ସନ୍ତାନ
ସନ୍ତାନ
ମୁଁ ଅଜୟର ଫୋନ୍ କଲକୁ ଅପେକ୍ଷା କରିଥିଲି । ଅଜୟ ବନାମ ଅଜୁ ମୋ ବଡପୁଅ । ପ୍ରଥମଥର ବାପାହେବାକୁ ଯାଉଛି ସେ । ବଡବୋହୂକୁ ଆଡମିଶନ କରାଯାଇଛି ଡାକ୍ତରଖାନାରେ । ଡାକ୍ତର କଥା ଦେଇଛନ୍ତି,ଆଜି ସକାଳ ଦଶଟା ସୁଦ୍ଧା ସେ ମା ହେଇଯିବ ।
ଘରକୁ ଜଣେ ନୂଆ ଅତିଥି ଆସୁଥିବାର ଖୁସିରେ ମୋ ଘରସାରା ଆନନ୍ଦର ଢେଉ ଲହଡି ଭାଙ୍ଗୁଥିଲା । ସେ ଲହଡି ଭିତରେ କୁନିପୁଅଟିଏ ହାତଗୋଡଛାଟି ଖେଳୁଥିବାର ଦୃଶ୍ୟ ମୋତେ ବିମୋହିତ କରୁଥିଲା । ମୋ ସ୍ତ୍ରୀ କିନ୍ତୁ ଚାହୁଁଥିଲା ପ୍ରଥମ ଗର୍ଭରେ ଝିଅଟିଏର ରୂପରେ ମା' ଲକ୍ଷ୍ମୀ ଏଘରେ ବିଜେ କରନ୍ତୂ । ମୋ ସ୍ତ୍ରୀକୁ ମୁଁ ଦୁ଼ଃଖୀ କରିବାକୁ ଚାହୁଁନଥିଲି ସିନା , ମୋ ସ୍ୱପ୍ନ ଭାଙ୍ଗିଯିବା କଥା ଭାବିଲେ , କେଜାଣି କାହିଁକି ମୋତେ ବଡ ଅସହାୟ ଲାଗୁଥିଲା ।
ଖୁସି ଖବର ଜଣାଇଲା ଅଜୟ । ଭଲରେ ଭଲରେ ପ୍ରସବ ହେଇଯାଇଛି । ମୋ ଆବେଗକୁ ଧରିନପାରି ତରତରରେ ପଚାରିଦେଲି-"ପୁଅ ନା ଝିଅ "
ହସି ହସି ଅଜୟ କହିଲା ସେପଟୁ-"ସେକଥା କାହିଁକି ବାପା ? ପ୍ରଥମଥରପାଇଁ ମୁଁ ବାପା ହେଇଛି । ତୁମେ ଜେଜେ ହେଇଛ । ଏଇଟା କଣ ଆମପାଇଁ କମ୍ ଖୁସିର କଥା । ଏଇ ବେଳରେ ଏ ପୁଅ ଝିଅ ପ୍ରଶ୍ନଟା ବଡ ଅବାନ୍ତର ଆଉ ପୁରୁଣାକାଳିଆ ଲାଗୁନାଇଁ କି ? ଛୁଆଟିଏ ଜନ୍ମ ହେଉ ହେଉ ପୁଅ ଝିଅର ବାଛବିଚାର ଆମେ ହିଁତ ସୃଷ୍ଟି କରୁଛୁ ନା ବାପା !"
"ଏଣିକି ଆମେ ଆଉ ଝିଅ ହୋଇଛି କି ପୁଅ ହୋଇଛି କହିବା ନାହିଁ । ମୁଁ ସମସ୍ତଙ୍କୁ କହିବି,ମୁଁ ବାପା ହୋଇଛି । ତୁମେ କହିବ, ତୁମେ ଜେଜେ ହୋଇଛ । ବାସ୍ । ପୁଅ କି ଝିଅ ବୋଲି ଜାଣିବାଟା ନିହାତି ଜରୁରୀ କି ?"
ମୁଁ ବିମୋହିତ ହେଉଥିଲି । ମୋତେ ଲାଗୁଥିଲା, ଖରାଛୁଟିରେ ଗାଁ ପୋଖରୀରେ ଆଖି ଲାଲ୍ ହେବାଯାଏଁ ଗାଧୋଇ ମୁଁ ଘରକୁ ଫେରିଛି ଏବଂ ବିଲରୁ ଝାଳନାଳହୋଇ ଫେରିଥିବା ମୋ ବାପା ମୋ କାନ ମୋଡିଦେବା ବଦଳରେ ସସ୍ନେହରେ ମୋତେ ଦେଉଛନ୍ତି, ସୁନାପିଲା ହେବାର ଗୁରୁମନ୍ତ୍ର ।
