ଟମି
ଟମି
ଆଲୋ ବିନୁ, ଗଲୁ ଟମି ପାଇଁ କିଛି ଖାଇବାକୁ ଦେଇ ଆସିବୁ । ସକାଳେ କିଛି କ୍ଷୀର ଓ ରୁଟି ଦେଇ ଥିଲି । ଏ ଯାଏ ଖାଇନି ସେ । କୁଆଡେ ଗଲା କେଜାଣି ! ସବୁ ବେଳେ ତ ଦୁଆର ମୁହଁ ରେ କାଠ ଗଡ଼ ପରି ପଡ଼ି ଥାଏ । ଲୋକ ବାକ ଆସିଲେ ବି ଜାଣି ପାରେନି।ହେଲେ କାଲି ଠୁ ଗଲା କୁଆଡେ ? ଅନ୍ୟ କୁକୁର ମାନଙ୍କ ସହିତ ଆଜି କୁଆଡେ଼ ଯାଇନି ତ! ଗଲୁ ଦେଖିକି ଆସିବୁ । ଆସିଥିଲେ ଭାତ ଗଣ୍ଡେ ଦେଇ ଦେବୁ ।
କଳା ମଚମଚ କୁକୁର ଟିଏ ।ବାଘ ପରି ହୋଇ ଥାଏ । ହେଲେ ବିଦେଶୀ କୁକୁର ନୁହେଁ । ଆମ ଖଳା ର ପାଳ ଗଦା ରେ କୁତୀ ଟିଏ ପାଞ୍ଚ ଟା ଛୁଆ ଜନ୍ମ ଦେଇଥିଲା । ସଉକ ରେ ସାନ ଭାଇ ଟା ସେଥିରୁ ଗୋଟିଏ ଆଣିଥିଲା ଗୁଳୁଗୁଳିଆ କଳା ମଚମଚ । ସବୁବେଳେ ଦେହ ଟା ଚିକ୍ ଚିକ୍ କରୁଥାଏ। ଯୁଆଡେ ଗଲେ ପଛେ ପଛେ ଗୋଡ଼ାଇ ଥାଏ । ଦେହରେ ଘଷି ହୁଏ । ଆଗ ପଛ ହୋଇ ଲାଞ୍ଜ କୁ ହଲାଉ ଥାଏ । ଯେମିତି ସେ କିଛି କହିବାକୁ ଚାହୁଁଛି । କହି ପାରେନି ସିନା ସବୁ ଵୁଝେ ।ଏବେ ସେ ଦୁଇ ବର୍ଷ ର ହେଲାଣି । ଖାଇ ପିଇ ମୋଟା ସୋଟା ହୋଇ ଥାଏ । ଅନ୍ୟ କୁକୁର ମାନଙ୍କ ସହିତ ଗଣ୍ଡଗୋଳ କରିବା ତାର ପ୍ରକୃତି ନୁହେଁ । ତା ପେଟ ଭଲ ତ ସେ ଭଲ । ଗାଈ ଚରୁଆ ସାଙ୍ଗରେ ବେଳେ ବେଳେ ବାହାରକୁ ଯାଏ ।ଜେଜେ ଙ୍କ ସାଙ୍ଗରେ ଦିନେ ଦିନେ କ୍ଷେତ କୁ ବି ଯାଏ । ହିଡ ମୁଣ୍ଡରେ ବସେ । ଭୋକ ହେଲେ ଖାଇବା ସମୟରେ ଘରକୁ ଚାଲି ଆସେ । ଚାକୁ ଚାକୁ କରି ପେଟେ ପଖାଳ ତୋରାଣି ଖାଇ ଦେଇ ସେମିତି ଦୁଆର ମୁହଁ ରେ ପଡ଼ି ରହେ । ଯିଏ ଆସିଲେ ବି ଇଞ୍ଚେ ବି ଘୁଞ୍ଚିବ ନି । ଜଳ ଜଳ କରି ଚାହିଁ ଥିବ ଖାଲି । ହୁସ୍ ହାସ୍ କଲେ ବି ତାକୁ ଫରକ ପଡେନି । ଘର ର ସଦସ୍ୟ ଟିଏ । କାଲି ଠୁ କୁଆଡେ ଗଲା । ଘରେ ଭାଳେଣି ପଡ଼ିଛି ।
ମୁଁ ସେତେ ବେଳେ ହାଇ ସ୍କୁଲ୍ ରେ ପଢୁଥାଏ । ସେ ଦିନ ରବିବାର ଥିବାରୁ ମୁଁ ଘରେ ଥାଏ । ଦାଣ୍ଡ କୁ ଯାଇ ଦେଖି ଆସିଲି । ଶୋଇବା ଜାଗାରେ ଟମି ନାହିଁ । ରସ ବେଲା ରେ କାଲି ସନ୍ଧ୍ୟା ବେଳୁ ଦିଆ ହେଇ ଥିବା ଭାତ ସେମିତି ଅନ୍ୟ କୋଉ କୁକୁର ଖାଉ ଥିବାର ବୋଉ ଦେଖିଲେ । ସକାଳୁ ଜେଜି ଦେଇ ଥିବା କ୍ଷୀର ରୁଟି ସେମିତି ରହିଛି । ଗୁଡ଼ାଏ ପିମ୍ପୁଡ଼ି ଧାଡ଼ି ବାନ୍ଧି ଥିବାର ଦେଖି ଆସିଲି । ଆସି କି ଜେଜି ଙ୍କୁ କହିଲି ,"ନା ତ, ଟମି ର କ୍ଷୀର ରୁଟି ଯେମିତି କି ସେମିତି ରହିଛି । ଦାଣ୍ଡରେ ବି ତା ଶୋଇବା ଜାଗାରେ ସେ ନାହିଁ । "
ସମସ୍ତେ ସମସ୍ତ ଙ୍କୁ ପଚରା ପଚରି ହେଲୁ । କିଏ କହିଲା କାଲି ତ ଥିଲା ।କିଏ କହିଲା କାଲି ଠୁ ତ ଦେଖା ଯାଉନି । ସାନ ଭାଇ ଶରତ କହିଲା "" କାଲି ଲାଲମଣି ସହିତ ଗଲା । ଚେନ୍ ରେ ବାନ୍ଧି କି ନେଉଥିଲା ।"" ଗୋରୁ ମାନଙ୍କ ପଛେ ପଛେ ଲାଲ ସହିତ ଟମି ଯାଉଥିବାର ମୁଁ ଦେଖିଲି । ""
ସେହି ସମୟରେ ଚରୁଆ ମାନେ ଗୋରୁ ଙ୍କୁ ବୁଲା ବୁଲି କରି ଗୋଟାଏ ଦୁଇଟା ବେଳକୁ ଘରକୁ ଫେରାଇ ଆଣୁଥିଲେ । ଗୁହାଳ ରେ ଗୋରୁ ଙ୍କୁ ବାନ୍ଧି ଦେଇ ପୁଣି ତିନିଟା ବେଳେ ଚରାଇ ବାକୁ ନେଉଥିଲେ । ଘର ର ସଦସ୍ୟ ଟିଏ ଘରୁ ପଳେଇ ଗଲେ ଯେମିତି ଘରେ ଗୋଟିଏ ଚାପା ଝଡ ସୃଷ୍ଟି ହୁଏ ,ସେହି ପରି ଟମି ର ଅନୁପସ୍ଥିତି ରେ ସମସ୍ତ ଙ୍କ ଭିତରେ ଗୋଟିଏ ବେଦନା ଭରି ଯାଇଥିଲା । ଯିଏ ବାହାରକୁ ଗଲେ ୟାକୁ ତାକୁ ପଚାରୁ ଥିଲୁ । ଆମ ଟମି କୁ ଦେଖିଛ କି ?? କିଏ ଦେଖିନି ବୋଲି କୁହେ , ତ କିଏ କହେ ତମ ଦାଣ୍ଡରେ ତ କାଲି ଶୋଇଥିଲା । ଏମିତି କଥା ଟା ସାହି ରେ ପ୍ରଘଟ ହେଲା । ଜଣେ କହିଲା" ହଁ କାଲି ପରା ଲାଲ ସାଙ୍ଗରେ ଯାଉଥିଲା । ଲାଲ ତାକୁ ଚେନ୍ ରେ ବାନ୍ଧି ନେଉ ଥିଲା । ସନ୍ଧ୍ୟା ବେଳେ ଲାଲ ସାଙ୍ଗରେ ଆସିନି କି ? ଲାଲ କୁ ପଚାରି ଦିଅ ।"
ଲାଲ ଗାଈ ଗୋରୁଙ୍କୁ ନେଇ ଦୁଇଟା ବେଳେ ଗୁହାଳ ରେ ବାନ୍ଧୁ ଥିବା ଦେଖି ଜେଜି ପଚାରିଲେ " କିରେ ଲାଲ, ଟମି କୁ ଦେଖିଲୁ କି ?? " ଲାଲମଣି ସଫା ମନା କଲା । ମୁଁ ତ ଦେଖିନି । ଜେଜି କହିଲେ," ତୁ କାଲି ଗୋରୁ ଚରାଇବାକୁ ଯିବା ବେଳେ ଚେନ୍ ରେ ବାନ୍ଧି କି ନେଲୁ ପରା ! ବିମଳ କହିଲା ,ଲାଲ ସାଙ୍ଗରେ ଗୋରୁ ପଛେ ପଛେ ଗଲା ବୋଲି । ଶରତ ବି ତ କହୁଛି ଚେନ୍ ରେ ବାନ୍ଧି କି ନେଲୁ ତୁ । ତୋ ସାଙ୍ଗରେ ତ ଫେରିଲା ନି । କୁଆଡେ ଗଲା କି ??" ଲାଲମଣି ଥମ ଥମ ହୋଇ କହିଲା " ନା ଲୋ ###ମୁଁ ଟମି ବିଷୟରେ କିଛି ଜାଣିନି । ମୋ ସାଙ୍ଗରେ ତ ଯାଇନି । କିଏ କହିଲା କି ??""
ତାର ମିଛ କହିବା ଜେଜି ଠଉରାଇ ପାରିଲେ ନାହିଁ । ମନକୁ ମନ ବଦବଡେଇ ହେଲେ । ସାଙ୍ଗରେ ନେଇ କୁଆଡେ ଛାଡ଼ି ଦେଇ ଆସିଲୁ ? କାଲି ଠୁ ଘରକୁ ଆସିନି । ଲାଲ ପୁଣି ମିଛ କହିଲା " ଅନ୍ୟ କୁକୁର ମାନଙ୍କ ସହିତ କୁଆଡେ ଯାଇଥିବ । "
ଜେଜି କିଛି ନ କହି ଚୁପ୍ ରହିଲେ ।
ଘରେ ସମସ୍ତଙ୍କ ମନ ଦୁଃଖ । ଟମି ର କିଛି ଖୋଜ ଖବର ନାହିଁ ଆଜକୁ ପାଞ୍ଚ ଦିନ ହେଲାଣି ।
ମୋ ଜେଜେ କିଛି କିଛି କବିରାଜି ଔଷଧ ଜାଣିଥିଲେ । ଗାଁ ବଇଦ କହିଲେ ଭୁଲ୍ ହବ ନାହିଁ । ଗାଁ ର ଲୋକ ମାନେ ଛୋଟ ଛୋଟ ରୋଗବାଗ ହେଲେ ପ୍ରାୟ ଆମ ଘରକୁ ଆସୁଥିଲେ । ଜେଜେ ତୁଟୁକା ଔଷଧ ବତେଇ ଦେଉଥିଲେ । ଲକ୍ଷ୍ମଣ ମିଶ୍ର ଙ୍କ ବହି ରୁ କିଛି ଜ୍ଞାନ ହାସଲ କରିଥିଲେ ।ଯାହା କି ଲୋକ ଙ୍କ ଅସୁବିଧା ସମୟରେ ବା ରାତି ଅଧରେ କାମ ରେ ଆସୁଥିଲା । ସେତେ ବେଳେ ପାଖରେ ଡାକ୍ତରଖାନା ନ ଥିଲା । ସାତ କିଲୋମିଟର ଗଲେ ଯାଇ ପ୍ରାଥମିକ ଚିକିତ୍ସା କେନ୍ଦ୍ର । ରାସ୍ତା ଘାଟ ଗାଡିଘୋଡା ର ବି ସେତେ ସୁବିଧା ନ ଥିଲା । ତେଣୁ ଲୋକେ ତୁଟୁକା ଔଷଧ, ଗୁଣି ଗାରେଡ଼ି , ଝଡ଼ା ଫୁଙ୍କା ଉପରେ ବେଶୀ ବିଶ୍ୱାସ କରୁଥିଲେ ।
ସେ ଦିନ ଚନ୍ଦ୍ରମଣି କାକା ଙ୍କ କିଛି ଦେହ ଅସୁସ୍ଥ ହେବାରୁ ରାତି ରେ ଟର୍ଚ୍ଚ ଲାଇଟ୍ ଟିଏ ଧରି ଜେଜେ ଙ୍କ ପାଖକୁ ଆସିଥାନ୍ତି । ରାତ୍ରି ର ଖାଇବା ବେଳ ହୋଇ ନ ଥାଏ । ଜେଜେ ଭାରି ମେଲାପୀ ଲୋକ । ଗାଁ ର ଗରିବ ଗୁରୁବା ଙ୍କୁ ବେଳ ଅବେଳ ରେ ଖାଲି ହାତରେ ଫେରାଉ ନ ଥିଲେ । ଚନ୍ଦ୍ରମଣି କାକା ଙ୍କ ସହିତ ଦୁଃଖ ସୁଖ ହେଲେ । ଜେଜେ ଙ୍କ ଟମି କଥା ମନେ ପଡ଼ିଲା ।" ପୁତୁରା ,ଆମ ଟମି ଟା କୁଆଡେ ଗଲା ଯେ ପାଞ୍ଚ ଦିନ ହେଲାଣି ପତ୍ତା ମିଳୁନି । ତୁ କଉଠି ତାକୁ ଦେଖିଲୁ କି ରେ ? " ଚନ୍ଦ୍ର କାକା ସଙ୍ଗେ ସଙ୍ଗେ ଉତ୍ତର ଦେଲେ " କାକା, ତୁମେ ଟମି କଥା ଜାଣିନ କି ? " ଜେଜେ ଙ୍କ ର ଉତ୍ସୁକତା ବଢ଼ିଗଲା । "ତୁ ତାକୁ କଉଠି ଦେଖିଲୁ କିରେ ?? " ଚନ୍ଦ୍ର କାକା କହିଲେ " ଲାଲମଣି ପରା ତାକୁ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ତମ ନଈ ପାଖ ଜମିରେ ଥିବା ତେନ୍ତୁଳି ଗଛ ତଳେ ପକେଇ ଦେଇଛି । ତମେ ଜାଣିନ??"
କାକା ଙ୍କ କଥା ପଦକ ଶୁଣି ଜେଜେ ଙ୍କ ବିଶ୍ୱାସ ହେଲା ନାହିଁ । "ତୁ ନିଜେ ଦେଖୁଲୁ କି ରେ ?" ହଁ କାକା , ମୁଁ ଆମ ଛେଳି ଗୁଡାକ ନେଇ ସେଇ ପଟେ ଯାଇଥିଲି । ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ଦେଖି ଆସିଲି । " ସନା ଦାଦା ଙ୍କୁ ପଚାରିଲି ,ସେଇ ଖଣ୍ଡ ବିଖଣ୍ଡିତ ଶବ ଟି ବିଷୟରେ । ସେ କହିଲେ " ଲକ୍ଷ୍ମୀଧର ମାଷ୍ଟର ଘର କୁକୁର ଟମି କୁ ତାଙ୍କ ଚରୁଆ କାଟି କି ଖଣ୍ଡ ଖଣ୍ଡ କରି ଦେଇଛି । " ସେ କଣ ପାଇଁ ଏମିତି କଲା ବୋଲି ମୁଁ ପଚାରିଲି । ସନା ଦାଦା ଙ୍କ କହିବା ଅନୁସାରେ ଦିନେ ସେ ଟମି କୁ ନଦୀରେ ଗାଧେଇ ଦେଉଥିଲା । ଜବରଦସ୍ତି ତା ମୁଣ୍ଡକୁ ପାଣି ଭିତରେ ବୁଡେଇ ଦେବାରୁ ଟମି କୁଆଡେ ତାକୁ ରମ୍ଫୁଡ଼ା ରାମ୍ଫୁଡ଼ି କଲା । ସେଇ ରାଗରେ ସେ ଟମି କୁ ଜୀବନ ରେ ମାରି ଦେଲା । ଆହା ବିଚରା ଟମି , ବିନା ଦୋଷରେ ଜୀବନ ହାରିଲା । ତା ପୁଣି ଏମିତି ....
ବିଚରା ସବୁ ବେଳେ ଦୁଆର ମୁହଁ ରେ ଗଡ ପରି ପଡ଼ିଥାଏ । ନିରୀହ ପ୍ରାଣୀ କୁ ସେ ନୃଶଂସ ଚରୁଆ ପିଲା ଟା ମାରି ପାରିଲା କେମିତି ?? ହେ ଭଗବାନ ସବୁ ତୁମରି ଲୀଳା ।" ଯାଉଛି କାକା କହି ଚନ୍ଦ୍ର କାକା ଉଠି ପଳେଇଲେ ।
ଜେଜେ ସମେତ ଘର ର ସମସ୍ତ ସଦସ୍ୟ କଥାଟି ଶୁଣି ଅବାକ୍ ହୋଇ ଗଲେ । ଟମି ନିଖୋଜ ଥିବାରୁ ଯାହା ମନ ଦୁଃଖ ଥିଲା ତ ଥିଲା । ତାର ଏପରି ଦୟନୀୟ ମୃତ୍ୟୁ କଥା ସମସ୍ତ ଙ୍କୁ ବ୍ୟଥିତ କରି ଦେଲା ।
ସକାଳୁ ଜେଜେ ଲାଲମଣି ର ବାପା ମା ଙ୍କୁ ଡକାଇ ସମସ୍ତ ଘଟଣା କହିଲେ । "ଆଜିଠାରୁ ତୁମ ପୁଅ ମୋ ଘରେ କାମ କରିବ ନାହିଁ । ଏଡ଼େ ନିଷ୍ଠୁର ତମ ପୁଅ । ଆଜି କୁକୁର କୁ ଏମିତି ନିର୍ମମ ଭାବେ ହତ୍ୟା କଲା । କାଲି କଉ ଗାଈ କି ଗୋରୁ ଙ୍କୁ ବି ହାଣି ନ ଦେବ ,ତାର କିଛି ଗ୍ୟାରେଣ୍ଟି ନାହିଁ ।"
ଗୋରୁ ଚରେଇ ତାର ମୁଲ ବାବଦ କୁ କିଛି ନେଉଥିଲେ । ପୁଣି ଲାଲ ର ମା ଗୁହାଳ ଗୋବର କରି କିଛି ନେଉଥିଲା । ସେଥିରେ ତାଙ୍କର ପରିବାର ଚଳୁଥିଲା । ସେହି ଦିନ ଠାରୁ ଲାଲ ବିଦାୟ ନେଲା ।
