ଦାଂପତ୍ୟ
ଦାଂପତ୍ୟ
ଏଇ ଅକ୍ଷୟ ତୃତୀୟାରେ କିଛି ଗହଣା କିଣିଲେ ହୁଅନ୍ତା ନି ? ବଢିଆ ଅଫର ଅଛି ।" ଚା କପଟି ମୋ ହାତକୁ ବଢ଼େଇ ଦେଇ ପାଖରେ ବସି ଗେହ୍ଲେଇ ହେଲେ ଶ୍ରୀମତୀ । "ସୁମି ଭାଉଜ କହୁଥିଲା,ଅକ୍ଷୟ ତୃତୀୟାରେ ସୁନା କିଣିଆଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ।" ଗୋଟେ ଚାଷୀ ଘରର ପୁଅ ଭାବରେ ମୁଁ ଜାଣିଥିଲି ଯେ, ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ହୁଏ । ପବିତ୍ର ମନରେ ଘରଦ୍ୱାର ଲିପାପୋଛା କରି ଗାଧୁଆ ସାରି ନୂଆଲୁଗା ପିନ୍ଧି ଧୂପଦୀପ ଜାଳି ଚାଷୀ ତା ବିଲରେ ସେ ବର୍ଷର ପହିଲି ଚାଷ ଆରମ୍ଭ କରେ । ମା ଲକ୍ଷ୍ମୀଙ୍କ ପାଖରେ ସୁମରଣା କରେ, ତା କ୍ଷେତରେ ଭଲ ଫସଲ ଫଳାଇବାକୁ । ବଡ଼ ଠାକୁର ଜଗନ୍ନାଥଙ୍କ ରଥଗଢା ବି ଆରମ୍ଭ ହୁଏ, ଏହି ଦିନରୁ । ଆହୁରି ଅନେକ କାମର ଶୁଭାରମ୍ଭ କରାଯାଏ, ଏହି ପବିତ୍ର ଦିନରୁ । ବିଭିନ୍ନ ଶୁଭକାମପାଇଁ ଦିନଟି ବେଶ୍ ଅନୁକୂଳ ବୋଲି ସାଧାରଣରେ ମନେ କରାଯାଏ । କିନ୍ତୁ ସୁନା କିଣିଲେ, ଲକ୍ଷ୍ମୀ ଘରକୁ ଆସିବେ ଶୁଣି ଚମତ୍କୃତ ହେଲି । ମୋ ପରି ଗୋଟିଏ ଅଭାବୀ ହିନକପାଳିଆ ଲୋକପାଇଁ ଲକ୍ଷ୍ମୀଙ୍କର ଉପସ୍ଥିତି ବି ତ ନିହାତି ଜରୁରୀ । ଲକ୍ଷ୍ମୀଙ୍କୁ ଘରକୁ ଆଣିବାର ଏତେ ସହଜ ବାଟ ଟିଏ ଶ୍ରୀମତୀ ସଂଧାନ କରିଥିବାରୁ ମୁଁ ତାଙ୍କ ଉପରେ କୃତ୍ୟ କୃତ୍ୟ ହେଲି ବି ଆମର ସମ୍ବଳ ଅନୁଯାୟୀ ଶ୍ରୀମତୀଙ୍କ ପାଖରେ ଯଥେଷ୍ଟ ସୁନା ଗହଣା ଅଛି ବୋଲି ମୋର ମନେ ହୁଏ । ତାଙ୍କର ଯେ ଆଉ ବେଶୀ ଗହଣା ଦରକାର,ଏକଥା ମୁଁ ଭାବିପାରେନା । ଆମ ନାହିଁ ନାହିଁର ଅଭାବୀ ତେଲଲୁଣର ସଂସାର ଭିତରେ ସୁନା କିଣିବାର ସ୍ୱପ୍ନଟିଏ କେବେ ଗଜୁରୀ ପାରେନା । ଯେତେ ଜଗିରଖି ଚଳିଲେ ବି , ଆୟ ଠୁଁ ବଳି ପଡୁଥାଏ ବ୍ୟୟ । ଏବେ ଏବେ ନାନା କସରତ କରି କିଛି ଟଙ୍କା ସଞ୍ଚିଛି ମୁଁ । ଏକଥା ଜାଣନ୍ତି ଶ୍ରୀମତୀ । ମରୁଭୂମିରେ ଘାସ କଅଁଳିଲା ପରି ତାଙ୍କର ଧୂସର
ମନରେ ସେଥିପାଇଁ ବୋଧେ ସବୁଜ ଇଚ୍ଛା ଟିଏ ଅଙ୍କୁରିତ ହେଉଛି । ମୋର ବହୁକଷ୍ଟ ଅର୍ଜିତ ସେଇ ସ୍ୱଳ୍ପ ସଞ୍ଚିତ ଧନକୁ ମୁଁ ଏହି ଶୁଭ କାମରେ ବିନିଯୋଗ କରି ମୋ ଘରକୁ ଲକ୍ଷ୍ମୀ ଠାକୁରାଣୀଙ୍କର ବାଟ ପକ୍କା କରିବାକୁ ଶ୍ରୀମତୀଙ୍କର କାମନା ରହିଛି ବୋଲି ମୁଁ ମନେକଲି । ତେଣୁ ମୋର ମନ କୁନ୍ଥୁ କୁନ୍ଥୁ ହେଉଥିଲେ ବି "ଶୁଭସ୍ୟ ଶିଘ୍ରମ୍" ନିତୀରେ ଅଗ୍ରସର ହେବାକୁ ଉଚିତ୍ ବୋଲି ବିଚାରିଲି । ସତ କହିବାକୁ ଗଲେ, ସ୍ତ୍ରୀ ଙ୍କ ମନ ଭାଙ୍ଗିବାକୁ ମୁଁ ଚାହୁଁନଥିଲି ।
ତେଣୁ ସ୍ତ୍ରୀ ଙ୍କ ମନ ରଖିବାକୁ କହିଲି, -"ଭଲ ହେବ ତ । ଆମେ ଅକ୍ଷୀ ତୃତୀୟାରେ ଗହଣା ଦୋକାନରୁ ସୁନା ଚେନ୍ ଟିଏ ଆଣିବା । ତୁମ ସହିତ କୁଆଡେ ବାହାରକୁ ଗଲାବେଳେ ତୁମେ ମୁଦି,ସୁନାହାର,କାନଫୁଲରେ ଝଟକୁ ଥାଅ । ମୋ ଆଙ୍ଗୁଠିରେ ମୁଦିଟିଏ ବି ନଥିବାରୁ ମୋତେ ଭାରି ଲଙ୍ଗଳା ଲଙ୍ଗଳା ଲାଗେ । ତେଣୁ ମୋ ପାଇଁ ଚେନ୍ ଟିଏ ନେଇ ଆସିଲେ,ଆମ ଯୋଡି ପୁରା ଜବରଦସ୍ତ ମାନିବ ।" ମୋ ଆଶା ମୁତାବକ ଶ୍ରୀମତୀ ଖୁସି ହେଲେନି । ବରଂ ମୁହଁ ଫଣଫଣକରି ଉଠି ଚାଲିଗଲେ । ତା ପରଠୁଁ ଆଜି ପର୍ଯ୍ୟନ୍ତ ଅକ୍ଷୟ ତୃତୀୟା ର ଏତେଦିନ ପରେବି ଆଉ ସୁନା କିଣିବା କଥା କେବେ ଆଲୋଚନା କରିନାହାନ୍ତି । ତାଙ୍କ ରଙ୍ଗଢଙ୍କ ଦେଖି ମୁଁ ବି ଏପର୍ଯ୍ୟନ୍ତ ତାଙ୍କ ପାଖରେ ଆଉ ଏପ୍ରସଙ୍ଗ ଉଠେଇନି । କିନ୍ତୁ ମୁଁ ମୋଟେରୁ ବୁଝିପାରୁନି,ମୋର ଅନିଚ୍ଛା ସତ୍ତ୍ବେ କେବଳ ଶ୍ରୀମତୀଙ୍କ ମନରଖିବାକୁ ମୋ ଝାଳବୁହା ସ୍ୱଳ୍ପ ଧନକୁ ବିନିଯୋଗ କରିବାକୁ ସମ୍ମତି ଦେବା ସତ୍ତ୍ୱେ ସେ କାହିଁକି ଏମିତି ଆଚରଣ କଲେ ? ଲକ୍ଷ୍ମୀ ଙ୍କୁ ଘରକୁ ଆଣିବାର ସହଜ ବାଟଟିଏର ସଂଧାନ ପାଇବା ସତ୍ତ୍ୱେ ମୁଁ ତାକୁ ସାଧନ କରିପାରି ନଥିବାରୁ ମୋ ମନ ବି ଭାରି ଦୁଃଖ । ଏମିତି କାହିଁକି ହେଲା ? କେହି ଜାଣିଥିଲେ ନିଶ୍ଚୟ କହିବେ,ପ୍ଲିଜ୍ ।