Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ସତ୍ୟଭାମାଙ୍କ ଗର୍ବ ଭଞ୍ଜନ

ସତ୍ୟଭାମାଙ୍କ ଗର୍ବ ଭଞ୍ଜନ

4 mins
338



ଦିନକର କଥା। ନାରଦ ଦ୍ୱାରକାକୁ ଆସିଥାନ୍ତି। ସେ ନିଜେ ଆସିଥାନ୍ତି କି ପ୍ରଭୁଙ୍କ ଇଚ୍ଛାରେ ଆସିଥାନ୍ତି, କହିହେବ ନାହିଁ। କଥା କ'ଣ କି କୃଷ୍ଣଙ୍କ ପତ୍ନୀ ସତ୍ୟଭାମା ନିଜ ପିତାଙ୍କ ଧନ ଯୋଗୁଁ କିଛି ମାତ୍ରାରେ ଅହଂକାରିଣୀ ହୋଇ ଉଠିଥାଆନ୍ତି। ତାଙ୍କ ପିତା ଶକ୍ରାଜିତଙ୍କ ନିକଟରେ ଏକ ମଣି ଥାଏ। ସେ ମଣିର ନାମ ‘ସ୍ୟମନ୍ତକ ମଣି’। ସେଥିରୁ ପ୍ରତିଦିନ ଯେତେ ଇଚ୍ଛା ସେତିକି ସୁବର୍ଣ୍ଣ ମିଳୁଥାଏ। ତେଣୁ ସେ ପିତାଙ୍କ ନିକଟରୁ ଇଚ୍ଛାନୁଯାୟୀ ଧନ ଆଣୁଥାନ୍ତି। ତା' ବ୍ୟତୀତ ସେ ନିଜକୁ ଅଧିକ ସୁନ୍ଦରୀ ଓ କାହ୍ନୁଙ୍କର ସବୁଠାରୁ ପ୍ରିୟତମା ପତ୍ନୀ ବୋଲି ଦାବି କରୁଥାନ୍ତି।ତାଙ୍କର ବ୍ୟବହାର ଅନ୍ୟ କୃଷ୍ଣ ପତ୍ନୀଙ୍କର ଅସନ୍ତୋଷର ହେତୁ ପାଲଟି ଯାଇଥାଏ ଏବଂ ବାସୁଦେବ ତାହା ଲକ୍ଷ୍ୟ ମଧ୍ୟ କରୁଥାଆନ୍ତି। “ନାରାୟଣ! ନାରାୟଣ!” ନାରଦଙ୍କର ବୀଣା ଧ୍ୱନି ଓ ପ୍ରଭୁଙ୍କ ନାମ କୀର୍ତ୍ତନ ଶୁଣି ସତ୍ୟଭାମା ବାହାରକୁ ଆସି ଦେବର୍ଷିଙ୍କୁ ସାଦର ସ୍ୱାଗତ କଲେ ଓ ପ୍ରଣାମ କରି ଭିତରକୁ ଆସି ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ। ନାରଦ ଦ୍ୱାରକାର,କୃଷ୍ଣଙ୍କର ତଥା ଅନ୍ୟ ସପତ୍ନୀମାନଙ୍କର କୁଶଳ ଜିଜ୍ଞାସା କଲେ। ସତ୍ୟଭାମା ‘ସର୍ବ କୁଶଳ’ ବୋଲି କହିଲେ। ନାନା ଆଲୋଚନା ମଧ୍ୟରେ ଶ୍ୟାମପ୍ରୀତି ପ୍ରସଙ୍ଗ ବି ପଡିଲା। ନାରଦଙ୍କୁ ସତ୍ୟଭାମା ପଚାରିଲେ,” କହିଲେ ଦେବର୍ଷି, “ ଆମ ଅଷ୍ଟପାଟବଂଶୀଙ୍କ ମଧ୍ୟରୁ କାହାକୁ କେଶବ ସବୁଠାରୁ ଅଧିକ ଭଲ ପାଆନ୍ତି ? “ ନାରଦ ଚମକିଲେ। ଜିଭ କାମୁଡ଼ି କାନ ଛୁଇଁଲେ। “ନାରାୟଣ!ନାରାୟଣ”! ଏ କି ପ୍ରକାର ପ୍ରଶ୍ନ ଦେବୀ?” ଏ ପ୍ରଶ୍ନର ଉତ୍ତର ପ୍ରଭୁଙ୍କୁ ନ ପଚାରି ମୋ ପରି ଗୋଟାଏ ସଂସାରଛଡ଼ା ଲୋକକୁ ପଚାରିଲେ ସେ କି ଉତ୍ତର ଦେବ !ସତ୍ୟଭାମା କହିଲେ,”ଆପଣ କ'ଣ ଆପଣଙ୍କ ପ୍ରଭୁଙ୍କୁ ଜାଣିନାହାନ୍ତି ଦେବର୍ଷି ? ଶ୍ରୀମୁଖରୁ ସତ୍ୟ ବାହାର କରିବା କେତେ କଷ୍ଟ! ଆପଣ ତାଙ୍କ ଅନ୍ତର କଥା ଜାଣନ୍ତି।ଆପଣ କହନ୍ତୁ।“ ନାରଦ କହିଲେ,” ମୋତେ ଲାଗୁଛି, ମାୟାଧର ଆପଣଙ୍କୁ ଅଧିକ ଭଲ ପାଆନ୍ତି (ସତ୍ୟଭାମା ଲାଜେଇଲେ) ବୋଲି କହିଛନ୍ତି। କିନ୍ତୁ ତାଙ୍କ ନାମ ସହିତ ସବୁବେଳେ ମା ରୁକ୍ମୁଣୀଙ୍କ ନାଆଁ ଯୋଡି ଲୋକେ ଶ୍ରୀପତି, ଶ୍ରୀଧର, ଲକ୍ଷ୍ମୀକାନ୍ତ ଓ ଲକ୍ଷ୍ମୀନାରାୟଣ ଆଦି ଯେମିତି ଭଜୁଛନ୍ତି, ସେଥିରୁ ମୋତେ ଲାଗୁନାହିଁ ଯେ ସେ ଆପଣଙ୍କୁ ସତ୍ୟ କହିଛନ୍ତି ବୋଲି।ସତ୍ୟଭାମାଙ୍କ ମୁହଁ ଶୁଖିଗଲା। ସେ କହିଲେ,”ଆପଣ ମୋତେ କିଛି ଉପାୟ କହନ୍ତୁ, ଯେମିତି ସେ ମୋତେ ସବୁଠାରୁ ବେଶୀ ଭଲ ପାଇବେ।“ ନାରଦ କହିଲେ, “ଉପାୟ ତ ଅନେକ ଅଛି।ତେବେ କିଛି ମହତ୍ ଦାନ ଦ୍ୱାରା ଆପଣଙ୍କ ଉଦ୍ଦେଶ୍ୟ ସଫଳ ହେବ।“ ଧନର ଅଭାବ ନଥିଲା। ସତ୍ୟଭାମା ଦାନ ଦେବାକୁ ପ୍ରସ୍ତୁତ ହୋଇ ପଚାରିଲେ, କାହାକୁ ଦାନ ଦେଲେ ହେବ?” ନାରଦ କହିଲେ,” କାହିଁକି? ମୋ ପରି ଦରିଦ୍ର ଥାଉ ଥାଉ…”କଥା ଶେଷ କରିବାକୁ ନ ଦେଇ ସତ୍ୟଭାମା କହିଲେ,”କୁହନ୍ତୁ ଆପଣଙ୍କୁ କି ଦାନ ଲୋଡ଼ା ?” ନାରଦ କହିଲେ,” ଆପଣ ପ୍ରଥମେ ସତ୍ୟ କରନ୍ତୁ ଯେ, ମୁଁ ଯାହା ମାଗିବି ଆପଣ ଦେବେ।“ ସତ୍ୟ କଲେ ସତ୍ୟଭାମା ହସ୍ତେ ଘେନି ନୀର, ବ୍ରହ୍ମାନନ୍ଦନ କହିଲେ,” ସ୍ୱାମୀ ଦାନ କର। ସତ୍ୟଭାମା ଆଗପଛ ନ ବିଚାରି ସ୍ଵୀକୃତି ଦେଇଦେଲେ।ଅଖିଳ ବ୍ରହ୍ମାଣ୍ଡ ପତିଙ୍କୁ ଐକିକ ପ୍ରେମରେ ଆବଦ୍ଧ କରିବା ଆଶାରେ ଏକ ଭୁଲ୍ ପଦକ୍ଷେପ ନେଇ, ସେ ଯେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ହରାଇ ସାରିଛନ୍ତି, ସେ ତ୍ରୁଟି ଅନୁଭୂତ ହେବାକୁ ବେଶୀ ସମୟ ଲାଗିଲା ନାହିଁ। ନାରଦ କୃଷ୍ଣଙ୍କୁ ସ୍ମରଣ କଲେ। ମାଧବ ଉପସ୍ଥିତ ହୋଇ ଦେବର୍ଷିଙ୍କୁ ଦେଖି କୁଶଳ ଜିଜ୍ଞାସା କଲେ। ନାରଦ ଆଉ ଆଗ ପରି ଭକ୍ତିପୂତ ନମସ୍କାର ନ କରି ଆଦେଶ ଦେବା କଣ୍ଠରେ ତାଙ୍କୁ ନିଜ ପଛେ ପଛେ ଆସିବାକୁ କହିଲେ। ବନମାଳୀ ଆଶ୍ଚର୍ଯ୍ୟ ହେଲେ। ନିକଟରେ ସତ୍ୟଭାମାଙ୍କୁ ଦେଖି ସେ ଥରେ ନାରଦଙ୍କୁ ଥରେ ସତ୍ୟଭାମାଙ୍କୁ ଚାହୁଁଥାନ୍ତି। ଦୃଷ୍ଟିରେ ଅନେକ ପ୍ରଶ୍ନବାଚୀ! ନାରଦ କହିଲେ, “ଦେବୀ ସତ୍ୟଭାମା ଆପଣଙ୍କୁ ମୋତେ ଦାନ କରିଦେଇଛନ୍ତି। ତେଣୁ ଆପଣ ମୋ ଆଦେଶ ମାନି କାର୍ଯ୍ୟ କରିବେ। ମୁଁ ଯେଉଁଆଡ଼େ ଯିବି ସେଆଡ଼େ ଯିବେ। “କେଶବ ସତ୍ୟଭାମାଙ୍କୁ କପଟ କ୍ରୋଧରେ ଭର୍ତ୍ସନା କଲେ। “ଏ ତୁମେ କ'ଣ କଲ ସତ୍ୟଭାମା? ଏ କଳହପ୍ରିୟ ୠଷିଙ୍କୁ ଦେବତାମାନେ ବିଶ୍ଵାସ କରନ୍ତି ନାହିଁ। ତୁମେ ତାଙ୍କୁ ଏତେ ସହଜରେ ବିଶ୍ୱାସ କରିଗଲ? ଏବେ ମୋ ଅବସ୍ଥା କ'ଣ ହେବ ! ସାରା ଦିନ ବୁଲିବା ତାଙ୍କର ଅଭ୍ୟାସ ।ୟାଙ୍କ ବୀଣା ବହି ବହି ବ୍ରହ୍ମାଣ୍ଡ ସାରା ଘୂରିବା ମୋ ଭାଗ୍ୟରେ ଲେଖା ଅଛି।।ବସ କହିଲେ ବସିବି।ଉଠ କହିଲେ ଉଠିବି।ଦେବର୍ଷି! ମୋର ଆହୁରି ଅନେକ ପତ୍ନୀ ଅଛନ୍ତି। ଅନ୍ତତଃ ସେମାନଙ୍କ ଠାରୁ ମୋତେ ବିଦାୟ ନେବାକୁ କିଛି ସମୟ ଦିଅନ୍ତୁ”। ସତ୍ୟଭାମା ସେତେବେଳକୁ କାନ୍ଦି କାନ୍ଦି ଅଥୟ ହେଲେଣି। ମୁନିଙ୍କ ପାଦ ଧରି ସ୍ୱାମୀଙ୍କୁ ଫେରାଇ ଦେବାକୁ ବହୁ ଅନୁରୋଧ କଲେ। ଦେବର୍ଷି କିନ୍ତୁ କିଛି ଶୁଣୁ ନଥାନ୍ତି। ସମ୍ବାଦ ଅନ୍ତଃପୁରରେ ପ୍ରଚାରିତ ହୋଇଗଲା। ଶ୍ରୀକୃଷ୍ଣଙ୍କର ସମସ୍ତ ସ୍ତ୍ରୀ ଆସି ପହଞ୍ଚିଲେ। ସେମାନେ ଦେବର୍ଷିଙ୍କୁ ଏହା ଅନ୍ୟାୟ ବୋଲି ଯୁକ୍ତି ବାଢ଼ିଲେ। “ବନମାଳୀ କ'ଣ ଏକା ସତ୍ୟଭାମାଙ୍କର ?” ନାରଦ କହିଲେ, “ସେ ସବୁ ମୁଁ କିଛି ବୁଝିବା ଦରକାର ନାହିଁ। ଆପଣମାନେ ବୁଝାବୁଝି ହେଉଥାନ୍ତୁ। ମୁଁ ଚାଲିଲି ଏ ନାଟୁଆ ନଟବରଙ୍କୁ ନେଇ। ରୁକ୍ମୁଣୀ ଆଗକୁ ଆସିଲେ। ସେ କହିଲେ, “ଆମେ ତାଙ୍କୁ ଛାଡି ବଞ୍ଚିପାରିବୁ ନାହିଁ। ଆପଣ ତାଙ୍କ ବଦଳରେ ଅନ୍ୟ କିଛି ଦାନ ନିଅନ୍ତୁ”। ନାରଦ କହିଲେ, “ସତ୍ୟଭାମା ଦେବୀ ମୋତେ ଦାନ ଦେଇଛନ୍ତି। ସେ ଯଦି କୃଷ୍ଣଙ୍କ ଓଜନର ସୁବର୍ଣ୍ଣ ଦାନ କରନ୍ତି, ତେବେ ମୁଁ ଆପଣଙ୍କ ପତିଙ୍କୁ ଫେରାଇ ଦେଇ ପାରେ। ସତ୍ୟଭାମା ଅତି ଆନନ୍ଦରେ ଏ ପ୍ରସ୍ତାବରେ ରାଜି ହୋଇଗଲେ। ଦେବର୍ଷିଙ୍କୁ ବସିବା ପାଇଁ ଆସନ ଦିଆଗଲା। ତୁଳାଦଣ୍ଡ ଆସିଲା। ଗୋଟିଏ ପାର୍ଶ୍ଵରେ ଏକ ପଣ୍ୟ ଦ୍ରବ୍ୟ ପରି ବସିଲେ ବିଶ୍ୱଭୂଷଣ। ଅନ୍ୟ ପାର୍ଶ୍ଵରେ କୁଢ଼ କୁଢ଼ ସୁବର୍ଣ୍ଣ। “ମହା ମହା ଗିରିଠାରୁ ଅଟନ୍ତି ଯେ ଗରୁ। ନାମ ବହି ଅଛନ୍ତି ଅଟଳ ମହାମେରୁ।“ ସତ୍ୟଭାମାଙ୍କର ସବୁ ଅଳଙ୍କାର ସରିଗଲା। କୃଷ୍ଣଚନ୍ଦ୍ରଙ୍କର ଅନ୍ୟ ସହଧର୍ମିଣୀମାନେ ମଧ୍ୟ ନିଜ ନିଜର ଆଭୂଷଣମାନ ଆଣିଲେ।କେବଳ ରୁକ୍ମୁଣୀ ମୃଦୁ ମୃଦୁ ହସି ଏ ଲୀଳା ଦେଖୁଥାନ୍ତି। ନାରଦ ମଝିରେ ମଝିରେ ସେ ବୀଣାଟାକୁ ଟଙ୍କାରୁଥାନ୍ତି ବେସୁରା ରାଗରେ। ସତ୍ୟଭାମା ରୁକ୍ମଣୀଙ୍କୁ ତାଙ୍କର ଅଳଙ୍କାର ଆଣିବାକୁ କହିବାରୁ ସେ କହିଲେ, “ଭଗ୍ନୀ, ଏ ପର୍ଯ୍ୟନ୍ତ ତୁମର ଜ୍ଞାନୋଦୟ ହୋଇନାହିଁ? ଏ ସମସ୍ତ ଅଳଙ୍କାର କାଢ଼ି ଦିଅ।ତାଙ୍କଠାରୁ ଅଧିକ ଓଜନର ଭୂଷଣ ମୁଁ ଆଣୁଛି। ରୁକ୍ମୁଣୀ ଭିତରକୁ ଗଲେ। ଫେରିବା ବେଳକୁ ତାଙ୍କ ହସ୍ତରେ ଥିଲା ଏକ ତୁଳସୀ ପତ୍ର। ତା' ଉପରେ ଶ୍ରୀକୃଷ୍ଣଙ୍କ ନାମ ଯତ୍ନରେ ଲେଖାଯାଇଥିଲା। ସେଇଟିକୁ ରଖି ଦେବା ମାତ୍ରେ ଶ୍ରୀଗୋପାଳଚୁଡ଼।ମଣି ହାଲୁକା ହୋଇ ଉପରକୁ ଉଠିଲେ। ସତ୍ୟଭାମା ଲଜ୍ଜିତା ହେଲେ।ଏଥର ନାରଦଙ୍କର ବୀଣା ସ୍ୱରରେ ବାଜିଲା। ମୁଖମଣ୍ଡଳରେ ଖେଳିଲା ବିମଳ ମଧୁର ହାସ୍ୟ। ତୁଣ୍ଡରୁ ସ୍ଫୁରିଲା ସେହି ଅମୃତ ବାଣୀ,”ନାରାୟଣ,ନାରାୟଣ”। ତୁଳସୀପତ୍ରଟିକୁ ଉଠାଇ ମୁଣ୍ଡରେ ମାରିଲେ ଓ ସ୍ୱର୍ଗପୁର ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ। ବାସୁଦେବ ସତ୍ୟଭାମାଙ୍କୁ ଏକାନ୍ତରେ କହିଲେ, “ମୋ କଥା ବିଶ୍ୱାସ ହେଲାନାହିଁ ଯେ ସେ ବାବାଜୀଙ୍କ ଛଳନାରେ ଛନ୍ଦି ହୋଇଗଲ?” ଅଭିମାନଭରା ଏକ ତୀର୍ଯ୍ୟକ୍ ଚାହାଣୀ ହାଣିଲେ ସତ୍ୟଭାମା।




Rate this content
Log in

Similar oriya story from Abstract