ସନ୍ଧାନ
ସନ୍ଧାନ
"ସନ୍ଧ୍ୟା ନଇଁ ଆସୁଛି। ହିମାଳୟ ବରଫରେ ଦେହ ଶୀତେଇ ଉଠୁଛି। ମୌସମଟା ଟିକେ ଅମାନିଆ ମନେ ହେଉଛି। ଗନ୍ତବ୍ୟ ସ୍ଥଳକୁ ଫେରିବା ସମୟ ହୋଇଗଲାଣି, କିନ୍ତୁ ଅଜଣା ଜାଦୁ ଗୋଟେ ମୋତେ ଘେରି ରଖିଛି। କାହିଁକି ପାଦ ଆଗକୁ ବଢ଼ାଇବା ଜାଗାରେ ମୁଁ ଅଟକ ପଡ଼ି ଯାଇଛି। କଣ ପାଇଁ ! "- ଏ ସବୁ ହୃଦୟର ଗଳ୍ପ ଚାଲିଥିଲା କୁନାଲ ମନରେ।
ଠିକ ଏତିକି ବେଳେ ଗୋଟିଏ ଗୌରବର୍ଣ ଝିଅକୁ ଦେଖି ଆଖି ଅଟକିଥିଲା। କାହିଁକି ଭାରି ଚିହ୍ନା ଚିହ୍ନା ଲାଗିଲା। ବୁଲି ଦେଖିବାକୁ ଇଚ୍ଛା ହେଉଥିଲା । ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରିଲା- " ଏହି ସମୟରେ ଜଣେ ନାରୀ ଏତେ ଥଣ୍ଡାରେ ଧନ୍ଦିବାନ୍ଧି ହେଉଛନ୍ତି। କିଛି ଅସୁବିଧା ହେଇନି ତ!" ଏଇ ସବୁ ପ୍ରଶ୍ନ ନିଜକୁ ପଚାରିଲା ଭିତରେ ଆଖି ବୁଲେଇ ସେ ନାରୀର ମୁଖ ଦର୍ଶନ କଲା। ସେତେବେଳେ ନିଶା ତା'ର ମଫଲର ସାଙ୍ଗରେ ଛୋଟ ଯୁଦ୍ଧ କରୁଥାଏ। ଏଣୁତେଣୁ ଗୁଡ଼ାଇ ହୋଇଥିବା ମଫଲରକୁ ଠିକ କରୁଥାଏ। ପୁଅର ଦୁଷ୍ଟାମି ପାଇଁ ଏ ଅବସ୍ଥା।
" ଓହୋ, କି ଅବସ୍ଥା ମୋ ପୁଅଟା ନା ! ଥଣ୍ଡାରେ ଥରି ଥରି ପ୍ରାଣ ଶେଷ, ଏ ମଫଲରକୁ ଠିକ କରି ବାନ୍ଧି ପାରୁନାହିଁ।" ଏତିକି ଶବ୍ଦ ବାହାରିଥିଲା ନିଶା ମୁହଁରୁ।
ଏ କ'ଣ, ଏତିକି ଶବ୍ଦ ଶୁଣି କୁନାଲ ମନରେ ଏକ ବିରାଟ ଆଲୋଡନ ସୃଷ୍ଟି ହେଲା ।ଭୃକୁଞ୍ଚନ କରି ଡାହାଣ ଆଡ଼କୁ ଚାହିଁଲା। ଇତି ମଧ୍ୟରେ ନିଶାର ମଫଲର ଠିକସେ ବନ୍ଧା ହୋଇସାରିଥିଲା।" ଆରେ ଏ ତ ନିଶା, ମୋ ଜୀବନରେ ପ୍ରାଣଠାରୁ ଯାହାକୁ ଭଲ ପାଇଯାଇଥିଲି। ସମୟର ଲୁଚକାଳି ଖେଳ ଆଜି ଏମିତି ସମୟ ଦେଖାଇଲା।"
ନିଶା ବୁଲିପଡ଼ି ବାହାରିଥିଲା ସେ ସ୍ଥାନରୁ ପ୍ରସ୍ଥାନ ନେବାକୁ, କିନ୍ତୁ ପଛରୁ ଗୋଟେ ଡାକ ପାଦ ଅଟକାଇ ଦେଇଥିଲା। "ନିଶା"- କୁନାଲ ଆଉ ନିଜକୁ ନ ଅଟକାଇ ପାରି ଡାକି କହିଲା- " ତୁମେ ନିଶା, ଠିକ।"
କୁନାଲକୁ ଦେଖି କିଛି ବର୍ଷ ପରେ ନିଶା ଆଶ୍ଚର୍ଯ୍ୟ ଚକିତ। ହୃଦୟର କୋହ ଏଇ ବରଫରେ କେଉଁଠି ଥଣ୍ଡା ପଡ଼ି ଯାଇଛି। ଆଗକୁ ଆଗ ପାଦ ବଢ଼ି ଆସିଲା ଦୁହିଁଙ୍କର। ନିକଟତର ହୋଇଥିଲେ ଏ ହିମାଦ୍ରୀରେ। ବାସ ଗୋଟେ ଡ଼ାକ ହୃଦୟର ସମସ୍ତ ତାରଗୁଡାକୁ ଗୁଡ଼ାଇ ଦେଲା । ଏତେ ବର୍ଷ ପରେ ହଠାତ୍ ଦିନେ ଏମିତି ଶୀତୁଆ ପବନରେ ଦେହରେ ନୁଆ ଶିହରଣ ଖେଳିଯିବ, ଦୁହେଁ ଭାବି ନ ଥିଲେ।
" ତୁମେ ଏଠି ମାନେ ଛାଡ କେମିତି ଅଛ କୁହ!" ଶୀତରେ କାମ୍ପି କରି ପଚାରିଲା ନିଶା।
" ମୁଁ ଏମିତି ଯାଯାବର ହୁଏତ ଯାହାର ଠିକଣା ନାହିଁ କି ଆସର ନାହିଁ। ନିଜକୁ ଖୋଜୁଛି ଆଜି ସମୟର ବଳୟରେ। ଆଛା ତୁମେ ଏଠି ମନାଲିରେ ବୁଲି ଆସିଛ ନା ଏଠି ରହୁଛ।" କୁନାଲ ବଡ଼ ଉତ୍ସୁକତାର ସହ ପଚାରିଲା।
ଧୀରେ ଧୀରେ ସଞ୍ଜ ନଇଁବା ବେଳ, ହୃଦୟରୁ କିନ୍ତୁ ଅତୀତ ସୂର୍ଯ୍ୟ କିରଣର ଲାଲିମାରେ ଆଜି ଅସ୍ତରଙ୍ଗ ହେଉଛି ମନ। କିଛି କିନ୍ତୁ ପରନ୍ତୁ ରେ କ୍ରମଶଃ ସବୁ କଥା ଅଟକି ଯାଉଛି।
କୁନାଲ ପରିସ୍ଥିତି ସହ ଗୋଚର। ହାଲକା ହସି କହିଲା," ଆରେ ମୋ କଥା ଛାଡ।ତୁମ କଥା କୁହ। "
ନିଜକୁ ଠିକସେ ସମ୍ଭାଳି ନେଇଥିଲା ନିଶା ଇତି ମଧ୍ୟରେ। " ଆଛା ମୋ କଥା ଛାଡ। ମୁଁ ତୁମକୁ ଭଲପାଏ ବୋଲି ତୁମେ ଜାଣିଥିଲ, ତୁମ ଘର ଲୋକ ରାଜି ଥିଲେ କି ନାହିଁ ମୁଁ ତ କିଛି ବୁଝିପାରିଲି ନାହିଁ। ତୁମ ବାଟକୁ ଚାହିଁ ରହିଲି। ଆଜି କାଲି ଏମିତି କରି କେତେ ଦିନ ବିତାଇବା ପରେ ହଠାତ୍ ଦିନେ ବୋଉ ଫୋନ୍ କରି କହୁଛି, ମୋ ବାହାଘର ଅନ୍ୟ ଏକ ଲୋକ ସଙ୍ଗେ ଠିକ ହୋଇଛି। ତୁମ ଆଖି ପଲକରେ ମୁଁ ହିଁ ଥିଲି, କିନ୍ତୁ ମନ କ'ଣ ଥରେ ବି କହିଲା ନାହିଁ, ମୋତେ ଥରେ ଦେଖା କରି ' ମୁଁ ତୁମକୁ ଭଲପାଏ' ଏତିକି କହିବାକୁ। ଆଜି କହୁଛି କିଛି ସମୟ ପୁଣି ଫେରି ଆସେନି। ଆଜି ଏହାର ଉତ୍ତର ଦେବାକୁ ତୁମେ ବାଧ୍ୟ ନୁହଁ। କ୍ଷମା କରିବ କିଛି ଅଧିକା କହିଲି। " ଅତୀତର ପୃଷ୍ଠାଟି ପୁଣି ଥରେ ଖୋଲି ସେ ଏତେ ଥଣ୍ଡାରେ ଏତେ ଗରମ କଥା କେମିତି କହିଗଲା, ନିଶା ମଧ୍ୟ ଆଶ୍ଚର୍ଯ୍ୟ, ତା ସାଙ୍ଗରେ କୁନାଲ ବି। ଶୀତର ଲହରୀ ଖେଳିଯାଇଛି କିନ୍ତୁ ଜଳୁଛି ହୃଦୟ ଘୋରବନେ ନିଆଁ।
ନିଶାର ପ୍ରଶ୍ନରେ ଆଘାତପ୍ରାପ୍ତ ନୁହେଁ ଆଜି କୁନାଲ। ସେ ଜାଣିଥିଲା ଏହି ପୃଷ୍ଠାଟି ନିଶ୍ଚୟ ଖୋଲିବ, ଯଦି ନିଶା ସାଙ୍ଗରେ କେବେ କୋଚିତ ଦେଖା ହୋଇଗଲେ। ଆଜି ସେହି ମୁହୂର୍ତ୍ତ।
ଏତେ ଥଣ୍ଡାରେ ଆଖି ଦୁଇଟି ଛଲଛଲ ହେଉଛି। ମନକୁ ସାଉଁଟି କହିଲା, " ମୁଁ ତୁମକୁ ଭଲପାଏ ବୋଲି କହିବା ଥାନ୍ତି କେମିତି! ମୁଁ ତୁମକୁ ଦେଖା କରି ଦୁଃଖ ଦେବାକୁ କି ତୁମକୁ ସାଥୀ କରି ମଝି ଦରିଆର ପଥିକ କରିଥାନ୍ତି କେମିତି। କିଛି ଅସୁବିଧା ଥିଲା, ନିଜକୁ ଆଜି ଠିକ ବୋଲି ପ୍ରମାଣିତ କରାଇବା ପାଇଁ ଚାହେଁ ନାହିଁ। ବାସ ଏତିକି କହିବି, ମୋ ସନ୍ଧାନ ପୂରଣ ହୋଇଛି। ଏଥିରେ କାହାର ହାତ ଅଛି କହି ପାରିବି ନାହିଁ। କିନ୍ତୁ ହଁ, ଏବେ ତୁମକୁ ମୋ ମନ କଥା କହୁଛି। ତୁମକୁ ମୁଁ ବହୁତ ଖୁସିରେ ରଖିବା ପାଇଁ ଚାକିରି କରିବା ପାଇଁ କମ୍ପାନୀରେ କାମ କରିବା ପରେ ଛୁଟିରେ ଆସି ତୁମ ବାପାଙ୍କଠାରୁ ତୁମ ହାତ ମାଗିବି ବୋଲି ବସିଲି। କିଛି ଦିନ ପରେ ଅଫିସରେ ବେହୋସ୍ ହୋଇପଡ଼ିବା ପରେ ମୋତେ ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି କଲେ। ଜାଣିବାକୁ ପାଇଲି କିଛି ଦିନର କିମ୍ବା କିଛି ମାସର ମୁଁ ଅତିଥି। ଏହି ସମୟରେ ମୁଁ ତୁମର ବାହାଘର ଖବର ପାଏ। କ'ଣ କରି ଥାନ୍ତି , ଦିଶାହରା ଲାଗିଲା। ଅକୁହା କଥା ଯେ ମନରେ ଘର କରି ଯାଇଥିଲା। କାଶ, ମୁଁ ତୁମକୁ ଭଲପାଏ ବୋଲି କହିଥାନ୍ତି, କାଶ ମୋଠାରୁ ଦୂରେଇ ଯାଇ ନ ଥାନ୍ତ।
ରୋଗ କିଛି ବର୍ଷ ସମୟ ଦେଲା। ଠିକ ତ ହେଇନି କି ହେବି ନାହିଁ। ଗୋଟିଏ ଆଶାରେ ଠାକୁରଙ୍କ ଉପରେ ବିଶ୍ଵାସ ରଖିଥିଲି, ଯେ ଶେଷ ନିଃଶ୍ୱାସ ତ୍ୟାଗ କରିବା ଆଗରୁ ତୁମକୁ ଭଲପାଏ ବୋଲି କହିବି। ମୋ ମନ ହାଲକା କରିବି। ଆଜି ସେ ସମୟ ଆସି ଯାଇଛି। " ଏତିକି କଥାରେ ନିଶାର ଆଖିରେ ଲୁହର ଜୁଆର। ଜୋରରେ ଜାବୁଡ଼ି ଧରି କାନ୍ଦିବାକୁ ଇଛା ତ ଅନ୍ୟ ଏକ ବ୍ୟକ୍ତିର ଯେ ସେ ଧର୍ମପତ୍ନୀ। ଅଟକାଇ ଦିଏ ନିଜକୁ ଓ ନିଜ ମନକୁ।
" ଆଜି ସମୟ ଏମିତି ଶୀତୁଆ ପବନରେ ଦେହରେ କାଲୁଆ କରି ଏତେ ଗରମ କରିଦେବ ଭାବି ନ ଥିଲି। ଆଜି କହୁଛି ମୁଁ ତୁମକୁ ଭଲପାଏ ବୋଲି। ହଁ ବହୁତ ଭଲପାଏ। କିନ୍ତୁ ତୁମକୁ ମୁଁ ଏ ଜନ୍ମରେ ସୁଖ ନ ଦେଇ ଆଖି ପଲକରେ ଲୁହ ଦେଲି। ମୋତେ କ୍ଷମା କରିଦେବ । ଏବେ ମଧ୍ୟ ତୁମେ ହିଁ ଅଛ।" ଏତିକି କଥାରେ ନିଶାର ମଫଲର ଭିଜାଗଲାଣି।
"ମାମା!" ଏକ କରୁଣ ଛୋଟ ଶିଶୁର ଡାକ ଶୁଣି ନିଶା ପ୍ରକୃତିସ୍ଥ ହୋଇଥିଲା। ପଛକୁ ବୁଲି ଦେଖିଲା ବେଳକୁ ପଛରେ କୁନାଲ ଆଉ ସେଠି ନ ଥିଲା। ଆଖରୁ ଲୁହ ପୋଛି ଦେଇ ମନରେ ଆଶ୍ଵାସନା ନେଇ ତା ପରିବାର ଆଡ଼କୁ ଆଗେଇ ଗଲା ଯେ ତା'ର ପ୍ରେମ ଏକତରଫା ନ ଥିଲା, କିନ୍ତୁ କୁନାଲକୁ ତା'ର ନୟନ ଯୁଗଳ ଖୋଜି ବୁଲୁଥିଲା।
ବୋଧହୁଏ ସେ ଦୁହିଁଙ୍କର ପୁରୁଣା ପ୍ରେମର ସନ୍ଧାନ ଓ ପ୍ରତିଦାନ ବାକି ରହିଗଲା ।

