ଶ୍ରେଷ୍ଠ କର୍ତ୍ତବ୍ୟ କଣ ଏହା
ଶ୍ରେଷ୍ଠ କର୍ତ୍ତବ୍ୟ କଣ ଏହା
ଦୀର୍ଘ ଦିନ ଧରି ସେଇ ଗୋଟିଏ କଣ କଥା ଉପରେ ଚାଲିଛି ବାକ୍ ବିତଣ୍ଡା।କେହି କାହାକୁ ଛାଡିବାର ନାହିଁ।ଉଭୟେ ପକ୍ଷ ନଛୋଡ଼ବନ୍ଧା।ଦେଖାଯାଉ କଣ ହେଉଛି ଶେଷ ଦୃଶ୍ୟ।ଅବଶ୍ୟ ସତ୍ୟ ପଥରେ ଅନୁଗାମୀ ମାନଙ୍କୁ କ୍ଲେଶ ନିଶ୍ଚୟ।ସତ୍ୟପଥ ଧାରୀ ଆଜିକା ସମୟରେ ଲୋକହସା ସୁନିଶ୍ଚିତ।ସତ ଆଜି ଲୌହ ଶୃଙ୍ଖଳରେ ବନ୍ଧା ମିଛ ପାଖରେ।ଧର୍ମ ବି କାନ୍ଦୁଛି ଲହୁ ଲୁହାଣ ହୋଇ ।ନୀରବ ନିସ୍ତବ୍ଧ ଆଜି ଗଗନ ପବନ।
ପ୍ରତିବାଦର ସ୍ଵର ନରମି ଯାଇଛି।ନରମି ନାହାଁନ୍ତି ସୁଲଗ୍ନା ମହାପାତ୍ର।ଗୋଟିଏ ଅନୁଷ୍ଠାନରେ ଏସବୁ ଶୋଭା ପାଏନାହିଁ ବୋଲି ଜୋରରେ ଗଳା ଫଟେଇ ଟେବୁଲ ଉପରେ ହାତ ବାଡେଇ ବାଡେଇ କହୁଛନ୍ତି।ହେଲେ ସାଥି କର୍ମଚାରୀ ଚୁପ।
ଏଥର ଘଟଣାର ପୃଷ୍ଠଭୂମି.....
ଅନେକ ଚିନ୍ତା କରି ଚାଲିଛନ୍ତି ସୁଲଗ୍ନା ମହାପାତ୍ର।ଗୋଟିଏ ଉତ୍ସବ ପାଳନ ସମୟରେ ଭାବବିହ୍ଵଳ ହୋଇ ଲୁଚେଇ ଲୁଚେଇ କାନ୍ଦି ପକେଇଛନ୍ତି।ଏମିତି ଗୋଟିଏ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ।ଯେକୌଣସି ସମୟରେ ସବୁକଥା ବୁଝୁଥିଲେ।କାର୍ଯ୍ୟାଳୟ ତ ନୁହେଁ, ଜୀବନ ଦେଇ କାମ କରୁଥିଲେ।ସମସ୍ତେ ବି ବହୁତ ଭଲପାଆନ୍ତି ସୁଲଗ୍ନା ମହାପାତ୍ର ଙ୍କୁ।କଥା ଛଳରେ କେହି କେହି ବି କହି ଦିଅନ୍ତି।ସୁଲଗ୍ନା ମହାପାତ୍ର ଏ ଅନୁଷ୍ଠାନର ମୁଖ୍ୟ ହେଵା କଥା।କାମରେ କାର୍ଯ୍ୟ ରେ ସବୁଥିରେ ପ୍ରଥମ।
ଅନୁଷ୍ଠାନରେ ସୁଲଗ୍ନା କୁ ମିଶେଇ ୭ ଜଣ ମହିଳା ଓ ତିନି ଜଣ ପୁରୁଷ।କମିଟିରେ କିନ୍ତୁ ସମସ୍ତେ ପୁରୁଷ।ଜଣେ ପୁରୁଣା ତଥା ପୁରୁଷ କର୍ମକର୍ତ୍ତା ଅନୁଷ୍ଠାନର ଜଣେ ବିବାହିତା ମହିଳାଙ୍କ ପ୍ରତି ଅସଦାଚରଣ କରନ୍ତି ପ୍ରାୟ ସମୟରେ।ହେଲେ ଏକଥା ପ୍ରଥମେ ପ୍ରଥମେ ମହିଳା ଜଣକ କାହାକୁ କହି ପାରନ୍ତି ନାହିଁ।
ହଠାତ ଦିନେ ସୁଲଗ୍ନା ଆଖିରେ ଏସବୁ ପଡିଗଲା।କଥା କଣ ଜାଣିବା ପାଇଁ ମହିଳା ଜଣକୁ ବାରମ୍ବାର ଏକାନ୍ତରେ ପଚରା ଉଚୁରା କରି ଜାଣିଗଲେ ସୁଲଗ୍ନା।ଭରସା ଦେଇ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଏସବୁର ସମାଧାନ କରିବା ସମସ୍ତେ ମିଶି।ଏମିତି ଏମିତି କଥା ବଢିଲା।ମହିଳା ଜଣକର ନାମ ବାସନ୍ତୀ।ସବୁବେଳେ ସେ ପୁରୁଷ କର୍ମକର୍ତ୍ତା ଜଣକ ଫୋନ କରି ୟାଡୁ ସାଡୁ ଖରାପ ଭାଷା ବ୍ୟବହାର କରି ଫୋନ କରି ଗପୁଛନ୍ତି ବୋଲି ଦିନେ ବାସନ୍ତୀ ଆସି ସୁଲଗ୍ନାଙ୍କୁ କହିଲେ ଓ ଫୋନରେ ସେ ତାଙ୍କ ସହିତ କଥା ହୋଇଥିବା ଭଏସ ରେକର୍ଡ ବି ଶୁଣେଇଲେ।ସବୁ ପ୍ରମାଣ ରଖି ରଖି ଅନୁଷ୍ଠାନର ମୁଖିଆଙ୍କୁ ଜଣେଇଲେ ସୁଲଗ୍ନା।ହେଲେ ମୁଖିଆ ଜଣକ ସବୁବେଳେ ସେ କମିଟିର ସପକ୍ଷରେ ଥିଲେ।ଯେତେ ଯାହା କହିଲେ ବି କିଛି ଲାଭ ହେଲା ନାହିଁ।ଏମିତି ପରିସ୍ଥିତିରେ ସୁଲଗ୍ନା ମୁଖ୍ୟ କାର୍ଯ୍ୟାଳୟ ପାଖରେ କଥା ପକେଇଲେ।ଏକଥା ର ସତ୍ୟାସତ୍ୟ ପାଇଁ ମୁଖ୍ୟ ଅଧିକାରୀ ମାନେ ଉକ୍ତ ଅନୁଷ୍ଠାନ କୁ ଆସିଲେ।ସେଠାରେ ସମସ୍ତ କର୍ମକର୍ତ୍ତାଙ୍କୁ ଡକାଗଲା।କମିଟିର ସଦସ୍ୟ ଜଣକ ଭଲ ଓ ଆମେ ଏସବୁର କିଛି ସତ୍ୟାସତ୍ୟ ବିଷୟରେ ଅନଭିଜ୍ଞ ବୋଲି ବୟାନ ଦେଲେ।
ସୁଲଗ୍ନା ଆଣିଥିବା ସମସ୍ତଙ୍କୁ ପ୍ରମାଣ ପତ୍ର ଦେଖେଇଲେ।ସବୁ ନ ଦେଖି ବାଧ୍ୟତାମୂଳକ ଭାବରେ କିୟଦଂଶ ଦେଖି ଶୁଣି ନିଷ୍ପତ୍ତି ନେଲେ ଯେ ଉପରୋକ୍ତ ମହିଳା କିଛି ଦିନ ପାଇଁ ଛୁଟି ନେଇ ଘରେ ରୁହନ୍ତୁ, ପରିବେଶ ଶାନ୍ତ ହୋଇଗଲା ପରେ ଆମେ ଆପଣଙ୍କୁ ଡାକିବୁ।ମିଛ କହି ସେଦିନ ଠାରୁ ସେ ଛୁଟିରେ ହିଁ ରହିଗଲେ।ସୁଲଗ୍ନା ସାହସୀ ଯେମିତି ନିର୍ଭୀକ ବି ସେମିତି।ତେଣୁ ସେ କି ଛାଡିବା ମହିଳା ।ମୁଖିଆଙ୍କୁ ବି ସର୍ବ ସମ୍ମୁଖରେ ବାଜି ଲଗାଇ ସବୁ ପ୍ରମାଣ ଦେଖେଇଲେ।ସେ ଲୋକକୁ ଆମେ ଛାଡିବା ନାହିଁ ବୋଲି ଖୋଲାଖୋଲି କହିଲେ।
କାହିଁକି ସେ ମ୍ୟାଡମ ଙ୍କୁ ଚାକିରିରୁ ବହିସ୍କାର କରାଗଲା।ଶୀଘ୍ର ସମାଧାନ କରନ୍ତୁ ,ନାହିଁ ତ ବଡ଼ ଗଣ୍ଡଗୋଳ ହେବ ବୋଲି କହିଥିଲେ ସୁଲଗ୍ନା।
କମିଟିରେ କଣ ସବୁ ନିଷ୍ପତ୍ତି ନିଆଗଲା ଯେ ,ଷଡ଼ଯନ୍ତ୍ର କରି ସୁଲଗ୍ନାଙ୍କୁ ଏ ପବିତ୍ର ଅନୁଷ୍ଠାନରୁ ବାହାର କରି ଦିଆଗଲା ସୁଲଗ୍ନା ଙ୍କ ପଛେ ପଛେ ଆଉ ଚାରିଜଣ କର୍ମକର୍ତ୍ତା ବି ଅନୁଷ୍ଠାନ ବି ଛାଡିଦେଲେ।କର୍ତ୍ତବ୍ୟ ଦୃଷ୍ଟିରୁ ଗୋଟିଏ ରୋଜଗାରିଆ ମହିଳାଙ୍କୁ ବାହାର କରି ଦିଆଗଲା,ଯିଏ ସ୍ପଷ୍ଟ ବାଦୀ ବି ...
ମୁଖିଆ ମାନଙ୍କୁ ଯେତେ ସତ.କହିଲେ ବି କେହି ସୁଲଗ୍ନା କଥାକୁ ନଜରକୁ ଆଣିଲେ ନାହିଁ ବରଂ ଆହୁରି ଦୂରକୁ ଦୂରରେ ଦେଲେ।ସମସ୍ତ କଥା ପରେ ବାକ୍ ବିତଣ୍ଡା କମିଗଲା ଓ ପରବର୍ତ୍ତୀ ସମୟରେ ଅନୁଷ୍ଠାନର ମୁଖିଆଙ୍କୁ କହିଲେ ଏ ଆସନ ପାଇଁ ଆପଣ ଉପଯୁକ୍ତ ନୁହନ୍ତି ବୋଲି ସୁଲଗ୍ନା କହିଦେଇ ଥିଲେ।ସମସ୍ତେ ବୁଝି ବି ନୀରବ।କେହି ବି ସୁଲଗ୍ନା କଥାର ତାତ୍ପର୍ଯ୍ୟ ବୁଝି ନ ଥିଲେ।ଓଲଟି ସେମାନଙ୍କ ସହ ସାଲିସ କରି ରହିବାକୁ ପରାମର୍ଶ ଦେଇଥିଲେ, ହେଲେ ସୁଲଗ୍ନା ସବୁବେଳେ ମୁଖିଆଙ୍କ ତୃଟି କୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ଦେଉଥିଲେ।
ଦିନେ ଏମିତି ଏକ ସମୟ ଆସିଲା ଯେ ,ମୁଖିଆଙ୍କ ଚକ୍ରାନ୍ତ ର ଶିକାର ହୋଇଗଲେ ସୁଲଗ୍ନା।ବାଧ୍ୟ ହୋଇ ଚାକିରି ଛାଡିଲେ।ସ୍ଵତଃ ଇସ୍ତଫା ନୁହେଁ ,ତାଙ୍କର ଯୋଗ୍ୟତା ନାହିଁ ଏ ଅନୁଷ୍ଠାନ ରେ ରହିବା ପାଇଁ ବୋଲି ଚିଠି କରାଗଲା।କର୍ତ୍ତବ୍ୟରେ ଅବହେଳା କରି ନ ଥିବା, ସତ୍ ପଥରେ ଚାଲୁଥିବା ସୁଲଗ୍ନା ଖୋଜି ଚାଲିଛନ୍ତି ସତ୍ୟକୁ ।ତାଙ୍କର ଭୁଲ୍ କେଉଁଠି।କେଉଁ କାରଣରୁ ଆଜି ବିତାଡ଼ିତ ?
ନିଜ କର୍ମକୁ ଶ୍ରେଷ୍ଠ ମଣୁଥିବା ମଣିଷ ପାଇଁ କେଉଁ ପଥ ଶ୍ରେଷ୍ଠ ଆପଣ ମାନଙ୍କ ବିଚାର ପାଇଁ ଛାଡିଦେଲି।
