ଗଳି ମୁଣ୍ଡରୁ ମୁଖ୍ୟ ରାସ୍ତାକୁ ବାହାରି ଆସୁ ଆସୁ ବିପରୀତ ଦିଗରୁ ଆସୁଥିବା ଯୁବକର ବାଇକରେ ଧକ୍କା ଖାଇ ପଡିଲେ ଦୁହେଁ. ସେମାନଙ୍କର କିଛି ବି ଭୁଲ ନଥିଲା. ବରଂ ଯୁବକ ହେଲାମେଟ ତ ପିନ୍ଧିଥିଲା କିନ୍ତୁ କାନରେ ମୋବାଇଲ ଦେଇ ଗପିଚାଲିଥିଲା. ଭାଗ୍ୟ ଭଲ ଯମଦେବ ଓ ନାରଦଙ୍କୁ ଧକ୍କା ଦେଲା ନହେଲେ ମଣିଷ କେହି ହୋଇଥିଲେ ନିସ୍ତାର ପାଇନଥାନ୍ତେ. ଯୁବକ ମଧ୍ୟ ସିଧା ଜମପୁରୀ ଦେଖିଥାଆନ୍ତା. ଦୁହେଁ ଝାଡ଼ିଝୁଡି ହୋଇ ଭାବିଲେ ରାସ୍ତା ସୁରକ୍ଷା ନିୟମ ନମାନି ଏମିତି ମୋବାଇଲରେ ଗପି ଗପି ଯିବା ତ ଆଦୌ ଉଚିତ ନୁହେଁ ନାରଦ ମୁନି. ନାରଦ କହିଲେ ମହାଭାଗ ତାର କିଛି ଦୋଷ ନାହିଁ. ଯୁବକ ଲୋକ. ଆମେ ତ ଅଦୃଶ୍ୟରେ ଅଛେ, ସେ କେମିତି ଜାଣିବ? ତେବେ ଚାଲ ଛଦ୍ମ ରୂପ ପ୍ରକାଶ କରି ତାକୁ ଅନୁସରଣ କରିବା. ସେୟା ହେଲା. ଦୁହେଁ ଯୁବକକୁ ଅନୁସରଣ କଲେ. ଏଥର ଦେଖିଲେ ଯୁବକଟି ହେଲମେଟ ନପିନ୍ଧି ଚାଲିଛି. ଗାଡି ଅଟକେଇ ପଚାରିଲେ ଆଛା ବାବୁ ଗୋଟେ ଦୁର୍ଘଟଣା ଘଟାଇ ସତର୍କ ହେବା ପରିବର୍ତ୍ତେ ତୁମେ ହେଲମେଟ କାଢ଼ି ପୁଣି ଫୋନରେ କଥା ହେଉଛ?

   ଯୁବକ କହିଲେ ଆପଣ ମିଛ କହୁଛନ୍ତି. କୌଣସି ଦୁର୍ଘଟଣା ମୁଁ କରିନି ମାତ୍ର ଗାଦିଟା ଖୁବ ଜୋରରେ ଦୋହଲି ଯିବାରୁ ଭାବିଲି ହେଲମେଟ ପିନ୍ଧିଥିବାରୁ ରାସ୍ତାରେ ଖାଲ ଖମା ନଦେଖିପାରି ଏପରି ଅବସ୍ଥା ହେଲା.ସେଇଥିପାଇଁ ହେଲମେଟ କାଢ଼ି ଫୋନ କରୁଛି ଗାଡି ଏକପାଖିଆ ରଖି. ଦୁହେଁ ପରସ୍ପର ମୁହଁକୁ ଚାହିଁ ଲଜ୍ଜିତ ହେଲେ ସତେତ ଯୁବକ ଠିକ କହୁଛି.ତଥାପି ପଚାରିଲେ ଆଛା ବାବୁ କଣ ପିତା ମାତାଙ୍କ ଠାରୁ ଜରୁରୀ ଖବର ପାଇଲକି? ତୁମକୁ କଣ ଦିଶୁନି ମୋ ବୟସ ଯେ ପଚାରୁଛ ମୁଁ କାହା ସଙ୍ଗେ ଗପୁଛି? ଆରେ ଏ ବୟସରେ ପ୍ରେମିକା ସଙ୍ଗେ ଗପୁଛି. ଆଜି ତାକୁ ପାର୍କକୁ ଡାକିଛି. କେତେ ସମୟ ପଚାରିବାରୁ ତାକୁ ଉତ୍ତର ଦେବାକୁ ଅଟକିଛି ଏଠାରେ. ନାରଦ ଓ ଯମଦେବ ଯୁବକ କଥା ଶୁଣି କାନମୁଣ୍ଡା ଆଉଁସି ଆଉଁସି ଫେରିଆସିଲେ ସିନା ଯମଦେବଙ୍କ ମନ ବୁଝିଲାନି କହିଲେ ଟିକେ ପାର୍କ ଆଡ଼େ ଯାଆନ୍ତେ ନାରଦ ମୁନି. କଣ ସେଠି ଚାଲିଛି ଟିକେ ଦେଖି ଆସନ୍ତେ. କରୋନା ଯୋଗୁଁ ପରା ପାର୍କ ଗୁଡିକ ବନ୍ଦ ହୋଇଥିଲା.ପୁଣି କଣ ସବୁ ଖୁଲମ ଖୁଲା ଚାଲିଛି?ସେଇଥିପାଇଁ ପରା ପ୍ରଭୁ ନାରାୟଣଦେବ ପୂର୍ବ କରୋନାଠାରୁ ଆହୁରି ସାଙ୍ଘାତିକ ଭୁତାଣୁ ଭାଇରସ ଛାଡ଼ି କରୋନାକୁ ସୁସ୍ଥ ସବଳ ଓ ମଝବୁତ କରୁଛନ୍ତି ଆଜ୍ଞା. ହେଲେ ଏ ମଣିଷ ଗୁଡାକ କଣ ସହଜରେ ମରିବେ ନା ଜମପୁରୀ ଯିବେ?ଏମିତି କହୁଥିବା ଶୁଣି ନାରଦ ମୁନି କହୁଥିଲେ ଆପଣ ଏ ମଣିଷମାନଙ୍କ ମରଣ ପାଇଁ ଏତେ ବ୍ୟାକୁଳ କଣ ପାଇଁ?ଏହା କହୁ କହୁ ପୂର୍ବ ଯୁବକଟି ଫେରିଆସି ଜଣକୁ ପିଟିଦେଲା ତ ହୋ ହାଲ୍ଲା ଭିତରେ ଯୁବକକୁ ଧରିବାକୁ ଚେଷ୍ଟା କରୁ କରୁ ଖସିଗଲା ସେ ଆଖି ପିଛୁଳାକେ. ପାଖରେ ଥିବା ପାନଦୋକାନରେ ବସି ପଡି ନାରଦ ଓ ଯମଦେବ ଦୀର୍ଘନିଶ୍ୱାସ ପକାଉ ପକାଉ,ଦୋକାନୀ କହୁଥିଲା ତୁମ ଦୁହିଁଙ୍କ ପାଇଁ ଏମିତି ଅଘଟଣ. ତୁମେ ଦୁହେଁ ରାସ୍ତା ଉପରେ ଯେମିତି ରାସ୍ତାର ନିୟମ ନମାନି ଠିଆ ହୋଇ ରହିଥିଲ, ବିଚରା ବାଇକବାଲା ଆଉ କରନ୍ତା କଣ?ମୁଣ୍ଡ ତଳକୁ ପୋତି ବସିଥାଆନ୍ତି ନାରଦ ମୁନି ଓ ଯମଦେବ. ପୋଲିସ ପହଁଚିଲା. ପାନଦୋକାନୀ ସାକ୍ଷୀ ଦେବାରୁ ଦୁହେଁ ଧରା ହୋଇ ଥାନାକୁ ଗଲେ. ସେଠୁ ଛଦ୍ମବେଶରେ ଥିବାରୁ ତାଙ୍କୁ କେହି ଚିହ୍ନି ପାରୁନଥିଲେ ସତ ସେମାନଙ୍କର ବିବେକ ମଧ୍ୟ ବାଧା ଦେଲା ଉଭାନ ହୋଇଯିବାକୁ. ଯମଦେବ କିନ୍ତୁ କହୁଥିଲେ ପାର୍କ ନଯାଇ କେମିତି ଫେରିଯିବା. ସେହି ଯୁବକ ଆଜି ତା ପ୍ରେମିକାକୁ ଦେଖା କରିବାକୁ କଥା ଦେଇଥିଲା. ଏ ଘଟଣା ପରେ ସେ ଆଉ ଭୟରେ ଆସୁଛି କି ନାହିଁ ଦେଖିବାକୁ ଖୁବ ଇଛା ହେଉଛି ଦେବଶ୍ରୀ ।

   ଛଦ୍ମବେଶ ଛାଡ଼ି ଦେଇ ଥାନାରେ ଦୁହେଁ ସୁକ୍ଷ୍ମ ରୂପରେ ପାର୍କରେ ପହଁଚିଲେ. ପୃଥିବୀରେ ଜମଲୋକରୁ ମଧ୍ୟ ଅଧିକ ଶୀତ. ସେତେବେଳକୁ ଝିଅଟିଏ ମନ ଦୁଃଖରେ ବସିଥିବା ଦେଖି, ସେହି ପୂର୍ବକ୍ତ ଯୁବକଟି ପହଞ୍ଚି କହୁଥିଲା ଆଜି ତୁମ ଜନ୍ମ ଦିନରେ ତୁମ ବାପାଙ୍କୁ ଗାଡି ଧକ୍କା ଦେଇ ମୁଁ ଅନୁତାପ ଅନଳରେ ଜଳୁଛି ଦୀପ୍ତି. ଦୀପ୍ତି କହୁଥିଲା ତୁମର କିଛି ଭୁଲ ନାହିଁ ଅଜୟ.ଆମ ଗଳି ମୁଣ୍ଡ ପାନଦୋକାନୀ ଭାଇଠୁ ମୁଁ ସବୁ ଶୁଣିଛି. ତୁମ ଗାଡି ନମ୍ବର ଟିପି ରଖିଥିଲେ ବି ସେ କହୁଥିଲେ ଦୁଇ ଜଣ ଯାତ୍ରାପାଟି ଵାଲାଙ୍କ ଯୋଗୁଁ ତୁମ ଗାଡି ବାପାଙ୍କ ଉପରେ ମାଡିଗଲା ସିନା ତାଙ୍କର ବିଶେଷ କିଛି କ୍ଷତି ହୋଇନି ଭଗବାନ ଆମକୁ ରକ୍ଷା କରିଦେଇଛନ୍ତି. ସେ ଯାତ୍ରାବାଲା କଳାକାର ନାରଦ ଓ ଯମଦେବ ଦୁହେଁ ପୋଲିସ ହାତରେ ଧରା ପଡିଛନ୍ତି. ଉତ୍ତମ ମଧ୍ୟମ ପାଇ ପାର୍ଟ କରିବା ଛାଡ଼ିଯିବ ଦୁହିଁଙ୍କର. ତୁମେ ଜମା ବ୍ୟସ୍ତ ହୁଅନାହିଁ ଜାନୁ. ପୋଲିସ ସେମାନଙ୍କୁ ରାସ୍ତା ସୁରକ୍ଷା ନିୟମ ଠିକ ବୁଝେଇଦେବ. ଏତକ ଶୁଣି ନାରଦ ଓ ଯମଦେବ ଯାହା ଥାନାକୁ ଫେରି ଯାଇଥାନ୍ତେ ଭାବିଥିଲେ, ସିଧା ଯାଇ ସ୍ଵର୍ଗରେ. ନାରଦ ନାରାୟଣ ନାରାୟଣ କହି ମଣିଷ ଲାଙ୍ଗୁଡ଼ରେ ଆଉ ହାତ ମାରିବେନି ପ୍ରଭୁ. ତାଙ୍କର ସିଏ ମର୍ତ୍ତ୍ୟରେ ଆୟୁଷ ପାଇ ରହନ୍ତୁ କହୁଥିବା ବେଳେ ସେପଟେ ଥାନାରେ ନାରଦ ଓ ଯମଦେବ ଦୁହିଁଙ୍କ ଶୁନ୍ୟ ଖୋଳ ଦେଖି ପଳାତକ ଦୋଷୀଙ୍କୁ ଖୋଜିବାକୁ ପୋଲିସ ଭ୍ୟାନ ଦୁଇ ଚାରିଟା ସାଇରନ ବଜାଇ ବଜାଇ ଶୀତ ରାତିରେ ଏ ଗଳିରୁ ସେ ଗଳି ଖୋଜୁଥିଲା ଯାତ୍ରା ପାର୍ଟିଆର କଳାକାର ଦୁହିଁଙ୍କୁ. ଲୋକେ ଭାବୁଥିଲେ ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବାରୁ ପୋଲିସ ଗାଡି ବୁଲୁଛି ଏ ଶୀତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action