STORYMIRROR

Sambit Kar

Abstract Thriller

3  

Sambit Kar

Abstract Thriller

ସ୍ଥିତି

ସ୍ଥିତି

2 mins
526

ଅସୁମାରୀ ଶବ୍ଦ ଭିତରେ ଯେବେ ପରିପ୍ରକାଶର ଭାଷା ଖୋଜି ଚୁପ ହେଇଯାଏ ଏ ମନ ଟା , ସେତେବେଳେ ଲାଗେ ଚୁପ ରହିଯିବାଟା ଭଲ। ଠିକ ଏମିତି କିଛି ଭାବି ଚୁପ ରହି ଯାଇଥିଲା ସମୀର। କିଛିଟା ଭାବନା ଯାହାର ବାସ୍ତବତା ସହ କିଛି ବି ସମ୍ପର୍କ ନାହିଁ, କିଛି ଖିଆଲ ଯାହାର ଜନ୍ମ , କୁଣ୍ଠାବୋଧରୁ । ସେମିତି କିଛି ଭାବନା ସମୀର ମନକୁ ଅସ୍ତବ୍ୟସ୍ତ କରି ପକାଉଥିଲା। ଆକୃତିକୁ କହିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଇ ସାରିଥିଲା। ରାତିରେ ଖାଇବା ଟେବୁଲରେ ସମୀର ଏ ଭଳିଆ ରଙ୍ଗ ଦେଖି, ଆକୃତି ପଚାରି ସାରିଥିଲା କଣ ହେଇଚି କହୁନା? ନା କିଛି ନା, କହି ସେ ଉଠି ଆସିଥିଲା ଶୋଇବା ପାଇଁ।


ଅଧ ରାତି ଯାଏ ଆଖି ବନ୍ଦ କରି ଶୋଇବାର ବୃଥା ଚେଷ୍ଟା କଲା ପରେ ଉଠି ବସିଗଲା। ପାଣି ପିଇବାକୁ ବୋତଲ ଖୋଲିଲା କିନ୍ତୁ କିଛି ଦେଖି ଅଟକି ଗଲା। ତା ଆଖି ଅଟକି ରହୁଥିଲା ଆକୃତି ଉପରେ। କେତେ ଶାନ୍ତିରେ ଶୋଇଥିଲା ଛୋଟ ପିଲା ଭଳି। କିଛି ସମୟ ଅନେଇ ରହିଲା। ହଠାତ ଆକୃତିର ନିଦ ଭାଙ୍ଗିଗଲା। ସେ ଚମକିକି ଉଠି କହିଲା, ମତେ ଡରେଇ ଦେଲ । ଏମିତି କଣ ଭୂତ ଭଳିଆ ବସିଛ ମ ! ଆଉ କିଛି କହିବା ଆଗରୁ ଭୋ ଭୋ କି କାନ୍ଦି ଉଠିଲା ସମୀର। ଆକୃତି ବ୍ୟସ୍ତ ହେଇ ପଚାରିଲା, କାଇଁ... କାଇଁ କାନ୍ଦୁଛ। କଣ ହେଲା, ଖରାପ ସ୍ବପ୍ନ ଦେଖିଲ ନା କଣ? ସମୀର ଖାଲି କହୁଥିଲା ମୋତେ ଛାଡି କୁଆଡେ ଯିବନି। ବଞ୍ଚି ପାରିବିନି। ଆକୃତି ବ୍ୟସ୍ତ ହେଇ ଖାଲି ପଚାରି ଚାଲିଥିଲା କଣ ହେଲା କାଇଁ କାନ୍ଦୁଛ ଏମିତି ? କଣ କରିବ ବୁଝି ନପାରି ସମୀରକୁ କୋଳକୁ ଭିଡି ଆଣିଥିଲା ଆକୃତି। ନିଜ ଛାତିରେ ଜାକି ଧରିଥିଲା। ଆଉ କହି ଚାଲିଥିଲା, କୁଆଡେ ଯାଉନି ମୁଁ। ବ୍ୟସ୍ତ କାଇଁ ଏତେ। ସବୁବେଳେ ତୁମର ଆଉ ତୁମେ ମୋର। ଧୀରେ ଧୀରେ ସମୀର ଶାନ୍ତ ହେଇ ଆସୁଥିଲା ଆଉ ଆଶ୍ୱାସନାର ଶୀତଳ ଚାଦର ତାକୁ ଢାଙ୍କି ନେଇ ଚାଲି ଯାଉଥିଲା ସପନ ରାଇଜକୁ। ସେମିତି ଆକୃତି କୋଳରେ ଶାନ୍ତିରେ ଶୋଇ ଯାଇଥିଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract