ଶୂନ୍ୟତାର ଭାଷା
ଶୂନ୍ୟତାର ଭାଷା
ଆମ ପ୍ରଚଳିତ ପରମ୍ପରା ଅନୁସାରେ କାଉ କୁକୁଡ଼ା ଡାକିଲେ ସକାଳ ହୁଏ।ହେଲେ ହେରଣ୍ଡଗଡ ଗୋଟିଏ ଏମିତି ଅଖ୍ୟାତ ଗାଁ ସେଠି ଝୁଲନାନୀ ର ତଣ୍ଟି ଫଟା ରଡିରେ ସକାଳ ହୁଏ। ହଁ ଆଜ୍ଞା ଠିକ୍ ଶୁଣିଲେ। ପ୍ରାଚୀନ ଯୁଗରେ ଥିଲା ବେଦ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ରାତି ପାହିଲେ ଚତୁଃର୍ଦିଗରେ ଗୁଞ୍ଜରିତ ହେଉଥିଲା।ଏବେ ତ ସେ ସବୁ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ହେରଣ୍ଡଗଡ ଗାଁ ରେ ସେଇ ପ୍ରାଚୀନ ପରମ୍ପରା ଅଛି ହେଲେ ଏକ ନିଆରା ଢଙ୍ଗ ରେ। ପ୍ରତିଦିନ ରାତି ପାହୁଣୁ ଝୁଲ ନାନୀର ପ୍ରାଚୀନ ଶୁଦ୍ଧ ଓଡ଼ିଆ ଗାଳି ଗାଁ ସାରା ପ୍ରତିଧ୍ଵନିତ ହୁଏ। ତା ଗାଳି ବିନା ସେଠି ରାତି ପାହେନି। ଏମିତି ଅଜରା ଗାଁ , ଲୋକେ ତ ଖଟ ଛାଡିବେନି ଯେ ପର୍ଯ୍ୟନ୍ତ ନ ଶୁଣି ଛନ୍ତି ହୋ..ଇ..ରେ...ଅଳପେଇ .... ବାଡିପ ....ଯୋଗଣି....। କାଉ ଡାକୁ କୁକୁଡ଼ା ଡାକୁ ,ଡାକି ଡାକି ତଣ୍ଟି ଫାଟି ଯାଉ କେହି ଉଠିବେନି।ହେଲେ ଝୁଲନାନୀର ହ..ଇ....ରେ ଡାକରେ ସମସ୍ତ ଙ୍କ ର ତାଟି କବାଟ ଖୋଲେ। ଦୀର୍ଘ ଚାଳିଶ ବର୍ଷ ହେଲା ଏଇ ପରମ୍ପରା ଏଠି ପ୍ରଚଳିତ।
ନହ ନହକା ଖାଡି ଭଳି ଧୋବ ଫର ଫର ଚେହେରା ଆମ ଝୁଲନାନୀର। ମୁଣ୍ଡ ରେ ବଡ଼ ସୂନ୍ଦର ଟୋପା। ପନ୍ଦର ବର୍ଷର ହେଇଥିଲା ଏଇ ଗାଁ କୁ ବୋହୂ ହେଇ ଆସିଥିଲା। କହନ୍ତି ନା ଯୋଡ଼ି ସବୁ ଉପରେ ଠାକୁର ବନେଇ ଥାଆନ୍ତି। ତା ବର ମାଧିଆ ର ଗୁଣ ପୁରା ଓଲଟା। ପାଟିରୁ ବଚନ ବାହାରିବ ନି କି ମାଛି କି ମର କହିବ ନି। ରାଜା ଛୁଆ ପରି ଚେହେରା।ଦେହରେ ବଳ ଯେ ଦଶ ମାଣ ଜମି ଏକା ଚଷି ଦେବ। ପାଠ ବି ବହୁତ ବଢିଆ ପଢୁଥୁଲା। ଚାହିଁ ଥିଲେ ଚାକିରି କରି ପାରିଥାନ୍ତା।ହେଲେ ସେ ଗାଁ ରେ ରହି ଚାଷ କରି ଚଳିବ ବୋଲି ନିଷ୍ପତ୍ତି ନେଲା। ତା'ର ବହୁତ ଚାଷ ଜମିକୁ ବିରାଟ ବାଡି। ସେଠି ସବୁ ଫଳ ପନିପରିବା ଗଛ ଭର୍ତ୍ତି।ଦିନ ରାତି ଚଲୁଣି ପରି କାମ କରେ। ଝୁଲନାନୀ ଆମର ମୂଳରୁ ଏମିତି ନ ଥିଲା। ମାଧିଆର କାନ୍ଧ କୁ କାନ୍ଧ ମିଶେଇ କାମ କରେ। ବେଶ୍ ହସ ଖୁସିରେ ସଂସାର ଚାଳୁଥିଲା। ହେଲେ ସଂସାର ର ନିୟମ ତ ସବୁ ଭଲ ଭିତରେ କେଁ ପୁରେଇବା।
ବାହାଘର ଦୁଇ ବରଷ ଯାଉଣୁ ଗାଁ ମାଇପେ ଟାହି ଟାପରା ଆରମ୍ଭ କଲେ।ଦେଖେଇ ଶୁଣେଇ କହିଲେ ହଇଲୋ ଝୁଲ କେବେ ଖୁସି ଖବର ଶୁଣେଇବୁ। ସେ ମୁହଁ ଶୁଖାଏ,ମନ ମାରି ବସେ। ସାରା ରାତି ବାହୁନି ବାହୁନି କାନ୍ଦେ। ଝୁଲ ସବୁ ପ୍ରକାର ପୂଜା ବ୍ରତ କରିବା ଆରମ୍ଭ କରିଦେଲା ହେଲେ ଦିନ ଗଡି ଚାଲିଥିଲା କିଛି ଫଳ ମିଳିଲାନି। ମାଇପେ କହିଲେ ଯାଉନ ଦୁଇ ଜଣ ଡାକ୍ତରଙ୍କୁ ଟିକେ ଦେଖେଇ ଆସିବ। ଶେଷରେ ଦୁହେଁ ଗଲେ ଡାକ୍ତର ଦେଖେଇଲେ। ସଫା ସଫା ଡାକ୍ତର କହିଦେଲା ମାଧିଆ କେବେ ବାପା ବନି ପାରିବନି। ସେଇ ଦିନଠାରୁ କ'ଣ ହେଲା ଝୁଲନାନୀର କେଜାଣି ?? ଖାଲି ତ ବକି ଚାଲିଲା। ତା ଭିତରର ଶୂନ୍ୟତା କୁ ମାଧିଆ ଠିକ୍ ପଢି ପାରିଲା। ଗାଁ ମାଇପେ ଯେବେ ସତ କଥା ଜାଣିଲେ। ଆଉ ଟାହି ଟାପରା କଲେ ନାହିଁ। ଝୁଲନାନୀ ର ବକିବା ସେବେଠାରୁ ଚାଲିଚି ଯେ ଚାଲିଚି। ସବୁତକ ଗାଳି ମାଧିଆ ପାଇଁ ହେଲେ ସବୁ ସେ ଗରଳ ତ ନୁହେଁ ପିୟୁଷ ପରାଏ ଢ଼ୋକି ଯାଏ। ଗାଁ ଲୋକେ ବି ସେ ଦୁହିଁଙ୍କ ଦୁଃଖ କୁ ଠିକ୍ ବୁଝି ପାରିଥିଲେ। ତେଣୁ ତା ଗାଳି କେବେ ବି କାହାର ଶୃତି କଟୁ ହେଇ ନାହିଁ। ଅଜାଚିତ ଭାବରେ ସମସ୍ତ ଙ୍କ ସହାନୁଭୂତି ସେମାନଙ୍କ ପାଇଁ ଝରିପଡେ। ତେଣୁ ଗାଁ ବାଲା ତା ଗାଳିକୁ ସକାଳର ମନ୍ତ୍ର ଭାବେ ଗ୍ରହଣ କରି ନେଇଛନ୍ତି।
ଦିନେ ସଦେଇ ମା ଆସି ଝୁଲ କୁ କହିଲା ତୁ ମା ନ ହେଇ ପାରିଲେ କ'ଣ ହେଲା? ତୁ ମୋ ପରି ଧାଇ ମାଁ ବନି ଯା ତୋ ହାତରେ ଶହ ଶହ ଛୁଆ ଜନ୍ମ ହେବେ। ମୁଁ ତୋତେ ସବୁ ଶିଖେଇ ଦେବି। ତୁ ଶତ ସନ୍ତାନର ଜନନୀ ହେବୁ।ଧାଇ ମା ହିଁ ତ ପିଲାକୁ ଏଇ ଦୁନିଆକୁ ଆଣିଥାଏ।ଝୁଲ ମନକୁ କଥା ଟା ପାଇଲା।ସେ ସଦେଇ ମା ଠାରୁ ସବୁ ଶିଖିଗଲା। ସଦେଇ ମା ବହୁତ ବୁଢ଼ୀ ହେଇଯାଇଥିଲା। ତେଣୁ ଲୋକମାନେ ଏଥର ଝୁଲକୁ ପ୍ରସବ ସମୟରେ ଡାକିଲେ।ସେ ଖୁସି ଖୁସି ସେଇ କାମ କଲା। ସଦ୍ୟ ଜନ୍ମିତ ଶିଶୁ ମାନଙ୍କୁ କୋଳରେ ଧରି ତା'ର ଅତୃପ୍ତ ଆତ୍ମା ଶାନ୍ତ ହୁଏ।ସବୁ ଦୁଃଖ ଭୁଲି ଯାଏ। ହେଲେ ପୁଣି କ'ଣ ହୁଏ କେଜାଣି ମାଧିଆ କୁ ଦେଖିଦେଲା ମାତ୍ରେ ସେଇ ଶୂନ୍ୟତା ମାଡିବସେ।ବକିବା ଆରମ୍ଭ କରିଦିଏ।ହେଲେ ସଦେଇ ସେମିତି ନିର୍ବିକାର ଭାବରେ ସେ ସବୁକୁ ହସି ହସି ହଜମ କରି ନିଏ। ହେଲେ ଦୁହେଁ ଦୁହିଁଙ୍କୁ ଦଣ୍ଡେ ଛାଡାଛଡି ହୁଅନ୍ତି ନାହିଁ। ଅତି ଜରୁରୀ କାମ ଥିଲେ ଝୁଲ ତା ବାପଘର ଗାଁ କୁ ଗଲେ ଦୁଇ ଓଳିରୁ ଅଧିକା ରହେ ନାହିଁ। ଯଦି ରାତିକ ରହେ ତେବେ ହେରଣ୍ଡଗଡ ର ସବୁ ଓଲଟ ପାଲଟ ହେଇ ଯାଏ। କିଛି କାମ କାହାର ବି ଠିକ୍ ସମୟରେ ହେଇ ପାରେନି। କାରଣ ଲୋକଙ୍କ ଅଭ୍ୟାସ ତା ପାଟିରେ ସାରା ଗାଁ ଉଠେ। ଆଉ ମାଧିଆ କଥା ନ କହିଲେ ଭଲ। ସେ ସେମିତି ଖୁଣ୍ଟ ଟେ ଭଳି ବସିଥିବ ଝୁଲ ନ ଫେରିବା ଯାଏ। ଝୁଲନାନୀର ବକା ସହ ଏତେ ଓତଃପ୍ରୋତ ଭାବେ ଜଡ଼ିତ ଏଇ ଗାଁ।
ଝୁଲନାନୀ ଏବେ ପ୍ରୌଢ଼ ଅବସ୍ଥା ରେ ପହଞ୍ଚି ସାରିଲାଣି।ଆଖିକୁ ଏବେ ଭଲ ଦିଶେନି। ଗାଁ ଟୋକା ଟୋକାଳିଆ ତା କାନି ଟାଣି ଦେଇ ଚିଡ଼େଇ କୁହନ୍ତି ନାନୀ ଲୋ ! ତୋ ମାଧିଆ କୁ ମାଙ୍କଡ ନେଲାଣି...... ତା ପର ଠାରୁ ତ ବକା ଆରମ୍ଭ ହୁଏ ଅଳପେ..... ରାଙ୍କିଣି....ବାଡି...... ଚାଲିଲା ଅବିଶ୍ରାନ୍ତ।ହୋଇ ରେ ! ତୋ ତେ ଆଲୁଅ ଦେଖେଇ ଥିଲି ଆଜି ମୋ ସାଙ୍ଗେ ଗମାତ ଖେଳୁଛୁ?? ରହ ତୋ ବୋଉ କୁ କହୁଛି....।ଏଇଟା ଏଇ ଗାଁ ର ଏବେ ନିତି ଦିନିଆ ପ୍ରହଶନ। ଝୁଲନାନୀ ର ମିଛ ରାଗ ମିଶା ଗାଳି କୁ ପିଲା ମାନଙ୍କର ଟାପରା ରଜ ବା ଦୋଳ ପର୍ବର ଆନନ୍ଦ ଠାରୁ କୌଣସି ଗୁଣରେ କମ୍ ନୁହେଁ ସେମାନଙ୍କ ପାଇଁ । ଝୁଲନାନୀ ବିନା ଏଇ ହେରଣ୍ଡପଡା ଅଧୁରା। ସେ ଏକ ଭିନ୍ନ ଚରିତ୍ର। ଯାହାର ଗାଳିକୁ ଏକ ଶୂନ୍ୟତା ର ଭାଷା ଭାବେ ସାଦରେ ସାରା ଗାଁ ଆପଣେଇ ନେଇଛି .......।।
