STORYMIRROR

Sachidananda Kar

Tragedy Classics

3  

Sachidananda Kar

Tragedy Classics

ସତ୍ୟର ଦୁରବସ୍ଥା

ସତ୍ୟର ଦୁରବସ୍ଥା

2 mins
240


        ସତ୍ୟ କେବେ ଲୁଚି ରହେନାହିଁ। 


        ସମସ୍ତେ ତାକୁ ଖୋଜୁଥିବାର ଦେଖୁଥିଲି।ହେଲେ ମୁଁ ତାକୁ ଆଦୌ ଖୋଜୁ ନ ଥିଲି।ମୋର ଆବଶ୍ୟକ ପଡୁ ନ ଥିଲା। 


        ଆବଶ୍ୟକତା ନ ଥିଲେ ଏଠି କିଏ କାହାକୁ ଖୋଜେ ଯେ ! 


        ଲୋକମାନେ ତାକୁ ଯେପରି ଖୋଜୁଥିଲେ ମୁଁ ଭାବୁଥିଲି ତା'ର କିଛି ଗୁରୁତ୍ୱ ଅଛି ନିଶ୍ଚୟ।ନ ହେଲେ ହୁଏ ତ ସେ ଦେବତା ହୋଇଥିବ। 


        ଏଠି ଯାହାକୁ ବେଶୀ ଖୋଜା ପଡେ ତା'ର ଗୁରୁତ୍ୱ ଥାଏ।ସେ ଦୁର୍ଲ୍ଲଭ, ବହୁତ ସୁନ୍ଦର।ସେ' ବି ଦେବତା ହୋଇଥାଏ। 


       ଏଣୁ ମୁଁ ଆଦୌ ଦ୍ବନ୍ଦ୍ବରେ ପଡୁ ନ ଥିଲି। 


       ଦିନେ ହଠାତ୍ ମୁଁ ତାକୁ ଆବଶ୍ୟକ ମନେକଲି।ଆଶ୍ଚର୍ଯ୍ୟର କଥା ଏହି ଯେ ମୁଁ ତାକୁ ଖୋଜିବା ମାତ୍ରେ ସେ ଆସି ମୋ ସାମ୍ନାରେ ଉଭା ହୋଇଗଲା। 


        ହଠାତ୍ ମୋର ବିଶ୍ୱାସ ହେଲାନାହିଁ।ଯାହାର ଏତେ ଗୁରୁତ୍ୱ, ଯିଏ ସାକ୍ଷାତ ଦେବତା ଓ ଦୁର୍ଲ୍ଲଭ,ସିଏ ଯେ ମୁଁ ଖୋଜିବା ମାତ୍ରେ ଆସି ମୋ ସାମ୍ନାରେ ଅଚାନକ ଠିଆ ହୋଇଯିବ,ଏମିତି ଧାରଣା ମୋର ନ ଥିଲା।ମୁଁ ଆଶ୍ଚର୍ଯ୍ୟ ହେଲି। 


       ବେଶ୍ ସାଧାରଣ ଦିଶୁଥିଲା ସେ । ହରି...ହରି ... ! ତତକ୍ଷଣାତ୍ ମୋ ପାଟିରୁ ବାହାରି ଗଲା। 


       ଧୂଳି ଧୂସରିତ ପାଦ,ମଳିନ ଅଥଚ ମଜବୁତ ଦେହ,ରଙ୍ଗଛଡା ପୁରୁଣା ପାଚେରି ପରି ଲୁଗାପଟା, ଦେହରେ କ୍ଷତବିକ୍ଷତର ଚିହ୍ନ, କଟା - ଫଟା ଦାଗ - ମୋର ବିସ୍ମୟର ସୀମା ନ ଥିଲା। 


       ଯାହାକୁ ମୁଁ ଏତେ ବଡ ମନେ କରୁଥିଲି ସିଏ କ'ଣ ଏମିତି ହୋଇପାରେ ?ପ୍ରଶ୍ନ ଆସିଲା ମନରେ। 


       - " ତୁମେ କ'ଣ ସତ୍ୟ ? " ମୁଁ ଧୀରେ ପଚାରିଲି। 


       - " ହଁ,ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ?ମୁଁ ବନ୍ଦ ହୋଇ ରହେନି କୋଉଠି।ତୀର୍ଥସ୍ଥାନରେ କି କୌଣସି ପବିତ୍ର ଗ୍ରନ୍ଥରେ ମୁଁ ବନ୍ଧା ହୋଇ ନ ଥାଏ।ସବୁଠି,ସମସ୍ତଙ୍କ ପାଖରେ ଥାଏ ମୁଁ। " ସେ କହିଲା। 


       - " ତା'ହେଲେ ଲୋକମାନେ ତୁମକୁ ଖୋଜନ୍ତି କାହିଁକି ? " ମୁଁ ପୁଣି ପଚାରିଲି। 


       - " ସତେ ଯେମିତି ହଜାଇ ଦେଇଛନ୍ତି !ପାଇବାକୁ ଖୋଜନ୍ତି।ନ ଖୋଜିଲେ ମୁଁ ମିଳେନା।ହେଲେ ମୋତେ ଯେଉଁଠି ଖୋଜିବ,ସେଇଠି ପାଇବ।ଯେମିତି ରୂପରେ ଦେଖିବାକୁ ଚାହିଁବ,ସେମିତି ରୂପରେ ଦେଖିବ। " ସେ କହିଲା। 


       - " ହେଲେ ଏମିତି କାହିଁକି ? " ମୁଁ ପୁଣି ପଚାରିଲି। 


       - " ମୁଁ ପରା ଅଭିଶପ୍ତ।ମୋତେ ଏଇ ଅଭିଶାପ ମିଳିଛି।ଆହୁରି ଶୁଣ,ଯାହା ପାଖକୁ ମୁଁ ଯାଏ,ସେ ପୁରୁଷୋତ୍ତମ ହୁଅନ୍ତୁ ବା ଧର୍ମରାଜ ଅବା ପରାତ୍ପର ବାସୁଦେବ, ସମସ୍ତେ ମୋତେ ଖଣ୍ଡ ବିଖଣ୍ଡିତ କରନ୍ତି।ହୃଦୟ ଭିତରେ ଲୁଚେଇ ରଖନ୍ତି।ଦୁଆର ମୁହଁରୁ ମୋତେ ତିରସ୍କାର କରି ବିଦା କରନ୍ତି।ମୋତେ ବି ଲହୁଲୁହାଣ କରନ୍ତି ସମସ୍ତେ।କରି ସୁଖ ପାଆନ୍ତି। " ସେ କହିଲା କରୁଣ ସ୍ବରରେ। 


        ମୁଁ ହାଁ କରି ଚାହିଁ ରହିଲି ତା'ଆଡେ। ମୋ ମୁହଁରେ ଭାଷା ନ ଥିଲା। 


        ଛେପ ଢୋକି ସେ ପୁଣି କହିଲା - " କିଏ ମୋତେ ଧର୍ମ କହେ ତ କିଏ କହେ ପାପ।ସମାଜ କହେ ଅଶ୍ଳୀଳ।ନ୍ୟାୟମୂର୍ତ୍ତି କହନ୍ତି ଅପରାଧ।ରାଜା କହେ ଦେଶଦ୍ରୋହ।ଏମିତି ମୋର ଭାଗ୍ୟ।ତଥାପି ମୁଁ ଏଇଠି ଥାଏ।ତଥାପି ମୋତେ ଲୋକେ ଖୋଜନ୍ତି।ସବୁ ସତ୍ତ୍ୱେ ମୁଁ କେବେ ଲୁଚି ରହେନି।ମୋତେ ଯିଏ ଖୋଜେ,ମୁଁ ସାଙ୍ଗେ ସାଙ୍ଗେ ତା' ପାଖରେ ପହଞ୍ଚିଯାଏ।ତାକୁ ଖୁସି କରେ।ନିଃସ୍ୱାର୍ଥ ଭାବରେ ତାକୁ ତା' କାମରେ ସାହାଯ୍ୟ କରେ। " 


        ମୁଁ ପଦେ କିଛି କହିବାକୁ ଯାଉଥିଲି।ଦେଖିଲି ଓଜନିଆ ପାଦ ପକାଇ ସେ ଚାଲି ଯାଉଛି ଯେଉଁଠି ଖଟିଖିଆ ଲୋକମାନେ ମୁଣ୍ଡ ତଳକୁ କରି କୁଲା,ଡାଲା ବୁଣିବାରେ ବ୍ୟସ୍ତ ଅଛନ୍ତି, ବଡ ପାଟିରେ କଳିରେ ମାତିଛନ୍ତି ସେମାନଙ୍କ ସ୍ତ୍ରୀ ଲୋକମାନେ ଓ ସେମାନଙ୍କର କୁନି ଛୁଆମାନେ ଚେମେଣିଆ ପରି ଆମ୍ବ ଗଛ ଡାଳରେ ମଇଳା ଲୁଗା ଦୋଳିରେ ଓହଳିଛନ୍ତି। 


        ସେମାନେ ସତ୍ୟକୁ ଖୋଜୁଥିବାର ମନେହେଲା। 


        ସତ୍ୟ କେବେ କାହାଠାରୁ ଦୂରେଇ ରହିପାରେ କ'ଣ ! 


        ସତ୍ୟକୁ ପାଇ ଯେତିକି ଖୁସି ହେଉ ନ ଥିଲି, ତା'ର ଦୁରବସ୍ଥା ମୋତେ ତା'ଠାରୁ ଅଧିକ ଦୁଃଖୀ କରୁଥିଲା।ମୋ ଭିତରୁ ଗୋଟେ ଦୀର୍ଘଶ୍ବାସ ଉତୁରିଗଲା। 


       ହାୟ ! 


       ସତ୍ୟର ଦୁରବସ୍ଥା ମୋ ଆଖି ଆଗରେ ନାଚୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy