Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Abhiram Mandal

Tragedy

3  

Abhiram Mandal

Tragedy

ଉଠରେ ପୁତା ଉଠ

ଉଠରେ ପୁତା ଉଠ

9 mins
660


ରାତି ନ ପାହୁଣୁ କାହାର କ୍ରନ୍ଦନ ଧ୍ୱନିରେ ମୋର ନିଦଟା ଭାଙ୍ଗିଗଲା। ଏତେ ସକାଳୁ କିଏ କାନ୍ଦୁଛି ? କାହାର କଣ ହେଲା ? ବେଳକୁ ବେଳ ତୀବ୍ର ହେଲା ସେ ଧ୍ୱନି । ଆଉ ଶୋଇ ହେଲାନି । ବିଛଣାରେ ଉଠି ବସିଲି । ଆଉ କାନ ଡେରି ପତ୍ତା ଲଗେଇବାକୁ ଚେଷ୍ଟା କଲି କେଉଁଠୁ ଆସୁଛି ଏ ଧ୍ୱନି । ନା କିଛି ଅନୁମାନ କରିପାରିଲି ନାହିଁ । ବାହାରକୁ ବାହାରି ଆସିଲି । ଦାଣ୍ଡ ଦୁଆରେ ଲକ୍ଷ୍ୟ କଲି କିଛି ଗାଁ ଲୋକ ଦଉଡା ଦଉଡି ହେଇ ମୋ ଘରକୁ ଲାଗିଥିବା ବଗିଚା ଆଡେ ଯାଉଛନ୍ତି । ଲାଗୁଥିଲା ସେ କ୍ରନ୍ଦନ ଧ୍ଵନି ସେଇଆଡୁ ହିଁ ଆସୁଛି । ମୁଁ ବି ସେମାନଙ୍କ ସହ ସାମିଲ ହେଇ ବଗିଚା ଆଡେ ଚାଲିଲି ।


ବଗିଚାର ମଧ୍ୟ ଭାଗରେ ଥିବା ଆମ୍ବ ଗଛ ମୂଳରେ ଭିଡ଼ ଜମିଥିଲା । ଭିଡ଼କୁ ଆଡେଇ ମୁଁ ଆଗକୁ ଗଲି । ଏ କଣ ? ସ୍ତବ୍ଧ ହେଇଗଲି ମୁଁ । ଆମ୍ବ ଗଛ ଡାଳରେ ଝୁଲୁଥିଲା ମୋ ପୁଅର ମୃତ ଦେହ । ତାକୁ ଧରି ମୋ ସ୍ତ୍ରୀ ଖୁବ କାନ୍ଦୁଥିଲା । ସ୍ଥାଣୁ ପାଲଟି ଗଲି ମୁଁ । ମୋ ତଣ୍ଟି ଶୁଖି ଗଲା ଭଳି ଲାଗିଲା । ପାଟିରୁ ମୋର କିଛି କଥା ବାହାରିଲା ନାହିଁ । ଚିତ୍କାର କରିବାକୁ ଚେଷ୍ଟା କଲି, ହେଲେ ପାଟିରୁ ଖାଲି ପବନ ଗୁଡ଼ାଏ ବାହାରିଲା । ଟିକିଏ ବି ଶବ୍ଦ ନାହିଁ । ସ୍ତ୍ରୀ ପାଖକୁ ଯିବାକୁ ପାଦ ଉଠାଇଲି । ହେଲେ ମତେ ଲାଗିଲା, କିଏ ଯେପରି ମୋ ପାଦ ଦୁଇଟିକୁ ଭିଡି ଧରିଛି । ତଥାପି କଷ୍ଟେ ମଷ୍ଟେ ସ୍ତ୍ରୀ ପାଖରେ ପହଞ୍ଚି ତାକୁ ପ୍ରବୋଧନା ଦେବାକୁ ଚେଷ୍ଟା କଲି । ହେଲେ ସ୍ତ୍ରୀ ମତେ ରାଗରେ ଠେଲି ଦେଲା, ଆଉ ବାହୁନି ବାହୁନି କହିଲା-

"ଛୁଅଁନି ମତେ, ତମରି ପାଇଁ ମୋ ପୁଅର ଏ ଅବସ୍ଥା । ତମେ ତାକୁ ମାରିଦେଲ । ତମର ଏ ଭୋଟ ରାଜନୀତି ମୋ ପୁଅର ଜୀବନ ନେଇଗଲା।"


ମୁଁ ତାକୁ ବୁଝାଇବାକୁ ଚେଷ୍ଟା କଲି, କିଛି ଲାଭ ହେଲାନି । ସେ ସେମିତି ଗୁମୁରି ଗୁମୁରି କହୁଥାଏ-" ବାପରେ ତୁ କାହିଁକି ଏ ବୁଦ୍ଧି କଲୁ ? ତୋ ବାପର ରାଗ ନିଜ ଉପରେ କାହିଁକି ସୁଝେଇଲୁ ? କେମିତି ତୁ ତୋ ମା'କୁ ଭୁଲିଗଲୁ ? ତାଙ୍କ ଭୁଲର ଦଣ୍ଡ ତୁ ମତେ କାହିଁକି ଦେଳୁରେ ଧନ । ତୋ ବିନା ମୁଁ ବଞ୍ଚିବି କେମିତି ?"


ଭାବାନ୍ତର ସୃଷ୍ଟି ହେଲା ମୋ ମନରେ । ଅନ୍ତରାଳର ଘଟଣା ସବୁ ମୋ ଆଖି ଆଗରେ ନାଚି ଉଠିଲା । ଗତ କାଲି ଘଟଣାର ପ୍ରତିକ୍ରିୟାରେ ଏଡ଼େ ଭୟଙ୍କର ଘଟଣା ଯେ ଘଟିଯିବ, ଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ସତ କହିବାକୁ ଗଲେ ସେ ମୋ ଜନ୍ମିତ ପୁଅ ନଥିଲା । ବିଗତ ୧୫ ବର୍ଷ ହେଲା ମୁଁ ତାକୁ ସ୍ନେହ ଶ୍ରଦ୍ଧାରେ ପାଳି ଆସିଥିଲି । କିନ୍ତୁ ଏପରି କଣ ହେଲା ଯେ ୧୫ ବର୍ଷର ସ୍ନେହ ଶ୍ରଦ୍ଧାକୁ ପର କରି ସେ ଆତ୍ମହତ୍ୟା କରିଦେଲା ?


ଖୁବ ଦୁଃଖି ଥିଲି ମୁଁ, ଯେତେବେଳେ ବାହାଘରର ୫ ବର୍ଷ ପରେ ବି ଆମ କୋଳକୁ ସନ୍ତାନ ଆସିଲା ନାହିଁ । ମୋ ସ୍ତ୍ରୀ ପିଲାଟିଏ ପାଇଁ ନାନାଦି ବ୍ରତ ଓଷା କଲା, କିନ୍ତୁ ଫଳ ନାସ୍ତି । ଶେଷରେ ତାକୁ ନେଇ ଡାକ୍ତର ଦେଖାଇଲି । ଡାକ୍ତର ପରୀକ୍ଷା କରି କହିଲେ, ସେ ଜୀବନରେ କେବେ ମା ହେଇ ପାରିବନି । ଭାଙ୍ଗି ପଡ଼ିଥିଲି ସେଦିନ । ମୋ ସ୍ତ୍ରୀ ମତେ ଆଉ ଥରେ ବାହା ହେବାକୁ ପ୍ରସ୍ତାବ ଦେଲା । ମୁଁ କିନ୍ତୁ ରାଜି ହେଲିନି । ଏଥିପାଇଁ ସ୍ତ୍ରୀ ସବୁବେଳେ ମନସ୍ତାପରେ ରହୁଥିଲା । ରାତିରେ ସେ ମୋ ଛାତିରେ ମୁଣ୍ଡ ଗେଞ୍ଜି କଇଁ କଇଁ କାନ୍ଦେ । ମୁଁ କିନ୍ତୁ ପାଷାଣ ପାଲଟି ଯାଇଥିଲି । ମନକୁ ବୁଝାଇ ଦେଇଥିଲି, ଦୁନିଆରେ ସବୁ ଲୋକ କଣ ସନ୍ତାନ ସୁଖ ପାଆନ୍ତି ? ସେମାନେ ପୁଣି ତ ବଞ୍ଚିଛନ୍ତି । ମୁଁ କାହିଁକି ପାରିବିନି । ହେଲେ ମୋ ମନକୁ ସେଦିନ ଆଉଥରେ ଝଟକା ଲାଗିଥିଲା, ଯେଉଁଦିନ ମୋ ସାନ ଭାଇର ପୁଅଟିଏ ହେଲା। ସ୍ଥିର ଥିବା ମନଟା ପୁଣି ଥରେ ଆନ୍ଦୋଳିତ ହେଲା । ଛାଡ଼...ଏଇଟା ହିଁ ତ ଭାଗ୍ୟ । ନିଜ କୋହ ନିଜ ମନରେ ଚାପି, ମୁହଁରେ ହସ ଖେଳାଇ ଦାଣ୍ଡରେ ଚାଲିବାକୁ ପଡୁଥିଲା । ପଛରେ ଲୋକଙ୍କ ଟାହି ଟାପରା ମୋ କାନରେ ବାଜେ, ହେଲେ ସେ ସବୁ ଶୁଣି ନ ଶୁଣିଲା ପରି ଆଗକୁ ପାଦ ବଢାଇବାକୁ ପଡୁଥିଲା ।


ଏମିତିରେ ୫ ବର୍ଷ ବିତିଗଲା । ସେତେ ବେଳକୁ ସାନ ଭାଇ ର ପୁଅ ସ୍କୁଲକୁ ଗଲାଣି । ଦିନେ ସନ୍ଧ୍ୟାରେ ମୁଁ କାମରୁ ଫେରି ଘରେ ବିଶ୍ରାମ ନେଉଥାଏ, ମୋ ସ୍ତ୍ରୀ ଆସି ପାଖରେ ବସିଲା । ତା ମୁହଁକୁ ଚାହିଁଲି, ମୁହଁଟା କେମିତି ବିବର୍ଣ୍ଣ ଦେଖା ଯାଉଥାଏ । ଭାବିଲି କିଛି ଗୋଟାଏ ଘଟିଛି ନିଶ୍ଚୟ । ସନ୍ଦେହ ବିମୋଚନ ପାଇଁ ପଚାରିଲି -" କଣ କିଛି କହିବ ? " ସ୍ତ୍ରୀ ର ଆଖି ଛଳ ଛଳ ହେଇଗଲା ।


-"ଆରେ ତମେ କାନ୍ଦୁଛ କାହିଁକି? କଣ ହେଇଛି ତମର?"

-"କାନ୍ଦିବା ଯାହାର ଭାଗ୍ୟରେ ଲେଖା, ସେ ଆଉ କଣ କରିବ ? କେଉଁ ଜନ୍ମରେ କି ପାପ କରିଥିଲି, ଏ ଜନ୍ମରେ ଏମିତି ହିନସ୍ଥା ହେବାକୁ ପଡୁଛି ।"

-"ଘଟଣାଟା ନକହିଲେ ମୁଁ ଜାଣିବି କେମିତି?"

-"ସାନ ଆଉଥରେ ମା ହବାକୁ ଯାଉଛି...,"


ବୁଝି ପାରିଲି ତା' ମନର ଅନ୍ତର୍ଦାହକୁ । ନାରୀ ଯେତେ ସୁଖରେ ଥିଲେ ବି ଯଦି ତା ପାଖରେ ମାତୃତ୍ଵ ନାହିଁ, ତେବେ ସେ ସୁଖର କିଛି ମୂଲ୍ୟ ହିଁ ନାହିଁ । ମାତୃତ୍ୱର ଗୌରବ ନିଆରା । କଣ କହିବି ସ୍ତ୍ରୀକୁ, କିଛି ବୁଝି ପାରୁ ନଥିଲି । ତାର ପିଲା ଦରକାର । ହେଲେ ସେ ତ ବଜାରରେ ମିଳୁଥିବା କୌଣସି ଜିନିଷ ନୁହେଁ, ପଇସା ଦେଇ କିଣି ଆଣିବି । ଦୀର୍ଘ ଶ୍ୱାସଟିଏ ଛାଡି କହିଲି-"ସବୁ ସେଇ କାଳିଆର ଇଛା ।"


କିଛିଦିନ ପରେ ସାନଭାଇର ଆଉ ଏକ ପୁଅ ଜନ୍ମ ହେଲା । ସେପଟେ ତା ମନ ଖୁସି ଥିଲା ବେଳେ ଏପଟେ ମୋ ମନ ମରି ମରି ଯାଉଥାଏ । ପୁଅର ଏକୋଇଶା ଦିନ ସେ ଆସି ଆମ ଘରେ ନିମନ୍ତ୍ରଣ ଦେଇଗଲା (ଯେହେତୁ ଆମେ ଦୁହେଁ ଭିନ୍ନେ ହେଇ ସାରିଥିଲୁ ) । ମତେ ଆଉ ମୋ ସ୍ତ୍ରୀକୁ ତା ଘରକୁ ଯିବା ପାଇଁ ବାର ବାର ଅନୁରୋଧ କରିଗଲା । ସଞ୍ଜ ବେଳେ ମୁଁ ଆଉ ମୋ ସ୍ତ୍ରୀ ଦୁହେଁ ଯାଇ ତା ଘରେ ପହଞ୍ଚିଲୁ । ଆମକୁ ସେମାନେ ସ୍ୱାଗତ କଲେ । ପରେ ଏକୋଇଶାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା । ଶେଷକୁ ପୁଅର ନାମକରଣ ସଂସ୍କରଣ ବେଳେ ଆମେ ଦୁହେଁ ମଣ୍ଡପ ପାଖରେ ଠିଆ ହେଇ ଦେଖୁଥାଉ । ହଠାତ କେହି ସ୍ତ୍ରୀ ଲୋକ କହିବାର ଶୁଣିଲି-"ଆଲୋ ଏ ଚୁନି(ସାନ ବୋହୂର ନାମ) ପୁଅକୁ ପଣତ ଘୋଡେଇ ରଖିବୁଟିଲୋ, ଏଠିତ ବାଞ୍ଝ ଆଣ୍ଠୁକୁଢାଙ୍କ ଅଭାବ ନାହିଁ, ତାଙ୍କ ନଜର ଲାଗିଲେ କଥା ସଇଲା ।" କଥାଟା ଯେ ଆମକୁ ଲକ୍ଷ୍ୟ କରି କୁହାଗଲା ଏଇଟା ବୁଝିବାରେ ମୁଁ ଭୁଲ କରିନଥିଲି । ମୁଁ କିଛି କହିବା ଆଗରୁ ମୋ ସ୍ତ୍ରୀ ଝଡ଼ ପରି ସେଠାରୁ ବାହାରି ଆସିଲା । ତା ପଛେ ପଛେ ମୁଁ ବି । ପଛରୁ ସାନଭାଇ, ସାନବୋହୁଙ୍କ ଡାକ ଶୁଭୁଥିଲା, ହେଲେ ଆମେ ଦୁହେଁ ସେଠାରେ ଆଉ ଗୋଟିଏ ମୁହୂର୍ତ୍ତ ବି ରହି ନଥିଲୁ ।


ଏଇ ଘଟଣାଟି ଆମ ମନକୁ ଏତେ ଆଘାତ ଦେଲା ଯେ ସେଦିନ ରାତିରେ ଆମକୁ ଖାଦ୍ୟ ରୁଚି ନଥିଲା । ରାତିଟା ଆମର ଓପାସରେ ବିତିଥିଲା । ତା ପରଦିନ ସକାଳେ ସାନଭାଇ ଓ ସାନବୋହୂ କଅଁଳା ଛୁଆଟା ଧରି ଆମ ଘରେ ହାଜର । ଆଶ୍ଚର୍ଯ୍ୟ ହେଲି ମୁଁ, ଛୁଆଟାକୁ ନେଇ ସେମାନେ ଏଠାକୁ କାହିଁକି ଆସିଛନ୍ତି ? ସାନଭାଇ ମୋ ପାଖକୁ ଆସି ଗତ କାଲିର ଘଟଣା ପାଇଁ ଦୁଃଖ ପ୍ରକାଶ କଲା । ଠିକ ସେତିକି ବେଳେ ସାନବୋହୂ ଛୁଆଟିକୁ ମୋ ସ୍ତ୍ରୀ କୋଳରେ ଦେଇ କହିଲା-"ଅପା, ଆଜିଠୁ ଏ ତମର ପୁଅ, ତମେ ୟାର ମା' । ଆଜି ପରଠୁ କେହି ତମକୁ ବାଞ୍ଝ କହିବେ ନାହିଁ ।" ମୋ ସ୍ତ୍ରୀକୁ ଯେମିତି କୋଟି ନିଧି ମିଳିଗଲା । ଆଉ ତା ପରେ ସେ ପାଲଟି ଗଲା କାହ୍ନାର ଯଶୋଦା ।


ଖୁବ ଅଲିଅଳରେ ବଢ଼ିଲା କାହ୍ନା । ଦୁନିଆର ସବୁ ସୁଖ ତା ହାତରେ ଅଜାଡି ଦେବା ପାଇଁ ମୁଁ ଆଉ ମୋ ସ୍ତ୍ରୀ ସବୁବେଳେ ତତ୍ପର ରହୁଥିଲୁ । ବିତିଗଲା ୧୫ ବର୍ଷ । ଗତ ମାସରେ ତାର ୧୫ ତମ ଜନ୍ମଦିନ ପଡିଥିଲା । ସେଦିନ ଜନ୍ମଦିନ ଉତ୍ସବରେ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥାଏ । ସେହି ନିମନ୍ତ୍ରିତ ଅତିଥି ଭିତରେ ଥାଆନ୍ତି ଆମ ପଞ୍ଚାୟତର ସରପଞ୍ଚ ମହୋଦୟ । ଏମିତି କଥା ପ୍ରସଙ୍ଗରେ ସେ ମତେ ପଚାରିଲେ-" କଣ ମଣ୍ଡଳ ପୁଅ, ଏଥର ନିର୍ବାଚନରେ ତମ ସମର୍ଥନ ଆମ ପଛରେ ଅଛି ତ ?"

-"ମୋ ସମର୍ଥନରେ କଣ ଅଛି ? ଆପଣ ଜିତିବା କଥା ଜିତିବେ ।"

-"ନାଇଁ.. ନାଇଁ.. ଏଥର ଜିତିବାଟା ଏତେ ସହଜ ହେବନି ।"

-"କଣ ପାଇଁ..?"

-"ମୁଁ ଶୁଣୁଛି, ତମ ସାନ ଭାଇ କୁଆଡେ ମୋ ବିରୁଦ୍ଧରେ ଠିଆ ହେଉଛି ।"

-"ନା...ମୁଁ ଏସବୁ କଥା ଜାଣିନି ।"

-" ଠିକ ଅଛି, ତମେ ତମ ସାନ ଭାଇକୁ ଟିକେ ବୁଝାଅ । ସେ ମୋ ବିରୁଦ୍ଧରେ ଠିଆ ନ ହେଉ ।"

-"ମୁଁ ଚେଷ୍ଟା କରିବି..।"


ଏହାପରେ ସରପଞ୍ଚ ତଥା ଅନ୍ୟ ଅତିଥି ଖାଇ ପିଇ ଆମ ଘରୁ ବିଦାୟ ନେଲେ । ସରପଞ୍ଚଙ୍କର ମୋ ଉପରେ ଭାରି ବିଶ୍ୱାସ । ଗତ ନିର୍ବାଚନରେ ମୁଁ ତାଙ୍କ ସପକ୍ଷରେ ପ୍ରଚାର କରିଥିଲି । ଆମ ଗାଁର ପ୍ରାୟ ଭୋଟ ତାଙ୍କ ସପକ୍ଷରେ ଯାଇଥିଲା । କିନ୍ତୁ ଏଥର ସାନଭାଇ ତାଙ୍କ ବିରୁଦ୍ଧରେ ଠିଆ ହେଉଛି । ସେ ମତେ ଦାୟିତ୍ୱ ଦେଇଗଲେ ତାକୁ ବୁଝାଇବା ପାଇଁ । ଯଦି ତାକୁ ବୁଝାଇ ନିର୍ବାଚନରୁ ଓହରାଇ ଆଣି ପାରିଲି, ତେବେ ତାଙ୍କ ଆଖିରେ ମୋ ପତିଆରା ବଢ଼ିଯିବ।


ତା ପରଦିନ ସକାଳେ ସାନ ଭାଇ ମୋ ପାଖକୁ ଆସିଲା । କହିଲା-"ଭାଇ ତମକୁ ଗୋଟେ କଥା କହିବାର ଥିଲା । ଆଗରୁ କହିଥାନ୍ତି ଯେ ହେଲେ ତମେ ପୁଅ ଜନ୍ମଦିନ ପାଇଁ ବ୍ୟସ୍ତ ରହୁଥିବାରୁ କହି ପାରି ନଥିଲି ।"

-"କଣ କହିବୁ କହ ?"

-"ଏଥର ସରପଞ୍ଚ ନିର୍ବାଚନରେ ମୁଁ ଠିଆ ହେଉଛି । ଆଉ ଆଜି ମୁଁ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଉଛି । ମୁଁ ଚାହେଁ ତମେ ମତେ ସମର୍ଥନ କର ।"

-" ଏ ବିଷୟରେ ମୁଁ ବି ତୋ ସହ କଥା ହେବାକୁ ଚାହୁଁଥିଲି । ଭଲ ହେଲା ତୁ ପଚାରିଦେଲୁ । ମୁଁ ଚାହୁଁଛି ତୁ ଏ ନିର୍ବାଚନରୁ ଓହରି ଯା । କଣ ମିଳିବ ଆମକୁ ଏ ରାଜନୀତିରୁ ?"

-"ଭୁଲ କହିଲ ଭାଇ, ଆମ ଭଳି ଲୋକ ଏମିତି ବିଚାର କରିବା ଦ୍ୱାରା ଦେଶଟା ରସାତଳକୁ ଚାଲିଗଲାଣି । ଏବେ ଯାହା ପାଖରେ ଟଙ୍କା ଅଛି ସେ ରାଜନୀତି କରୁଛି । ଆଉ ବ୍ୟବସାୟ ଭଳି ସେଥିରୁ କେମିତି ଦି ପଇସା ରୋଜଗାର କରି ହେବ ସେଇକଥା ହିଁ ସେ ଚିନ୍ତା କରୁଛି । ଦେଶର ସମ୍ପତ୍ତିକୁ ନିଜ ସମ୍ପତ୍ତି ମନେ କରି ତାକୁ ଆତ୍ମସାତ କରୁଛି । ଲୋକଙ୍କ ଅଭାବ ଅସୁବିଧା କଥା ଚିନ୍ତା କରିବାକୁ ତାଙ୍କ ପାଖେ ସମୟ ନାହିଁ । ନିଜର ସ୍ୱାର୍ଥ ସାଧନ ହିଁ ସେମାନଙ୍କର ପ୍ରଥମ କାମ ପାଲଟି ଯାଇଛି ।"

-"ସେ ଯାହା ବି ହେଉ, ମୁଁ ସରପଞ୍ଚଙ୍କୁ କଥା ଦେଇଛି ତତେ ବୁଝାଇବା ପାଇଁ । ତୁ କଣ ମୋ କଥା ରଖିବୁନି ?"

-"ଭାଇ ଦୟାକରି ଏ ଅନୁରୋଧ କର ନାହିଁ । ମୁଁ ଆଗକୁ ପାଦ ବଢ଼ାଇ ସାରିଛି, ପଛକୁ ହଟାଇବି ନାହିଁ । ଯେଉଁ ସରପଞ୍ଚ କଥା କହୁଛ ବିଗତ ବର୍ଷ ଭିତରେ ସେ କେବେ ତମ ସୁଖ ଦୁଃଖରେ ଠିଆ ହେଇଛି ? ନା.... ସେ କେବଳ ତମକୁ ତା ରାଜନୀତି ପଶା ପାଲିରେ ଗୋଟି କରି ଚଳାଇବାକୁ ଚାହୁଁଛି । ତା' ଚକ୍ରାନ୍ତଙ୍କୁ ବୁଝ ଭାଇ, ନହେଲେ ତମେ ଅସୁବିଧାରେ ପଡିବ ।"


ସାନଭାଇର ଏ କଥା ସବୁ ମୋ ମୁଣ୍ଡରେ କିଛି ପଶି ନଥିଲା । ମୋ କଥା ନ ରଖିବାରୁ ମୁଁ ତା ଉପରେ ରାଗି ଯାଇଥିଲି । ମୋର ଅହଂକାର ଏତେ ବଢିଗଲା ଯେ ମୋ ସ୍ତ୍ରୀ ଆଉ ପୁଅକୁ ତା ପରିବାର ସହ ସମ୍ପର୍କ ଛିନ୍ନ କରିବାକୁ କହିଲି । ସେତେବେଳେ ମୁଁ ଭୁଲିଯାଇଥିଲି, ଏ ପୁଅଟି ମୋର ନୁହଁ, ତା’ର । ଯିଏ ଦିନେ ମତେ ଲଜ୍ଜା ଆଉ ଅପମାନରୁ ରକ୍ଷା କରିବା ପାଇଁ ଆମ କୋଳକୁ ଟେକି ଦେଇଥିଲା । କିନ୍ତୁ କଣ ହେବ ? ମୁଁ କୃତଘ୍ନ ତା ସହ ଅଘୋଷିତ ଯୁଦ୍ଧ ଘୋଷଣା କରି ଦେଲି । ଯେମିତି ବି ହେଉ ତାକୁ ଏ ନିର୍ବାଚନରେ ହରେଇବାକୁ ପଡିବ । ତା ବିରୁଦ୍ଧରେ ପ୍ରଚାର କଲି । ଲୋକଙ୍କୁ ମତେଇଲି । ଶେଷକୁ ଆସିଗଲା ସେଇ ପ୍ରତିକ୍ଷିତ ଭୋଟ ଗ୍ରହଣ ଦିନ, ମାନେ ଗତ କାଲିର ଦିନ।


କାଲିର ସକାଳ । ମୁଁ ତିଆର ହେଇ ବାହାରୁଥାଏ ଭୋଟ ଗ୍ରହଣ କେନ୍ଦ୍ରକୁ । ତାଗିଦ କରି ସ୍ତ୍ରୀକୁ କହିଗଲି ସେ ଯେମିତି ଭୁଲରେ ବି ସାନ ଭାଇକୁ ଭୋଟ ନଦିଏ । ଏଇ କଥା ଭିତରେ ସ୍ତ୍ରୀ ମତେ କହିଲା କି ତା' ବୋଉ ମାନେ ମୋ ଶାଶୁଙ୍କୁ ନେଇ ଭୋଟ ଦେଇ ଆଣିବା ପାଇଁ । ଶାଶୂଙ୍କର ବି ଆମରି ଗାଁରେ ଘର । ମୋ ସ୍ତ୍ରୀ ତାଙ୍କର ଏକ ମାତ୍ର ସନ୍ତାନ । ଶ୍ଵଶୁରଙ୍କ ମୃତ୍ୟୁ ପରେ ତାଙ୍କର ଭଲମନ୍ଦ ଦାୟିତ୍ୱ ମୁଁ ବୁଝୁଥାଏ । ସ୍ତ୍ରୀ କଥା ଶୁଣି ମୁଁ କହିଲି-" ମୋର ଟାଇମ ନାହିଁ, କାହ୍ନାକୁ କୁହ ତାଙ୍କୁ ନେଇଯିବ ।" ଏତକ କହିଦେଇ ମୁଁ ମୋ କାମରେ ବାହାରି ଗଲି ।


ସନ୍ଧ୍ୟା ବେଳେ ଘରକୁ ଫେରି ଦେଖେ ତ ଶାଶୁ ଆମରି ଘରେ ଅଛନ୍ତି । ମୁଁ ତାଙ୍କୁ କାହାକୁ ଭୋଟ ଦେଲେ ବୋଲି ପଚାରିଲି । ସେ କହିବାକୁ ଲାଗିଲେ-"ବାପ, ମତେ କଣ ଆଉ ଦେଖା ଯାଉଛି । ମୁଁ ଟିପ ଚିହ୍ନ ଦେଲି, ଆଉ ଏ ନାତିଆ ମୋ ପାଇଁ ଭୋଟ ଦେଲା ।"


ମୁଁ କାହ୍ନା ଆଡେ ଚାହିଁଲି, ସେ ମୁଣ୍ଡ ପୋତି ତଳକୁ ଚାହିଁ ରହିଲା । ମୁଁ ପଚାରିଲି-"କିରେ କାହାକୁ ଭୋଟ ଦେଇଛୁ?" ସେ ଡରି ଡରି ଛିପ ଢ଼ୋକି କହିଲା-" ସାନବା' ଙ୍କୁ ..." । ସେତିକି ବେଳେ ବାଜା ବାଣରେ କମ୍ପି ଉଠିଲା ଗାଁ । ଖବର ଆସିଲା ମୋ ସାନଭାଇ ଖଣ୍ଡିଏ ମାତ୍ର ଭୋଟରେ ଜିତି ଯାଇଛି । ମୁଣ୍ଡରେ ହାତ ଦେଲି । ଏ କଣ ହେଇଗଲା,ସବୁ ପରିଶ୍ରମ ମୋର ବୃଥା ହେଇଗଲା । ଏ ଟୋକା ମୋର ସବୁ ଉଦ୍ୟମକୁ ପଣ୍ଡ କରିଦେଲା । ଯଦି ଶାଶୁଙ୍କ ଭୋଟ ଖଣ୍ଡିକ ସାନ ଭାଇ ସପକ୍ଷରେ ଯାଇ ନଥାନ୍ତା, ତେବେ ସେ କେବେ ବି ଜିତି ପାରି ନଥାନ୍ତା । ରାଗ ମୋର ପଂଚମକୁ ଉଠିଗଲା । ଯାହାକୁ ମୁଁ କେବେ ଆଖି ଉଠାଇ ଚାହିଁ ନଥିଲି, ତା ଉପରେ ହାତ ଉଠେଇଦେଲି ଆଉ ଖୁବ୍ ଗାଳି ଦେଇ କହିଲି-

 -"ତୁ ସିନା ମୋ ରକ୍ତର ହେଇଥିଲେ ମତେ ସମର୍ଥନ କରିଥାନ୍ତୁ, ତୁ ଟା କାଉ ବସାରେ କୋଇଲି । କାଉ କୋଇଲି କଣ କେବେ ଏକାଠି ରହନ୍ତି ? ଆଜିଠୁ ମୁଁ ତୋର ମୁହଁ ଦେଖିବାକୁ ଚାହେଁନା, ବାହାରି ଯା ମୋ ଘରୁ..." ।


ଦୀର୍ଘ ୧୫ ବର୍ଷର ସମ୍ପର୍କ ଗୋଟିଏ ମୁହୂର୍ତ୍ତରେ ଭାଙ୍ଗି ଚୁରମାର ହେଇଗଲା । ସେ କିଛି ନକହି ଚୁପ ଚାପ ଘରୁ ବାହାରି ଗଲା । ମୋ ସ୍ତ୍ରୀ ତାକୁ ଅଟକାଉଥିଲା, ହେଲେ ମୋ ଉଗ୍ର ରୂପ ଦେଖି ସେ ଚୁପ ରହିଲା । ରାତିରେ ସେ କୁଆଡେ ଗଲା ମୁଁ କିଛି ଖୋଜ ଖବର ନ ନେଇ ଶୋଇ ପଡିଲି । କାଲି ତାଡନାର ଆଜି ଏପରି ପ୍ରତିଫଳନ ଘଟିବ ବୋଲି ମୁଁ କେବେ ଆଶା କରି ନଥିଲି । ଲୋକେ କୁହା କୁହି ହେଉଥିଲେ-"ରାଜନୀତିର ଯୁପ କାଠରେ ଏ ନିରୀହ ପିଲାଟି ବଳି ପଡିଗଲା" ।


ଭିଡ଼କୁ ଠେଲି ଦୌଡ଼ି ଆସିଲେ ସାନଭାଇ ଓ ସାନବୋହୂ । ପୁଅର ଶବକୁ ଦେଖି ଢ଼ୋ କରି ମୁଣ୍ଡ ପିଟିଦେଲା ସାନ ବୋହୂ । ସାନ ଭାଇ ମୋ ପାଖକୁ ଆସି କହିଲା -" ଭଗବାନଙ୍କ ବିଚାର ଠିକ୍ ଥିଲା । ତମେ କାହିଁକି ବାପା ହେଇ ପାରୁ ନଥିଲ ମୁଁ ଆଜି ବୁଝୁଛି । ତମ ଭଳିଆ ଅମଣିଷ ବାପ ହେବାକୁ ଯୋଗ୍ୟ ନୁହଁ " ।


ମୋ ଆଖି ପାଟି ସବୁ କିଛି ବନ୍ଦ ହେଇଯାଇଥିଲା, ଖାଲି କାନକୁ ଶୁଭୁଥିଲା କ୍ରନ୍ଦନର ଧ୍ୱନି । ମା କପୋତୀ ପୁତ୍ରକୁ ହରାଇ ବାହୁନି ବାହୁନି କାନ୍ଦୁ ଥିବାର ଧ୍ୱନି-

"ସେରକ ପୁରିଲା,ମାଣକ ପୁରିଲା,

ଉଠରେ ପୁତା ଉଠ " । 



Rate this content
Log in

More oriya story from Abhiram Mandal

Similar oriya story from Tragedy