ସମ୍ପର୍କର ଡାକ
ସମ୍ପର୍କର ଡାକ


""କୁନାରେ ତୁ କେବେ ଆସିବୁ, ମୋ ଡାଇବେଟିସ ଔଷଧ ସରିଗଲାଣି, ଘରେ ଖାଇବାକୁ ବି କିଛି ନାହିଁ, ସନିଆ ବୋଉଠୁ ପାଞ୍ଚଶହ ଟଙ୍କା ଆଣିଥିଲି ଯେ ତାହା ବି ସାରିବାକୁ ବସିଲାଣି, ବୋହୁର ଦେହ ବି ଭଲ ନାହିଁ l କୁନୁକୁ ଥଣ୍ଡା ସର୍ଦ୍ଦି କାଶ l ତୁ କେମିତି ଅଛୁରେ ବାପା, ସେ ବମ୍ବେରେ ବହୁତ କରୋନା,ମୁଟେ ଭଲ ଜାଗା ନୁହଁ ତୁ ଫେରିଆରେ ଧନ ତୁ ଫେରିଆ l""
ମାଆର ଫୋନରେ ବ୍ୟସ୍ତ ବିବ୍ରତ ହେଇ ଗଲା କୁନା l କଣ କରିବି ଲକଡାଉନ ପାଇଁ ଗାଡି ମଟର ଚାଲୁନି l ପାଖରେ ପଇସା ବି ଯାହା ଥିଲା ସରିଆସିଲାଣି l ମାର୍ଚ୍ଚ ମାସରେ ଯାହା ମିଳିଥିଲା ଘରକୁ ପଠେଇଥିଲି l ଏପ୍ରିଲରେ ବହୁତ କାକୁତି ମିନତୀ କଲା ପରେ ମାଲିକ ଟଙ୍କା ହଜାରେ ଦେଲା, ଆଉ ତାଗିତ କରି କହିଦେଲା କି ଚାକିରୀ ଛାଡି ଦିଅ ମୁଁ ଆଉ ପଇସା କାହାକୁ ଦେଇପାରିବିନି l ଏପ୍ରିଲରେ ଘରକୁ ପଇସା ପଠେଇନି, ସତରେ କେମିତି ଚଳୁ ଥିବେ ମାଆ ସ୍ତ୍ରୀ ଆଉ ମୋ ପୁଅ l ମାଆର ଫୋନ, ସୁନିତା ଅସୁସ୍ଥ, କୁନୁର ବି ଦେହ ଭଲ ନାହିଁ , ପଇସାର ବି ଅଭାବ l ମାଲିକ ପାଖକୁ ମାଗିବାକୁ ଗଲେ ଗାଳିଗୁଲଜ କରୁଛି l
ମୁଣ୍ଡ କାମ କରୁନଥାଏ, କୁନା ଓରଫ ବିନୋଦ ମାଝୀର l ବାପା ମରିଗଲା ପରେ ଘର ଚଳେଇବା କଷ୍ଟ ହେଇପଡିଲା l ଯାହା କିଛି ଜମି ଥିଲା ଗାଁ ସାହୁକାର କଣ ବାପାଙ୍କ ଋଣ ବାବଦକୁ ନେଇଗଲା l ପାଖ ଗାଁର ନରୋତ୍ତମ ଭାଇ ବମ୍ବେରେ ଗୋଟେ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲା, ସେ ନେଇ ମୋତେ ରଖିଦେଇଥିଲା, ମାସକୁ ଆଠ ହଜାର ଦରମା, ଘରକୁ ପାଞ୍ଚ ହଜାର ପଠେଇଲା ପରେ ଆଉ ତିନି ହଜାରରେ କଷ୍ଟେ ମଷ୍ଟେ ଚଳି ଯାଏ l
ମା, କୁନୁ, ସୁନିତାର ମୁହଁ ନାଚି ଯାଉଥାଏ ତା ଆଗରେ l "କେମିତି ଯିବି, ବମ୍ବେରୁ ବାରିପଦା, ପୁଣି ବାରିପଦାରୁ ବେତନଟୀ, ଦୁଇହଜାର କିଲୋମିଟର ପାଖା ପାଖି ଆଖି ପାଉନି କଣ କରିବି l ବାହାରେ କରୋନା ବି ବି ପ୍ରବଳ ମାତିଛି l"
କିଂକର୍ତ୍ତବ୍ୟମୁଢ ହେଇ ଉଠୁଛି କୁନା l ନରୋତ୍ତମ ଭାଇ କହୁ ଥିଲେ ଆମର କିଛି ଓଡ଼ିଆ ଭାଇ ଡ଼ଙ୍ଗାରେ, ସାଇକେଲ ମାଡି, ନିଜ ବାଇକରେ, କିଏ ଚାଲି ଚାଲି ପଳାଉଛନ୍ତି l ସରକାରଙ୍କ ସହାୟତା ଅପହଞ୍ଚ, ଖାଲି କହୁଛନ୍ତି ପ୍ରବାସୀ ଓଡ଼ିଆଙ୍କୁ ଫେରେଇ ନେବେ ଫେରେଇନେବେ କିନ୍ତୁ କେବେ କିଛି କହୁନାହାନ୍ତି l
ସେଦିନ ରାତିରେ କୁନା ଆଖିରେ ନିଦ ନାହିଁ, ମାଆ ସୁନିତା ପୁଅ କୁନୁ କଣ ଖାଉଥିବେ କେମିତି ରହୁଥିବେ, ମାଆ ହାର୍ଟ ଡାଇବେଟିସ ରୋଗୀ ....
ରାତି ଦୁଇଟା, କୁନା ଆଉ ଶୋଇଲାଣି, ଉଠିପଡ଼ିଲା ସେ l
ସମ୍ପର୍କର ଡାକ ଆଗରେ ଦୂରତା ତା ପାଇଁ କିଛି ନଥିଲା, ଘରେ ଯାହା ଚୁଡା ଚାଉଳ ବିସ୍କୁଟ ସବୁ ବ୍ୟାଗରେ ପୁରେଇଲା, କୁନୁ ପାଇଁ ସେ ଖେଳନା କାର ଟେ କିଣି ରଖିଥିଲା, ମାଆ ପାଇଁ ସାଲ, ସୁନିତା ପାଇଁ ଶାଢ଼ୀ ସବୁ ବ୍ୟାଗରେ ପୁରେଇ ଦେଲା l
"ପୋଲିସ ବାହାରେ ଅଟକେଇବ, ରାତି ଥାଉ ଥାଉ ବାହାରିବାକୁ ପଡିବ, ଆଉ ବିଳମ୍ବ ନକରି କୁନା ଜଗତର ନାଥ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ସାଇକେଲ ଧରି ଜୀବନ ଯାତ୍ରାରେ ବାହାରିଲା l
ଜାଣି ନଥିଲା ସେ ପହଞ୍ଚିବ କି ନାହିଁ, ଛାତିରେ ଛାତିଏ କୋହ, ଆଖିରେ ଆଖିଏ ସ୍ବପ୍ନ, ପରିବାରର ମୋହ, ତଥାପି ମନରେ ଅସୁମାରୀ ବଳ l ଆଗେଇ ଚାଲିଲା ସାଇକେଲରେ ଆଗକୁ ଆଗକୁ l ଭୋକ ନାହିଁ ଶୋଷ ନାହିଁ ଇତି ମଧ୍ୟରେ କୁନା ନାସିକ ପହଞ୍ଚି ଗଲାଣି, ସେଠି କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ କିଛି ରନ୍ଧା ଖାଦ୍ୟ ଖାଇନେଇ, ପୁଣି ଆଗେଇ ଗଲା ଯାତ୍ରା ପଥରେ, ସିରିଡ଼ି ସାଇବାବା ଧାମରେ ସେ ରାତିଟା କଟେଇଲା, ସେଠି କିଛି ସେବାୟତ କିଛି ଶୁଖିଲା ଖାଦ୍ୟ ଦେଲେ, ତାକୁ ଧରି ଆଗେଇ ଚାଲିଲା l
ତୁଣ୍ଡରେ କାଳିଆ ନାମ, ମନରେ ଅଶେଷ ବଳ ଆଉ ସମ୍ପର୍କର ଡାକରେ ଆଗେଇ ଚାଲିଥାଏ କୁନା l ହଠାତ ପ୍ରକୃତିର କରାଳ କାଳବୈଶାଖୀ ମାଡିଆସିଲା, ନାଗପୁର ପାଖା ପାଖି, କୁନା ଫସି ଗଲା ପ୍ରକୃତିର ସେ କାଳବୈଶାଖୀରେ l ସଂଜ୍ଞାହୀନ ହେଇ ପଡ଼ି ଥାଏ କୁନା l କିଛି ସମୟ ପରେ କୁନାର ସଂଜ୍ଞା ଆସିଲା ବେଳକୁ ନିଜକୁ ଗୋଟେ ଟ୍ରକରେ ପାଇଲା l କୁନା ବ୍ୟସ୍ତ ବିବ୍ରତ ହେଇ ଉଠିଲା l
"ଘବରାୟେ ମତ ଭେୟା, ଆପ ନାଗପୁର ସେ କୁଛ ଦୂର ଆଗେ ପଡେ ଥେ, ହମ ଅପକା ପାକେଟ ମେ ଜଗନ୍ନାଥ ମହାପ୍ରଭୁ କା ଫୋଟୋ ଦେଖ କର ପତା ଚଲା ଆପ ଓଡିଶା କା ଆଦିମ ହୋ" ଅପକା ସାଇକେଲ ଔର ସମାନ ସବ ସୁରକ୍ଷିତ ହୈ, ହମ ସମ୍ବଲପୁର ଜାତେ ହୁଁ, ଅପକା ସର ଔର ଶରୀର ପର କୁଛ କ୍ଷତ ହୈ, ଆପକୁ ୟହାଁ ହସ୍ପିଟାଲ ପର ଛୋଡ ଦେଙ୍ଗେ l"
ଡ୍ରାଇଭାର ଜଣଙ୍କ ଅତି ବିନମ୍ର ଭାବରେ କହି ବସିଲା l କୁନା ଶରୀରରେ ଟିକେ ପ୍ରାଣ ପଶିଲା, ଭଗବାନଙ୍କ ପାଖରେ କୋଟି ପ୍ରଣାମ କରୁଥାଏ ସେ l କଣ କରିବି ମୋବଇଲ ଟା ସ୍ୱିଚ୍ ଅଫ୍ ହେଇଯାଇଛି, "
ଭାଇ ଆପଣଙ୍କ ମୋବାଇଲ ଟା ଟିକେ ଦେବେ କି କଲ୍ ଗୋଟେ କରିବି, "
"ଓ.କେ. ଓ.କେ. କରୋ, କୋଇ ପ୍ରୋବ୍ଲେମ ନେହି l"
"ତମେ କେବେ ପହଞ୍ଚିବ, ଦୁଇଦିନ ହେଲା ଉପାସ ଅଛୁ, ଖୁଦ ମଳୁଖି ଥିଲା ତାକୁ ଶିଝେଇ କାଲି ଖାଇଥିଲୁ, କୁନୁ ଖାଲି କାନ୍ଦୁଛି, ମାଆକୁ ପ୍ରବଳ ଜର, କାଲି ପାଖ ହସ୍ପିଟାଲରୁ ପାନେ କଣ ଆଣିଥିଲି, ହେଲେ ଜର ଟିକେ ବି କମୁନି l ତମେ ଶୀଘ୍ର ଆସ ମୋତେ ଡର ଲାଗୁଛି l "
"ହଁହଁ ସୋନି ତୁ ବ୍ୟସ୍ତ ହେନି ମୁଁ ଆଜି କାଲି ରାତି ସୁଧା ପହଞ୍ଚିଯିବି, ସବୁ ଠିକ ହେଇଯିବ l"
ଛାତି ଫାଟିଯାଉଥାଏ କୁନାର, ମନର କ୍ଷତ, ଦେହର କ୍ଷତ କଣ କରିବ କୁନା l ବିଷର୍ଣ୍ଣ ମନରେ ନିଶ୍ଚଳ ହେଇ କୁନା ବସି ଥାଏ l
ଇତି ମଧ୍ୟରେ ଟ୍ରକ ସମ୍ବଲପୁର ପହଞ୍ଚି ଯାଇ ଥାଏ l ସଙ୍ଗେ ସଙ୍ଗେ କିଛି ପିପିଇ ପିନ୍ଧା ପୋଲିସ ଆସି ଡ୍ରାଇଭର, ହେଲ୍ପର ଆଉ କୁନାକୁ ଧରି ନେଇ ଗଲେ l
" କୁନା ଶରୀର କ୍ଷତ ବିକ୍ଷତ ହେଇଥିବାରୁ ତାକୁ ଭିମସାର କୋଭିଡ କେୟାରକୁ ପଠେଇ ଦିଅ, ଆଉ ଏ ଦୁଇଜଣଙ୍କୁ ସମ୍ବଲପୁର କୋଭିଡ ହସ୍ପିଟାଲକୁ ପଠେଇ ଦିଅ l"
କେହି ଜଣେ ଅର୍ଡର ଦେଲେ l ଅତି କାକୁତି ମିନତୀ ଆଉ ବିବ୍ରତ ନେହୁରା ହେଇ କହିହେଉଥିଲା କୁନା
" ଆଜ୍ଞା ମୋତେ ଛାଡି ଦିଅନ୍ତୁ ସାତ ଦିନ ହେଲାଣି ମୋ ମାଆ ମୋତେ ଖୋଜୁଛି, ଦୁଇଦିନ ହେଲା ଉପାସ, ପୁଅ କାନ୍ଦୁଛି, ମୋତେ ଅଜ୍ଞା ଯିବାକୁ ଦିଅନ୍ତୁ, ମୋ ମାଆ ପିଲା ଛୁଆ ନହେଲେ ମରିଯିବେ l"
"ନାଇଁ କୁନା ବାବୁ ସରକାରୀ ନିୟମ ଅନୁସାରେ ଯେହେତୁ, ତୁମେ ବମ୍ବେରୁ ଆସିଛ, ତୁମର ସ୍ୱାବ ଟେଷ୍ଟ ହେଇ ସରିଲାପରେ ଯଦି ନେଗେଟିଭ ହେଲା ଘରେ ଯାଇ ହୋମ କ୍ୱାରାଣ୍ଟାଇନରେ ରହିବ, ଆଉ ପଜିଟିଭ ହେଲେ ଚଉଦ ଦିନ ହସ୍ପିଟାଲରେ ରହିବ l
କୁନା ଆଖିରୁ ଲୋତକ ବନ୍ୟା ବୋହିଯାଉଥାଏ, କିନ୍ତୁ କଣ କରିବ l
ଗୋଟେ ପଟେ ସମ୍ପର୍କର ଡାକ ଆଉ ଗୋଟେ ପଟେ ସରକାରଙ୍କ କଠୋର ନିୟମ l ହୃଦୟ ସ୍ପନ୍ଦନ ବଢିଯାଉଥାଏ ତାର l
ଭିମସାର ବୁର୍ଲା ଐସୋଲେସନ ୱାର୍ଡରେ କୁନାର ଚିକିତ୍ସା ହେଉଥାଏ, ଆଜି ସ୍ୱାବ୍ ବି କଲେକ୍ସନ ହେଇ ଯାଇଛି l କାଲି ରିପୋର୍ଟ ଆସିବ l କୁନାକୁ କିଛି ଭଲ ଲାଗୁନି, ଜଣେ ସହୃଦୟ ୱାର୍ଡ ଅଟେଣ୍ଡାଣ୍ଟଙ୍କ ମୋବଇଲରୁ ବାର ବାର କଲ କରୁଛି ସେ ହେଲେ ଘରେ କେହି ଉଠାଉ ନାହାନ୍ତି l କୁନା ମନକୁ ପାପ ଛୁଇଁଲା ବହୁତ କଥା ମନକୁ ଆସିଲା l ସେଦିନ ରାତିରେ କୁନା ସୋଇପାରିଲାଣି l ରାତି ସାରା ନିଦ ହେଉନଥାଏ,
"କାଳିଆ ଠାକୁର ମୋର ନେଗେଟିଭ ଆସୁ କାଲି ମୁଁ ମୋ ଘରକୁ ଚାଲିଯିବି, ମୋ ସମ୍ପର୍କ ମୋତେ ଡାକୁଛି କାଳିଆ, ମୋତେ ସାହା ହୋ l "
ସବୁ କିଛି ଭାବୁ ଭାବୁ ଭୋର ଟିକେ ଆଖି ଲାଗିଯାଇଥାଏ, ହଟାତ କିଏ ପିଠି ଥାପୁଡ଼େଇ ଡାକିଲା
" ମାଆ ତୁ, ତୁ ଏଠି କେମିତି ଆସିଲୁ ବାହାରେ ତାଲା, ଆଉ ଏଠି ଖାଲି କରୋନା ରୋଗୀ ପଳା ପଳା ଏଠୁ l"
"ନାଇଁରେ ଧନ, ତୋତେ ଝୁରି ଝୁରି ଆଖିରୁ ମୋର ଲୁହ ଶୁଖିଗଲାଣି, ତୋତେ ଦେଖିବା ପାଇଁ ମନଟା ଡହଳ ବିକଳ ହେଉଥିଲା, କଣ କରିବି ସମ୍ପର୍କର ଡାକକୁ କେହି ଅଟକାଇ ପାରେ କି l"
ମାଆକୁ ଧରି ଭୋ ଭୋ କାନ୍ଦି ଉଠିଛି କୁନା l
" ମାଆ ଲୋ ବହୁତ କଷ୍ଟରେ ମୁଁ ପହଞ୍ଚିଲି, ସାଇକେଲରେ ଆସୁ ଆସୁ ଦୁର୍ଘଟଣାରେ ଶିକାର ହେଇ ମୋ ହାତ ଭାଙ୍ଗି ଗଲା, ଦେଖୁନୁ,
ଜଣେ ଟ୍ରକ ଵାଲା ମୋତେ ନେଇ ଆସିଲା l"
ମା ପୁଅ କୋଳାଗ୍ରତ ଲୋତକର ଅବିରତ ଶ୍ରାବଣ ବୋହି ଯାଉଥାଏ l ହଟାତ କୁନୁର ନିଦ ଭାଙ୍ଗିଗଲା l ତାମାନେ ଏ ସ୍ବପ୍ନ ଥିଲା, ଭୋ ଭୋ ହେଇ କୁନି ପିଲା ପରି କାନ୍ଦୁଥାଏ,
ହଠାତ କୋଭିଡ ଇନଚାର୍ଜ ଡାଃ ଅରବିନ୍ଦ ଆସିଲେ
" କଂଗ୍ରଟୁଲସନ କୁନା ତୁମର କୋଭିଡ ନେଗେଟିଭ ଅଛି ଆମେ ଆମ ଟିମକୁ ପଠେଇବୁ ତମକୁ ନେଇ ଘରେ ଛାଡ଼ିବେ ଆଉ ତୁମକୁ ସେଠି ହୋମକ୍ଵାରାଣ୍ଟାଇନରେ ଆଉ ଏଗାର ଦିନ ରହିବାକୁ ପଡିବ l"
କୁନା ଗୋଟେ ପଟେ ଖୁସି ହେଇଯାଉଛି, ଘରକୁ ଯିବି କରୋନା ନେଗେଟିଭ, ଆର ପଟେ ମାଆ ସୁନି କୁନୁ କେମିତି ଥିବେ ତିନି ଦିନ ହେଲାଣି ଫୋନ ଉଠାଉ ନାହାନ୍ତି l ମନରେ ଅନେକ ପ୍ରଶ୍ନ ଆଶଙ୍କା ଉଙ୍କି ମାରୁଥାଏ, ଲାଗୁଥାଏ ଯେମିତି ଏ ଜୀବନ ଯାତ୍ରାରେ ହାରିଗଲି l ଜୀବନରେ ପ୍ରତିଟି ଦୁଃଖ ଛାତିଟା ତାର ଥରି ଉଠୁ ଥାଏl
ଯଥା ସମୟରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥାଏ, କୁନା ତାର ଜିନିଷ ପତ୍ର ରଖି ଦେଇ ବସିଗଲା ଆମ୍ବୁଲାନ୍ସରେ l ଗାଡିର ଗତି ଠାରୁ କୁନା ମନର ଗତି ବେଶ ଅଧିକା ବେଗରେ ଯାଉଥାଏ l ଅଃମ୍ନୁଲାନ୍ସ ଯେତେ ପାଖ ପାଖ ହେଇଯାଏ କୁନାର ଆବେଗତା ସେତେ ବଢ଼ିବାରେ ଲାଗୁଥାଏ l ସେତେ ଭାବ ପ୍ରବଣ ହେଇଉଠୁଥାଏ l
ହୃଦସ୍ପନ୍ଦନ ବଢ଼ି ବଢ଼ି ଯାଉଥାଏ l
କୁନାର ଅବସାଦ ଜ୍ୱଳନ୍ତ ହୃଦୟ ତରଳି ଯାଉଥାଏ l ଆମ୍ବୁଲାନ୍ସ କୁନାର ଘର ଆଗରେ ପହଞ୍ଚି ଯାଇ ଥାଏ l ଘର ଆଗରେ ଭିଡ, କାନ୍ଦ ବୋବାଳି ଶୁଣା ଯାଉଛି, ପାଦ ଶକ୍ତି ପାଉନଥାଏ ଓହ୍ଲେଇବା ପାଇଁ, ଥର ଥର ପାଦରେ ଗାଡିରୁ ଓହ୍ଲେଇଲା l
ସ୍ତ୍ରୀ ସୁନିତା ଦୌଡ଼ି ଆସି କୁନାକୁ ଜାବୁଡି ଧରି ଭୋ ଭୋ କାନ୍ଦି ଉଠିଲା " କୁଆଡେ ଚାଲିଗଲ ତମେ , ମାଆ ଆଉ କୁନୁର ଭୀଷଣ ଦେହ ଖରାପ ହେଲା, ଲକଡାଉନ ପାଇଁ କୁଆଡେ ନେଇ ପାରିଲିନି l ହାତରେ ଗୋଟେ ପଇସା ନଥିଲା, ଦୁଇଦିନ ଓପାସେ ପଡ଼ିଲୁ, କିଛି ବଦାନ୍ୟ ଲୋକ ବାରିପଦା ହସ୍ପିଟାଲ ନେଇଗଲେ ମାଆକୁ ଆଉ କୁନୁକୁ, ଦୁଇ ଦିନ ଜୀବନ ସହ ସଂଘର୍ଷ କରି ମାଆ ଆଉ କୁନୁ ଆମକୁ ଛାଡି ଚାଲିଗଲେ l ଶେଷ ନିଃଶ୍ୱାସ ଯାଏ ସେ ତମକୁ କେତେ ଖୋଜୁଥିଲା, ପୁଅ ବି ବାପା ବାପା ହେଇ ଆଖି ବୁଜି ଦେଲା l ତମ ବୋଝକୁ ଆଜି ଯାଏ ମୋ ବୋଝ ବୋଲି ମାନି ନେଇଥିଲି, କିନ୍ତୁ ଆଜି ହାରିଗଲି କୁନା ମୁଁ ହାରିଗଲି, ତମେ ଛାଡି ଯାଇଥିବା ବୋଝକୁ ଉଠେଇ ପାରିଲିନି, ବଞ୍ଚେଇ ପାରିଲିନି ତମ ସ୍ବପ୍ନର ଘରକୁ l "
ନିସ୍ତବ୍ଦ ହେଇଯାଇଥାଏ କୁନା, ନିସ୍ତବ୍ଧ ହେଇଯାଇଥାଏ ଆକାଶ ଆଉ ନିସ୍ତବ୍ଦ ହେଇଯାଇଥାଏ ପବନ l ପାଦ ତଳୁ ମାଟି ଖସି ଯାଉଥାଏ, ନିସ୍ତେଜ ହେଇଯାଉଥାଏ ତା ଶରୀର, ସ୍ବପ୍ନର ଘର ସତେ ତା ଆଗରେ ଭୁଶୁଡି ପଡୁଥାଏ l ନିଜକୁ ଧିକାର କରିଚାଲିଥାଏ, ଧିକାର କରୁଥାଏ ତା ଗରିବ ପଣିଆକୁ, ଧିକାର କରୁଥାଏ ତା ଭାଗ୍ୟକୁ ଆଉ ଧିକାର କରୁଥାଏ ସମ୍ପର୍କର ଡାକକୁ llllllllll
*****ସମାପ୍ତ *****
ବି. ଦ୍ର --ଏ କାହାଣୀଟି ଭିମସାର ବୁର୍ଲା ମେଡିକାଲର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ପ୍ରବାସୀ ଓଡ଼ିଆର କରୁଣ କାହାଣୀ l
ଆପଣଙ୍କ ନଜରରେ କେହି ପ୍ରବାସୀ ଓଡ଼ିଆ ଭାଇ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାନ୍ତୁ l
ଡା ସମୀର ରଞ୍ଜନ ବେହେରା
ଚିକିତ୍ସକ, ଭିମସାର ବୁର୍ଲା.