ସ୍ମୃତି
ସ୍ମୃତି
ସ୍ମୃତି ହେଉଛି ବିଗତ ଦିନର ଏକ ବିଳପିତ ଅନୁଭୂତି । ସ୍ମୃତି ହେଉଛି ଦଗ୍ଧ ହୃଦୟର ବିତର୍କିତ ଦିନରାତି । ଏଠି ଖାଲି ସ୍ମୃତି ଅଛି ସାଥି ବିନା ରାତି ଅଛି କିନ୍ତୁ ପ୍ରୀତି କାହିଁ ନାହିଁ ତ... । ଏଠି ଖାଲି ରାତି ଅଛି ବିରହର ତାତି ଅଛି, ଜହ୍ନ କାହିଁ ନାହିଁ ତ... । ।
ମନେ ପଡେ..... ଅଫିସ୍ ସାମ୍ନାରେ ଥିବା ରାଧାଚୂଡା଼ ଗଛର କଥା । ଖରା ଦିନେ ଖୂବ୍ ପୂରିଲା ପୂରିଲା ଦିଶେ ଗଛଟି । ଘଞ୍ଚ ସାଗୁଆ ପତ୍ର ସହିତ ହଳଦିଆ ଫୁଲସବୁ ଖୁବ୍ ମନଭରି ହସନ୍ତି । ଆଉ ସେମାନଙ୍କୁ ଦେଖି ବିଭୋର ହୁଏ ମୁଁ । ଚ଼ଳଚ଼ଞ୍ଚଳ ହୁଏ ମୋ କଲମ । ଭରା ବୈଶାଖରେ ସେ ସାଜେ ମୋ କବିତାର ନାୟିକା । ସେ କିନ୍ତୁ ଜାଣେନା ମୁଁ ଆଜି ତାକୁ ଝୁରୁଛି ବୋଲି ।
ବାତ୍ୟା ଆସିଲାନି ତ' ମୋ ଖୁସୀକୁ ଛଡେଇ ନେଇଗଲା । ସେ ଯିବା ସହିତ ମୋର ଉଦ୍ଦେଶ୍ୟ ଲକ୍ଷ୍ୟ ସେଦିନ ଚାଲିଗଲା । ଉଜୁଡି ଗଲା ମୋର ସର୍ବ ସୁଖ । ଉପୁଡି ଗଲା ବୃକ୍ଷ । ଯାହା କିଛି ବାକିଥିଲା ସେ ବି ମାଳି ହାତରେ ହାଣ ଖାଇଗଲା । କେତେ ଗଛ ଉପୁଡି ଗଲା ପରେ ମଧ୍ୟ ଉଠିଲେ । ଚେର ଡାଳ ସବୁ ମାଟିକୁ ଆକାଶକୁ... ହାତ ପାଦ ବଢେଇ ପୁଣି ଠିଆ ହେଲେ... ଆପଣା ଆପଣା ସ୍ଥାନରେ । ହେଲେ ସେ ଉଠି ପାରିଲାନି ଆଉ ।
ଯେମିତିକି ମନର ମାନସୀ ସେଦିନ ବସ୍ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ତୁଳନାରେ ସେ ଅଳ୍ପକେ ବଞ୍ଚିଯାଇଥିଲା । ମୁଁ ତ ଆଶା ଶୂନ୍ୟ ହୋଇଥିଲି କିନ୍ତୁ ମାଳି ରୂପକ ଡାକ୍ତର ଅପରେସନ କଲେ । କେତେ ଦୁର୍ଘଟଣାରୁ ବଞ୍ଚିଥିବା ରୋଗୀ ପୁନର୍ଜନ୍ମ ଲାଭ କରି ହସି ହସି ଘରକୁ ଗଲେ । ମୋର ମନର ମାନସୀ ହସି ହସି ଠିଆ ହେବାକୁ ଚେଷ୍ଟା କଲା । ପାରିଲା ନାହିଁ । ଦୁର୍ଘଟଣା ଯୋଗୁ ମସ୍ତିଷ୍କରେ ଭୀଷଣ ଆଘାତ ହୋଇଥିଲା । ସେ ହେତୁରୁ ସେ ଆଉ ବେଶୀ ଦିନ ରହି ପାରିଲା ନାହିଁ । ରାଧାଚୂଡା ପରି ଚାଲିଗଲା । ଗଲା ତ ଗଲା ତା' ସୁନ୍ଦର ସ୍ମୃତି ଟିକକ ମୋ ମନତଳେ ଅଲିଭା କରି ଦେଇ ଗଲା ।
ହଁ, ଏବେ ଏମିତି ଲାଗୁଛି, ଯିବା ଆଗରୁ ରାଧାଚୂଡା଼ ଗଛ ତା' ଫୁଲର ସବୁତକ ହଳଦିଆ ରଙ୍ଗ ମତେ ଦେଇଗଲା....
ସେହି ସ୍ମୃତି ଫୁଲଟିକୁ ମୁଁ ସାଇତି ରଖିଛି ହୃଦୟ ବଗିଚାରେ.....