Gayatri Singh

Inspirational

4  

Gayatri Singh

Inspirational

ସୂର୍ଯ୍ୟକିରଣ

ସୂର୍ଯ୍ୟକିରଣ

2 mins
499



ଡିସେମ୍ବର ମାସର ଶୀତ ସକାଳ । ସାରା ପ୍ରକୃତି କୁହୁଡିର ଚାଦର ଘୋଡେଇ ହୋଇ ରହିଛି । ପ୍ରବଳ ଥଣ୍ଡା ସହିତ ଘନ କୁହୁଡିରେ ଆବୃତ ରାସ୍ତା ଗୁଡିକ ଶୁନ୍ ଶାନ୍ ଲାଗୁଛି । କାଁ ଭାଁ ହାତ ଗଣତି ଲୋକ ଯିବା ଆସିବା କରୁଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ କୁକୁର ଛୁଆ ମାନେ ମା କୋଳରେ ଜାକିଜୁକି ହୋଇ କୁଁ କୁଁ ହେଉଛନ୍ତି । ଆଗ ଛକ ରାସ୍ତାରେ ଦାନା ଖାଇବା ପାଇଁ ପାରାଙ୍କ ଗୁମୁରୁ ଗୁମୁରୁ ସ୍ୱର । ପାଖ ଚା ଦୋକାନରେ କାଉ କୁକୁର ଙ୍କ ଭିଡ ଜମିଛି ଅଇଁଠା ପତ୍ରରେ ।


ସବୁଦିନ ପ୍ରତୀକ ଭୋର ପାଂଚଟା ରୁ ୱାକରେ ବାହାରି ପଡନ୍ତି । ମୁଖ୍ୟ ରାସ୍ତା ଦେଇ ଗଳି ସାହି ହୋଇ ଘରକୁ ଫେରନ୍ତି । ସେ ଖରା ବର୍ଷା ଶୀତ ଯେଉଁ ଋତୁ ହେଉନା କାହିଁକି । ୱାକ ସମୟରେ ସେ ବହୁତ ଲୋକଙ୍କୁ ଭେଟନ୍ତି । କେତେ ଅସହାୟ ଲୋକଙ୍କର ସେ ସହାୟ ହୁଅନ୍ତି । ଅନେକ ଅସଜଡା ପରିବାରକୁ ସେ ସଜାଡି ଦେଇଥାନ୍ତି । ତାଙ୍କର ସ୍ନେହପୂର୍ଣ୍ଣ କଥା,ସମ୍ବେଦନଶୀଳ ବ୍ୟବହାର,ସମ୍ବଧୋନ ମୂଳକ ବାର୍ତାଳପ ରେ ଯେମିତି ଯାଦୁ ରହିଛି । ଯେ କେହିବି ସହଜରେ ବଶ ହୋଇଯିବ ଆଉ ତାଙ୍କ ପ୍ରତି ଭକ୍ତି,ଶ୍ରଦ୍ଧା ଆସିଯିବ ।


ସେ ଜଣେ ସମାଜସେବୀ । ନିଜର ଗୋଟିଏ ସଙ୍ଗଠନ ରହିଛି । ସେଥିରେ ସେ ସାଂସ୍କୃତିକ, ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନତାର ବାର୍ତା ଦିଅନ୍ତି । ସମଗ୍ର ସଂସାର କୁ ନିଜର ପରିବାର ମନେ କରୁଥିବା ମଣିଷ ନିଜ ପାଇଁ ପରିବାର ଗଢି ନାହାଁନ୍ତି । କୁହୁଡି ଭିତରେ ସ୍ପଷ୍ଟ ଦେଖାଯାଉନଥିଲେ ମଧ୍ୟ ପାଖରେ ଥିବା ଗଛ ମୂଳରୁ କାହାରି ସ୍ୱର ସ୍ପଷ୍ଟ ଭାବେ ଶୁଣାଯାଉଥିଲା । ସେ ସେଇ ଆଡକୁ ଆଗେଇଲେ । ଦୁଇଜଣ ବୃଦ୍ଧବୃଦ୍ଧା ବସି କଥା ହେଉଛନ୍ତି । ବୃଦ୍ଧା ଜଣଙ୍କର ଆଖିରୁ ଲୁହ ଝରି ଆସୁଛି । ବୃଦ୍ଧ ଜଣଙ୍କ ତାଙ୍କୁ ବୁଝାଇବାର ପ୍ରୟାସ କରୁଛନ୍ତି । ପାଖକୁ ପ୍ରତୀକ ଯାଇ ତାଙ୍କ ସମସ୍ୟା ବୁଝିଲେ । ଶାଶୁ ବୋହୁ କଳି ହେବାରୁ ବୃଦ୍ଧା ଜଣଙ୍କ ରାଗି କାଲି ରାତିରୁ ଘରୁ ବାହାରି ଆସିଛନ୍ତି । କିଛି ସମୟ ଅପେକ୍ଷା କରିବା ପରେ ସ୍ତ୍ରୀ ନଫେରିବାରୁ ବୃଦ୍ଧ ସ୍ୱାମୀ ଜଣଙ୍କ ବାଧ୍ୟ ହୋଇ ଶୀତ ରାତିରେ ଥରି ଥରି ଖୋଜି ଖୋଜି ସ୍ତ୍ରୀ ପାଖରେ ପହଂଚିଛନ୍ତି । ପ୍ରତୀକ ବୃଦ୍ଧାଙ୍କୁ ବହୁତ ବୁଝାଇଲେ । ଏଇ ବୟସରେ ଛୋଟ ଛୋଟ କଥାରେ ଅଭିମାନ ସ୍ୱାଭିମାନ ରହିବ । ଯଦି ସେ ବୋହୁ ନହୋଇ ଆପଣଙ୍କ ଝିଅ ହୋଇଥାନ୍ତା କଣ ଏମିତି ଦାଣ୍ଡରେ ଆସି ଝିଅ ନାଁ ରେ କହିଥାନ୍ତେ । ତାକୁ ବୋହୁ ନଭାବି ଝିଅ ବୋଲି ଥରେ ଚିନ୍ତା କରି ଦେଖନ୍ତୁ ?


ଏହି ସମୟରେ ବୃଦ୍ଧା ଙ୍କ ବୋହୁ ଆସି ସେଠାରେ ପଂହଚିଲେ ସେ ଶାଶୁ ଶ୍ୱଶୁର ଙ୍କୁ ଘରକୁ ନେବା ପାଇଁ ଆସିଥିଲେ । ତାଙ୍କର କହିବା କଥା ଥିଲା ମା ଟିକେ ଟିକେ କଥାରେ ରାଗି ଯାଉଛନ୍ତି । ପ୍ରତୀକ ବୋହୁ କୁ ବୁଝାଇଲେ ଇଏ ଶାଶୁ ନହୋଇ ତୁମ ମାଆ ହୋଇଥିଲେ ତାଙ୍କୁ ଶୀତ ରାତିରେ ଏମିତି ବାହାରେ ଛାଡି ନିଶ୍ଚିତରେ ଶୋଇ ପାରିଥାନ୍ତ କି? ଶାଶୁ ଙ୍କୁ ନିଜର ମାଆ ରୂପରେ ଥରେ ଦେଖିବା ଆରମ୍ଭ କରନ୍ତୁ ସବୁ ସମାଧାନ ହୋଇଯିବ । ରାଗ କଳି ଝଗଡା ସବୁ ଉଭେଇ ଯିବ । ସେମାନେ ଅସ୍ତ ବେଳାରେ ପହଂଚିଲେଣି, ତାଙ୍କ ସହିତ ଆମକୁ ଖାପ ଖୁଆଇ ଚଳିବାକୁ ପଡିବ । ସେମାନେ ତାଙ୍କ ପ୍ରକୃତି ଛାଡି ପାରିବେନି କି ତାଙ୍କର ଚିନ୍ତାଧାରା ରେ ଅଙ୍କୁଶ ଲଗାଇ ପାରିବେନି ଆମକୁ ତାଙ୍କ ସହିତ ବଦଳିବାକୁ ପଡିବ । ଶାଶୁ ବୋହୁ ଉଭୟଙ୍କ ଆଖିରେ ଲୁହ ।ବୋହୁ ଟି ଶାଶୁ ଶ୍ୱଶୁର ଙ୍କୁ ବୁଝାଇ ସୁଝାଇ ନେବା ବେଳେ ପୂର୍ବ ଆକାଶରେ ସିନ୍ଦୁରା ଫାଟି ଖୋଲା ସୂର୍ଯ୍ୟ କିରଣ ସମସ୍ତଙ୍କ ଦେହରେ ବିଚ୍ଛୁରିତ ହୋଇ ପଡିଛି । ଆଖିର ଲୁହ ଟୋପା ଆଉ ଲୁହ ହୋଇ ରହିନାହିଁ ସୁର୍ଯ୍ୟ କିରଣ ରେ ମୁକ୍ତା ବିନ୍ଦୁ ହୋଇ ସାରିଛି । 



Rate this content
Log in

Similar oriya story from Inspirational