ଟପ୍ ଟପ୍
ଟପ୍ ଟପ୍
ଜୀବନ କେତେ ବେଳେ ପୁଷ୍ପଭରା ପଥ କେବେ ପୁଣି କଣ୍ଟକିତ l ପିଲା ଟି ଦିନରୁ ସଂଘର୍ଷ ହୋଇଥିଲା ଚୀର ସହଚର l ତଥାପି ମୁଁ ସ୍ଥିର, ଅଟଳ ଏବଂ ଦୃଢ଼ମନା ଜୀବନର ପ୍ରତିକୂଳ ପରିସ୍ଥିତିରେ l ହୋଇପାରେ ମୋର କର୍ତ୍ତବ୍ୟ ର ଆହ୍ୱାନ ତଥା ସମୟ ର ନିର୍ଦ୍ଦେଶ, ମୁଁ ଯୁକ୍ତ ତିନି ପରେ ଏକ ଘରୋଇ କମ୍ପାନୀ ରେ ନିଯୁକ୍ତ ହେଲି l ତାହା ଥିଲା ମୋ ଜନ୍ମ ମାଟି ଠାରୁ ଦୂର ଅନ୍ଦ୍ରାପ୍ରଦେଶ ରେ l କମ୍ପାନୀ ତରଫରୁ ରହିବା ଖାଇବା ବ୍ୟବସ୍ଥା ହୋଇଥିଲା l ରହିବା ପାଇଁ ସହର ର ସମୁଦ୍ର କୂଳରେ ଥିବା ଏକ ଆପାର୍ଟମେଣ୍ଟ ରେ l ଆମ ରୁମ ରେ ପ୍ରାୟ ଆମେ ଦଶ ଜଣ ରହୁଥିଲୁ l କାହାର ଡେ ସିଫ୍ଟ ଥାଏ ତ କାହାର ନାଇଟ ସିଫ୍ଟ ରହୁଥାଏ l ବେଶ କିଛି ଦିନ ଭଲରେ ବିତିଲା l ଯେଉଁ ଦିନ ବିହାର ର ବନ୍ଧୁ ଟି ନିଜର ଠାକୁର ଫୋଟ ନେଇ ରୁମ ଛାଡି ଚାଲିଗଲେ ନିଜ ରାଜ୍ୟ କୁ ଘରେ ଆରମ୍ଭ ହୋଇଗଲା ଭୌତିକ କାଣ୍ଡ l
ସେ ଦିନ ମୁଁ ଓ ଆଉଜଣେ ସହକର୍ମୀ ଥିଲୁ ରୁମ ରେ l ଶୋଇବା ର ମାତ୍ର କିଛି କ୍ଷଣ ପରେ ହଠାତ ରୋଷେଇ ଘରର ଟେପ ଟି ଖୋଲି ପାଣି ରଝ ରଝ ଗଲା ପରି ଶୁଭିଲା l ଦୁଇ ସାଙ୍ଗ ଯାଇ ଦେଖିଲୁ ଘଟଣା ଟି ସତ l ବନ୍ଦ କରି ଆସି ଶୋଇଛୁ, ନିଦ ଆସିନି ଆଖିକୁ ପୁଣି ଶୁଭିଲା "ଟପ୍... ଟପ୍..."l ଆଉ ନିଦ ହେଲା ନାହିଁ ଦୁଇ ଜଣ ଙ୍କୁ l ଆମ ପାଖରେ ଥିବା ରୁମରେ କିଛି ମୁସଲମାନ ଭାଇମାନେ ରହୁଥିଲେ l ତାଙ୍କୁ ଯାଇ ସାହାଯ୍ୟ ମାଗିଲୁ l ସେ ତାବିଜ ପାଣି ଏପରି କଣ କଣ ତୋଟକା ମାନ କଲେ ଟିକେ ଆଶ୍ବସ୍ତି ଲଭିଲୁ l ଆମେ ସେଠି ନୂଆଁ, ଭାଷା ଜାଣିନୁ କରିବୁ କଣ କମ୍ପନୀରେ ମୁଖ୍ୟ ଙ୍କୁ ଜଣାଇଲୁ l ସେହି ଘର ଏକ ଭୂତୀୟା ଘର, ଆମେ ସେଠି ରହିବୁନି l କିନ୍ତୁ ସେ ଆମ କଥା ଶୁଣିବାକୁ ନାରାଜ l
ପୂର୍ବରୁ ମୁଁ ଭାରି ଦାମ୍ଭିକ ଥିଲି l କୌଣସି ସ୍ଥିତି ରେ ବି ଭୟ କରେନି ଏବେ କିନ୍ତୁ ଭୟ ଘର କରିସାରିଥିଲା ମୋ ମନରେ l ରାତି ଯେବେ ଅନ୍ଧକାର ର ଚାଦର ଓଢ଼ୀ ହୁଏ ମୋ ମନ ବି ଭୟ ର ଚାଦର ତଳେ ଖୁବ ଛଟପଟ ହୁଏ l ପୂର୍ଵ ଦିନ ସମସ୍ତ ଘଟଣା ପୁ
ନର୍ବାର ଘଟେ l ଆହୁରି ସେ ଦିନ ଆମେ ଦେଖିଲୁ ଏକ କଅଁଳ ଶିଶୁର ଛାଇ ସିଡ଼ି ରାସ୍ତା ରେ l ସବୁଦିନେ କଣ କାହାର ସାହାଯ୍ୟ ନେବୁl ଭଗବାନ ଙ୍କ ଆଶ୍ରିବାଦ ରୁ ମୁଁ ଜଣେ ଭଲ ଚିତ୍ରକର l ତେଣୁ ସେ ବାଲକୋନୀ ରେ ଥିବା ଏକ ବୋର୍ଡ ରେ ଆଙ୍କି ଦେଲି ମା ଦୁର୍ଗତି ନାଶିନୀ ଦୁର୍ଗା ଙ୍କର ପ୍ରତିଛବି l ସେହି ଦିନଠାରୁ ଆମେ ଟିକିଏ ଆଶ୍ୱସ୍ତ ରେ ଶୋଇଲୁ l
ତାପରେ ମୁଁ ଚାଲିଆସିଥିଲି ଦଶହରା ଛୁଟିରେ ଗାଁ କୁ l ପୁଣି ଫେରିଲା ପରେ ଆରମ୍ଭ ହେଲା ସମ ଦଶା l ସେ ଅଶରୀରୀ ମୋ ଉପରେ ହିଁ କାହିଁକି କ୍ରୋଧ ଥିଲା ପରି ଲାଗିଲା ଯେତେ ବେଳେ ଆମେ ଚାରିବନ୍ଧୁ ଶୋଇଥିଲୁ ଆଉ ସେ ମୋ ତଣ୍ଟି କୁ ଚିପି ଧରିଲା l ମୁଁ ଆର୍ତ୍ତ ଚିତ୍କାର କଲି l ସମସ୍ତେ ଉଠି ଲାଇଟ ଲଗାଇଲେ l ମୁଁ ଶୋଇବା ଜାଗାରୁ ସାତ ହାତ ଦୂରରେ ପଡ଼ିଥିଲି l କାରଣ ଗାଁ କୁ ଯାଇଥିବା ସମୟରେ ମୋର ଜଣେ ବନ୍ଧୁ ସେଇ ଜୀବନ୍ତ ପ୍ରତିଛବି ଦେଖି ଡରିଯାଇଥିଲେ l ତାପରେ ଆମ ରୁମ ରେ ରହୁଥିବା ଜଣେ ଭାଇ ପାଖ ଆଖରେ ବୁଝିବା ପାଇଁ ତାଙ୍କରି ଜଣେ ବନ୍ଧୁ କୁ କହିଲେ l ସେ ବୁଝି ଆମକୁ ସେ ଅଭିଶପ୍ତ ଘର ବିଷୟରେ କହିଲେ l
ବହୁ ବର୍ଷ ପୂର୍ବେ ସେ ଘରେ ଜଣେ ମା ଆଉ ତିନି ବର୍ଷ ର ଛୁଆ ରହୁଥିଲେ l ସେହି ବୋର୍ଡ ଟିରେ ସେଇ ମା ଟି ତା ଛୁଆକୁ ପଢ଼ାଏ l ପିଲାଟି ସେଦିନ ବାଥରୁମ ରେ ପାଣିରେ ଖେଳିଲା ତାପରେ ବାଲକୋନୀ ରେ ଆସିବାବେଳେ ଭାରସମ୍ୟ ହରାଇ ତଳେ ପଡିଗଲା ଏବଂ ମୃତ୍ୟୁ ବରଣ କଲା l ତାର କିଛି ଦିନ ପରେ ମା ମଧ୍ୟ ଏହି କଷ୍ଟ କୁ ସହିନପାରି ଆତ୍ମହତ୍ୟା କଲା l ତା ପରଠୁଁ ସେଠି କିଏ ରହୁନଥିଲେ l କିନ୍ତୁ କମ୍ପାନୀ କମ ଘର ଭଡା ରେ ମିଳୁଥିବାରୁ ତାକୁ ଆମ ମାନଙ୍କ ପାଇଁ ବ୍ୟବସ୍ଥିତ କରିଥିଲା l ସେ ଯାହା ହେଉ ଏହି ଘଟଣା ପ୍ରବାହ ମୋ ଜୀବନ କୁ ବହୁତ ପ୍ରଭାବିତ କଲା l ସୁଦୃଢ ମନ କୁ ଭୟାଳୁ କରିଦେଲା କାରଣ ଏକାନ୍ତ ଅନ୍ଧାର ମନେ ପକେଇଦିଏ ସେ ସମୟର ସେହି ଅଜଣା ଶକ୍ତି ସହ ସଂଘର୍ଷ ଆଉ ସେଇ ଶବ୍ଦ, "ଟପ୍.. ଟପ୍..."।