ଶିମିଳି ଗଛ
ଶିମିଳି ଗଛ
ତରତର ହେଇ ମାଆର ବଡି ପରା ହାତଟାକୁ ଦେଖୁଥିଲା ପୁଅ l କେଡେ ଚଞ୍ଚଳ ସବୁ କାମ କରି ପକାଏ ମାଆ !ଆଠଦିନ ଛୁଟୀରୁ ଦି ଦିନ ଗଲାଣି l ଆସିଲା ଦିନୁ ମାଆ ଲାଗିଛି କାମରେ l ଏତିକି ଦିନରେ ଯାହା ଯେତିକି ହେଇ ପାରିବ ମାଆ କରି ପକଉଛି l ଦିଟା ବୋହୂ ମାଆର l କିନ୍ତୁ ଚାକିରିଆ ଯୋଗୁ ବାହାରେ ରହନ୍ତି l କେବଳ ଛୁଟୀ ପଡିଲେ ଆସନ୍ତି l ମାଆର ସେଥିପାଇଁ ମନଦୁଃଖ ନାଇଁ l କହେ ,"ଆଜିକାଲି ସମସ୍ତେ ଶିକ୍ଷିତ l ପାଠପଢି ନିଜ ଗୋଡରେ ଛିଡା ହବାକୁ ସମସ୍ତଙ୍କର ଇଚ୍ଛା l ସେମାନେ ନିଜ କ୍ଷେତ୍ରରେ ପ୍ରତିଷ୍ଠା ପାଆନ୍ତୁ l "
ମାଆ ପାଖକୁ ଯାଇ ବଟା ବିରିରେ ହାତ ଲଟପଟ କରି ଖେଳିବାକୁ ପୁଅର ଭାରି ଇଚ୍ଛା ହଉଥିଲା ଯେମିତି ପିଲାବେଳେ କରେ l ହେଲେ ମାଆ କ'ଣ ଆଉ ସେମିତି ଗାଳି ଦବ ?ମାଆ କେମିତି ଜାଣିବ ଯେ ପୁଅ ଏବେ ମାଆର ସେଇ ଗାଳିକୁ ଝୁରିହୁଏ ବୋଲି ! ସାଙ୍ଗର ଫୋନ୍ ଆସିଲା ଆଉ ପୁଅ ପଳେଇଲା l ଦି ପହରେ ଖାଇବା ଥାଳିରେ ପୁଅ ଦେଖିଲା ସତେକି ତା ପିଲା ଦିନଟା ଅଜାଡି ହେଇ ପଡିଛି l ବଡିଚୁରା,ଶାଗଚେକା ,ପାଗପାଣି ,ଚୁନା ମାଛ ଭଜା l ମାଆ ଭଲ କି ଜାଣିଛି ଚାକିରିଆ ଜୀବନରେ ଖାଇବାଟା ପୁରା ଯନ୍ତ୍ରବତ୍ l ସିଠିମିଠି ଖୋଜିଲେ କୋଉ ମିଳେ !ହେଲେ ତା ପୁଅର ଏଭଳି ଖାଇବା ମାଆ କେବେ ବି ଭୁଲେନି l ଯେତେବେଳେ ଛୁଟୀରେ ଆସିଲେ କରେ l ବୋହୂମାନଙ୍କୁ ପୁଅମାନଙ୍କର ପସନ୍ଦର ଖାଇବା ବତାଏ l
ସନ୍ଧ୍ୟାରେ ମାଆକୁ ମନ୍ଦିର ନେଇ କି ଯିବାକୁ ପୁଅ ଭାବେ l ହେଲେ ମାଆକୁ ତର କାଇଁ ?ବଡ ନାତି ଧରିକି ବସିଛି ଜେଜେମା' ସାଥୀରେ ପାଠ ପଢିବ l
"ଜେଜେମାଆ ,ମୋତେ ସେ ଅବୋଲକରା କାହାଣୀ କହି ଦେ l ଭାରି ଇଣ୍ଟରେଷ୍ଟିଙ୍ଗ୍ l କଥା ମାନୁ ଥିବ ମାନୁ ଥିବ l ହେଲେ ତା ମନକୁ ନପାଇଲେ ଅମାନିଆ ହବ l "
ଅସମବୟସୀ ଦୁଇ ବନ୍ଧୁଙ୍କ ହସରେ ଘର ଫାଟି ପଡୁଥାଏ l ମାଆର ହସହସ ମୁହଁ ଦେଖି ପୁଅ ଖୁସି ହେଇଯାଏ l ତଥାପି କୁଆଡେ ଟିକେ ବୁଲି ବାହାରନ୍ତା ହେଲେ !ଛୁଟୀ ତ ସରିଯିବ l
"ମାଆ ଆଜି ସନ୍ଧ୍ୟାରେ କୁଆଡେ ବୁଲିଯିବା କହ l "
"ନାଁରେ ,ତମେ ଯୁଆଡେ ଯାଉଛ ଯାଅ l ମୋର କେତେକାମ l ତୋ ଯିବା ଦିନ ପାଖେଇଲାଣି l ଗଜାଟିକେ ,ଠେକୁଆଟିକେ କଲେ ନବୁ l ତୋ ପୁଅ କେତେ ଭଲପାଉଛି l "
"ଆମେ ସେଠି ୱିକ୍ ଏଣ୍ତ୍ ରେ ବୁଲି ଯାଉ l ତୁ ଯିବୁ ବୋଲି କହୁଥିଲି ନା l "
"ନା ରେ l ତମେ କେହି ନଥିଲେ ସମୟ ଦେଖି ମୁଁବି
ବୁଲିଯାଏ l ଏବେ ତମେ ସବୁ ଆସିଛ l ତମ ସାଥୀରେ ତମ ପିଲା ଦିନଟା ଫେରି ଆସିଛି ଭଳି ଲାଗୁଛି l "
"ଚାଲୁନୁ ,ଆମ ପାଖକୁ ତେବେ l ଏଠି କାଇଁ ଅଛୁ ?"
ମାଆ ଅଗଣା ଆରପଟ ସେ ଶିମିଳି ଗଛକୁ ଦେଖାଏ l "ଦେଖୁଛୁ ସେ ଗଛକୁ l ସେମିତି ଏକା ଛିଡା ହେଇଛି l ବର୍ଷା ,ଖରା ସବୁ ଆସୁଛି l ସେ ଅଧୈର୍ଯ୍ୟ ହଉନି l ଏବେ ଦେଖିଲୁ l ବସନ୍ତର ମହୋତ୍ସବ ଚାଲିଛି l ଗଛଟି ଭରପୂର ଉପଭୋଗ କରୁଛି ଏ ମେଳାକୁ l ମେଲି ଦେଇଛି ନିଜକୁ ସାଧ୍ୟମତେ l ଟିକେ ବି କଞ୍ଜୁସି କରୁନି l ଫୁଲ ,ଡାଳ,ମହୁ ଯାହାର ଯାହା ଦର୍କାର ନଉଛନ୍ତି ପକ୍ଷୀମାନେ l ବସନ୍ତ ସରିଗଲେ ସେମାନେ ପଳେଇବେ l ହେଲେ ଗଛ ଏଥିପାଇଁ କେବେ ମନଦୁଃଖ କରିବା ମୁଁ ଦେଖିନି l ସେମିତି ମୁଁ ଏକା ନାହିଁ l ମୋ ସାଥୀରେ ଅଛି ତମ ପିଲାଦିନ l ସେଇ ପକ୍ଷୀମାନଙ୍କ ଭଳି ନିଜ ଘର ଖୋଜି ତମେ ଆସୁଛ l ତମ ବସା ମୋ ଦେହରୁ ତିଆରି ପରା !!"
ପୁଅ ଆଉ କିଛି କହି ପାରେନି l ଶିମିଳି ଗଛର ସ୍ଥିରତା ମାଆଠି ଦେଖିବାକୁ ପାଏ l ପୁଅ ବି ଶିଖେ "ପଥର ପରି ହେଲେ
କରିବୁ ଘର ,ପତର ପରି ହେଲେ ହସିବେ ନର l " ଏଇ କଥାଟି କେଡେ ତାତ୍ପର୍ଯ୍ୟପୂର୍ଣ୍ଣ ସତେ !!
