Sachidananda Kar

Abstract

2.5  

Sachidananda Kar

Abstract

ସିଗାରେଟ୍

ସିଗାରେଟ୍

2 mins
297


           ସମସ୍ୟାର ଶରାଘାତରେ ଅନେକବାର ବିଦ୍ଧ ହୋଇଛି। ହେଲେ ବି ମୋର ଜୀବନ ସବୁବେଳେ ଗୋଲାପୀ ଗୋଲାପୀ।


           କେବେ ବିଚଳିତ ହୋଇନାହିଁ। ଖିଆଲି ଜୀବନଟେ ନେଇ ବଞ୍ଚିଛି, ବଞ୍ଚୁଛି - ଗୋଟେ ବାଦଶାହା ପରି।

             

           ଘର ଠାରୁ ଅଳ୍ପ ଦୂରରେ ଥିବା ଗୋଟେ ଅତି ସୁନ୍ଦର ପାର୍କରେ ଦିନର ଅଧିକାଂଶ ସମୟ ମୋର ବିତୁଛି। ସେଇଠି ବସି ସୁନ୍ଦରୀ ତରୁଣୀ ଦେଖୁଛି, ସିଗାରେଟ୍ ଟାଣୁଛି।


            ପାର୍କର ଗୋଟିଏ ବେଞ୍ଚ୍ କେବେଠାରୁ ମୋର ସଂରକ୍ଷିତ। ଆସି ସେଇଠି ବସିଗଲେ ସୁନ୍ଦରୀ ତରୁଣୀଙ୍କୁ ଦେଖିବା ସଙ୍ଗେସଙ୍ଗେ ସିଗାରେଟ୍ ଧରି ଟାଣିବାକୁ ଖୁବ୍ ସୁବିଧା ହୁଏ।


            କହିବା ବାହୁଲ୍ୟ ଯେ ସେ ପାର୍କକୁ ବହୁତ ସୁନ୍ଦରୀ ତରୁଣୀ ଆସନ୍ତି।


            ଦିନେ ମୋ ଅଲକ୍ଷ୍ୟରେ ଜଣେ ସୁନ୍ଦରୀ ତରୁଣୀ ଆସି ମୁଁ ବସିଥିବା ବେଞ୍ଚରେ ମୋର ଖୁବ୍ ପାଖାପାଖି ବସି ପଡିଥାନ୍ତି। ପବନ କାରଣରୁ ମୋ ସିଗାରେଟର ଧୂଆଁ ସବୁ ଭାସି ଯାଇ ତାଙ୍କ ମୁହଁରେ ବାଜୁଥାଏ।


            କେତେ ଯେ ସମୟ ତା' ଭିତରେ ବିତିଥିଲା କେଜାଣି, ତାଙ୍କୁ ଦେଖି ଦେଇ ମନେମନେ ଲଜ୍ଜିତ ହୋଇଗଲି। ଭଦ୍ରାମୀ ଦୃଷ୍ଟିରୁ ହଠାତ୍ ଦରଜଳା ସିଗାରେଟଟିକୁ ତଳକୁ ପକାଇ ପାଦରେ ଦଳିଦେଲି। ତାଙ୍କ ଆଡେ ଚାହିଁଲି।


             ମୋର ସାରା ଶରୀର ପୁଲକିତ ହୋଇ ଉଠିଲା। ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲି ଯେ ତାଙ୍କ ପରି ଜଣେ ଅସାମାନ୍ୟା ସୁନ୍ଦରୀ ଆସି ମୋ ପାଖରେ ବସିଥିବେ ବୋଲି।


             ବେଶ୍ ମୋହିନୀ ଦୃଷ୍ଟିରେ ସେ ମୋତେ ଚାହିଁ ରହିଥିଲେ।


             ତାଙ୍କ ପରି ଜଣେ ସୁନ୍ଦରୀ ତରୁଣୀଙ୍କ ମୁହଁକୁ ସିଗାରେଟ୍ ଧୂଆଁ ଛାଡିବା ମୋର ଖୁବ୍ ଅଭଦ୍ରାମୀ ବୁଝି ପାରିଲି। ତେଣୁ ଲଜ୍ଜିତ ସ୍ବରରେ କହିଲି - " କ୍ଷମା କରିବେ। ଆପଣଙ୍କ ଉପସ୍ଥିତି ମୁଁ ଜାଣି ପାରିନାହିଁ। "

    

              ସେ ଟିକେ ହସିଦେଇ ମହୁଠାରୁ ବଳି ମଧୁର କଣ୍ଠରେ କହିଲେ - " ସିଗାରେଟଟାକୁ ନିଃଶେଷ ନ କରି ଏମିତି ଅଧାରୁ ଫିଙ୍ଗିଦେଲେ ଯେ ! ସିଗାରେଟ୍ ଧୂଆଁର ସୁଗନ୍ଧ ମୋର ବେଶ୍ ପସନ୍ଦ। ମୋ ପାଇଁ ଉପଭୋଗ୍ୟ। ତାହା ବିନା କେବେ କୌଣସି ପୁରୁଷ ସଙ୍ଗୀ ମୁଁ ଆଶା କରେନାହିଁ। ସିଗାରେଟ୍ ହିଁ ତ ପୁରୁଷଙ୍କର ପିଇବାର ଜିନିଷ। "


              ଜାଣିଥିଲି ଚକଲେଟ୍ ହିଁ ତରୁଣୀମାନଙ୍କର ପ୍ରଥମ ପସନ୍ଦ। ଏବେ ତାଙ୍କର ଏହି କଥା ପରେ ମୋର ଆଶ୍ଚର୍ଯ୍ୟ ସୀମା ଟପିଗଲା।


              ଆହା ! କେଡ଼େ ଚମତ୍କାର ଏଇ ସିଗାରେଟ୍ ଫିଲୋସଫି ! ମନକୁମନ କହିଲି। ମଗ୍ନ ହେଲି।


               ମୋ ଚାରି ପାଖରେ ଯେ ମୋର ଗୋଟିଏ ସୁନ୍ଦର ଦୁନିଆ ଅଛି, ତାହା ଆଉ ମୋର ସ୍ମରଣ ରହିଲା ନାହିଁ।

 

               - " ଆଉ ଖଣ୍ଡେ ପିଅନ୍ତୁ ନା ! " ସେ ଖୁବ୍ ଅନୁନୟ ଭରା କଣ୍ଠରେ କହିଲେ।


                 ପ୍ରକୃତିସ୍ଥ ହେବା ପରେ ଟିକିଏ ମିଛ କହିବି ଭାବିଲି। କହିଲି - " ଏହା ମୋର ଅଭ୍ୟାସ ନୁହେଁ। କେବେ କେମିତି --------, ପିଇଥାଏ। "


                ସେ ଖିଲିଖିଲି ହୋଇ ହସିଲେ। କହିଲେ - " ପ୍ଲିଜ୍ ! ଆଜି ଅନ୍ତତଃ ମୋ ପାଇଁ ଆଉ ଗୋଟେ । "


                ଜଣେ ସୁନ୍ଦରୀ ତରୁଣୀର ଅନୁରୋଧ। ଏଡାଇ ଯିବା ମୋ ପକ୍ଷରେ ସହଜ ନ ଥିଲା। ପ୍ୟାକେଟରୁ ବାହାର କରି ଆଉ ଖଣ୍ଡିଏ ସିଗାରେଟ୍ ମୁଁ ଜଳାଇଲି। ଧୂଆଁ ବାହାରକୁ ଛାଡିଲି।


               ପିଲାଟିଏ ପରି ସେ କହିଲେ - " ସିଗାରେଟ୍ ଧୂଆଁ ସବୁ ବାହାରକୁ ଛାଡୁଛନ୍ତି କାହିଁକି ? ମୋ ମୁହଁକୁ ଛାଡନ୍ତୁ ନା ! "


               - " ଆପଣଙ୍କ ମୁହଁକୁ....! " ମୁଁ କହିଲି।


               - " ହଁ,ମୁଁ ତ ଏଇ ଟିକେ ଆଗରୁ କହିଲି। ସିଗାରେଟ୍ ଧୂଆଁର ସୁଗନ୍ଧ ମୋର ବେଶ୍ ପସନ୍ଦ। " ସେ ହସିଦେଇ କହିଲେ।


                ସୁନ୍ଦରୀ ତରୁଣୀ। ତେଣୁ ଆଦୌ ଅବାଧ୍ୟ ହେଲି ନାହିଁ।

                

                ମୋ ସିଗାରେଟ୍ ଜଳୁଥିଲା। ମୁଁ ବି ଜଳୁଥିଲି ସିଗାରେଟ୍ ପରି। ଧୀରେଧୀରେ ନିଃଶେଷ ହେଉଥିଲି।


Rate this content
Log in

Similar oriya story from Abstract