STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଠେକୁଆ ଓ କଇଁଛ

ଠେକୁଆ ଓ କଇଁଛ

2 mins
454

   ଗୋଟିଏ ନିଘଞ୍ଚ ଜଙ୍ଗଲରେ କୁଳୁକୁଳୁ ନାଦ କରି ସୁନ୍ଦର ଝରଣା ଟିଏ ବହିଯାଉଥାଏ। ଗଛ ଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ଆକାଶକୁ ଛୁଇଁବାକୁ ବଢି ଚାଲୁଥାଆନ୍ତି। ଏହିପରି ଏକ ପ୍ରାକୃତିକ ପରିବେଶରେ ବିଭିନ୍ନ ପଶୁ ଓ ପକ୍ଷୀ ଆନନ୍ଦରେ ବାସ କରୁଥିଲେ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ଟିକିଏ ଫୁରୁସତ ମିଳିଲେ ଦୁଃଖ ସୁଖ ହୁଅନ୍ତି, ଭାବର ଆଦାନ ପ୍ରଦାନ କରନ୍ତି। ତେଣୁ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଗଢି ଉଠିଥିଲା। ସେହି ଜଙ୍ଗଲରେ ବାସ କରୁଥିବା ଗୋଟିଏ ଠେକୁଆ ଓ କଇଁଛ ମଧ୍ୟରେ ଭଲ ବନ୍ଧୁତା ଥାଏ। ସେମାନେ ଗୋଟିଏ ଦୌଡ଼ ପ୍ରତିଯୋଗିତା କରିବେ ବୋଲି ସ୍ଥିର କଲେ। ଦିନ ଓ ସମୟ ଧାର୍ଯ୍ୟ ହେଲା। ଠିକ୍ ସମୟରେ ଦୁହେଁ ଆସି ସ୍ଥିରୀକୃତ ପଡ଼ିଆରେ ପହଞ୍ଚିଲେ। ପ୍ରତିଯୋଗିତା ଆରମ୍ଭ ହେଲା। ଠେକୁଆ ଦ୍ରୁତ ଗତିରେ ଗନ୍ତବ୍ୟ ସ୍ଥଳ ଆଡ଼କୁ ମାଡ଼ି ଚାଲିଥାଏ। କଇଁଛ ଚିରାଚରିତ ଭାବରେ ମନ୍ଥର ଗତିରେ ଚାଲିଥାଏ। ଏତିକିବେଳେ ଠେକୁଆକୁ ନିଦ ଲାଗିଲା। ସେ ଭାବିଲା କଇଁଛ ଆସିବାକୁ ବହୁ ସମୟ ଅଛି। ତେଣୁ ଗୋଟିଏ ଗଛ ଛାଇରେ ବିଶ୍ରାମ ନେଲା। ତାକୁ କେତେବେଳେ ନିଦ ଆସିଗଲା ସେ ଜାଣି ପାରିଲା ନାହିଁ।

କଇଁଛ ଧିରେ ସୁସ୍ଥେ ଚାଲି ଶେଷରେ ବିଜୟୀ ହେଲା। ଠେକୁଆ ନିଜର ଭୁଲ ବୁଝିପାରିଲା। ସେ ଆଉ କେବେ ଅଳସୁଆ ହେବନାହିଁ ବୋଲି ସଂକଳ୍ପ କଲା।

        

     କିଛିଦିନ ପରେ ଠେକୁଆ ପୁଣି ଥରେ କଇଁଛକୁ ପ୍ରତିଯୋଗିତା ପାଇଁ ଆହ୍ବାନ କଲା। କଇଁଛ ମଧ୍ୟ ଏହି ଆହ୍ବାନକୁ ଗ୍ରହଣ କରି ଠେକୁଆ ସହ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଲା। ଠେକୁଆ ପୂର୍ବ ଭୁଲରୁ ଶିକ୍ଷା ଲାଭ କରି ନିଜର ତ୍ରୁଟିକୁ ସୁଧାରି ନେଇଥିଲା। ତେଣୁ ସେ ଏଥର ବିଜୟୀ ହେଲା।

         

   ଏହାର କିଛିଦିନ ପରେ ଠେକୁଆ ଓ କଇଁଛ ପୁଣି ସ୍ଥିର କଲେ ଆଉଥରେ ଦୌଡ଼ ପ୍ରତିଯୋଗିତା କରିବେ। ଏଥର ନିୟମରେ ସାମାନ୍ୟ ପରିବର୍ତ୍ତନ କରି ଦୂରତା ବଢାଗଲା। ଠିକ୍ ସମୟରେ ପ୍ରତିଯୋଗିତା ଆରମ୍ଭ ହେଲା। ଉଭୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରୁଥିଲେ। କଇଁଛ ଚିରାଚରିତ ଭାବରେ ଧିରେଧିରେ ଚାଲୁଥିବା ବେଳେ ଠେକୁଆ ଦ୍ରୁତ ଗତିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ମାଡ଼ି ଚାଲିଥାଏ। ବାଟରେ ଗୋଟିଏ ଛୋଟ ଝରଣା ଟିଏ ପଡ଼ିଲା। ଠେକୁଆ ସେହି ଝରଣାକୁ ପାରି ହୋଇ ନପାରି ସେହିଠାରେ ଅଟକି ଗଲା। କଇଁଛ ଧିରେଧିରେ ଆସି ସେହିଠାରେ ପହଞ୍ଚିଗଲା। ସେତ ଜଳରେ ରହେ। ତେଣୁ ସେହି ଝରଣାଟି ପାରି ହେବା ତା ପକ୍ଷରେ ଅସମ୍ଭବ ନଥିଲା। ତଥାପି ସେ ଏକା ପାରି ନହୋଇ ଠେକୁଆକୁ ନିଜ ପିଠିରେ ବସାଇ ଝରଣା ପାରି ହେଲା। ଠେକୁଆ ତା ପ୍ରତି ବଦଳରେ ଶୀଘ୍ର ନ ଦୌଡ଼ି କଇଁଛ ସହ ସାଥୀ ହୋଇ ଚାଲିଲା। ଫଳରେ ଦୁଇଜଣ ଏକା ସମୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲେ। ତେଣୁ ଦୁଇଜଣ ବିଜୟୀ ଘୋଷିତ ହେଲେ। ଉଭୟ ଉଭୟଙ୍କୁ ଅଭିନନ୍ଦନ ଜଣାଇଲେ, ପରସ୍ପରକୁ ଆଲିଙ୍ଗନ କଲେ। ଏହି ଦୃଶ୍ୟ ଦେଖଣାହାରୀଙ୍କ ହୃଦୟ ଜିତି ନେଲା। ସେହି ଦିନଠାରୁ ସମସ୍ତେ ମିଳିମିଶି କାମ କରି ଜଙ୍ଗଲର ସୁନାମ ଚତୁର୍ଦ୍ଦିଗରେ ବ୍ୟାପ୍ତ କଲେ। 


     ଶିକ୍ଷା- ସମସ୍ତଙ୍କର ସହଭାଗିତା ରହିଲେ ଦେଶର ପ୍ରଗତି ସାଧିତ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational