STORYMIRROR

Ghanashyam Mahanta

Tragedy

3  

Ghanashyam Mahanta

Tragedy

ପୁଣ୍ୟ

ପୁଣ୍ୟ

1 min
520

       ରୋହିତ ଦାସ ତା ସବାରି ନେଇ ସବାରି ଷ୍ଟାଣ୍ଡରେ ଲଗାଇଲା ।  ଡୋର୍ ଖୋଲି ତଳକୁ ଓହ୍ଲାଇଲା ବେଳେ ତା ସାଥୀ ସବାରୀ ଡ୍ରାଇଭର ବନସାହୁ ପାଖକୁ ଆସୁ ଆସୁ ପଚାରିଲା -“କାଇଁହୋ ଦାସେ… ଲୋକ କାଇଁ  ?”

          “ଆଜି ଜମା ଲୋକ ନାଇଁମ ! କଣ କରିବା ଆଉ ?” ମୁହଁ ଶୁଖାଇ ଗା଼ଡି ଭିତରୁ ଓହ୍ଲାଉଥିବା ଲୋକମାନଙ୍କ ଆଡକୁ ଚାହିଁ କହିଲା ରୋହିତ ଦାସ ।


“ଆଉ ତୋ ବେପାର କେମିତି ହେଲା ?”


“ନାଇଁମ ….ଆଜି ବେପାର କାଇଁ ?” ବେପାରୁଆ ଭାବେ ଉତ୍ତର ଫେରାଇଲା ବନ ।

 ପୁଣି ଚମକେଇ ଦେବା ସ୍ବରରେ ଯୋଡିଲା –“ପୂଜାପାଇଁ ଏଣେ ଚାନ୍ଦା ପାଞ୍ଚଶହ …..ପ୍ରତି ଗାଡି  ପିଛା । ଜାଣିଛୁ ତ ?”


“ପାଞ୍ଚଶହ ଟଙ୍କା !”


“ ହଉ । ଠାକୁରଙ୍କ କାମରେ ଲାଗିବତ ! ଠାକୁରଙ୍କୁ ଆମେ ଯେତିକି ଦେଇ ପାରିବା ,

ଆମର ସେତିକି ପୁଣ୍ୟ ହେବ ।“ ପାସେଞ୍ଜର ମାନଙ୍କ ପାଖରୁ ଭଡା ସଂଗ୍ରହ କରୁକରୁ

 ନିର୍ବିକାରଭାବେ କହିଲା ରୋହିତ ।


           ହଠାତ୍ ପ୍ୟାସେଞ୍ଜରମାନଙ୍କ ପଛଆଡକୁ ଠିଆହୋଇଥିବା ଗୋଟିଏ ବୁଢୀ ଆଡକୁ

ଖିଙ୍କାରି ଉଠିଲା ଦାସ ।“ କଣ ମାଉସୀ ....ଆଉ ପାଞ୍ଚ ଟଙ୍କା କାହିଁ ?”


 “ସେତିକି ରଖିଥାରେ ପୁଅ ....ଆଉ ପଇସା ନାଇଁ…”


ଚମ ଧୁଡୁ ଧୁ଼ଡୁ ଦେହରେ ମଇଳା କସ୍ତାଶାଢୀଟିଏ ପିନ୍ଧିଥିବା ବୁଢୀଟି କାକୁତି ହେଲା ।


“ହୋଇପାରିବନି !” ଅପେକ୍ଷାକୃତ ଚଢାଗଳାରେ ଧମକେଇଲା ରୋହିତ ଦାସ ।


“ପଇସା ନାଇଁତ ଗାଡିରେ ଆସୁଥିଲ କାହିଁକି । କାଢ...କାଢ...ଆଉ ପାଞ୍ଚଟଙ୍କା କାଢ ...”


ବୁଢୀ ତା କାନି ଖୋଲି ଦେଖେଇଲା । ରୋହିତ ଦାସ କିନ୍ତୁ ନଛୋଡ ବନ୍ଧା ।


“ହେଇ ସେ ଛୁଆ ଧରିଥିବ ଦେଖ ...”ବୁଢୀର ଲୁଗା କାନିକୁ ଧରି ଜୁଳୁଜୁଳୁକରି ଚାହିଁ

 ଥିବା ଆଠ ଦଶ ବର୍ଷର ପିଲାଟି ଆଡକୁ ହାତ ବଢାଇଲା ରୋହିତ ଦାସ । ବୁଢୀର ନାତି

 ବୋଧେ । ଛୁଆଟି ଡରିଯାଇ ତା ପକେଟକୁ ଗୋଟିଏ ହାତରେ ଜାବୁଡି ଧରିଲା ।


 ମିଠେଇ ଖାଇବ ବୋଲି ଧରିଛି ..

                      

ଛୁଆଟିର ଛଳଛଳ ଆଖିଆଡକୁ ନ ଚାହିଁ ଓ ନିଜ ଆଖି କୋଣରେ ଜକେଇ ଆସୁଥିବା

 ଲୁହକୁ ରୋକିବାକୁ ଚେଷ୍ଟାକରି ପକେଟରେ ହାତମାରି ପାଞ୍ଚଟଙ୍କିଆ ଗେଡିଟିକୁ ବାହାର

କଲା ବୁଢୀ ।

           

           ହାତପାତି ଠିଆହୋଇଥିବା ରୋହିତ ଦାସ ବୁଢୀ ହାତରୁ ପଇସାଟିକୁ ଏକପ୍ରକାର ଝାଂପି ନେଲା ଓ ବୁଲିପଡି ସାମ୍ନାରୁ ଚାଲିଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy