ମୋ ଅନୁଭୂତିରେ ବାଲିଯାତ୍ରା
ମୋ ଅନୁଭୂତିରେ ବାଲିଯାତ୍ରା


ବୋଧେ ୩ ବର୍ଷରେ ହେଇଥିବି, ଯେବେ ପ୍ରଥମ ଥର ଘର ଲୋକ ଗାଁ ଗଣ୍ଡ କୁ ଡଙ୍ଗା ଭସେଇବା ପାଇଁ ନେଇଥିଲେ। ବଡି ଭୋରରୁ ଜବରଦସ୍ତି ଗାଧେଇ ଦେଇ କାଖେଇ କି ନେଇଗଲେ, ଚାଲେ ଡଙ୍ଗା ଭସା ହବ। ଭାବିଲି କିଛି ଗୋଟେ ବହୁତ ବଡ କାମ , ବୋଧେ ଡଙ୍ଗାରେ ବୁଲେଇବାକୁ ନେବ। କିନ୍ତୁ ଭାବିଲି ଏ ଛୋଟିଆ ଗଣ୍ଡରେ କିଏ ଡଙ୍ଗା ଚଳେଇବ,କିନ୍ତୁ ପହଞ୍ଚିବା ଯାଏ ଉତ୍ସାହ ଥାଏ କାଳେ ବଡ଼ ଡଙ୍ଗା ରେ ବୁଲେଇବେ! କିନ୍ତୁ ପହଞ୍ଚିବା ପରେ ସବୁ ପାଣି ଫାଟିଗଲା।ଏଇଁ, ସମସ୍ତେ କଣ ଏଡିକି ଏଡିକି କାଗଜ ଡଙ୍ଗା ଭସଉଛନ୍ତି!!ହଉ ଯା ହେଲା ହେଲା,ନୂଆ ଭସେଇବି ବୋଲି ମୋ ପାଇଁ ସୋଲ ଡଙ୍ଗା ଆସିଥିଲା ଆଉ ସମସ୍ତଙ୍କର କଦଳୀ ପଟୁକା। ଡଙ୍ଗା କାହିଁକି ଭସାନ୍ତି ବୋଧେ ପ୍ରଥମ ଥର ପାଇଁ ବୁଝିଥିଲି ଯେବେ , ପଞ୍ଚମ ଶ୍ରେଣୀରେ ସାଧବ ପୁଅ ଉପରେ ଭାଷଣ ଦେଇ ଜିଲ୍ଲାପାଳଙ୍କ ଠୁ ପୁରସ୍କାର ଜିତିଥିଲି। ଗର୍ବ ଲାଗିଥିଲା ସେଦିନର ସେ ଛୋଟ ସୋଲ ଡଙ୍ଗା ଉପରେ।
ଜନ୍ମ କଟକରେ । କଟକ ସହ ଅଲଗା ପ୍ରେମ ମୋର। କିନ୍ତୁ ମୁଁ ବାଲିଯାତ୍ରା ବହୁତ ଡେରିରେ ଗଲି ବୁଲିବାକୁ, ପଖାପାଖି ଅଷ୍ଟମ ,ନବମ ଶ୍ରେଣୀରେ ପଢିଲା ବେଳେ। ଘରେ କହନ୍ତି ଛୋଟ ବେଳେ ନେଇଥିଲେ ଆଉ ଧୂଳିରୁ ମୋ ଦେହ ବହୁତ ଖରାପ ହେଇଥିଲା, ତେଣୁ ମତେ ବାଲିଯାତ୍ରା ନିଅନ୍ତିନି। ଅଷ୍ଟମ ଶ୍ରେଣୀ , ନୂଆ ନୂଆ ସାଇକେଲ ଶିଖିଥାଏ। ଦିନେ ଖରାବେଳେ,ଦେଈର ସାଇକେଲ ନେଇ ବାଲିଯାତ୍ରା ପଳେଇଲି। ରାସ୍ତାରେ କିଛି ସାଙ୍ଗ ମିଳିଗଲେ ସମସ୍ତେ,ମଙ୍ଗଳାବାଗରୁ ନୟାସଡ଼କ ଦେଇକି ନଈ ବନ୍ଧ ଉଠିଗଲୁ। ସେତେବେଳେ ଖାଲି ଷ୍ଟାଡିୟମ ପାଖ ପଡ଼ିଆରେ ବାଲିଯାତ୍ରା ହେଉଥାଏ। ବୁଲିଲୁ, ଖାଇଲୁ ଆଉ ଯାହା କିଛି ପଇସା ବଳିଥିଲା ସେଥିରେ ବନ୍ଧୁକ ମାରିଲୁ। ବାଲିଯାତ୍ରାର ସେ ମନୋହର ଆଉ ଭବ୍ୟତା ଏ ମନରେ ଗଭୀର ଛାପ ଛାଡିଥିଲା। ଆଉ ମୋ ପାଇଁ ବାଲିଯାତ୍ରା ଯିବାର ସବୁଠୁ ବଡ ଆକର୍ଷଣ ଥିଲା , ଉତ୍କଳ ପ୍ରସଙ୍ଗ କିଣିବା। 20 ଟଙ୍କାରେ 12 ଟା ମାଗଜିନ !!! ଆଉ କିଛି ଯୀଶାୟ ସଂଗଠନ ବାଇବେଲ ବାଣ୍ଟୁଥିଲେ। ହଁ ବହି ମିଳୁଛି ଭାବି ତାକୁ ବି ନେଇ ଆସିଲି। ମୋ ପ୍ରଥମ ଚେସ ବୋଡ଼ ବି ମୁଁ ବାଲିଯାତରୁ ଆଣିଥିଲି। ଏମିତି ସବୁ ବର୍ଷ ରେଭେନ୍ସାରେ ପଢିବା ଯାଏ ବାଲିଯାତ୍ରା ଯିବା ହୁଏ । ଖିଆ ପିଆ ହୁଏ କିନ୍ତୁ ସବୁ ବେଳେ କିଛି ନା କିଛି ନୂଆ ଥାଏ ଯାହା ଏ ମନକୁ ଦୋହଲେଇ ଦିଏ। ମତେ ଦୋଳିରେ ବସିବା ଭଲ ଲାଗେନି କିନ୍ତୁ ବେଳେ ବେଳେ କେହି ଜଣେ ଜିଦ କରି ଦୋଳିରେ ବି ବସେଇଛି। ପ୍ରେମିକାକୁ କେତେ ଥର ବାଲିଯାତ୍ରା ଦେଖେଇକି ମନେଇଛି ତାର ଠିକଣା ନାହିଁ। ମୋ ଅନୁଭୁତିରେ କଟକରେ କାର୍ତ୍ତିକ ପୂର୍ଣ୍ଣିମା
ଷଷ୍ଠ ଶ୍ରେଣୀରେ ଗାଁ ଛାଡି କଟକ ଆସିଲ ପରେ କିଛି ଟା ନୂଆ ଅନୁଭୂତି ହେଲା ଏଇ କାର୍ତ୍ତିକ ପୂର୍ଣ୍ଣିମା ରେ।
୧) ବଡି ଭୋରରୁ ଯଦି ଉଠିଗଲ ତେବେ ଯାଇ ଗଡଗଡ଼ିଆ ନ ହେଲେ ଗଣେଶ ଘାଟରେ ଡଙ୍ଗା ଭସା ହେବ ନ ହେଲେ ସାହି ପୋଖରୀ।
୨) ଡଙ୍ଗା ଭସା ସାରି ସହରର ଅଧେ ଖଣ୍ଡେ ମନ୍ଦିର ବୁଲା ହବ ବାପାଙ୍କ ସ୍କୁଟର ପଛରେ ବସିକି।
୩) ଦୀପାବଳି ବଞ୍ଚିଥିବା ବାଣ ସବୁ ଫୁଟା ହେବ ।
୪) ଅଭଡ଼ା ନ ହେଲେ ମଠ ମାର୍କଆ ଖାଇବା ଖିଆହବ।
୫) ଅତି ଉତ୍କଣ୍ଠା ସହ ପର ଦିନ କୁ ଅପେକ୍ଷା ଛାଡ଼ଖଇ ପାଇଁ( ଯଦି ବାର ଭଲ ପଡିଥିବ)
ତାପରେ ଆସେ ବଡ଼ ଆଲୋଚନା ବାଲିଯାତ୍ରା କୁ ଯିବାର ଦିନ ନିର୍ଧାରଣ। ଏମିତି ଗୋଟେ ଦିନ ଧାର୍ଯ୍ୟ ହିଁ ଯଉ ଦିନ ଭଲ ଖାଇ ହେବ ଆଉ ଭିଡ ବି କମ ରହିବ। କଟକିଆ ବେଶି ଚାଲାକ ତେଣୁ ଆମେ ଖରାବେଳୁ ହିଁ ବାଲିଯାତ୍ରା ବାହାରି ଯାଉ। କାହିଁକିନା ଦିନରେ ଭିଡ କମ ଆଉ ଜିନିଷ ଦାମ ବି କମ। ଦିନେ ଦିନେ ଜିନିଷପତ୍ର କିଣା ହବ ଆଉ ସନ୍ଧ୍ୟା ରେ ପେଟେ ଗ୍ରାସ କରି ଆକାଶବାଣୀ ପଛ ଗଳି ଦେଇ ଆସି ହବ, ଟ୍ରାଫିକରୁ ବଞ୍ଚିକି। ବାଲିଯାତ୍ରା ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ରଖିଥାଏ ନିଜ ମୁଣା ଭିତରେ।
୧) ଖାଦ୍ୟପ୍ରେମୀ (ଗିଳା ପେଟୁ)
ଠୁଙ୍କା ପୁରୀ , ଛେନା ତରକାରୀ, ଦହିବରା ଆଲୁଦମ, ମଥୁରା କେକ,ମାଛ ବିଭାଗର ଷ୍ଟଲ, ରୁଚିର ଖାଦ୍ୟ ଦୋକାନ, ବନାରସି ପାନ, ଚାଟ, ଗୁପଚୁପ, ଆଉରି କେତେକଣ ।
୨) କିଣା ପ୍ରେମୀ
କୁଟୀର ଶିଳ୍ପ ସାମଗ୍ରୀ, ଆଚାର, ପମ୍ପାଡ଼,ଶସ୍ତା ଚାଇନା କପ ପ୍ଲେଟ,ଝାଡୁ, କୁଲା ବାଉଁଶିଆ, ମାଛ ଜାଲ, ହରେକ ମାଲ, ଜୋତା, ଶସ୍ତା ଗହଣା, ମସଲା, ଧୂପ, ଲୁହା ଜିନିଷ, ଆହୁରି କେତେ କଣ ।
୩) ଦୁଃସାହସିକ ଲୋକଙ୍କର ପ୍ରିୟ
ରାମ ଦୋଳି, ଛେଚା ପକା ଦୋଳି,ହେଲିକପ୍ଟର ଦୋଳି,ଡ଼ଙ୍ଗା ଝୁଲା
ମିଛ ଭୁତ କୋଠି, ଫାଲତୁ ଯାଦୁକର ଖେଳ, ମୌତ କା କୁଆଁ, ବନ୍ଧୁକ ମରା, ରିଙ୍ଗ ଫୋପଡା, ଆଉ ମନ ପଡୁନି ।
୪)କଳା ପ୍ରେମୀ
ବୈଷ୍ଣବ ପାଣି ମଞ୍ଚ ସବୁ ସନ୍ଧ୍ୟାରେ, ପଟ୍ଟଚିତ୍ର, ବାଲୁକା ଶିଳ୍ପ, କାଂଥ ଟଙ୍ଗା ଫୋଟୋ ର ସମାହାର, ମୁଖା ଆଉ କୁମ୍ପି, ଏମିତି କେତେ କଣ ।
୫) ଆଉ କିଛି ମୋ ଭଳି ଯାଯାବର ଯାଆନ୍ତି ଗୋଟେଇବାକୁ କିଛି ବହି ଆଉ ପୁଳାଏ ଅନୁଭୂତି ।
ଏଇଠି ସରିଲା ।