ଠିକ୍ ଚିହ୍ନର ମୋହର ମାର
ଠିକ୍ ଚିହ୍ନର ମୋହର ମାର
ସହର ଓ ଗାଆଁ ସବୁଆଡେ ଭୋଟ ହେବ ବୋଲି ପ୍ରଚାର ଚାଲିଛି । ଯେଉଁ ଉପାନ୍ତ ଅଞ୍ଚଳକୁ ଆଜିଯାଏ କେହି ଡୁଙ୍ଗି ଦେଖୁନଥିଲେ ଏବେ ସେଠିକୁ ସବୁ ଦଳର ପ୍ରତିନିଧିମାନେ ଦଉଡୁଛନ୍ତି ଗାଡି ମଟର ନେଇ । ଏ ଭିତରେ ଭଲ ଅସରାଏ ଜମିକି ବର୍ଷା ହୋଇ ଯାଇଛି । ଖାଲମାନଙ୍କରେ କାଦୁଆ ଜଳ ଭରି ଯାଇଛି । ମାଟିରାସ୍ତା ପୁଣି ଚିକିଟିଆ ମାଟି ହେତୁ ଗାଡି ଯିବା ମୁସ୍କିଲ । ସେମିତି ରାସ୍ତାରେ ଜଣେ ପ୍ରତିନିଧିଙ୍କ ଗାଡି ଫସି ଯାଇଥିଲା କାଦୁଅ ମଝିରେ ।
ଚକମାନେ କାଦୁଅରେ ବୁଡି ଯାଇଥିଲେ । ଗାଡିଟି ନା ଆଗକୁ ବଢୁଥିଲା ନା ପଛକୁ ଘୁଞ୍ଚୁଥିଲା । ଗୋଟିଏ ଜାଗାରେ ଚକଟା ଘୁରି ଘୁରି ବଡ ଗାତ କରି ଦେଇଥିଲା ।
ସେ ବାଟଦେଇ ସନେଇ ନିଜ ସାଇକେଲ ଧରି ଯାଉଥିଲା । ଏ ଗାଡି ବାଲାଙ୍କ ଦୟନୀୟ ଅବସ୍ଥା ଦେଖି ପାଖକୁ ଆସିଲା । ତାକୁ ଦେଖି ଗାଡିରେ ଥିବା ଭଦ୍ରଲୋକ ମାନେ ସାହାଯ୍ୟ କରିବାକୁ କହିଲେ । ପ୍ରଥମେ ସନେଇର ମନ ହେଉଥିଲା ସେ ନିଜ କାମରେ ତା ବାଟେ ଚାଲିଯିବ । ପରେ ଭାବିଲା ଯା ହେଲେ ବି ଏମାନେ ଆମ ଗାଁକୁ ଆସୁଛନ୍ତି ମାନେ ଆମ ଅତିଥି । ଅତିଥି ଦେବୋଭବ ବୋଲି ସେ ପିଲାଦିନୁ ଶୁଣି ଆସୁଛି । ତେଣୁ ସାହାଯ୍ୟ କରିବାକୁ ଭାବିଲା । ସାଇକେଲ କେରିଅରରେ କେତୋଟି ଛୋଟବଡ ପଥର ଲଦି ନେଇ ଆସିଲା । ଗାଡି ଚକର ଆଗରେ ପଥର ଗୁଡାଏ ପକାଇ ଗାତକୁ ସମତଳ କଲା । ଏମିତି ଦୁଇ ତିନିଥର ପଥର ଆଣି ଗାତରେ ପୁରେଇବା ପରେ ଗାଡି ଆଗକୁ ବଢିଲା । ସେ ବାବୁମାନେ ତାକୁ ଧନ୍ୟବାଦ ଦେଲେ । ଜଣେ ଲୋକ ତାକୁ ପାଞ୍ଚ ହଜାର ଟଙ୍କା ଯାଚି କହିଲା ଭାଇ ତୁମ ସାହାଯ୍ୟ ପାଇଁ ଆମ ଗାଡି ଆଗକୁ ବଢିପାରିଲା । ତୁମେ ଏଇ ପାଞ୍ଚହଜାର ଟଙ୍କା ନିଅ ଆଉ ଆମ ବିଲେଇ ଚିହ୍ନରେ ଭୋଟ ଦେବ । ତୁମ ପରିବାର ସଦସ୍ୟ ଓ ଜାତି ଭାଇଙ୍କୁ ବି କହିବ ଆମକୁ ଏଇ ଚିହ୍ନରେ ଭୋଟ ଦେବେ ।
ସନେଇ ତାଙ୍କ ଗାଆଁ ପଞ୍ଚାୟତ ସମିତି କଲେଜରେ ପିଅନ କାମ କରେ । ଅଧ୍ୟାପକ ମାନେ ସବୁବେଳେ ରାଜନୀତି ବିଷୟରେ କଥାବାର୍ତ୍ତା କରିବା ସେ ଶୁଣିଛି ।
ସମସ୍ତେ କୁହନ୍ତି ଠିକ୍ ଚିହ୍ନରେ ମୋହର ମାରିବା ଉଚିତ୍ ନହେଲେ ଆମ ଦେଶ ପାଇଁ ବିପଦ ।
ସେ ବାବୁଙ୍କୁ ଉତ୍ତରରେ କହିଲା ପାଞ୍ଚହଜାର ଟଙ୍କା ପାଞ୍ଚଦିନରେ ସରିଯିବ । ଟଙ୍କା ନେଇ ଭୋଟଦେଲେ ମୋ ଗାଆଁର ଏ ରାସ୍ତା ସବୁଦିନ ପାଇଁ ଏମିତି ଶୋଚନୀୟ ଅବସ୍ଥାରେ ପଡି ରହିଥିବ । ଆମ ଯାତାୟତ ପାଇଁ ଅସୁବିଧା ହେଉଥିବ । ଏତେଦିନ ହେଲା ତୁମକୁ ଭୋଟ ଦେଉଛୁ ହେଲେ ଆମ ରାସ୍ତାର କିଛି ସୁଧାର ହେଉନି । ଗାଆଁର ଜଳ ସମସ୍ୟା ବି ସବୁବେଳେ ରହୁଛି । ତାର ବି ବ୍ୟବସ୍ଥା ହେଉନି ଆଜିଯାଏ । ପାଖରେ ଡାକ୍ତର ଖାନାଟେ ନାହିଁ,ସେଦିନ ଏମିତି ଖରାପ ରାସ୍ତା ହେତୁ ମହିଳା ଟିଏ ଠିକ୍ ସମୟରେ ପ୍ରସବ ଆଗରୁ ପହଞ୍ଚି ପାରିଲାନି ବୋଲି ପିଲାଟି ପେଟରେ ମରିଗଲା । ଏମିତି ଆହୁରି ଅନେକ ଅସୁବିଧା ରହିଛି ଗାଆଁରେ । ସେସବୁ ଯିଏ ଭୋଟ ଆଗରୁ କରି ଦେଖାଇବ ତାକୁ ଆମେ ଭୋଟ ଦେବୁ । ଆମେ ଆଉ ଆଗପରି ଅଶିକ୍ଷିତ ନାହୁଁ । ଟିଭି ଦେଖୁଛୁ ମୋବାଇଲରେ ଦେଖି ଦୁନିଆଁ ଖବର ସବୁ ଜାଣୁଛୁ ।
ଆମକୁ ଆଉ ସେ ମଦମାଂସ ଖୁଆଇ ଓ ପାଞ୍ଚଶହ ଟଙ୍କା ଲାଞ୍ଚ ଦେଇ କେହି ଭକୁଆ ବନେଇ ପାରିବନି । ଆମେ ଠିକ ପ୍ରତିନିଧୀ ବାଛି ଠିକ୍ ଚିହ୍ନରେ ଭୋଟ ଦେବୁ ।
ତାର ରୋକଠୋକ ଉତ୍ତର ଶୁଣି ଭଦ୍ରଲୋକ ଜୋକ ମୁହଁରେ ଲୁଣ ପଡିଲା ପରି ଚୁପ୍ ରହିଗଲେ । ଭାବୁଥିଲେ ରାସ୍ତାରୁ ଆଜି ଏ ଛୋଟ ଲୋକ ଏତେ କଥା ଶୁଣାଇଁ ଦେଲାଣି ଆଗକୁ ଗାଆଁକୁ ଗଲେ ଆଉ କଣ କଣ ଶୁଣିବାକୁ ଦେଖିବାକୁ ପଡିବ କେଜାଣି?
ତାପରେ ସେମାନେ ଗାଆଁରେ ପହଞ୍ଚିଲେ ହେଲେ ଗାଆଁଲୋକ ଆଗରୁ ପ୍ରସ୍ତୁତ ଥିଲେ ଏକା ସଙ୍ଗେ ହମଲା କରିବାକୁ । ସମସ୍ତେ ଏକା ସାଙ୍ଗରେ ଆକ୍ରମଣ କଲେ । ଯିଏ ଆମ ପାଇଁ ରାସ୍ତା ମରାମତି କରିବ, ଗାଆଁରେ ପାନୀୟଜଳ ଓ ସ୍ନାନପାଇଁ ସୁବିଧା କରିବ । ଗାଁରେ ଡାକ୍ତରଟେ ରହିବାର ବ୍ୟବସ୍ତା କରିବ । ଯେମିତି ପ୍ରାଥମିକ ଚିକିତ୍ସା ଅତି କମରେ ଗାଆଁରେ ହୋଇପାରିବ ତେବେ ଯାଇ ଭୋଟ ଦେବୁ ।
ତାପରେ ସେ ଦଳ ଫେରିଗଲେ । ଅନ୍ୟ ଦଳମାନଙ୍କୁ ବି ସେମିତି କହି ଘଉଡାଇ ଦେଲେ ଲୋକମାନେ ଏକଜୁଟ ହୋଇ ।
ତା ପରଦିନ ଦେଖାଗଲା ଟ୍ରକମାନଙ୍କରେ ଗେଟି ପଥର ଆସି ରାସ୍ତା କଡରେ ଜମା ହେଉଛି । ରାସ୍ତା ମରାମତି ହେବ ବୋଲି । ଗୋଟିଏ ଦଳ ରାସ୍ତା କାମ ଆରମ୍ଭ କରିବା ଦେଖି ଅନ୍ୟ ଦଳ ଆସି ଗାଆଁ ମଝିରେ ନଳକୂଅ ଖୋଳାଇବାକୁ ଲାଗିଗଲେ । ପ୍ରତି ପଡାରେ ଗୋଟିଏ ନଳକୂଅ ବସିଗଲା ପନ୍ଦର ଦିନ ଭିତରେ ।
ଏପଟେ ଆଉ ଏକ ଦଳ ଆସି ଏକ ଛୋଟ ଡାକ୍ତରଖାନାର ଶୁଭାରମ୍ଭ କରିଦେଲେ । ମାସକ ଭିତରେ ଗାଆଁର ସବୁ ଅଭାବ ପୂରା ହୋଇଗଲା ।
ଭୋଟ ଆସିଲା ବେଳକୁ ଗାଆଁ ପୁରା ଚମକୁ ଥିଲା । ପିଚୁ ରାସ୍ତା ହୋଇ ଯାଇଥିଲା ଯିବା ଆସିବା ପାଇଁ । ସ୍କୁଲ ପିଲାଙ୍କୁ ଆଉ କାଦୁଅ ରସ୍ତାପାରିକରି ଯିବାକୁ ପଡୁ ନ ଥିଲା । ଛୋଟ ମୋଟ ଜ୍ବର କାଶ ସର୍ଦ୍ଦି ପାଇଁ ଡାକ୍ତର ଜଣେ ରହିଲା । ନର୍ସ ଓ କୁମ୍ପାଣ୍ଡର ଜଣେ ଲେଖାଁ ବି ରହିଲେ । ଜଳ ସମସ୍ୟା ବି ଆଉ ନଥିଲା ।
ଭୋଟଦିନ ଲୋକ ସବୁ କଥା ହଉଥିଲେ । ସବୁଦଳ ତ ଗୋଟେ ଗୋଟେ କାମ କରିଦେଖେଇଲେ । ଏବେ ଆମେ ବି ଭଲ ଲୋକକୁ ବାଛି ଠିକ୍ ଜାଗାରେ ମୋହର ମାରିବା । ଯିଏ ଆମର କଥା ଶୁଣିବ ଆଉ ଆମ ଗାଆଁର ଉନ୍ନତି ପାଇଁ କାମ କରିବ ତାକୁ ହିଁ ପ୍ରତିନିଧି ବାଛିବା ।
ଜଣେ କହିଲା ଆମ ଗାଆଁର ପ୍ରଫେସର ଆଜ୍ଞା ସବୁଠୁ ଭଲ ଲୋକ । ସେ ଜ୍ଞାନୀ ସାଙ୍ଗରେ ଶୁଦ୍ଧ ଚରିତ୍ରର ବ୍ୟକ୍ତି । ଭ୍ରଷ୍ଟାଚାର ବିରୋଧୀ ଲୋକ । ତାଙ୍କୁ ଦେଲେ ସେ ଆମ ଉନ୍ନତି କଥା ଭାବିବେ । ଆଉ ସେ ଗୁଣ୍ଡା ପ୍ରାର୍ଥୀ ଗୁଡା ଭୋଟ ପରେ କିଛି କାମ କହିଲେ ମାରି ଗୋଡେଇବେ । ତାଙ୍କ ନାଲି ଆଖି ଆଗରେ କେହି ମୁହଁଖୋଲି ପାରିବାନି ।
ଗାଆଁର ଲୋକମାନେ ଏବେ ଏକଜୁଟ ହୋଇ ସାରିଥିଲେ,ସେମାନଙ୍କ ପାଖେ ଏକତାର ବଳଥିଲା ବୋଲି ଏବେ ଯାହା ଚାହିଁଲେ ହେଲା । ଯେତେ ଦିନଯାଏ ଭାଗଭାଗ ହେଉଥିଲେ ଏ ପ୍ରତିନିଧିମାନେ କିଛି କାମ କରୁ ନ ଥିଲେ । ଲୋକମାନେ ଭଲ ମନ୍ଦ ପରଖିବା ଏବେ ଜାଣି ଯାଇଥିଲେ । ଠିକ୍ ଚିହ୍ନରେ ହିଁ ମୋହର ମାରିଲେ ଓ ଭଲ ଲୋକକୁ ପ୍ରତିନିଧି ରୂପେ ବାଛିଲେ ।
