The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sanjeeb Kumar Nag

Tragedy Inspirational

3.7  

Sanjeeb Kumar Nag

Tragedy Inspirational

ଉପେକ୍ଷିତା

ଉପେକ୍ଷିତା

9 mins
233


ମହାକାଳ ଶୀତରାତ୍ରୀର ବୁକୁଫଟା ଶୀତର ପ୍ରକୋପରେ ନିର୍ଯ୍ୟାତିତ କ୍ଷୁଦ୍ର ଗୁଳ୍ମ ଓ ଲତା, ପ୍ରତ୍ୟୁଷର ଶିଶିର ବିନ୍ଦୁସମୂହର ବିକ୍ଷିପ୍ତ କଣ୍ଟକପୁଞ୍ଜର ଖୁଂମ୍ପାସମ ବେଦନାରେ ଘୁମୁରି ଘୁମୁରି ସୂର୍ଯ୍ୟକିରଣର ଉଷ୍ମତାପ୍ରାପ୍ତି ଆଶାରେ ସୂର୍ଯ୍ୟୋଦୟର ପ୍ରତୀକ୍ଷାରତ। ପାହାନ୍ତି ମୃଦୁମଳୟରେ ଉଲ୍ଲସିତ ଗଞ୍ଜାପଲ ରାଵଛାଡି ଆଳସୀ ପେଣ୍ଠି ପଲର ନିଦ୍ରାଭଙ୍ଗ କରିବାର ପ୍ରୟାସରତ। ରଜକାନ୍ତି ଏବେ ବି ରେଜେଇ ତଳେ ନିଦ୍ରାପାଇଁ ଅପେକ୍ଷାରତ। ରାତି ପାହି ଆସିଲାଣି, ହେଲେ ଏବେ ବି ସେ ଶୋଇନି। ଆଖିରେ ନିଦ ନାହିଁ। ତା ନିଜ ଭାଇ ଏମିତି କରିଛି। ଇଏ ସେଇ ଭାଇ ତ, ଯାହାକୁ ଛୋଟବେଳେ ସେ କାଖେଇ ଧରୁଥିଲା। କିଏ ତାକୁ କଣ କହିଲେ ଲୋକଙ୍କ ସହ ମାରପିଟ କରୁଥିଲା। କିଛି ବି ଭାବି ପାରୁନି ସେ। ଆଖି ଆଗରେ ଝଲସୀ ଉଠୁଛି ସମାଜ ବିରୁଦ୍ଧରେ ବିଦ୍ରୋହ ଉଦ୍ରେକକାରୀ, ତା ଜୀବନର ବିଗତ ଦିନର ଘଟଣା ସମୂହ।

ମନକାନ୍ତି ଓ ସୂର୍ଯ୍ୟକାନ୍ତି ପରେ ତୃତୀୟ ଗର୍ଭରୁ ରଜକାନ୍ତିକୁ ଜନ୍ମ ଦେଇଥିବାରୁ ତା ମା, ଶାଶୁ ବୁଢ଼ୀଠୁ ସହିଛି ଅକଥନୀୟ ଅତ୍ୟାଚାର। ବୁଢ଼ୀ ତା ପୁତ୍ରବଧୁ ଠାରୁ ଉତ୍ତରାଧିକାରୀ ପୁତ୍ରସନ୍ତାନଟିଏ ଆଶା କରୁଥିଲା କିନ୍ତୁ ଦଇବର ଇଛା ଆଗରେ କିଏ ବା ଜିତି ପାରିବ। ଏବେ ବି ଟିକେ ଟିକେ ମନେପକାଏ ସେ ତା ବାଲ୍ୟକାଳର କଥା। ଆଈ ବୁଢ଼ୀର ସେଇ ଗାଳି। "ପୋଡାମୁହିଁ ମୋ ପୁଅକୁ ଭିକାରୀ କରିବାକୁ ତିନିତିନିଟା ଝିଅ ଜନ୍ମ କରିଛୁ! ତୁ ମରିଯାଉନୁ କାହିଁକି? ମରିଗଲେ ଆଉ ଗୋଟେ ବୋହୁ ଆଣନ୍ତି ମୋ ପୁଅ ପାଇଁ।" ଏମିତି କେତେ କଥା।

ଚନ୍ଦ୍ରକାନ୍ତର ଜନ୍ମ ପରେ ଯାଇ ବୁଢ଼ୀ ଟିକେ ନରମିଥିଲା ତା ବୋହୁ ଉପରେ। ଚାରିଚାରିଟା ଛୁଆ ଜନ୍ମ କଲାପରେ ବି ବୁଢ଼ୀ ବାରଣ କରିଥିଲା ତା ବୋହୂକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ। ଏକପ୍ରକାର ଛୁଆଫୁଟା ଯନ୍ତ୍ର ପାଲଟି ଯାଇଥିଲା ବିଚାରୀ ଲକ୍ଷ୍ମୀପ୍ରିୟା। ଶେଷରେ ଆଉ ଏକ କନ୍ୟାସନ୍ତାନ ତେଜକାନ୍ତିର ଜନ୍ମପରେ ଅସ୍ତ୍ରୋପଚାର କରେଇ ଟିକିଏ ଆଶ୍ୱସ୍ତି ଲାଭକରିଥିଲା ସେ।

ବେଳେବେଳେ ତା ମାଆ ବି ରଜକୁ ଗାଳିକରି କହେ, "କାଳି ବିଲେଇ, ପାଠ ଦୁଇ ଅକ୍ଷର ଭଲକରି ପଢ଼, ନହେଲେ କିଏ ବାହାହେବ ତତେ? କୋଉଠୁ ବର ଖୋଜି ଆଣିବି ତୋ ପାଇଁ? କମ ସେ କମ ପାଠ ଶାଠ ପଡିଛି ବୋଲି ତ କିଏ ହେଲେ ନେବ!"


ବାପା ଯେବେ କିଛି ଖାଇବା ନେଇ ଘରକୁ ଆସନ୍ତି ପ୍ରଥମେ ଗୋଟେ ଭାଗ ଚନ୍ଦ୍ରକାନ୍ତ ପାଇଁ ରଖାଯାଏ ଓ ଅନ୍ୟଟିକୁ ଚାରି ଭଉଣୀଙ୍କୁ ବାଣ୍ଟି ଦିଆଯାଏ। ବଡଝିଅ ମନକାନ୍ତି ବାପାଙ୍କର ଗେଲ୍ହେଇ, ସାନଝିଅ ତେଜକାନ୍ତି ମାଆର ଗେଲ୍ହେଇ, ବଡମଝିଆ ସୂର୍ଯ୍ୟକାନ୍ତି ବୁଢ଼ୀର ଗେଲ୍ହେଇ। ଚନ୍ଦ୍ରକାନ୍ତ ତ ଏକୋଈରବଳା ବିଶିକେଶନ, ସମସ୍ତଙ୍କ ପ୍ରିୟ। ହେଲେ ରଜକାନ୍ତି କାହାର? ବିଚାରୀ ହତଭାଗିନୀ, ନିଜ କାମରେ ନିଜେ ସବୁବେଳେ ବ୍ୟସ୍ତ ରହେ। କେତେବେଳେ ମାଆକୁ ରୋଷେଇରେ ସାହାଯ୍ୟ କରେ, ତ କେତେବେଳେ ଝାଡୁମାରି ଘରଦୁଆର ସଫାକରେ। କେତେବେଳେ ବହିଧରି ପଢ଼ିବସେ, ତ କେତେବେଳେ ସାନଭଉଣୀ ତେଜକାନ୍ତି କୁ ପଢାଏ। 

ବଡ ଦୁଇଭଉଣୀ ପାଠ ପଢିଲା ବେଳେ ପରିବାରର ଖର୍ଚ୍ଚ ସେତେ ବେଶୀ ନଥିଲା। ସୁରୁଖୁରୁରେ ପଢିଲେ ଦୁଇଜଣ। ଏବେ ସବୁଛୁଆ ବଡ ବଡ ହେଇଗଲେଣି। ଖର୍ଚ୍ଚ ବଢି ଚାଲିଛି। ମନକାନ୍ତି ବାହାହେଇ ସାରିଲାଣି, ସୂର୍ଯ୍ୟକାନ୍ତିର ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ଚନ୍ଦ୍ରକାନ୍ତ ଏବେ ନୂଆ ନୂଆ କଲେଜ ଯାଉଛି, ତେଜକାନ୍ତି ଏଇବର୍ଷ ଦଶମ ପଢିବ। 

ସେଦିନବି ସେ ସବୁଦିନପରି କଲେଜରୁ ଫେରି ମାଆକୁ ଘରକାମରେ ସାହାଯ୍ୟ କରିଥିଲା। ଖାଇଲା ବେଳେ ଖାଲି ପଦୁଟିଏ କହିଲା କି ନାହିଁ, ବାପା ରାଗିଗଲେ ତା ଉପରେ। ଏମିତି କଣ କହିଲା ସେ! ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ପଥପ୍ରାନ୍ତ ନାଟକରେ ଅଭିନୟ କରିଥିବା କଥାତ କହିଥିଲା! ତାର ଅନ୍ୟ ସାଙ୍ଗମାନେ ଅଂଶଗ୍ରହଣ କରିଥିଲେ। କଲେଜ ତରଫରୁ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ଗ୍ରାମ ପରିଭ୍ରମଣ କରିଥିଲେ, ସ୍ଲୋଗାନ ଦେଇଥିଲେ, ଗୀତ ଗାଇଥିଲେ, ନାଚିଥିଲେ, ଅଭିନୟ କରିଥିଲେ।

ପ୍ରଥମ ଥର ବୋଧେ ବାପାଙ୍କ ଠାରୁ ଏତେ ଗାଳି ଶୁଣିଥିଲା ରଜ। ଯେତେ ଭୁଲିବାକୁ ଚେଷ୍ଟାକଲେ ବି ଭୁଲି ପାରୁନଥିଲା ସେ ବାପାଙ୍କ ରାଗ ତମତମ ଚେହେରା। ଆପେଆପେ ଆଖିକୋଣରୁ ଝରିପଡୁଥିଲା ଲୁହ। ଶେଷରେ କାନ୍ଦି କାନ୍ଦି କେତେବେଳେ ଯେ ତାର ଆଖିଲାଗିଗଲା ଜାଣିପାରିଲାଣି ସେ।

ନିଦ ପୁରିନଥିଲେ ବି ମାଆର ଗାଳିଶୁଣି ବିଛଣା ଛାଡିବାକୁ ବାଧ୍ୟହେଲା ରଜ। ନିତ୍ୟକର୍ମ ସାରି ମାଆକୁ ରୋଷେଇରେ ସାହାଯ୍ୟ କରୁକରୁ ସମୟ ନଅଟା ହେଇଗଲା। ତରତରରେ ବାହାରିପଡ଼ିଲା ସେ କଲେଜ ପାଇଁ।



ସାଙ୍ଗ ସାଥି ମେଳରେ କିଛି ସମୟ ପାଇଁ ମଜ୍ଜି ଗଲାପରେ ହଠାତ ବାପାଙ୍କ ସେଇ ରାଗ ତମ ତମ ଚେହେରା ଝଲସି ଉଠୁଥିଲା ରଜର ଆଖି ସାମନାରେ।

ସେଦିନ ସନ୍ଧ୍ୟାରେ ବାପାଙ୍କ ପାଟିରୁ "ରଜ" ଡାକଶୁଣି ଦୌଡ଼ିଆସିଲା ରଜ। ବାରଣ୍ଡାରେ ଚୌକି ପକେଇ ବସିଥାନ୍ତି ତା ବାପା। କିଛି ନକହି ଲକ୍ଷ୍ମୀକାନ୍ତ ପଲିଥିନର ବ୍ୟାଗଟିଏ ଧରେଇ ଦେଲେ ରଜ ହାତରେ। ରଜ ବ୍ୟାଗଟିକୁ ଧରି ଭିତରକୁ ଯାଇ ରଖିଦେଲା ଟେବୁଲ ଉପରେ। ଚୁପଚାପ କିଛି ସମୟ ବ୍ୟାଗଟିକୁ ନିରୀକ୍ଷଣ କଲାପରେ ବ୍ୟାଗ ଖୋଲି ଦେଖିଲା ସେ। ବାପା ଆଣିଥିବା ନୂଆ ଡ୍ରେସ ଦେଖି କାନ୍ଦିପକେଇଲା ରଜ। ମନେ ମନେ ଭାବୁଥିଲା, "ସକାଳୁ ତ ହାତରେ ଜମାରୁ ପଇସା ନାହିଁ ବୋଲି ମାଆକୁ କହୁଥିଲ, ମୋ ପାଇଁ ଡ୍ରେସ କାହିଁକି ଆଣିଲ ବାପା? ଆଉ କେତେ ଧାର କରଜ କରିବ ଆମ ପାଇଁ? ଆଉ କେତେ ବୋଝ ସହିବ ଆମ ପାଇଁ?

ସମୟ କାହାକୁ ଅପେକ୍ଷା କରେନି। ଦେଖୁ ଦେଖୁ ସୂର୍ଯ୍ୟକାନ୍ତିର ବାହା ସରିଯାଇଛି। ତେଜକାନ୍ତି କଲେଜ ଯାଉଛି। ଚନ୍ଦ୍ରକାନ୍ତ ବହୁ କଷ୍ଟରେ ଦୁଇ ଥରରେ ଯୁକ୍ତ ଦୁଇ ବିଜ୍ଞାନରେ ଥାର୍ଡ କ୍ଲାସରେ ପାସ କରିଛି। ରଜର ବି ଗ୍ରାଜୁଏସନ ସରିଯାଇଛି। କମ୍ପିଟେଟିଭ ଏକଜାମ ପାଇଁ ନିଜକୁ ପ୍ରସ୍ତୁତ କରୁଛି ରଜ। ଗାଇଡ଼ ବହିଟିଏ କିଣିଦେବା ପାଇଁ ଘରେ ପଇସା ନାହିଁ ହେଲେ ତା ଭାଇ ସାଙ୍ଗସାଥୀଙ୍କ ସହ ଦାରିଙ୍ଗିବାଡ଼ି ପିକନିକ ଯିବାପାଇଁ ଘରୁ ଦୁଇ ହଜାର ଟଙ୍କା ନେଇଛି। 

ଟ୍ୟୁସନ ହିଁ ଏକ ଭରସା। ଟ୍ୟୁସନ ଛୁଆ ପଇସା ଦେଲେ ଗାଇଡ଼ କିଣିବ। ଏଇଟା କିଛି ନୂଆ କଥା ନଥିଲା ରଜ ପାଇଁ। ଆଗରୁ ବି ଅନେକ ଥର, ଟ୍ୟୁସନ ପଇସାରେ କଲେଜ ଫିସ ଦେଇଛି, ପାଠ୍ୟ ପୁସ୍ତକ କିଣିଛି, ସାନ ଭଉଣୀ ତେଜ ପାଇଁ ବି ଖାତା କଲମ କିଣିଛି। ନିଜ ପାଇଁ ବି କିଣିବ।

ଇତିମଧ୍ୟରେ ରଜ ଅନେକ ଥର କମ୍ପିଟେଟିଭ ଏକଜାମ ଦେଇଛି ହେଲେ କୋଉଠି ସଫଳ ହେଇନି, ତଥାପି ସେ ପ୍ରୟାସ ଜାରି ରଖିଥାଏ। ପ୍ରତିଥର ପୂର୍ବାପେକ୍ଷା ଅଧିକ ପରିଶ୍ରମ କରୁଥାଏ। ତା ପରିବାରରେ ରଜ ଏକା ହିଁ ଗ୍ରାଜୁଏଟ। ମନକାନ୍ତି ମାଟ୍ରିକ ପାସ କରି ବର୍ଷେ ପରେ ବାହା ହେଇଯାଇଛି, ସୂର୍ଯ୍ୟକାନ୍ତି ଦ୍ୱାଦଶରେ ଫେଲ ହେଲାପରେ ଆଉ ପଢ଼ିନାହିଁ।

ଝିଅକୁ ଏକୋଇଶ ବର୍ଷ ହେଲାଣି ବର ଘର ଜୁଟୁନି। ବୟସ ଗଡି ଆସିଲାଣି। ବଡ ଝିଅ ଦୁଇଟି ଗୋରୀ ଥିଲେ, ସୁନ୍ଦରୀ ଥିଲେ, ସହଜରେ ଭଲ ବରପାତ୍ର ମିଳିଲା, ହେଲେ ରଜ ତ କାଳୀ। ଚାକିରୀ ଖଣ୍ଡିଏ ଯଦି ମିଳି ଯାଆନ୍ତା, ବରଘର ମିଳିବା ସହଜ ହେଇଯାଆନ୍ତା। ଗାଁ ଗହଳିର କଥାତ, ଅଠର ଭିତରେ ହିଁ ପାର ହେଇଯାଆନ୍ତି ଝିଅମାନେ, ଅତି ବେଶୀରେ କୋଡ଼ିଏ, କୋଡିଏ ଡେଇଁଲେ ବର ମିଳିବା କଷ୍ଟକର। ଏମିତି କେତେ ଚିନ୍ତାରେ ଦିନ କାଟୁଥାନ୍ତି ରଜର ବାପା ଓ ମାଆ। 

ରଜର ଦୁଇ ଭିଣୋଇ ଥଟ୍ଟାରେ କହନ୍ତି "ଶାଳୀ, କାଳୀ ହେଲେ କଣ ହେଲା, ବଡ ଦିଲଵାଲୀ"। ରଜ କିଛି କହେନି, ହେଲେ ସେଇ କାଳୀ ଶବ୍ଦଟା ତା କାନରେ ବାରମ୍ବାର ପ୍ରତିଧ୍ବନିତ ହୁଏ। ମନେ ମନେ ଭାବେ, "କାଳୀ ହେବାଟା କଣ ଏକ ଅଭିଶାପ"?

ବହୁ କଷ୍ଟରେ ପ୍ରସ୍ତାଵଟିଏ ଆସିଛି ରଜ ପାଇଁ। ପିଲା ମହିନ୍ଦ୍ର ଫାଇନାନ୍ସରେ କାମ କରୁଛି। ହେଳା ନକରି ପ୍ରସ୍ତାବରେ ରାଜି ହେଇଯିବା ଭଲ। ଏମିତି ଭାବି ତରବରରେ ଲକ୍ଷ୍ମୀକାନ୍ତ ବାବୁ ହଁ ଭରିଦେଲେ। ଅନିଚ୍ଛା ସତ୍ତ୍ୱେ ବିବାହ ପାଇଁ ରାଜିହେଲା ରଜ।

କେତେ ଯେ ଆଶା, କେତେ ଯେ ସ୍ବପ୍ନ ସଜେଇ କନିଆ ସାଜିଥିଲା ରଜ। ହେଲେ ଚଉଠି ରାତି ଦିନ ହିଁ ସବୁ ଫସର ଫାଟିଗଲା। କିଏ କଣ କେବେ ନବବିବାହିତା ସ୍ତ୍ରୀ ପାଖକୁ ମଦ ପିଇକି ଯାଏ! ଚଉଠି ରାତିରେ କଣ କୋଉ ବର ମଦରେ ମାତାଲ ହୋଇ ଏତେ ହିଂସ୍ର ହୁଏ? ସେଦିନ ରଜର କେବଳ କୁମାରୀତ୍ବ ନଷ୍ଟ ହେଇନଥିଲା, ନଷ୍ଟ ହେଇଥିଲା ତାର ଆତ୍ମସମ୍ମାନ, ଭାଙ୍ଗିଥିଲା ତାର କୋଟିଏ ସ୍ୱପ୍ନ। ସାରା ରାତି କାନ୍ଦିଛି ସେ, ସକାଳୁ ଉଠିବାକୁ ଶକ୍ତି ନାହିଁ। ଓଠ ଫାଟି ଯାଇଛି, ମୁଣ୍ଡକୁ ଛୁଇଁଲେ ଫାଟି ପଡୁଛି, ଛାତିର ରାମ୍ପୁଡା଼ ଦାଗ ଓ ଦାନ୍ତ କାମୁଡ଼ା ଚିହ୍ନ ଦେଖିଲେ ଲାଗୁଛି ସତେ ଯେପରି କୌଣସି ଏକ ଦାନବ ଦ୍ବାରା ସେ ବଳାତ୍କାରର ଶୀକାର ହେଇଛି। 

ସୂର୍ଯ୍ୟକାନ୍ତ ବାବୁ ସବୁଦିନ ଘରକୁ ଆସନ୍ତିନି। ସପ୍ତାହରେ ଦୁଇ ତିନିଦିନ ବାହାରେ ରହନ୍ତି । କୋଉଠି ରହନ୍ତି, କାହିଁକି ରହନ୍ତି କେଜାଣି? ପଚାରିଲେ ଫାଇନାନ୍ସ କମ୍ପାନୀର କାମ ଏମିତି, ଏଠିକି ସେଠିକି ଯିବାକୁ ପଡେ, କଲେକ୍ସନରେ ଯିବାକୁ ପଡେ, ମିଟିଂ କରିବାକୁ ପଡେ ଇତ୍ୟାଦି କଣ କଣ ଗୁଡ଼ାଏ କହିପକାନ୍ତି। କିନ୍ତୁ ଯୋଉଦିନ ବି ସେ ଘରେ ରହନ୍ତି ସକାଳ ଆଠଟାରୁ ବାହାରି ରାତି ନଅଟା ବେଳକୁ ଘରକୁ ଫେରନ୍ତି। ଦିନେ ଦିନେ ରାତି ଏଗାର ବାରଟା ବି ହୁଏ।

ସମୟ ଗଡିଚାଲେ। ସୂର୍ଯ୍ୟକାନ୍ତ ବାବୁଙ୍କ ବ୍ୟବହାର ଦିନକୁ ଦିନ ରୁକ୍ଷ ହେଇ ହେଇ ଚାଲେ। ଏବେ ରଜ ନିଜ ଘରେ ଜଣେ ଚାକରାଣୀ ଛଡା ଅଧିକ କିଛି ନୁହେଁ। କାହାକୁ କହିବ ସେ ମନର ବେଦନା। ମାକୁ କହିଲେ ତ ମା ସବୁବେଳେ ରଜକୁ ହିଁ ଦୋଷ ଦିଏ। ଏତେ ସୁନ୍ଦର ବର ଘର ପାଇଛୁ ନିଜ ଘର ନିଜ ହାତରେ ଭାଙ୍ଗନା ବୋଲି କହେ। ନିଜ ଭାଗ୍ୟକୁ ଆଦରି ବିଚାରୀ ସବୁ ସହିଯାଏ। 



ସେଦିନ ସନ୍ଧ୍ୟାରେ ସୂର୍ଯ୍ୟକାନ୍ତ ଇଆଡୁ ସିଆଡୁ ଯାହାତାହା କହି ବହୁତ ଗାଳି କଲେ ରଜକୁ। "ଏଠି କଣ ତୋତେ ଖାଇବାକୁ ମିଳୁନି? ଭୋକରେ ରହୁଛୁ? ଛିଣ୍ଡା ଲୁଗା ପିନ୍ଧୁଛୁ? ଚାକିରୀ କରିବାର କଣ ଆବଶ୍ୟକ ଅଛି?" ଏତିକି କହି ହାତରେ ଧରିଥିବା ନିଯୁକ୍ତି ପତ୍ରଟିକୁ ଫୋପାଡ଼ି ଦେଲେ ସେ ରଜ ଉପରକୁ। ଏତେ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଥିଲା, ଏତେଦିନର ପରିଶ୍ରମର ଫଳ ମିଳିବାକୁ ଯାଉଥିଲା, ହେଲେ...।

ରାତ ଗୟୀ ବାତ ଗୟୀ ବୋଲି ଯୋଉ କଥାଟିଏ ଅଛି, ସେଇଟା ସତ ପ୍ରମାଣିତ ହେଲା ସେଦିନ। କେଜାଣି କି ମନ୍ତ୍ର ଫୁଙ୍କିଲା ରଜର ଶାଶୁବୁଢ଼ୀ ତା ପୁଅର କାନରେ ଯେ, ଆରଦିନ ସକାଳୁ ନିଜେ ସୂର୍ଯ୍ୟକାନ୍ତ ବାବୁ ରଜକୁ ନେଇକି କାର୍ଯ୍ୟରେ ଯୋଗଦାନ କରେଇଛନ୍ତି କେସିଙ୍ଗା ତହସିଲ କାର୍ଯ୍ୟାଳୟରେ। ସେଦିନ କାର୍ଯ୍ୟରେ ଯୋଗଦେଲା ପରେ ପରେ ଦଳେ ଲୋକ ଆସି ତହସିଲ ଅଫିସ ସାମନାରେ ଧାରଣାରେ ବସିଲେ। କେସିଙ୍ଗା ନିର୍ବାଚନ ମଣ୍ଡଳୀର ପୁନଃସ୍ଥାପନ ପାଇଁ ସେଦିନ ଷ୍ଟ୍ରାଇକ ଥିଲା। ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ସେଦିନ ବାଧ୍ୟ କରାଯାଉଥିଲା। ଏଇ ଅବସରରେ ଚାକିରୀରେ ଯୋଗଦାନର ଖୁସି ବାଣ୍ଟିବା ନିମନ୍ତେ ଏକ ସୁନ୍ଦର ଅବସର ମିଳିଗଲା ରଜକୁ। କାରଣ ସେଦିନ ତହସିଲ କାର୍ଯ୍ୟାଳୟ ବନ୍ଦ କରିବାକୁ ପଡିଲା। ମନେ ମନେ ଭାବୁଥିଲା, ସୁନ୍ଦର ଫେନ୍ସି ଷ୍ଟୋର ସାମନାରେ ଥିବା ବିକାନେର ସୁଇଟ୍ସରୁ ମିଠା ନେଇକି ଯିବ, ଘରେ ବାଣ୍ଟିବ। ପଡ଼ୋଶୀଙ୍କୁ ଖୁସିରେ ମିଠା ଦେଇ କହିବ, ମୁଁ ଆଜି ତହସିଲ ଅଫିସରେ ଜୁନିଅର କ୍ଲର୍କ ପୋଷ୍ଟରେ ଜଏନ କଲି। ଏମିତି କେତେ କଣ ଭାବୁଥାଏ ରଜ। କିନ୍ତୁ ଦଇବର ବିଚିତ୍ର ଖେଳ। ଠିକ କେସିଙ୍ଗା ବ୍ଲକ ଅଫିସ ସାମନାରେ କୋଉଠି ଥିଲା ଏକ ମାଙ୍କଡ଼ ଡେଇଁ ପଡିଲା ବାଇକ ଉପରକୁ। ଦୁହେଁ ଦୁଇ ପଟକୁ ଛିଟିକି ପଡିଲେ।

ହୋସ ଆସିଲା ବେଳକୁ ରଜ ଥିଲା ହସ୍ପିଟାଲରେ। ଆଖି ଖୋଲୁ ଖୋଲୁ ସାମନାରେ ଥିଲା ତା ମାଆ। ମୁଣ୍ଡରେ ୫ ଟି ଟିଚ ଲାଗିଥିଲା। ଉଠିକି ପଚାରିବାକୁ ଚାହୁଁଥିଲା ସେ ତା ସ୍ବାମୀର ଅବସ୍ଥା ବିଷୟରେ, କିନ୍ତୁ ଶକ୍ତି ନଥିଲା, ପାଟି ଫିଟୁ ନଥିଲା। ପାଖରେ ଥିବା ତା ମାଆ ଖାଲି କାନ୍ଦୁଥିଲା କିଛି କହୁନଥିଲା। ବହୁ କଷ୍ଟରେ ଧୀରେ ଧୀରେ ସେ ପଚାରିଥିଲା ସୂର୍ଯ୍ୟକାନ୍ତର କଥା। କିନ୍ତୁ ଏତକ ପଚାରିବା ମାତ୍ରେ ସକେଇ ସକେଇ କାନ୍ଦୁଥିବା ତା ମାଆ ଭୋ ଭୋ ହେଇ କାନ୍ଦି ପକେଇଲା।ଚାରିଆଡେ ଥରେ ନଜର ବୁଲେଇ ଆଣିଲା ପରେ ଅନୁମାନ କଲା ଯେ, ତା ପାଖରେ ତା ମାଆ ଛଡା ଆଉ କେହିନଥିଲେ। ରଜ ସେଦିନ ତା ମାଆର ଆଖିରୁ ହିଁ ବୁଝିଯାଇଥିଲା ଯେ ସୂର୍ଯ୍ୟକାନ୍ତ ଆଉ ନାହିଁ।


ରଜ ଶେଷଥର ପାଇଁ ବି ତା ସ୍ୱାମୀକୁ ଦେଖିପାରିଲାନି। ସେଦିନ ସେ ହସ୍ପିଟାଲରେ ଥିଲାବେଳେ ହିଁ ପୋଲିସ ଆସି ସୁର୍ଯ୍ୟକାନ୍ତର ଶବକୁ ବେଦାନ୍ତର ବକ୍ସାଇଟ ବୁହା ଟ୍ରକର ଚକତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା।

ଇତି ମଧ୍ୟରେ ପ୍ରାୟ ଅଢେଇ ବର୍ଷ ବିତିଯାଇଛି। ରଜ ଆଉ ଶାଶୁଘରେ ରହୁନି। ମା, ବାପାଙ୍କ ପାଖରେ ରହୁଛି। ଅଲକ୍ଷଣୀ ଘଇଁତା ଖାଇ ବୋଲି କହି ତା ଶାଶୁଘର ଲୋକେ ତାକୁ ଘରୁ ତଡି ଦେଇଛନ୍ତି। ଘରର ସମସ୍ତ ଦାୟୀତ୍ବ ଏବେ ତା ମୁଣ୍ଡରେ। 

ସମୟ ଗଡିଚାଲିଛି। ରଜର ସବୁ ଭାଇଭଉଣୀଙ୍କ ବିବାହ ସରି ଯାଇଛି। ବାପା ମାଙ୍କ ବାର୍ଦ୍ଧକ୍ୟ ସମୟ ଆସିଯାଇଛି। ଚନ୍ଦ୍ରକାନ୍ତ ଏବେ ବି ବେକାରୀ ହେଇ ରହିଛି। ଦୁଇ ସନ୍ତାନର ପିତା ହୋଇ ବି ତାର କିଛି ଚିନ୍ତା ନାହିଁ। ନା ଘରର ଚିନ୍ତା, ନା ପରିବାରର ଚିନ୍ତା। ସକାଳୁ ଉଠି ଜଳଖିଆ ସାରି ବାବୁ ବୁଲି ବାହାରନ୍ତି ଯେ ଠିକ ମଧ୍ୟାହ୍ନ ଭୋଜନ ବେଳକୁ ଘରକୁ ଫେରନ୍ତି। କିଛି ସମୟ ଟିଭି ଦେଖିଲା ପରେ ଆରାମରେ ବିଶ୍ରାମ ନିଅନ୍ତି, ତାପରେ ପୁଣି ଘରୁ ବାହାରି ଯାଆନ୍ତି। ଫେରିଲା ବେଳକୁ ରାତି ନଅଟା। ଆଗରୁ ରଜକୁ ନେବା ଆଣିବା କରୁଥିଲା କିନ୍ତୁ ବିବାହ ପରେ ନିଜର ବାଇକ ଆସିଯାଇଥିବାରୁ ରଜର ସ୍କୁଟିର ଆଉ ଆବଶ୍ୟକତା ନାହିଁ । ଖାଲି ଦୁଇ ତିନି ଦିନରେ ଥରେ ପେଟ୍ରୋଲ ପାଇଁ ହାତ ବଢ଼େଇବାକୁ ପଡେ ରଜ ପାଖରେ। ଦୋକାନଟିଏ ବି କରିଦେଇଥିଲା ରଜ ତାର ପାଇଁ, ହେଲେ ବାପଧନ ଗୋଟିଏ ଜାଗାରେ ସ୍ଥିର ହେଇ ରହି ପାରିଲେ ତ ଦୋକାନ ଚଳେଇବେ! ତା ସ୍ତ୍ରୀ ଚନ୍ଦ୍ରକାନ୍ତି କଥା ନକହିଲେ ଭଲ। ସକାଳୁ ସଞ୍ଜ ଯାଏ ସଜବାଜ ହେବା ଛଡା ଆଉ କିଛି କାମ ନଥାଏ ତାର। ଘରଖର୍ଚ୍ଚ, ବୁଢ଼ାବୁଢ଼ୀର ଔଷଧ, ଛୁଆଙ୍କ ଟ୍ୟୁସନ ସବୁ ଖର୍ଚ୍ଚ ରଜ ହିଁ ବହନ କରେ। ତଥାପି ସେ ସମସ୍ତଙ୍କ ଦ୍ୱାରା ଉପେକ୍ଷିତା। କେହି କେବେ ତାକୁ ପଚାରନ୍ତି ନାହିଁ ଯେ, ସେ କେମିତି ଅଛି? ତାର କଣ ଆବଶ୍ୟକ? ସେ କଣ ଚାହୁଁଛି? 

ଆଜିବି କେବେ କେବେ ରଜ ଭାବେ, ସେ ପୁନଃର୍ବିବାହ ନକରି ଭୂଲ କରିନି ତ? ତା'ଠୁ ବୟସରେ ଦୁଇଗୁଣ ବଡ଼ ବ୍ୟକ୍ତି ହେଇଥିଲେ କଣ ହେଲା, ବିବାହ ପ୍ରସ୍ତାବ ତ ଆସିଥିଲା। ବିଧବାଟିଏ କୁ ଆଉ କିଭଳି ବର ମିଳିଥାନ୍ତା କି! ଚାରିଟା ଛୁଆର ବାପା ହେଇଥିଲେ କଣ ହେଲା, ଘରତ ବସିଯାଇଥାନ୍ତା! ଆଜି ଏଇ ଜୀବନଟା ନିସଙ୍ଗ ତ ଲାଗୁନଥାନ୍ତା। ପୁଣି କେବେ କେବେ ଭାବେ ଅଫିସରେ ତା ପାଖ ଟେବୁଲରେ ବସୁଥିବା ମନୋଜ ସାର ବି ତ ଦିନେ ପ୍ରେମ ନିବେଦନ କରିଥିଲେ। ବିବାହ କରିବାର ପ୍ରତିଶୃତି ବି ଦେଇଥିଲେ। ବୟସର ବେଶୀ ତାରତମ୍ୟ ବି ନଥିଲା, ପାଖାପାଖି ଦଶ ବାର ବର୍ଷ ବଡ ହେଇଥିବେ। ତାଙ୍କର ସ୍ତ୍ରୀ ବି ଦୁର୍ଘଟଣାରେ ପ୍ରାଣ ହରେଇଥିଲେ। ଦୁହେଁ ଦୁହିଁଙ୍କ ଜଖମରେ ମଲମ ହେଇପାରିଥାନ୍ତେ। ତାଙ୍କୁ ବି ସେ ମନାକରିଦେଇଥିଲା।

ଘର ଅଗଣାରେ ଗୋଟେ ମୃତ କୁକୁଡ଼ା ଚିଆଁକୁ ଖୁମ୍ପି ଖୁମ୍ପି ଛିନଭିନ କରୁଛନ୍ତି ଏକାସାଙ୍ଗରେ ସେଇ ଗୋଟିଏ କୁକୁଡାର ଅଣ୍ଡାରୁ ବାହାରିଥିବା ଅନ୍ୟ ଚାରିଟି ଚିଆଁ। ତିନିଚାରି ମାସର ଅସୁସ୍ଥତା ଯୋଗୁଁ ଦୁର୍ବଳ ହେଇଯାଇଥିବା ରଜ ବାରଣ୍ଡାରେ ଚେୟାର ପକେଇ ଗୁମସୁମ ବସି ଏକଲୟରେ ନିରୀକ୍ଷଣ କରୁଛି ସେଇ ହୃଦୟ ବିଦାରକ ଦୃଶ୍ୟକୁ। ମନେ ମନେ ଭାବୁଛି, ତମେମାନେ ମଣିଷଙ୍କ ପରି ବିବେକ କାହିଁକି ପାଇଲନି? ପାଇଥିଲେ ଏମିତି ଗୋଟେ ମୃତ ଶରୀରକୁ ମନୋରଞ୍ଜନର ସାମଗ୍ରୀ ଭାବି ଖେଳି ନଥାନ୍ତ! ଇଏ ଆମର ଜଣେ ଭାଇ କି ଭଉଣୀ ବୋଲି ଜାଣିପାରିଥାନ୍ତ। ଠିକ ଏତିକିବେଳେ କେସିଙ୍ଗାରୁ ଫେରିଛି ଚନ୍ଦ୍ରକାନ୍ତ, ସାଙ୍ଗରେ ନେଇ ଆସିଛି ଅଞ୍ଚଳର ଜଣାଶୁଣା ଏଲ.ଆଇ.ସି ଏଜେଣ୍ଟ ରଥ ସାରଙ୍କୁ। ରଜ ପ୍ରକୃତିସ୍ଥ ହେଇ ପାଖରେ ଥିବା ଖଟରେ ନିଜେ ବସି ରଥ ସାରଙ୍କୁ ଚେୟାର ଦେଇଛି ବସିବା ପାଇଁ। ରଥ ସାର ଓ ଚନ୍ଦ୍ରକାନ୍ତ ଉଭୟେ ପାଖରେ ବସି କିଛି ସମୟ ରଜ ସହିତ ଭଲମନ୍ଦ କଥାବାର୍ତ୍ତା ହେଲାପରେ ଜୀବନ ବୀମା କରିବା ଲାଗି ତାକୁ ପ୍ରବର୍ତ୍ତାଇଛନ୍ତି। ଚନ୍ଦ୍ରକାନ୍ତ ପ୍ରଥମ ଥର ପାଇଁ ଏତେ ସ୍ନେହରେ କଥା ହେଇଛି, ପାଖରେ ବସି ସ୍ବାସ୍ଥ୍ୟ କଥା ପଚାରିଛି; ମନାକରିପାରିଲାନି ସେ। ପଲିସି ବିଷୟରେ କିଛି ନବୁଝି ନପଚାରି ଦସ୍ତଖତ କରିଦେଲା ରଜ। ରଥାସାର ଚା ପିଇ ବିଦାୟ ନେଲେ। କେସିଙ୍ଗା ହସ୍ପିଟାଲରୁ ଆଣିଥିବା ରଜର ମେଡିକାଲ ଟେଷ୍ଟ ରିପୋର୍ଟ ଚେୟାର ଉପରେ ରଖିଦେଇ ଚନ୍ଦ୍ରକାନ୍ତ ବି ବାଇକ ଧରି ବାହାରିଗଲା ରଥ ସାରଙ୍କ ପଛେ ପଛେ।

ଲଫାପା ଭିତରୁ ରିପୋର୍ଟ କାଢି ଦେଖୁ ଦେଖୁ ହାତଗୋଡ ଜଡ ପାଲଟିଗଲା ରଜର। ତାକୁ କ୍ୟାନସର ହେଇଛି! ବ୍ଲଡ଼ କ୍ୟାନସର! ଆଉ ଅଳ୍ପ ସମୟ ଅଛି ତା ପାଖରେ। ଏଥର ଠିକ ଠିକ ବୁଝିପାରୁଥିଲା ସେ, ଯେ ରଥ ସାର କାହିଁକି ଆସିଥିଲେ ତା ପାଖକୁ, ଚନ୍ଦ୍ରକାନ୍ତ କାହିଁକି ଆଣିଥିଲା ତାଙ୍କୁ! 

ଯୋଉ ପରିବାର ପାଇଁ ସେ ନିଜ ସ୍ୱାର୍ଥକୁ ବଳି ଦେଇଛି, ଯୋଉ ଭାଇର ଘର ସଜାଡ଼ିବାକୁ ଯାଇ ନିଜ କଥା ଭୁଲି ଯାଇଛି, ଆଜି ସେଇ ଭାଇ ଏତେ ସ୍ୱାର୍ଥପର ପାଲଟି ଯାଇଛି। ଭଉଣୀର ରୋଗ ଜାଣି ଦୁଃଖରେ କଣ ଆସିବ, ଏଲ.ଆଇ.ସି ଏଜେଣ୍ଟକୁ ଧରି ଘରକୁ ଆସିଛି। ପାଖରେ ବସି ଆଶ୍ୱାସନା କଣ ଦେବ, ଦସ୍ତଖତ ନେଇ ଚାଲିଯାଇଛି। ଅଭାଗିନୀ ରଜ ସେଦିନ ରାତିରେ ନଖାଇ ବିଛଣାରେ ଗଡିଛି। ସାରାରାତି ଅନିଦ୍ରା ରହିଲା ପରେ ଭୋର ସକାଳୁ ସକାଳୁ ଆଖି ଟିକିଏ ଟିକିଏ ଲାଗି ଆସୁଛି। ଠିକ ଏତିକିବେଳକୁ ଚନ୍ଦ୍ରକାନ୍ତର ସାନପୁଅ ଆସି କହୁଛି, "ପିଉସୀ, ପିଉସୀ, ଉଠ। ମୋତେ ସୁ ସୁ ଲାଗୁଛି।"


Rate this content
Log in

More oriya story from Sanjeeb Kumar Nag

Similar oriya story from Tragedy