Pradeep Kumar Panda

Horror Tragedy Thriller

4  

Pradeep Kumar Panda

Horror Tragedy Thriller

ନଅଙ୍କ ଦୁର୍ଭିକ୍ଷ

ନଅଙ୍କ ଦୁର୍ଭିକ୍ଷ

5 mins
6


୧୮୬୬ ମସିହା, ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ୱର ନଅ ଅଙ୍କ ସମୟର କଥା। ସାରା ଓଡ଼ିଶା ଦୁର୍ଭିକ୍ଷର କରାଳଛାୟାରେ ଏପରି ଦୁର୍ଦ୍ଦିନ ଦେଇ ଗତି କରୁଥିଲା ଯେ ତା’ର ପ୍ରଭାବରେ ଓଡ଼ିଶାର ଲୋକସଂଖ୍ୟାର ପ୍ରାୟ ଅଧା ମୃତ୍ୟୁମୁଖରେ ପଡ଼ିଥିଲେ। ପ୍ରତ୍ୟେକ ଗାଅାଁରେ ଭୋକିଲା ଅସହାୟ ଲୋକମାନେ ଛାଇ ପରି ଯାଆସ କରୁଥିଲେ। କଇଁଆ ପତ୍ର, କଦଳୀ ମଞ୍ଜା – ଯାହା ପାଉଥିଲେ, ତା’କୁ ଦରସିଝା କରି ଖାଉଥିଲେ ଓ ଦର ମଲା ଅବସ୍ଥାରେ ବଞ୍ଚିଥିଲେ। କିଛିମାସ ପରେ କଇଁଆ ଗଛରେ ପତ୍ର ରହିଲା ନାହିଁ, କାହାରି ବାଡ଼ିରେ କଦଳୀ ଗଛଟିଏ ଦେଖିବାକୁ ମିଳିଲା ନାହିଁ। ଅନେକ ଦିନର ଅନାବୃଷ୍ଟିର ପ୍ରଭାବ ଗଛ-ଲତା ଓ ଜୀବ-ଜନ୍ତୁଙ୍କ ଉପରେ ମଧ୍ୟ କମ ପଡ଼ି ନ ଥିଲା। କୌଣସି ଗଛରେ ପତ୍ର ନ ଥିଲା। ରାସ୍ତାକଡ଼ର ଚାକୁଣ୍ଡା ଗଛ ଓ ଦୁବ ଘାସ କୋଉ କାଳରୁ ମରି ମାଟିରେ ମିଶି ଯାଇଥିଲେ। ପଡ଼ିଆ, ପଙ୍କାଳ, ବିଲବାଡ଼ିରେ ଗାଇଗୋରୁଙ୍କର କୁଢ଼କୁଢ଼ ଶବ ଓ କଙ୍କାଳ ପଡ଼ି ରହିଥିଲା। ଗାଅାଁ ମଶାଣୀରେ ଜୁଇର ନିଅାଁ ଲିଭୁ ନ ଥିଲା। ବେଳେ ବେଳେ ଗୋଟିଏ ସମୟରେ ଏକାଧିକ ଜୁଇ ଜଳୁଥିଲା। କିଛିଦିନ ପରେ ଶ୍ମଶାନ ପର୍ଯ୍ୟନ୍ତ ବୁହାହୋଇ ଯିବାର ସୌଭାଗ୍ୟ ସବୁ ଶବଙ୍କୁ ମିଳିଲା ନାହିଁ। ଶବ ବୋହିବା ପାଇଁ ଘରେ କେହି ନ ଥିଲେ କିମ୍ୱା ଯେଉଁମାନେ ଥିଲେ ଶବ ବୋହିବା ପାଇଁ ସେମାନଙ୍କ ଦେହରେ ବଳ ନ ଥିଲା। ଭୋକିଲା ପିଲାର ମୁହଁରେ ଦେବା ପାଇଁ ମାଆ ଥନରେ କ୍ଷୀର ନ ଥିଲା। ପରିସ୍ଥିତିର ମୁକାବିଲା କରିବା ପାଇଁ ଇଂରେଜ ସରକାର କୌଣସି ତତ୍ପରତା ଦେଖାଉ ନ ଥିଲେ। କାହିଁ କୋଉଠି ସାତ/ଆଠ ଦିନରେ ଥରେ ଅନ୍ନଛତ୍ର ଖୋଲା ଯାଉଥିଲା। ତାହା ସମୁଦ୍ରକୁ ଶଙ୍ଖେ ପରି ଥିଲେ ବି ଥିଲାଘର ଲୋକମାନେ ଲଜ୍ଜା ଓ ସଂକୋଚକୁ ପଛରେ ପକେଇ ହଳିଆମାନଙ୍କ ସହାୟତାରେ ମୁଠାଏ ଭାତ ପାଇଁ ଅନ୍ନଛତ୍ରରେ ଧାଡ଼ି ବାନ୍ଧୁଥିଲେ।

ସେ ସମୟରେ ଯାଜପୁରର କଇଁଆଗୋଲାରେ ଘଟିଥିବା ଏକ ଘଟଣା ଦୁର୍ଭିକ୍ଷର ଭୟାବହତାର ଏକ କରୁଣ ଓ ସ୍ପଷ୍ଟ ଚିତ୍ର ପ୍ରଦାନ କରେ। ଖବର ପ୍ରକାଶ ପାଇଲା ଯେ ଜଣେ ସ୍ତ୍ରୀ ଲୋକ ନିଜ ଛାତିକୁ ଶୀଳପୁଆରେ ପ୍ରହାର କରି ଆତ୍ମହତ୍ୟା କରିଥିଲା। ତା’ ପାଖରେ ତା’ ପିଲାର ଶବ ମଧ୍ୟ ଅସହାୟ ଭାବେ ପଡ଼ି ରହିଥିଲା। ସାରା ରାଜ୍ୟରେ ଯେତେବେଳେ ଖାଦ୍ୟାଭାବ ଜନିତ ମୃତ୍ୟୁ ତାଣ୍ଡବ ରଚନା କରୁଥିଲା, ଅନେକ ଲୋକ ଭୋକର ଜ୍ୱାଳା ସହି ନ ପାରି ବିଷ ଖାଇ ବା ଦଉଡ଼ି ଦେଇ ବା କୂଅକୁ ଡେଇଁ ଆତ୍ମହତ୍ୟା କରୁଥିଲେ। ଆତ୍ମହତ୍ୟା କରିବାର ଏହିପରି ଥିବା ଚିରାଚରିତ ତରିକାକୁ ଛାଡ଼ି ସ୍ତ୍ରୀ ଲୋକ ଜଣକ ଏକ ଅତ୍ୟନ୍ତ କଷ୍ଟଦାୟକ ତରିକା ଆପଣେଇବା ପଛରେ ଥିବା କାରଣ କେହି ଖୋଜି ପାଉ ନ ଥିଲେ। ଏହି ଘଟଣା ଇଂରେଜମାନଙ୍କ ମନକୁ ମଧ୍ୟ ଏତେ ମାତ୍ରାରେ ଆନ୍ଦୋଳିତ କଲା ଯେ ସେମାନେ ତା’ ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦେଲେ। ତଦନ୍ତରୁ ଜଣାପଡ଼ିଲା ଯେ ମାଆଟି ଶୀଳପୁଆରେ ନିଜ ଛାତିକୁ ବାରମ୍ୱାର ଆଘାତ କରି ଛାତିର କୋଉ କୋଣରେ ଲୁଚି ରହିଥିବା କ୍ଷୀର ଟୋପାକ ବାହାର କରିବାକୁ ଚେଷ୍ଟା କରୁଥିଲା। ଅନ୍ତତଃ ଟୋପାଟେ କ୍ଷୀର ପେଟକୁ ଗଲେ ପିଲାଟା ଗୋଟେ ମୁହୂର୍ତ୍ତ ବଞ୍ଚିଯିବ। ଯେତେ ଚେଷ୍ଟା କଲେ ମଧ୍ୟ ଶୁଖିଲା ଛାତିରୁ କ୍ଷୀର ତ ବାହାରିଲା ନାହିଁ, ବାରମ୍ୱାର ଶୀଳପୁଆ ମାଡ଼ରେ ଦୁର୍ବଳ ଶରୀରରୁ ପ୍ରାଣ ଛାଡ଼ି ଚାଲିଗଲା। କ୍ଷୀର ନ ପାଇ ଅସହାୟ ଛୁଆଟା ମାଆ ପାଖରେ ମରି ଶୋଇଲା।

ଏହିପରି ଜୀବନମରଣ ସମସ୍ୟା ଦେଇ ଗତି କରୁଥିବା ବେଳେ ଅନେକ ମନେମନେ ଚିନ୍ତା କଲେ – ନିକଟ ଭବିଷ୍ୟତରେ ମରିବାଟା ଯଦି ଥୟ, ମରଣ ପାଇଁ ଦିନ ଗଣନା ଯଦି ଆରମ୍ଭ ହୋଇଗଲାଣି, ତା’ ହେଲେ ପୁରସ୍ତମରେ ନୀଳଚକ୍ରକୁ ଚାହିଁ ଶରଧାବାଲିରେ ପଡ଼ି ମରିବା ନାହିଁ କାହିଁକି ? ସେପରି ମୃତ୍ୟୁ ପରେ ତ ମୋକ୍ଷ! ଦେହଟାକୁ ବୋହିବା ପାଇଁ ଗୋଡ଼ ଦୁଇଟାରେ ବଳ ଥାଉ ଥାଉ ବଡ଼ଦାଣ୍ଡରେ ପହଞ୍ଚି ଗଲେ ଯାଏ। ତା’ ପରେ ପୁରସ୍ତମକୁ ଚାଲିଲା ଭୋକିଲା କଙ୍କାଳସାର ମଣିଷମାନଙ୍କର ପଟୁଆର। ବାଟରେ ବାଉଁଶ ପତ୍ର, ଚାକୁଣ୍ଡା ପତ୍ର ଯାହା ପାଇଲେ ଖାଇଲେ ଓ ଘୋଷାଡ଼ି ହୋଇ ଚାଲିଲେ। ରାସ୍ତାରେ ଅଧା ଲୋକ ପଡ଼ି ମରିଗଲେ। ବାକି ପହଞ୍ଚିଲେ ପୁରୀ। ତଥାପି ବଡ଼ଦାଣ୍ଡରେ ଶୋରିଷ ପକେଇବାକୁ ଯାଗା ରହିଲା ନାହିଁ।

ସେତେବେଳେ ୱାଲ୍‌‌ଟିୟର ସାହେବ ଥିଲେ ପୁରୀର ଜିଲ୍ଲାପାଳ। ସେ ଦେଖିଲେ ଯେ କଙ୍କାଳସାର ଜନତା ଲକ୍ଷ ଲକ୍ଷ ସଂଖ୍ୟାରେ ପୁରୀରେ ଆସି ଜମା ହୋଇଛନ୍ତି। ସେ ତାଙ୍କର ଜଣେ କର୍ମଚାରୀଙ୍କୁ ପଚାରିଲେ- ‘ଏମାନେ କ’ଣ ଖାଇବାକୁ ମାଗୁଛନ୍ତି ପୁରୀକୁ ଆସି?’ ‘ନାହିଁ ସାର, ସେମାନେ ଜଗନ୍ନାଥଙ୍କ ଧାମରେ ମରିବା ପାଇଁ ଆସିଛନ୍ତି।’ ଜଗନ୍ନାଥ ନାଅାଁ ଟା ଶୁଣି ୱାଲ୍‌‌ଟିୟର ଭାବିଲେ – ‘ଆରେ ସତେ ତ! ଏଇ କାଠର ପ୍ରତିମା ଆଗରେ ସବୁଦିନ ମହଣ ମହଣ ଚାଉଳ ରନ୍ଧା ହୋଇ ଭୋଗ ଲାଗୁଛି। ଭୋଗ ବନ୍ଦ କରି ସେ ଚାଉଳକୁ ତ ଭୋକିଲା ଲୋକଙ୍କ ଭିତରେ ବାଣ୍ଟି ଦିଆ ଯାଇପାରନ୍ତା।! ତା’ ପରଦିନ ଜିଲ୍ଲାପାଳ ସିଂହଦ୍ୱାର ସାମନାରେ ଏକ ସାଧାରଣ ସଭା ଡାକିଲେ। ସେ ଭାବୁଥିଲେ ଯେ ସାଧାରଣ ସଭାରେ କଥାଟାକୁ ଘୋଷଣା କଲେ ଲୋକମାନେ ତାଙ୍କୁୁ ପ୍ରଶଂସା କରିବେ। ସଭାକୁ ଗଜପତି ଦିବ୍ୟସିଂହ ଦେବ, ମୁକ୍ତି ମଣ୍ଡପର ପଣ୍ଡିତମାନେ, ମଠର ମହନ୍ତମାନେ ଓ ମନ୍ଦିରର ସେବାୟତମାନେ ନିମନ୍ତ୍ରିତ ହେଲେ। ୱାଲ୍‌‌ଟିୟର ସେ ସଭାରେ ଘୋଷଣା କଲେ ଯେ ତା’ ପର ଦିନଠାରୁ ମନ୍ଦିରର ଭୋଗ ବନ୍ଦ କରାଯାଇ ଚାଉଳକୁ ଲୋକମାନଙ୍କ ଭିତରେ ବାଣ୍ଟି ଦିଆଯିବ। ବୁଭୁକ୍ଷୁ ଜନତା ଯାହା ଶୁଣିଲେ ପ୍ରଥମେ ନିଜ କାନକୁ ବିଶ୍ୱାସ କରି ପାରିଲେ ନାହିଁ। ତା’ପରେ ଯେତେବେଳେ କଥାଟା ଦେହରେ ଭେଦିଲା, ସେମାନେ ଭାବୁଥିଲେ ଗଜପତି ମହାରାଜା ଏହାର ପ୍ରତିବାଦ ନିଶ୍ଚୟ କରିବେ। କିନ୍ତୁ ସେପରି କିଛି ହେଲା ନାହିଁ। ଗଜପତି ମୁଣ୍ଡକୁ ତଳକୁ ପୋତି ଚୁପଚାପ ବସିଥିଲେ। ମୁକ୍ତି ମଣ୍ଡପର ପଣ୍ଡିତ, ମଠର ମହନ୍ତ ଓ ସେବାୟତମାନେ ପାଟି ଫାଳକ ଦି ଫାଳ କଲେ ନାହିଁ। କେତେକ ଭକ୍ତ ପ୍ରତିବାଦ କରିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କର ଶୁଖିଲା ଓଠ ଓ ଜିଭ କଥା କହିବା ଅବସ୍ଥାରେ ନ ଥିଲେ। ଶେଷରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଅସ୍ଥି କଙ୍କାଳସାର ବୁଢ଼ୀଟିଏ ଥରିଥରି ଠିଆ ହେଲା। ନିଜର ଛିଣ୍ଡା ପଣତକୁ ଅଣ୍ଟାରେ ଗୁଡ଼େଇଲା ଓ ଶୁଖିଲା ଜିଭକୁ ଶୁଖିଲା ଓଠ ଉପରେ ବୁଲେଇ ଆଣିଲା। ତା’ ପରେ ସେ ଯାହା କହିଲା ସେଠାରେ ଉପସ୍ଥିତ ସମସ୍ତେ ତା’ ଆଡ଼େ ଆଖି ଫାଡ଼ି ଚାହିଁ ରହିଲେ- ‘ଆରେ ଏ ଅଛଦରା ଗୋରା! ତୁ କାହୁଁ ମୋ କାଳିଆକୁ ଚିହ୍ନିବୁ କିରେ? ତୁ କାହୁଁ ଜାଣିବୁ ଆମ ପାଇଁ ସେ କିଏ? ଆରେ ସିଏ ପରା ଆମର ଭୋଜନୀ ସାଆନ୍ତେ। ତା’ର ଭୋକ ସେ ନିଜେ ସହି ପାରେନି କି ଏ ଜାତି ସହି ପାରେନି। ଆରେ ତା’କୁ ଉପାସ ରଖି ଆମେ ଖାଇବୁ? ଆରେ ଏ ଅଛଦରା! କୋଉ ଦିନ ଏ ପେଟରେ ଦାନା ପଡ଼ିଥିଲା, ମୋର ମନେ ନାହିଁ। ତଥାପି ମୁଁ କହୁଛି, କାନ ଖୋଲିକରି ଶୁଣ। ଆରେ ଆମେ ଏଠିକୁ ଖାଇବାକୁ ଆସିନୁ, ମରିବାକୁ ଆସିଛୁ ଏଇ ମାଟିକୁ ଛୁଇଁ। ଆରେ ଚଣ୍ଡାଳ! ଖାଇବାକୁ ନ ପାଇ ମୋ ଗେରସ୍ତ ମରିଯାଉ। ମୁଁ ରାଣ୍ଡ ହେବାକୁ ରାଜି ଅଛି। ଖାଇବା ବିନା ମୋ ପୁଅ ମରିଯାଉ। ଆଣ୍ଠୁକୁଡି ହେବାରେ ମୋର ଦୁଃଖ ନାହିଁ। କିନ୍ତୁ ଆମ ସାଆନ୍ତଙ୍କ ଭୋକିଲା ମୁହଁ ମୁଁ ଦେଖିପାରିବି ନାହିଁ। ଆରେ ଶୁଣିଥାରେ ଅଛଦରା! କାଳିଆ ମୋର ଗେରସ୍ତ, ସେ ମୋର ପୁଅ ଭାଇ ସବୁ କିଛି। ତା’କୁ ଉପାସ ରଖି ଆମେ ଖାଇବୁ ଭାବୁଛୁ?’ ବୁଢ଼ୀର କଥା ଭୋକିଲା ଲୋକଙ୍କ ଦେହରେ ଶହେସିଂହର ବଳ ସଞ୍ଚାର କଲା। ସେମାନେ ଏକସ୍ୱରରେ କହିବାକୁ ଲାଗିଲେ- ‘ରଖ ହେ ତମ ଦାତାପଣିଆ। ଆମକୁ ଭାତ ଦରକାର ନାହିଁ। ଶ… ଗୋରା ଆମକୁ ଭାତ ଦେଖୋଉଛି। ଆରେ ଶ…. ଦେଶ ଶାସନ କରୁଛ, ଆଜି ଯାଏଁ ଶୋଇଥିଲ କୋଉଠି? ଆଜି ନିଦ ଭାଙ୍ଗିଗଲା ନା? କହିଲା କ’ଣ ନଁ ଆମ ସାଆନ୍ତଙ୍କୁ ଉପାସ ରଖି ଆମକୁ ଖାଇବାକୁ ଦେବ! ଆରେ ଜାଣଛୁ, ସେ ଖାଉଛି ବୋଲି ଆମ ପେଟରେ ଦାନା ନ ପଡ଼ିଲେ ବି ଆମେ ବଞ୍ଚିଛୁ।’

ସେ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରେ ମୁଣ୍ଡ ଫାଟି ଯାଉଥିଲା। ହଠାତ୍‌‌ ଆକାଶରେ ଖଣ୍ଡେ କଳାମେଘ ଦେଖା ଦେଲା। ଏତେଦିନ ପରେ ଆକାଶରେ ମେଘ ଦେଖି ସମସ୍ତେ ଆକାଶକୁ ଚାହିଁ ରହିଲେ। ମେଘ ଖଣ୍ଡକ ଦୁଇ ଖଣ୍ଡ ହୋଇ ଗୋଲାକାର ହୋଇଗଲା ଓ କାଳିଆର ଦୁଇ ଚକା ଆଖି ପରି ଦେଖାଗଲା। ଅନେକ ଦିନ ଧରି ଆକାଶରେ ବାଦଲ ଦେଖି ନ ଥିବା ଲୋକମାନେ କାଳିଆର ମୁହଁ ଓ ଆଖି ସ୍ପଷ୍ଟ ଦେଖିପାରୁ ଥିଲେ। ଦେଖୁ ଦେଖୁ ସାରା ଆକାଶରେ କଳା ବାଦଲ ଛାଇ ଗଲା ଓ ଆରମ୍ଭ ହେଲା ମୂଷଳ ଧାରାରେ ବର୍ଷା। ସମବେତ ଜନତା ବର୍ଷାରୁ ରକ୍ଷା ପାଇବା ପାଇଁ ଇଆଡ଼େ ସିଆଡ଼େ ଦୌଡ଼ିଲେ ନାହିଁ। ଚାତକ ପକ୍ଷୀ ବର୍ଷା ପାଣି ପିଇଲା ପରି ସେମାନେ କାଳିଆର ପ୍ରସାଦ ଅମୃତ ଢକଢକ କରି ପିଇଗଲେ। ତା’ ପରେ ବୁଢ଼ୀ ମାଆକୁ ମୁଣ୍ଡିଆ ମାରିବା ପାଇଁ ଖୋଜିଲା ବେଳକୁ ସେ ଭିଡ଼ ଭିତରେ ହଜି ଯାଇଥିଲା।


Rate this content
Log in

Similar oriya story from Horror