Satyaprakash Sethy, M. A(UGC NET)

Tragedy

4  

Satyaprakash Sethy, M. A(UGC NET)

Tragedy

ଶେଷରେ ଶେଷ ସଂଳାପ

ଶେଷରେ ଶେଷ ସଂଳାପ

7 mins
221



କାହିଁକି ମୋର ଆଜି କ’ଣ ହୋଇଛି କେଜାଣି, ମୁଁ ଆଜି ବେଶ୍ ଭାରାକ୍ରାନ୍ତ ମନେହେଉଛି। ମନେ ହେଉଛି ମୁଁ ନିରାଶ୍ରୟ ଜନ । ମୁଁ ଏକାନ୍ତ ନିସ୍ଵ। ମୋର ସତେ ଯେମିତି କେହି ନାହାନ୍ତି। ମସ୍ତିଷ୍କଟା ଘୁରାଉଛି। କୌଣସି କାମକୁ ମୋର ଆଉ ବଳ ପାଉ ନାହିଁ ।ବଡ଼ ଅଶାନ୍ତ ହୋଇ ପଡିଛି ପରବେଶ।ବେଶ୍ ଅସ୍ଥିର ବିି ହୋଇ ଉଠୁଛି – ଏ ମନ। ସବୁ କାର୍ଯ୍ୟରେ ବାଧାବିଘ୍ନ ଘଟୁଛି। ଯେତିକି ପାଦ ଆଗକୁ ମାଡୁଛି ସେତିକି ପାଦ ପଛକୁ ହଟୁଛି। ଦିନ ଥିଲା ଯେତେବେଳେ ସୁପ୍ରିୟା ମୋ ପାଖରେ ରହୁ ଥିଲା, ସବୁ କଥାରେ ମୋର କେମିତିି ଗୋଟାଏ ଆଗ୍ରହ ଥିଲା।କେତେ ନୂଆ କାହାଣୀ ଜୀବନ ନାଟିକାରେ ଯୋଡି ହୋଇ ଯାଉଥିଲା। ପ୍ରତ୍ୟେହ କିଛି ନୂଆ ଘଟଣା ଘଟୁଥିଲା । କିନ୍ତୁ ସୁପ୍ରିୟା ଗଲା ଦିନ ଠାରୁ ମନଟା ମୋର କାହିଁ ବିଷୋଇ ହୋଇପଡିଛି। କୌଣସି କଥାରେ ଆଉ ସେତେ ଆନ୍ତରିକତା ନାହିଁ। ହେଲେ ହେଲା, ନହେଲେ ନାହିଁ – ସବୁ କଥାରେ ‘ହଁ -ନାହିଁ’ ର ବରାବରି ସ୍ଥିତି। ଆଉ କୌଣସି କଥାରେ ଫରକଟା ସେତେ କିଛି ଉପଲବ୍ଧି କରି ହେଉନାହିଁ।

ସୁପ୍ରିୟା ସହ ସମ୍ପର୍କଟା ମୋର ଅଢେଇ ଦିନିଆ ନୁହଁ, ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ। ଦିନ ଥିଲା ସିଏ ହୁଏତ ବାପ ଘରର ଝିଅ ଥିଲା, ହସାହସି ହୋଇ ଗାଁ ଦାଣ୍ଡ କମ୍ପାଉ ଥିଲା। ମୁଁ ଯେଉଁଦିନ କନିଆ ଦେଖିବାକୁ ପ୍ରଥମ କରି ତାଙ୍କ ଗାଁକୁ ଯାଇଥିଲି, ସେ ଏକ ଗୋଡକିଆ ହୋଇ ଖପରା ଡିଆଁ ତିତି ଖେଳୁଥିଲା। ସୁଦ ଗାଁ ମଝି ଦାଣ୍ଡଟାରେ ହୋ ହାଲ୍ଲା କରି ନାଚି କୁଦି ଖାଲି କମ୍ପାଉଥିଲା। ଯେତେବେଳେ ଜଳଖିଆ ପର୍ବ ସରିଲା, ସଜାଇ କନିଆକୁ ଆଣି ଆମ ଆଗେ ବସାଇଲେ, ମୁଁ ଚିହ୍ନି ପକାଇ ଥିଲି ଯେ, ଇଏ ହେଉଛି ସେଇ ଖେଳାଳୀ – ଖପରା ଡିଆଁ ଝିଅ। ମୋର ଆଉ କିଛି ପଚାରିବାର ନଥିଲା। ଏକାବେଳକେ କହିଲି ହଁ। ସାଥିରେ ଯାଇଥିବା ସାଙ୍ଗ ଦୁଇ ଜଣ କହିଲେ – ଟୋକା ଆମର ଫଶି ଗଲା।

ତା’ପରେ କେତେ ହଟ ଚମଟ ସତ୍ତ୍ୱେ ସେଇଠି ମୋର ବାହାଘର ହେଲା। ଅନେକ ତୋପ କମାଣ ଫୁଟିଲା। ରୋଷଣୀଟା ଭାରି ଜାକଜମକରେ ହେଲା। ପାଦରେ ଅଳତା, ମସ୍ତକରେ ସିନ୍ଦୂର, ହସ୍ତିକାରେ କୋଟି କୁଟଚନ୍ଦ୍ରିକା, ହାତରେ ନାଲି ରଙ୍ଗର ଶଙ୍ଖା, ଦେହରେ ନାଲି ପାଟ ଶାଢୀ ପିନ୍ଧି ସୁପ୍ରିୟା ଏ ଘରକୁ ବୋହୁ ହୋଇ ଆସିଲା। ଯେଉଁଦିନ ସେ ସରୁ ଓଢ଼ଣା ଟାଣି ଲାଜେଇ ବସିଥିଲା ଆମ ଚତୁର୍ଥୀ ରାତିରେ ସେଇ ପଲଙ୍କ ଉପରେ ଆମେ ଦୁଇ ଜଣ ପ୍ରଥମେ ସେଦିନ ସେହି ସ୍ନେହ ଆଶ୍ଳେଷରେ ନୂଆ କରି ବାନ୍ଧି ହୋଇଥିଲୁ। ଟୁପୁରୁ ଟାପୁର ହୋଇ ରାତିଟା ଯାକ ପୁହାଇ ଦେଇଥିଲୁ। ସେଦିନ ଯୁଗ ଯୁଗର କାହାଣୀ ଯେମିତି ସବୁ ମୁଖର ଭାଷା ହୋଇ ଆତ୍ମ ପ୍ରକାଶ କରିବାକୁ ବ୍ୟଗ୍ର ହୋଇ ଉଠୁଥିଲେ।

ବେଶ୍ କିଛି ଦିନ ସୁଖ ଓ ସ୍ୱାଛନ୍ଦରେ ଆମର ଜୀବନ ଅତିବାହିତ ହେବାକୁ ଲାଗିଲା। ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ – ସବୁ ବିତି ଯାଉଥାଏ, ସମୟଟା କେଣେ କେଉଁବାଟେ ଚାଲି ଯାଉଥାଏ ତା’ର ହିସାବଟା – ଠିକ୍ ସେ ରଖି ହେଉନଥାଏ। କିନ୍ତୁ ଜୀବନଟା ବେଶ୍ ଆଗକୁ ଧାଉଁଥାଏ- ଏକ ଗତିଶୀଳ ଅବାଧ ଗତି ଚକ୍ରରେ। ତା ମାନେ ନୁହଁ ଯେ ମଣିଷ ଜୀବନରେ ଆଉ ଆଦୌ ଦୁଃଖ ଆସି ନାହିଁ – ତାହା ନୁହଁ। ହେଲେ ସୁପ୍ରିୟା ମୁହଁରୁ ଟିକିଏ ହସ ଶୁଣି ଦେଲେ ମଣିଷ ମନରୁ କାହିଁ କେଉଁ କାଳରୁ ଜମାଟ ବାନ୍ଧିଥିବା ସମସ୍ତ ଦୁଃଖ ଓ ଅବସାଦ ଅଚିରେ ବିଲୁପ୍ତ ହୋଇଗଲା ପ୍ରାୟ ସବୁ ଲିଭି ଯାଏ। ମନରୁ କ୍ଳାନ୍ତି ଛାଏଁ ଅପମୋଦନ ହୋଇଯାଏ। ଏକ କର୍ମ ପ୍ରେରଣା ଓ ଆହୁରି ଅଧିକତର ଉତ୍ସାହ ଓ ଉଦ୍ଦୀପନା ନେଇ ମଣିଷ ପୁଣି ନୂତନ କର୍ମରେ ମାତି ଯାଏ।

ଏଣିକି ପିଲା ଛୁଆ ଗୋଟିଏ ଯୋଡ଼ିଏ ହେଲେଣି। ସୁପ୍ରିୟା ସବୁବେଳେ ସେଇ ପିଲାଙ୍କ ପଛରେ ମାତିଥାଏ। କ’ଣ ସେମାନେ ଖାଇବେ, କ’ ଣ ପିନ୍ଧିବେ ଓ କେମିତି ପଢିବେ – ଖାଲି ସେଇମାନଙ୍କ ଚିନ୍ତା। ବଜାରରୁ କେତେ ରକମର ନୂଆ ଦରବ ସବୁ ମୋ ହାତରେ ମଗାଇ ଆଣନ୍ତି। ଉଭୟ ମିଶି ଖୁସିରେ ଛୁଆ ପାଳୁ। ସେଇଥିରେ ଗୋଟେ ଭାରି ଆନନ୍ଦ। ସେହିମାନଙ୍କ ହସ ଖୁସିରେ ଯେମିତିକି ଆମ ଦୁନିଆଟା ହସି ଉଠେ।


କ୍ରମଶଃ ପିଲାମାନେ ବଡ଼ ହେବାକୁ ଲାଗିଲେ। ହାତ ଗୋଡ଼ ହଲାଇ ଖେଳି ବୁଲିଲେ। ଘର ସାରା ଜିନିଷ ଗଦେଇ ଖେଳିଲେ। ପୁଣି କେତେବେଳେ ସେଥିରୁ କିଛି ନିଅଣ୍ଟିଆ ପଡିଲେ କେତେ ଦାମିକା ଘରର ଆସବାବ ପତ୍ର ସବୁ ଟାଣି ଆଣି ଭାଙ୍ଗି ପକାଉ ଥିଲେ। ମାଆ ଚିଡିକି କିଛି କହିଲେ ଭୀମା ରଡି ଛାଡ଼ୁଥିଲେ। ଟିକିଏ ଦୃଷ୍ଟି ଆଢୁଆଳକୁ ଚାଲି ଗଲେ ଦୁଇ ଭାଇ ମାଡ ପିଟି ଲାଗିଯାନ୍ତି। ସେମାନଙ୍କର ଅଳି ଅର୍ଦ୍ଦଳି ସବୁ ହସି ହସି ସୁପ୍ରିୟା ସହେ। ହେଲେ ତା ଛୁଆଁଙ୍କଠିଁ କଣ୍ଟା ଖୁଞ୍ଚ ବି ସେ ପଶିବାକୁ ଦିଏ ନାହିଁ। ଗୋଡ଼େ ଗୋଡେ ସବୁ ବେଳେ ଜଗି ରହି ଥାଏ। ଏହି ହେଉଛି ବାସ୍ତବ ଦୁନିଆ ଓ ଜୀବନର ପରମ ବାସ୍ତବତା। ତାକୁ ସହଜରେ ଏଡ଼ାଇ କେହି ଆଗକୁ ଯାଇ ପାରି ନାହିଁ, ଆମେ ବା କେମିତି ବାଦ ପଡିଥାନ୍ତୁ। ଏଇମିତି ହସ, କାନ୍ଦ ଓ ଲୁହ ଭରା ଦୁନିଆରେ ଜୀବନଟା କିନ୍ତୁ ବେଶ୍ ସନ୍ତୁଳିତ ହୋଇ ରହିଥାଏ।

ଶୈଶବରେ ପିଲାମାନଙ୍କର ଲାଳନ ପାଳନରେ ଘୋର ତପସ୍ୟାରେ ଅବତୀର୍ଣ୍ଣ ହୋଇ ଉତ୍ତୀର୍ଣ୍ଣ ହେଲା ପରେ ଆରମ୍ଭ ହେଲା ସେମାନଙ୍କର ଶୈକ୍ଷଣୀୟ ଜୀବନ, ଯାହାକି ଅନେକ ଘାତ ପ୍ରତିଘାତ ଦେଇ ଆଗକୁ ବଢ଼ି ଥାଏ। ଉତ୍ତମ ତତ୍ତ୍ୱାବଧାନ ଫଳରେ ଉଭୟଙ୍କୁ ମଣିଷ ପରି ମଣିଷ କରି ଗଢି ତୋଳିବାର ଗୁରୁ ଦାୟିତ୍ଵ ବହନ କରି ପିଲା ଯୋଡିକକୁ ମଣିଷ କରିଥିଲୁ। ସ୍କୁଲ ଜୀବନର ଅଧ୍ୟୟନ ଓ ଅଧ୍ୟବସାୟର ପର୍ବ ସରିଲା ପରେ ପିଲାମାନେ ଗଲେ ଦୂର ଦୂରାନ୍ତକୁ – ପଢିବା ପାଇଁ ପାଠ। ଏମିତି ଆଚ୍ଛା ଖାସା ପାଠ ପଢିଲେ ଯେ ଜଣେ ଏବେ ବିଲାତରେ ଓ ଆଉ ଜଣେ ଏବେ ସୁଦୂର ଆମେରିକା ସହରରେ। ଜଣେ ନାମୀ ଦାମୀ ନାସାରେ ମହାକାଶ ବୈଜ୍ଞାନିକ ଓ ଆଉ ଜଣେ ଖ୍ୟାତି ଓ ଯଶର ହୃଦ୍ ବିଶେଷଜ୍ଞ ଡାକ୍ତର। ଉଭୟ ସୁନାମ ଧନ୍ୟ, ଦେଶ ଓ ବିଦେଶରେ ସେମାନଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା। ଆମେ ଦୁଇ ଜଣ ଖାଲି ୟା ତା ‘ପାଖରୁ ଶୁଣୁ ନହେଲେ ରେଡିଓ ଓ ଟି. ଭି. ରୁ ଜାଣି ବେଶ୍ ଖୁସି ହେଉ।’ ଆମ ପୁଅ’ ବୋଲି କହି ଗର୍ବରେ ଛାତି ଫୁଲେଇ ବାଟ ଚାଲୁ। କେହି ଟିକିଏ ସେମାନଙ୍କ ବିଷୟରେ ପଚାରି ହେଲେ ଆହୁରି ଫୁଲି ଉଠୁ। ସେଇ ସେତକ ଯାହା ଆନନ୍ଦ। ହେଲେ ସେହି ଆନନ୍ଦଟାକୁ କେତେବେଳେ ନିଜ ହାତ ମୁଠାରେ ମୁଠେଇବାକୁ ଚେଷ୍ଟା କରି କାହିଁ ଧରି ପାରି ନାହୁଁ ବା ବିଶେଷ କିଛି ଅନୁଭବ କରି ପାରି ନାହୁଁ।

ସେମାନଙ୍କର ତ ଚାକିରୀ ଦୂରରେ, ମାନେ ଖୁବ୍ ଦୂରରେ। ପୁଣି ବାହା ସାହା ହୋଇ ସ୍ତ୍ରୀ ପିଲା ଛୁଆ ଧରି ବିଦେଶ ମାଟିରେ ରହିଲା ଦିନଠୁଁ ସେହି ସେଠିକାର ସେମାନେ ନାଗରିକତ୍ୱ ଗ୍ରହଣ କରି ସାରିଛନ୍ତି। ତେଣୁ ଆଉ ଗାଁ ମାଟି କଥା ସେମାନଙ୍କର ସେତେ ମନେ ପଡୁ ନାହିଁ, ମନେ ପଡ଼ିଲେ ବି ସମୟ ନାହିଁ। ପୁଣି ସମୟ ଥିଲେ ସେମାନଙ୍କ ପିଲା ଛୁଆ – ମାନେ ଆମ ନାତି ନାତୁଣୀ ଏ ଦେଶକୁ ଆସିବାକୁ କୁଆଡ଼େ ଭଲ ପାଉ ନାହାଁନ୍ତି। ଭାରତୀୟଙ୍କ ପାଇଁ ସେମାନଙ୍କ ମନରେ ଘୃଣା ଭାବ ପ୍ରଚୁର। ଭାରତୀୟ ମାନେ କୁଆଡ଼େ ଅସଭ୍ୟ, ସଭ୍ୟତା ବୋଲି ଜ୍ଞାନ ଏମାନଙ୍କର ମୋଟେ ନାହିଁ। ଶୃଙ୍ଖଳା ଜ୍ଞାନର ଅଭାବବୋଧ ଏମାନଙ୍କ ଜୀବନକୁ କୁଆଡେ ଆହୁରି ଜଟିଳ କରି ଗଢି ତୋଳିଛି। ସେମାନଙ୍କର ଗୋରା ଚମକୁ ଏ ଦେଶର ପାଣି ପବନ କୁଆଡେ ଆଦୌ ସୂହାଏ ନାହିଁ। ଏହିଭଲି ଅନେକ କିଛି କାରଣ ପାଇଁ ସେମାନେ ଏଠିକି ଆସିବାକୁ ନାରାଜ। ଆମ୍ଭେମାନେ ବି ସେମାନଙ୍କ ଯୁକ୍ତି ଆଗେ ହାର ମାନି ଯାଇଛୁ। ତେଣୁ ଆସିବାକୁ ଆଉ ସେତେ କିଛି ବାଧ୍ୟ କରିନାହୁଁ। ହେଲେ ମୁଁ ସିନା ପୁରୁଷ। ମୋ ପୁରୁଷ ହୃଦୟର କଠୋରତାକୁ ମୁଁ ଆଦରି ନେଇଛି। ହେଲେ ସୁପ୍ରିୟା? ସୁପ୍ରିୟା ନିଜକୁ ଆଦୌ ବୁଝାଇ ପରି ନାହିଁ। ରାତି ଅଧରୁ ବିଛଣାରୁ ଉଠି ପଡ଼ି ମୁହଁ ଲୁଚାଇ ଶକ ଶକ ହେଉଥିବାର ମୁଁ କେତେ ବାର ଦେଖିଛି।

ହେଲେ ଯେଉଁ ପିଲା ଯୋଡିକୁ ସେ ଏଡ଼ୁଟେରୁ ଏଡୁଟେ କରିଥିଲା, ସେମାନେ ଏବେ ଅର୍ଥୋପାର୍ଜନ ନିଶାରେ ହେଉ ବା ପରିସ୍ଥିତି ଓ ପରିବେଶର ଚକ୍ରବ୍ୟୁହରେ ପଡ଼ି -ସମସ୍ତେ ବିଦେଶରେ। ଘରେ ବୋଲି ସ୍ଵାମୀ ଓ ସ୍ତ୍ରୀ – ଆମେ ଦୁହେଁ। ଜଣେ ଅନ୍ୟ ଜଣଙ୍କର ମୁହଁକୁ ଚାହିଁ ଚାହିଁ ରାତିଟା ପାହି ଯାଏ। ଜଣେ ଆଉ ଜଣଙ୍କ ସାହାରାରେ ଜୀବନ ତରୀ ପାରି ହୋଇ ଯିବାର ଲକ୍ଷ୍ୟ ରଖିଥାଉଁ। ସହଜେ ତ ବୟସର ରଥ ଚକ ସମୟର ଚକ୍ରବ୍ୟୁହରେ ଫଶି ଯିବାକୁ ବସିଲାଣି। ଦେଖା ଯାଉ, କେଉଁ ପାଣି କେଉଁ ଆଡକୁ ଯାଉଛି। ଏବେ ତ ନିର୍ଦ୍ଧିଷ୍ଟ ଭାବେ ଆମ ହାତରେ କିଛି ଧରାବନ୍ଧା କାମ ନାହିଁ। ଯାହା ଦୁଇଟା ଫୁଟାଇ ଦେଲେ ଦୁଇ ପ୍ରାଣୀ କୁଟୁମ୍ବକୁ ବଳକା ହୁଏ। ଆଉ ଭଲ ମନ୍ଦ ଜିନିଷ ପ୍ରତି ଆଗ ଭଳି ସେତେ ଆଦର ନଥଏ। ଏଣିକି ଚିତ୍ତ ଚାଞ୍ଚଲ୍ଯ କମି ଯିବାରୁ ସବୁଥିରେ ଗୋଟାଏ ବଡ଼ ଅନାଗ୍ରହ। ହେଲେ ହେଲା ନହେଲେ ନାହିଁ, କୌଣସି କଥାକୁ ଆଉ ସେତେ ଯାଏ ଆସେ ନାହିଁ। ହେଲେ ଯେତେ ଯାହା କଲେ ବି ପିଲାମାନଙ୍କର ଅନୁପସ୍ଥିତି ଜନିତ ଦୁଃଖଟା ମନ ଓ ପ୍ରାଣକୁ ଅଭିଭୂତ କରି ପକାଉ ଥାଏ, ଯାହାକି କୌଣସି ପ୍ରକାରେ ଭରଣା କରିବା କଷ୍ଟକର ହୋଇ ଉଠୁଥାଏ। ତେଣୁ ସେଇଟା ହିଁ ସବୁ ଚିନ୍ତାର ମୂଳ କାରଣ। ବୁଢୀକୁ ଯେତେ ବୁଝେଇଲେ ମଧ୍ଯ ସେ କିଛି ବୁଝିବାକୁ ନାରାଜ। ଖାଲି ମୁହଁ ହାଣ୍ଡି କରି ରହୁଥାଏ। ଏକୁଟିଆ ରହିଲେ ଗୁଣୁ ଗୁଣୁ ହେଉଥାଏ। ସେଥିସକାଶେ ବ୍ଳଡ଼ ପ୍ରେସର୍ ଠାରୁ ଆରମ୍ଭ କରି ହାର୍ଟ ବେମାରି ପର୍ଯ୍ୟନ୍ତ ସବୁ ବୁଢୀକୁ ଘାରିଛି। ଦିନକୁ ଦିନ ସେ ଅକାମୀ ଓ ବେକାମୀ ହୋଇ ପଡୁଥାନ୍ତି। ଦିନେ ଏମିତି ଭାବୁ ଭାବୁ ବସିଲା ଜାଗାଠାରୁ ଉଠି ପାରିଲେ ନାହିଁ। ସେଇଠି ସେ ଗଡି ପଡିଲେ। ଟେକି ନେଇ ଦେଖିଲା ବେଳକୁ ହାତ ଗୋଡ଼ ସବୁ ନାଠି କରି ଦେଇଥାନ୍ତି। ପିଲାମାନେ ହଠାତ୍ ଆସିବା ସମ୍ଭବ ନହେବାରୁ ସାହି ପଡିଶାଙ୍କୁ ଡାକି ଶବ ଦାହ କଲି। ସେମାନେ ଆସି ଯାହା ଅନ୍ତେଷ୍ଟି କ୍ରିୟା କଲେ। ମଘା କାର୍ଯ୍ୟ ସମ୍ପାଦନ ପରେ ସମସ୍ତେ ଯେଝା ବାଟରେ ଯେଝା ବାଟ କାଟିଲେ।ଏବେ ମୁଁ କେବଳ ରହିଗଲି ମୋ ଇଲାକାରେ ମୁଁ ଏକୁଟିଆ ହୋଇ, ଏ ବିରାଟ ନିର୍ଜନ ଦ୍ଵୀପର ରାଜା। ଆଉ କେହି ଆଗକୁ ନାହିଁ କି ପଛକୁ ନାହିଁ। ମରି ଗଲେ ବି କେହି ଦେଖିବାକୁ ନାହିଁ। ମୋ ଜୀବନ ସଙ୍ଗିନୀ ସୁପ୍ରିୟା ବି ଆର ପାରିରେ। ମୁଁ ତେଣୁ ବେଶୀ ଦିନ ବଞ୍ଚି ରହି ବା କାହାର କ’ଣ କରି ପାରିବି? ବରଂ ହାତ ଗୋଡ଼ ଚାରିଟା ଚାଲୁ ଚାଲୁ ଆରପାରିକୁ ଟିକେଟ କାଟିଲେ ସବୁଠୁଁ ଭଲ। ନୋହିଲେ ଘୋଷରା ଟଣାରେ ଜୀବନ ଦହଗଞ୍ଜ ହେବା ହିଁ ସାର। ତେଣୁ ଆଉ କିଛି ଭଲ ଲାଗୁନାହିଁ। ସୁପ୍ରିୟା କଥା ଭାରି ଗୋଟେ ମନେ ପଡୁଛି। ହେ ଭଗବାନ! ବଡ଼ ଅଦ୍ଭୁତ ତୁମ ଏ ସ୍ରୁଷ୍ଟି ରହସ୍ୟ ଓ ଆହୁରି ବିଚିତ୍ର ତୁମର ଏ ବିଚାର।

ଏହି ଅଳ୍ପ ଦିନ ହେଲା ସୁପ୍ରିୟା କଥାଟା ଆହୁରି ବେଶୀ ବେଶୀ ମନେ ପଡୁଛି। ଏକାନ୍ତରେ ବସି ଭାବିଲେ ଖାଲି ସୁପ୍ରିୟାର ଚେହେରାଟା ମୋ ଆଖି ସାମ୍ନାରେ ଆସି ଥେଇ ଥେଇ ହୋଇ ନାଚୁଛି। ହେଇ ସୁପ୍ରିୟା ଆସିଲାଣି। ତା’ର ପ୍ରତିବିମ୍ବ ଯେପରି କି ଅନତି ଦୂରରେ ଛିଡା ହୋଇଛି। ସେ ହାତ ଠାରି ଡାକୁଛି। ଅସ୍ପଷ୍ଟ ଭାଷାରେ ହୁଏତ ସେ କିଛି କହିବାକୁ ବୋଧେ ଚେଷ୍ଟା କରୁଛି। ସ୍ପଷ୍ଟ ବୁଝା ନପଡିଲେ ମଧ୍ଯ ତା’ର ଅସ୍ପଷ୍ଟ ସ୍ଵର ଶବ୍ଦ ମୋତେ ବେଶ୍ ଶୁଭୁଛି। ହେଇ ସେ ଯେମିତି କହିବାକୁ ଚାହୁଁଛି – “ତୁମର ସାଂସାରିକ ମୋହ ମାୟା ତୁଟି ଗଲାଣି। ତେଣୁ ସାଂସାରିକ ଲୀଳା ତୁମର ଆଜି ଠାରୁ ଶେଷ। ଆସ ଆର ପାରିକୁ ଯିବା, ସେଠି ମୁଁ ତୁମକୁ ଅପେକ୍ଷା କରିଛି। ସେଠି ସମସ୍ତ ହିସାବ କିତାବ ଚୁକ୍ତ କରି ପୁଣି ଫେରି ଆସିବା ମର୍ତ୍ତ୍ୟମଣ୍ଡଳକୁ-ଆଉ ଥରେ ମଣିଷ ଜନ୍ମ ନେବାକୁ । ସେତେବେଳେ ଏ ମଣିଷ ସମାଜଟାକୁ ଭଲ କି ଚିହ୍ନିବା। ଏଥରକ ଏତିକି ଥାଉ, ସେଇଠି ଥୁକୁଲ୍ ପକାଅ। ଚାଲ ଯିବା! ମୋ ସାଙ୍ଗରେ ଆର ପାରିକୁ।

ସୁପ୍ରିୟାର କଥା ଗୁଡ଼ାକ ଗତକାଲି ପରି ଆଜି ବି ବେଶ୍ ମନରେ ଭାବାନ୍ତର ସ୍ରୁଷ୍ଟି କରୁଥାଏ। ମୋର ସମସ୍ତ ଶିରା ପ୍ରଶିରାକୁ ଥରାଇ ଦେଉଥାଏ। ହାତ ଗୋଡ଼ ମୋର ଅବଶ ଲାଗୁଥାଏ। ଆଉ ଆଗକୁ ଲେଖିବାକୁ ମୋ ଲେଖନୀରେ ବଳ ନଥାଏ କି ମୋ ଶରୀରରେ ଶକ୍ତି। ବହୁ କଷ୍ଟରେ ଶେଷ ସ୍ପର୍ଶ – ହେ… ରା…


Rate this content
Log in

Similar oriya story from Tragedy