Satyaprakash Sethy, M. A(UGC NET)

Tragedy

3  

Satyaprakash Sethy, M. A(UGC NET)

Tragedy

କ୍ଷୁଧା

କ୍ଷୁଧା

9 mins
127



ଚାନ୍ଦବାଲି, ଭଦ୍ରକ ଜିଲ୍ଲାର ଏକ ବ୍ଲକ ସଦର ମହକୁମା। ସେଇଠୁ ଲଞ୍ଚରେ ବାହାରିଲେ ଭିତର କନିକା, ଉଡ଼ାବାଲି,ସାତଭାୟା, ଗୁପ୍ତି, ବଗଘର ହବେଲିକାଠି ଆଦି ସ୍ଥାନକୁ ଯିବାକୁ ହୁଏ। ମୋ ନିଜ ଜିଲ୍ଲାରେ ଏହା ଅନ୍ତର୍ଭୂକ୍ତ ହୋଇଥିଲେ ହେଁ ମୁଁ କେବେ ଏଠାକୁ ଯାଇ ନାହିଁ। ଏହା ମୋର ପ୍ରଥମ ପରିଦର୍ଶନ। ଅବଶ୍ଯ ଏ ଜାଗାର ସୌନ୍ଦର୍ଯ୍ୟ ଓ ଆକର୍ଷଣ ସମ୍ପର୍କରେ ମୁଁ ବହୁତ ଆଗରୁ ବହୁତ କିଛି ଶୁଣିଛି। କିନ୍ତୁ କାହିଁକି କେଜାଣି ଚାନ୍ଦବାଲି ପାର୍ଶ୍ଵ ଦେଇ ବହି ଯାଉଥିବା ଏ ବୈତରଣୀ ନଦୀର କଦ୍ଦର୍ମାକ୍ତ ପରିବେଶ ଦେଖିଲେ ମୋତେ ସେତେଟା ଉତ୍ସାହଜନକ ଲାଗେ ନାହିଁ ବା ମୁଁ ଏତେଟା ପ୍ରଲୁବ୍ଧ ହୋଇ ପାରେ ନାହିଁ। ତେବେ ଯାହା ବି ହେଉ ଆଜି ଏତେ ଦିନ ପରେ ଗୋଟେ ସୁଯୋଗ ଯେତେବେଳେ ଭାଗ୍ୟରେ ଜୁଟିଲା ମୁଁ ଆଉ ମୋହ ପରିତ୍ୟାଗ କରି ମନା କରି ପାରିଲି ନାହିଁ। ଏକାବେଳକେ ହଁ ଭରି ଦେଲି।

ମୁଁ ଏକା ନୁହେଁ, ମୋ ସହ ମୋର ଜଣେ ଘନିଷ୍ଠ ବନ୍ଧୁ, ମୋ ସହକର୍ମୀଙ୍କ ପରିବାର ଓ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ପରିବାର ।ଆଉ ସାଥିରେ କିଛି ଅନୁଗତ ବି ଥିଲେ ମାନେ ଅଙ୍ଗ ରକ୍ଷକ। କାରଣ ଏହା ଏକ expedious journey ବା କଠିନ ଜଳଯାତ୍ରା ଥିଲା, ଯାହା ମନରେ ଭୟ ସଞ୍ଚାରକାରୀ ଓ ବିପଦ ସଙ୍କୁଳ ମଧ୍ଯ। ତେଣୁ ମନ ସ୍ୱତଃ ଶଙ୍କା ଆଶଙ୍କାରେ ଆଚ୍ଛନ୍ନ ହେଉଥାଏ । ପୂର୍ଣ୍ଣତଃ ଏଭଳି ଯାତ୍ରା ପାଇଁ ମନରେ ଶକ୍ତି ସଂଚାର କରିବା ଓ ମାନସିକ ସ୍ତରରେ ପ୍ରସ୍ତୁତି କରିବା ପ୍ରାୟତଃ ଗୋଟେ କଷ୍ଟକର ବ୍ୟାପାର ।ତେବେ ଅନେକ ବିଚାର ବିମର୍ଷ ପରେ ଆମେ ଏମିତି ଏକ ସ୍ଥାନ ପରିଦର୍ଶନରେ ବାହାରିବା ପାଇଁ ଶେଷରେ ମନସ୍ଥ କରିଥିଲୁ। ଲଞ୍ଚ ଡ୍ରାଇଭର୍ ଦୁଇ ଜଣଙ୍କୁ ମିଶାଇ ଆମର ପୂରା ଟିମ୍ ମେମ୍ବର ଥିଲେ ସତର , ଯେଉଁଥିରେ କି ଉକ୍ତ ଜାଗା ସହିତ ପରିଚିତି ରଖୁଥିବା ତିନି ଜଣ ଅନୁଗତ ଥିଲେ ।

ଆଗ ରାତିରେ ଆମେ ଚାନ୍ଦବାଲିରେ ସମସ୍ତେ ପହଂଚି ଯାଇଥିଲୁ। ସମ୍ରାଟ ଲଜରେ ଯିଏ ଯାହାର ପରିବାର ଧରି ଗୋଟେ ଗୋଟେ ରୁମ୍ ରେ ରହିଲେ। ଦୁଇ ଦିନ ଯାତ୍ରା ପାଇଁ ଆବଶ୍ୟକୀୟ ଖାଦ୍ୟ ସମାଗ୍ରୀ ଓ ପାନୀୟ ଜଳ ପ୍ରଚୁର ପରିମାଣରେ ସଂଗ୍ରହ କରି ରଖିଲୁ। ସକାଳ ହେଲା କ୍ଷଣି ଜଳଖିଆ କରି ନେଇ ଆମେ ଲଞ୍ଚ ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଥିଲୁ। ସକାଳ 8 ସୁଦ୍ଧା ଯାତ୍ରା ଆରମ୍ଭ ହେଲା। ଆଠ/ନଅ ଘଣ୍ଟାର ନୌକା ଯାତ୍ରା ପରେ ଆମେ ଯାଇ ପହଞ୍ଚିଥିଲୁ ହବେଲିଖଟିରେ।

ବାଟରେ ଅନେକ ସଂକୀର୍ଣ୍ଣ ଓ ଅଣଓସାରିଆ ଜଳପଥ। କେଉଁଠି ବାଲି ଚଢା ତ କେଉଁଠି ଅତ୍ୟିଳ୍ପ ଜଳ ରାଶି। ପୁଣି ଠାଏଁ ଠାଏଁ ସୁଗଭୀର ଜଳସ୍ତର, ସୁବିସ୍ତୀର୍ଣ୍ଣ ଜଳ ରାଶି ଯାହା ସମୁଦ୍ରର ଭ୍ରମ ସ୍ରୁଷ୍ଟି କରୁଥାଏ। ପୁଣି କିଛିଟା ସମୁଦ୍ରର ମୁହାଣ ଓ ଲହଡ଼ିର ଉଠକ ପଠକ। ସବୁଠାରୁ ବିପଦ୍ ଜନକ ମନେ ହେଉଥାଏ ତିନି ମୁହାଣର ଦିଗନ୍ତ ବିସ୍ତୃତ ଜଳଭାଗ, ଯେଉଁଠାରେ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଏକାଠି ମିଳିତ ହୋଇ ନାଚି ନାଚି ସମୁଦ୍ର ସହିତ ଏକାକାର ହୋଇଯାଇଛନ୍ତି ।

ଦୁଇ ପାର୍ଶ୍ଵରେ ମ୍ଯାନଗ୍ରୋଭ ଗଛ ଯାହାର ଚେର ଓ ଶିଙ୍କଡଗୁଡ଼ିକ ମାଟିକୁ ଭିଡ଼ିକି ଧରିଥାଏ ଓ ମୂର୍ତ୍ତିକା କ୍ଷୟରୁ କୂଳକୁ ରକ୍ଷା କରିଥାଏ। ବାଟରେ ଅନେକ ହରିଣ ଦେଖିଲୁ, ଦେଖିଲୁ ଡାଳପତ୍ର ଖାଉଥିବାର ବା ହରିଣ ହରିଣୀ ହଳି ହୋଇ ଡିଆଁ କୁଦା କରୁଥିବାର। କେତେ ଯେ କୁମ୍ଭିର ଆଡିରେ ଶୋଇ ରହି ଖରା ପିଉଥାନ୍ତି। ନଇ ମଝିରେ ପାଣି ଭିତରେ ମଧ୍ଯ କାଠ ଗଣ୍ଡି ଭଳି କେତେକ ଭାସୁଥାନ୍ତି ବା ଭଉଁରୀ କାଟି ଖେଳି ବୁଲୁଥାନ୍ତି। ତେଣୁ ବେଳେବେଳେ ମନରେ ଭିତ୍ତି ସଂଚାର ହେଉଥାଏ, ମାତ୍ର ଲଞ୍ଚ ଚାଳକ କହୁଥାନ୍ତି - "ଡରିବାର କିଛି ନାହିଁ, କାରଣ ଡଙ୍ଗା ସହିତ କୁମ୍ଭିରର କାଳେ ଦେଢଶୁର ଓ ଭାଇ ବୋହୂର ସମ୍ପର୍କ। ତେଣୁ ସେ ଲଞ୍ଚ ବା ଡଙ୍ଗା ପଖକୁ କେବେ ବି ଆସିବ ନାହିଁ କି କିଛି କ୍ଷତି ବି କରି ପାରିବ ନାହିଁ" । 

ସତ କଥା ଅନେକ ଛୋଟ ଛୋଟ ଡଙ୍ଗା ଧରି ମଛୁଆରୀ ଭାଇଭାଉଜ ଜାଲ ବିଛାଇ ମାଛ ଧରୁଥାନ୍ତି। ସେମାନଙ୍କ ମନରେ କୁମ୍ଭିର ପାଇଁ ଟିକିଏ ବି ଭୟ ନଥାଏ। ହେଲେ ଭୟ କରୁଥାନ୍ତି ଫରେଷ୍ଟରଙ୍କୁ ।ଆମକୁ ଦେଖି କେତେକ ପରା ଡରି ଯାଉଥାନ୍ତି, କାଳେ ଆମେ ଫରେଷ୍ଟ ଷବାଲା ହୋଇଥିବୁ ବୋଲି। ହେଲେ ଅଭୟ ଦେଲାଠୁଁ ଚୁପ୍ ରହିଲେ। ଆମେ ତାଙ୍କୁ ଡାକ ପକାଇ ପାଖକୁ ଲଞ୍ଚ ନେବାର କାରଣ ଥିଲା ସେମାନଙ୍କ ପାଖରୁ କିଛି ମାଛ କିଣିନେବା ଯାହା ରାତ୍ରିରେ ଆମର ଭୋଜ୍ୟ ହେବ। ତେବେ ଏହିଭଳି ଅନେକ ନୂଆ ନୂଆ ଅନୁଭବ ଓ ଅନୁଭୂତି ସବୁ ଏକଠା ହେଉଥାଏ। ଜେଲି ଫିସ୍ ଅନେକ ଭାସୁଥିବାର ଦେଖିବାକୁ ମିଳୁଥାଏ। ଅନେକ ଅନେକ ବଡ଼ ବଡ଼ ମାଛ ଆମ ପାଖ ଦେଇ ପାଣି କାଟି ଚାଲି ଯାଉଥାନ୍ତି। କଇଁଛ ମାନଙ୍କର ସଂଖ୍ୟା ବି କିଛି କମ୍ ନ ଥାଏ। ଜଳ ଜୀବ ମାନଙ୍କ ଗହଣରେ ଏ ଯାତ୍ରା ନିଶ୍ଚୟ ଆମୋଦପ୍ରଦ ଥିଲା। ଅନେକ ସ୍ଥାନରେ ଜାଲ ବିଛା ଯାଇଥିବାର ଦୃଶ୍ୟ ମଧ୍ଯ ଉପଭୋଗ୍ୟ ହେଉଥାଏ।ଠାଏଁ ଠାଏଁ ବଗ, ମାଛ ରଙ୍କା ଓ ପାଣିକୁଆ ମଧ୍ୟ ପାଣିରେ ଡୁବୁକି ଲଗାଇ ମାଛ ଗୋଟେ ଟେକି ନେଇ ପୁଣି ଆକାଶକୁ ଉଡ଼ି ଯାଉଥିବାର ଦୃଶ୍ୟ ଭାରି କୁତୁହଳ। ଯେଉଁଠି ଟିକିଏ ଚଢା ବା ଢିପ ଜାଗା ଥାଏ ସେଠି ନାନା ପ୍ରଜାତିର ଦେଶୀ ଓ ବିଦେଶୀ ଚଢ଼େଇମାନେ ବସି ସୁନ୍ଦର କିଚିରି ମିଚିରି ରାବ ଦେଉଥାନ୍ତି ପୁଣି କେଉଁଠି ଚଢେଇ ଦଳ ପାଣିରେ ଭାସି ମାଛ ବା ପୋକ ଜୋକ ଶିକାର କରୁଥାନ୍ତି। ତେଣୁ ଖୁବ୍ ବଢ଼ିଆ - "ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ "। 

ତେବେ ଏଭଳି ନିଛାଟିଆ ଓ ସଂକଟାପନ୍ନ ଯାତ୍ରା ମନକୁ ଏକ ଅଲଗା ରାଇଜକୁ ନେଇ ଯାଉଥାଏ। ସବୁଠାରୁ ବଡ କଥା ହେଲା ଦୀର୍ଘ ଆଠ ଘଣ୍ଟାର ଜଳଯାତ୍ରା କେତେ ଦୃଶ୍ୟ ଓ ଅଦୃଶ୍ୟ ସବୁ କିଛି ପ୍ରତିଭାତ ହେଉଥାଏ। ସଠିକ ଆକଳନ କରି ହେଉ ନଥିଲେ ହେଁ ପ୍ରାୟତଃ 100 କିଲୋ ମିଟରରୁ ଉର୍ଦ୍ଧ୍ୱ ଆମର ଜଳଯାତ୍ରା ସମ୍ପୂର୍ଣ୍ଣ ହୋଇସାରିଥାଏ। ବାଟସାରା ଶୁଖିଲା ବିସ୍କୁଟ ଓ ଖାଦ୍ୟପଦାର୍ଥ ଖିଆ ହେଉଥାଏ। ତେବେ ଆମେ ଭାତୁଆ ଭାତ ଭୋକରେ ପେଟ ଉଣ୍ଡୁଳି ହୋଇ ଖଇ ହେକୁଟି ଦେଉଥାଏ। ତେଣୁ ଗନ୍ତବ୍ୟ ସ୍ଥଳୀରେ ପହଞ୍ଚିଲା ବେଳକୁ ଥକାନ ଆସି ଯାଇଥାଏ। କାରଣ ଲଞ୍ଚରୁ ଓହ୍ଲାଇ ଆସବାବ ପତ୍ର ଧରି ରିସର୍ଟ ପାଖରେ ପହଁଞ୍ଚିବା ପାଇଁ ଆହୁରି 3/4 କିଲୋ ମିଟରର ପାଦରେ ଚାଲି ଚାଲି ଯାତ୍ରା ବି କରିବାକୁ ପଡିଥିଲା। ତେଣୁ ସେଠାରେ ପହଂଚି ଆଉ ଫ୍ରେସ୍ ହେବା ପାଇଁ ସମୟ ନ ନେଇ ତୁରନ୍ତ ଖାଇବା ପାଇଁ ଡାଇନିଂ ହଲ୍ ରେ ପହଁଚି ଯାଇଥିଲୁ। ଆଗରୁ ସବୁ ଜିନିଷ କେମିତି ଗୋଟେ ପ୍ରସ୍ତୁତି ସରିଥିଲା। ଭୋକ ନିବାରଣ ପରେ ତେଣିକି ଯାହା। ମନରେ ଟିକିଏ ଆଶ୍ୱସ୍ତି।ଏଥର ନିଜ ନିଜ ଟେଣ୍ଟ ହାଉସକୁ ଚାଲିଲୁ।

ଟେଣ୍ଟ ହାଉସ ବୋଲି କେତେ କି ମାତ୍ର 9 ଟା। ତାହା ବି ଅନଲାଇନ ରେ ଆଗୁଆ ବୁକିଂ ନ କଲେ ସେତକ ବି ମିଳିବ ନାହିଁ କି ସେଠାକୁ ଯିବାକୁ ଅନୁମତି ମଧ୍ଯ ନାହିଁ। ଆମକୁ ମିଳିଥିଲା ତହୁଁ ପାଞ୍ଚୋଟି ଟେଣ୍ଟ ହାଉସ। ଯିଏ ଯେଉଁଠି ପାରିଲା ଆସବାବ ପତ୍ର ଥୋଇ ଦେଇ ହାଫ୍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ସିଧା ଚାଲିଲୁ ସମୁଦ୍ର ବେଳାଭୂମିକୁ ଯାହା ଟେଣ୍ଟକୁ ଏକ ରକମର ଲାଗି ରହିଥାଏ। ଲୋକବାକ ତ ଏହି 9 ଟି ଟେଣ୍ଟ ହାଉସର ଯାତ୍ରୀଙ୍କୁ ଛାଡ଼ି ଦେଲେ ଆଉ କିଛି ପର୍ଯ୍ୟଟନ ବିଭାଗର କର୍ମଚାରୀ ମାତ୍ର। ତେଣୁ ଭାରି ଶୂନଶାନ ପ୍ରେମୀ ଯୁଗଳ ପାଇଁ ହୋଲିଡେ ମନାଇବାକୁ ଭାରି ମନୋରମ ।ଆଜିକାଲି ତ ଯେଉଁଠି ଦେଖିବ ଖାଲି ହଜାର ହଜାର ଲୋକଙ୍କର ସମାଗମ। ତେଣୁ ନିଜକୁ ଏକାନ୍ତ ଭାବେ ପାଇବାର ସୁଯୋଗ କାହିଁ ବା ସବୁବେଳେ ଭାଗ୍ୟରେ ଜୁଟେ। ଏଇମାତ୍ର ଏକାନ୍ତ ହେବାର ଲୋଭ ଯେ ସମ୍ବରଣ କରି ନ ପାରି ବେଶ୍ ହାଲୁକା ଫୁଲକା ଭାବେ ଜୀବନକୁ ଜିଇଁବାକୁ ଆମେ ସମସ୍ତେ ଉଦ୍ୟମ ଆରମ୍ଭ କରି ଦେଇଥିଲୁ। ଗୋଟେ ପଟେ ଦିଗନ୍ତ ବିସ୍ତୃତ ସମୁଦ୍ର ବେଳାଭୂମି ଓ ବାଲୁକା ପ୍ରାନ୍ତର। ଅନ୍ୟ ଦିଗେ ଘନ mangrove ଟ୍ରିରର ଘଞ୍ଚ ଆସ୍ତରଣ। ବନ୍ୟଜନ୍ତୁଙ୍କର କାଁ ଭାଁ ବୋବାଳି। ମନକୁ ମନ ଭିନ୍ନ୍ ଭିନ୍ନ ବହୁ ଭିନ୍ନ ପ୍ରସଙ୍ଗ ସବୁ ଆନ୍ଦୋଳିତ କରୁଥାଏ। 

ଦିନ ନଇଁ ଗଲା ପରେ ଆରମ୍ଭ ହେଲା ରାତ୍ରିର ନିସ୍ତବ୍ଧତା। ଘନଘୋର ଅନ୍ଧକାର ବି ଚାରିଆଡ଼େ ଛାଇ ହୋଇ ଯାଇଥାଏ। ଘାଇଁ ଘାଇଁ ସମୁଦ୍ରର ଗର୍ଜନ ସାଙ୍ଗକୁ ସାଇଁ ସାଇଁ ନିଶା ଗର୍ଜୁଥାଏ। ଏତେବେଳେ ପ୍ରେମିକ ପ୍ରେମିକା କି ଇସାରାରେ ଇସାରାରେ ପ୍ରେମ ନିବେଦନ କରିବାକୁ ଭୁଲୁଥାଏ।।

ଏତେ ମନୋଲୋଭା ଓ ମନଭୁଲା ଦୃଶ୍ୟ ମୁଁ କାହିଁ ଆଉ କେଉଁ ବେଳେ କେବେ ଦେଖି ନ ଥାଏ। ସବୁକିଛି ପ୍ରେମୀ ଯୁଗଳଙ୍କ ପାଇଁ କେମିତି ଗୋଟେ ଆସ୍ତିସୂଚକ ଆସ୍ତାପ୍ରକଟ କରୁଥାଏ। ପରିବେଶରେ ବୋଳି ହୋଇ ପଡୁଥାଏ ଇନ୍ଦ୍ରଧନୁର ସପ୍ତ ରଙ୍ଗ। ରଙ୍ଗିନ ହେଉଥାଏ ମନ।

ନିର୍ଜନ ନିଶ୍ଚଳ ବେଳାଭୂମି। ଶାନ୍ତକାନ୍ତ ନମ୍ର ପରିବେଶ। ନାହିଁ ଜନ ଗହଳି, ନାହିଁ ହୋ ହାଲ୍ଲା। ହାତ ଗଣତି ଏଇ କେଇଟି ମାତ୍ର ଲୋକ, କିନ୍ତୁ ବିସ୍ତୀର୍ଣ୍ଣ ବେଳାଭୂମି। ଦିଗନ୍ତ ବିସ୍ତୃତ ଏ ଅନନ୍ତ ନୀଳ ସମୁଦ୍ର ।ସୀମାହୀନ ଅସୀମ ତାର ପରିବ୍ୟାପ୍ତ। ପିଲାମାନେ ଚା ଓ ଜଳଖିଆ ପାଇଁ dinning ହଲ୍ କୁ ଯାଇଥିଲେ ଯେ ସେଇଠି ମୋବାଇଲ ଗେମ ଓ ତାସ୍ ପାଲିରେ ମନ ଦେଇ ଅଟକି ଗଲେ। ତିନି ଯୋଡା couple ସହ ଆମେ କିନ୍ତୁ ପୁଣି ଫେରିଥିଲୁ ସମୁଦ୍ର କୂଳକୁ ଭିଜିବା ପାଇଁ। ମନ ବି ତ ଭିଜି ସାରିଥାଏ, ଦେହସାରା ତ ପାଣି ଓ ବାଲିରେ ସରପଟ ହୋଇଥାଏ। ସମସ୍ତେ ବେଳାଭୂମିରେ ଥିଲେ ମଧ୍ଯ ପରସ୍ପରଠାରୁ ଦୂରତ୍ୱ ଅବଲମ୍ବନ କରି କିଏ କାହାକୁ ସ୍ନେହ ଆଶ୍ଳେଷରେ କେମିତି ବାନ୍ଧୁଥାଏ ତାର କିଛି ଇୟତା ନ ଥାଏ। କିଏ କାହାକୁ ଆଲିଙ୍ଗନ କରୁଥାଏ ତ କିଏ କାହାକୁ ସ୍ନେହ ରଜ୍ଜୁରେ ଭିଡୁଥାଏ। କ୍ଷଣ କ୍ଷଣକେ ଜାବୁଡ଼ି ଧରି ଦୁଃଖ ଅବସାଦ ଭୁଲୁଥାଏ। ବାସ୍ତବରେ ଏହା ଏକ ଖୁବ୍ ରୋମାଣ୍ଟିକ୍ ମୁହୂର୍ତ୍ତ। ମନରେ ରୋମାନ୍ସ ଭରି ଯାଉଥାଏ ।ଜୁଆରର ଘୁଁ ଘୁଁ ଗର୍ଜନ ପରେ ଭଟ୍ଟା ପଡ଼ି ଗଲା ବେଳକୁ କ୍ଷଣିକ ପାଇଁ ହେଉ ପଛେ ସମୁଦ୍ର ଯେପରି ସ୍ତବ୍ଧ ଓ ନୀରବ ସାଧକ ସାଜେ ଠିକ୍ ସେଇପରି ଏମାନେ ସମସ୍ତେ ଏକଦମ୍ ଚୁପ୍। ବାକ୍ ରୁଦ୍ଧ, ଶରୀରର କ୍ରିୟା ବିକ୍ରିୟା କିନ୍ତୁ ପ୍ରଖର ହେଉଥାଏ। ଶୀତଳ ବାଆ ମନରେ ଶିହରଣ ତୋଳୁଥାଏ ।ପୟୋଧି ଜଳ ତନମନ ଆଦ୍ର କରି ଦେଉଥାଏ। ସମସ୍ତେ ଯେମିତି ଜଡ ନିର୍ବେଦ ନିଶ୍ଚଳ ପ୍ରତିମୂର୍ତ୍ତି ପାଲଟି ଯାଉଥାନ୍ତି ଆଦି ମାନବ ଆଦମ ଏବଂ ଇଭ୍ ମୁଦ୍ରାରେ। ଜାନ୍ତବ୍ଯ କ୍ଷୁଧାର ଉନ୍ମତ୍ତ କାଣ୍ଡ ।ମଦମସ୍ତ ପାର୍ଥିବ ଶରୀର। 

ସତରେ ବଡ଼ କ୍ଷୁଧାତୁର ଭୋକିଲା ମଣିଷ । ଗୋଟାଏ କ୍ଷୁଧା ନିବାରଣ ହୋଇଗଲା ପରେ ଆଉ ଗୋଟିଏ କ୍ଷୁଧା ତାକୁ ବ୍ୟତିବ୍ୟସ୍ତ କରିପକାଏ। ତେଣୁ ସବୁଦିନେ ସେ ଭୋକିଲା। ଭୋକ ପାଇଁ ସେ କେତେ ପ୍ରାବନ୍ଧନ କରେ, ହେଲେ ସେ ସବୁ ନିଷ୍ଫଳା କର୍ମଯୋଗ ପରି ନିଷ୍ପ୍ରଭ ପ୍ରତୀତ ହୁଏ। କେତେବେଳେ ପେଟର ଭୋକ ତ କେତେବେଳେ ମନର ଭୋକ। ଭୋକ ନିବାରଣ ପାଇଁ ପ୍ରୟାସ କିନ୍ତୁ ଅନବରତ। ମୁଁ ତେଣୁ ସାହିତ୍ୟିକ ଦାର୍ଶନିକ। ଦର୍ଶନସୁଲଭ ମୋ ଦୃଷ୍ଟିଭଙ୍ଗୀ। ଅନୁଶୀଳନ ଓ ଅନୁଧ୍ୟାନ ମୋ ଧର୍ମ। ସବୁ ଶୁଣି ସବୁ ଦେଖି ମୁଁ ଯେ ନିସ୍ପନ୍ଦ ଜଡପିଣ୍ଡୁଳା ଯାହାର ମୂକ ସାକ୍ଷୀ କେବଳ ଏ ସମୁଦ୍ର ବେଳାଭୂମି।

ପିଲାମାନେ ଚିଲେଇ ଦେଲାଠୁଁ ଧ୍ୟାନ ମୁଦ୍ରାରୁ ସମସ୍ତେ ଫେରିଥିଲେ କିନ୍ତୁ ପ୍ରକୃତିସ୍ଥ ହେବା ପାଇଁ ସମସ୍ତଙ୍କୁ ବୋଧହୁଏ ଆହୁରି କୋଡ଼ିଏ ପଚିଶ ମିନିଟ୍ ରୁ ଅଧିକ ସମୟ ଲାଗିଥିଲା। 

ତେବେ ଖେଳ ନିଶା କଟିଗଲା ପରେ ପିଲା ମାନେ ହୁଏତ ବ୍ୟସ୍ତ ହୋଇ ଉଠିଥିବେ ରାତ୍ରୀ ଭୋଜନ ସାରି ଶୀଘ୍ର ଶୋଇବା ପାଇଁ କାରଣ ଦିନସାରା ନଚାକୁଦା କରି ସମସ୍ତେ ନିଶ୍ଚୟ ଥକି ଯାଇଥିବେ। କ୍ଳାନ୍ତି ଅପନୋଦନ ପାଇଁ ବିଶ୍ରାମ ଯେ ଲୋଡ଼ା।

ମୁଁ ତେଣୁ ସମସ୍ତଙ୍କୁ ଚେତନାର ସୀମା ସରହଦ ଡେଇଁ ପଛକୁ ହଟିବାକୁ ଅନୁରୋଧ କଲି। କହିଲି ହେ ସ୍ଵର୍ଗର ଅପସରା ଗନ୍ଧର୍ବମାନେ ଏବର ଲୀଳା ଏତିକିରେ ଥାଉ ବାକି ଲୀଳାତକ ରୁମ୍ ରେ। ମୁଁ ବରଂ ଗୋଟେ କାମ କରୁଛି ପୁଅ ପିଲାଙ୍କୁ ଧରି ଗୋଟେ ରୁମ୍ ରେ ରହିଯାଉଛି, ଆଉ କନ୍ୟା ସନ୍ତାନମାନେ ଗୋଟେ ରୁମ୍ ରେ ରହିବେ। ହେଲେ ତୁମେ ଦମ୍ପତି ତ୍ରୟ ତିନୋଟି couple ରୁମ୍ ରେ ଶୟନ କର। ସେୟା ହେଲା ବିଚାର ମୁତାବକ ସବୁ ବନ୍ଦୋବସ୍ତ ହେଲା।

ନିଜ ନିଜ ସଙ୍ଗିନୀ ଓ ରସ ରାଜଙ୍କୁ ଧରି ଏମାନେ ସମସ୍ତେ ଆପଣା ଶୟନ କକ୍ଷକୁ ପ୍ରସ୍ଥାନ କଲେ। ହୁଏତ ରାତି ସାରା ଶୃଙ୍ଗାର ରସରେ ଏମାନେ ସମସ୍ତେ ରସସ୍ନିଗ୍ଧ ହୋଇଥିବେ। ପ୍ରଣୟ ଓ ରାସଲୀଳା ସାରି ଯୋଜନ ଓ ଯୋଜନ ବର୍ଷର ଶରିରର କ୍ଷୁଧାକୁ ପ୍ରଶମିତ କରିଥିବେ କାରଣ ପ୍ରାତଃରୁ ଏମାନଙ୍କ ପ୍ରସନ୍ନ ମୁଖ ମଣ୍ଡଳରୁ ଠିକ୍ ତାହା ହିଁ ତ ସ୍ପଷ୍ଟ ବାରି ହୋଇ ପଡୁଥିଲା।

 

ବଢି ଭୋରରୁ ଉଠି ସମୁଦ୍ର ବକ୍ଷରୁ ସୂର୍ଯ୍ୟଙ୍କ ଉଦିତ ହେବାର ଦୃଶ୍ୟ କ୍ୟାମେରାରେ କଏଦ କରିବାର ଆଗ୍ରହ ହେତୁ ସମସ୍ତେ ଜଲଦି ଉଠି ସମୁଦ୍ର କୂଳକୁ ଆସି ଯାଇଥିଲୁ। ଆଃ କି ସୁନ୍ଦର ମନୋରମ ସେ ଦୃଶ୍ୟ। ଲାଗୁଥାଏ ସତେ ଯେମିତି ନାଲି ଟହଟହ ପୁଷ୍ପ ସମ୍ଭାର ଗଭା ମଣ୍ଡନ କଲା ପରି ଅପୂର୍ବ ସେ ଦୃଶ୍ୟ। ହାତରେ ସୂର୍ଯ୍ୟ ଦେବତାଙ୍କୁ ତୋଳି ଧରିବାର ପୋଜରେ ଫଟୋ ଉଠାଇବାର ମଜା ମଧ୍ଯ ନିଆରା, ଭିନ୍ନ ଏକ ଆନନ୍ଦାନୁଭୂତି। ରାତ୍ରିର ଅବସାନ ପରେ ଦିନର କୋଳାହଳମୟ ପରିବେଶ ସ୍ରୁଷ୍ଟି ହେବା ପୂର୍ବରୁ ବେଶ୍ ସରଳ ଓ ଶାନ୍ତିପ୍ରଦ ଏ ମୁହୂର୍ତ୍ତ।ପ୍ରସନ୍ନ ଓ ଉଦାତ ଚିତ୍ତ। ଶେଷଥର ପାଇଁ ସମୁଦ୍ରରେ ଭିଜି ମନ ଭରି ସ୍ନାନ କଲାପରେ ଫେରି ଆସିଥିଲୁ ପ୍ରକୋଷ୍ଠକୁ। ସଜବାଜ ହୋଇ ବାହାରି ପଡ଼ିଲୁ ।ଲେଉଟାଣି ଯାତ୍ରା ପୁଣି କରିବାକୁ ପଡ଼ିବ ନା! 

ସେପଟେ ପର୍ଯ୍ୟଟନ ବିଭାଗର ହାତ ଗଣତି କେଇଗୋଟି ମାତ୍ର କର୍ମଚାରୀ ଜଳଖିଆ ପ୍ରସ୍ତୁତି କରି ଡାଇନିଂ ହଲ୍ ରେ ସଜାଗ ଥାଆନ୍ତି। ଚାଲିଲା ଜଳଖିଆ ପର୍ବ।? ଭାରି ଇଚ୍ଛା ହେଲା ଏଇ କର୍ମଚାରୀ ମାନଙ୍କର ବେଉରା ନେବାକୁ । ପଚାରି ବସିଲି। ବୟସ୍କ ଲୋକ ଜଣଙ୍କ ପ୍ରଶ୍ନକୁ ଆଡ଼େଇ ଯିବା ପାଇଁ କଥାଟାକୁ ବାଆଁରେଇ ଦେଲେ। କହିଲେ - "ସେଗୁଡା ପଚାରନ୍ତୁ ନାହିଁମ ବାବୁ!" ଆଉ ଜଣେ ଅର୍ଦ୍ଧ ବୟସ୍କଙ୍କ ମୁହଁର ରଙ୍ଗ ଶୁଖି କଳାକାଠ ପଡ଼ି ଯାଉଥିବାର ଦେଖି ପଚାରିଲି - "ତୁମ ଘର କେଉଁଠି, ତୁମର ଆଉ ସବୁ କିଏ ଅଛନ୍ତି"? ଏ କଥାରେ ସେ କ୍ରିୟାଶୀଳ ହୋଇ ଉଠି ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଥିବାର ସ୍ପଷ୍ଟ ଲକ୍ଷ୍ୟ କଲି। ଲକ୍ଷ୍ୟ କଲି ସେ କ୍ରନ୍ଦନ କଲା ପରି। ଦୁଇ ହାତରେ ମୁହଁ ଲୁଚାଇ କୋହ ସମ୍ବରଣ କରୁଥାନ୍ତି। ଏଇ ଘଟଣା ମୋତେ ଆଶ୍ଚର୍ଯ୍ୟ କରୁଥିଲେ ହେଁ ମୋର ଜିଜ୍ଞାସା ଓ ଉତ୍କଣ୍ଠା ଦେଖି ବୟସ୍କ ଜଣଙ୍କ ଆରମ୍ଭ କଲେ -" କାହିଁକି ସେ କଥା ପଚାରୁଛନ୍ତି ଆଜ୍ଞା! ହେଇ ସମୁଦ୍ର ଭିତରକୁ ଦେଖନ୍ତୁ ଯେଉଁ କିଛି ଅଂଶ ଦେଖା ଯାଉଛି ତାହା ପଞ୍ଚୁ ବରାହୀ ମନ୍ଦିରର ଚୂଳଦେଶ। ସବୁକିଛି ଧ୍ଵଂସ ହୋଇଯାଇଛି। ଧ୍ଵଂସାବଶେଷ କେବଳ ରହିଯାଇଛି ଏହି ସାଢେ ଚାରି କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଠ ବେଳାଭୂମି ଓ ସୁଦୀର୍ଘ ସୁନ୍ଦରୀ ବୃକ୍ଷର ବନପ୍ରାନ୍ତର ଯାହା ହବେଲି ଖଟିର ଶେଷ ପରିଚୟ । 2013 ଅକ୍ଟୋବର ଚାରି ତାରିଖରୁ ଅକ୍ଟୋବର ଚଉଦ ତାରିଖ ଯାଏ ଆସିଥିବା ଫାଇଲିନ୍ ଆମ ସମସ୍ତଙ୍କର ସୁଖମୟ ସଂସାରକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ପ୍ରାୟତଃ ସାତ ଶହ ପଚାଶ ଘର ବେଘର ହୋଇଗଲେ। ସମୁଦ୍ରର ପ୍ରଚଣ୍ଡ କ୍ଷୁଧାରେ ହବେଲି ଖଟିର ଏ ବିରାଟ ଜନ ବସତି ଆହାର ହୋଇଗଲା। ଏଠି ମଧ୍ଯ କନିକା ରାଜାଙ୍କର ଉଆସ ଥିଲା, ତାହା ମଧ୍ଯ ଲୁପ୍ତ ଗୌରବ ସୁପ୍ତ ପ୍ରାୟ । ଅନେକ ଧନ ସମ୍ପତ୍ତି ଓ ଲୋକବାକ ପାଣିରେ ଡୁବିଗଲେ। ଯେଉଁମାନେ ଏହି ଢିପ ଜାଗାକୁ ତୁରନ୍ତ ଚାଲି ଆସିଲେ ସେମାନେ ଜୀବନ ବଞ୍ଚେଇ ନେଲେ। ଆଖି ସାମ୍ନାରେ ଦେଖିଛୁ ଆତ୍ମୀୟଙ୍କୁ ହରେଇବାର ସେ ସଙ୍କଟ ଘଡି। ବିପର୍ଯ୍ୟୟର ମୁକାବିଲା କରି ଯେତେକ ବଞ୍ଚି ରହିଲେ ସରକାର ସେମାନଙ୍କୁ ନେଇ ଏଠାରୁ ଫେରନ୍ତି ବାଟରେ ପଡୁଥିବା ଗୁପ୍ତି ଘାଟ ନିକଟବର୍ତ୍ତୀ ସାତ ଭାୟା ଠାରେ 'ଥଇଥାନ 'ନାମରେ ବସତି ସ୍ଥାପନ କରି ଥଇଥାନ କରିଛନ୍ତି , ହେଲେ ଅଧା ଅଧୁରା ପରିବାର ଧରି ସେମାନେ ଏବେ ଦୁଃଖୀ ଜୀବନ ନିର୍ବାହ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପରିବାରର ସମସ୍ତଙ୍କୁ ହରେଇ ଏକଲା ଜୀବନ ନିର୍ବାହ କରୁଥିବା ଏଇ ରାମହରି ଜଣେ, ଯାହାଙ୍କୁ ସରକାର ଏଠାରେ ପର୍ଯ୍ଯଟନ ବିଭାଗ ତରଫରୁ ଖଣ୍ଡେ ଚାକିରି ଦେଇଛନ୍ତି। ଅବଶ୍ଯ ମୋର ଧନ ସମ୍ପତ୍ତି ଯାଇଥିଲେ ହେଁ ମୋ ପରିବାରର ସମସ୍ତେ ଅଛନ୍ତି। ମୁଁ ବି ଏଠାରେ ମୋ ସରକାରୀ କର୍ତ୍ତବ୍ୟ ପାଳନ କରୁଛି। ଏ ସମୁଦ୍ର ଏ ଯାଏ କ୍ଷାନ୍ତ ହୋଇନାହିଁ କି ତାର କ୍ଷୁଧା ନିବାରଣ ହୋଇ ପାରି ନାହିଁ। ଅହରହ କୂଳ ଲଂଘିବାରେ ବ୍ୟସ୍ତ। ଗତ ଦୁଇ ବର୍ଷ ତଳେ ପର୍ଯ୍ୟଟକ ପାଇଁ ଯେଉଁ ଦଶଟି resort ତିଆରି ହୋଇଥିଲା ତାହା ପରା ଏବେ ସମୁଦ୍ରର ଭକ୍ଷଣ ହୋଇଛି। ତେଣୁ ତ ଏବେ ନୂତନ 9 ଟି ଟେଣ୍ଟ ହାଉସ ନିର୍ମାଣ କରାଯାଇଛି, ଯେଉଁଥିରେ କି ଆପଣ ରାତିକ ବିଶ୍ରାମ ନେଇ ଥିଲେ। ଏହା ବି ଆସନ୍ତା ବର୍ଷକୁ ଥିବ କି ନାହିଁ ତା ସିନ୍ଧୁରାଜ ଜାଣନ୍ତି "।

ଏତେବେଳକୁ ଆହୁରି କିଛି ଶୁଣିବାକୁ ଇଚ୍ଛା ଥିଲା, କିନ୍ତୁ ଧୈର୍ଯ୍ୟ ନ ଥିଲା।    ଏହିପରି କେତେ ଯେ ନୂତନ ତତ୍ତ୍ଵ ଓ ତଥ୍ଯ ସବୁ ଧୀରେଧୀରେ ଉନ୍ମୋଚିତ ହେଉଥାଏ ସିନା ହେଲେ ଫେରିବା ପାଇଁ ଲଞ୍ଚବାଲା ତରତର ହେବାରୁ ଆମେ ସମସ୍ତେ ଫେରିବାକୁ ବାଧ୍ୟ । ହେଲେ ମନରେ ଅସରନ୍ତି ପ୍ରଶ୍ନ, ଚିନ୍ତାଗ୍ରସ୍ତ ମନ। ଅଳିକ ଅସାର ସଂସାର ପ୍ରତି ମୋହଭଙ୍ଗ। ଅସହଣି ଝଞ୍ଜା ।ଦୁଃଖ ହିଁ ଏକା ସହଚର। ପ୍ରକୃତିର ଏ କି ଅପାର ଲୀଳା?। ଗୋଟେ ପଟେ ଏଠାକୁ ଆସିବା ବେଳେ ସହିଥିଲୁ ପେଟର ଭୋକ। ଭାତ ଗଣ୍ଡାକ ପାଇଁ ଡହଳ ବିକଳ ହେଉଥିଲା ମନ। ରାତି ବେଳକୁ ଦେଖିଥିଲୁ ଜାନ୍ତବ୍ଯ କ୍ଷୁଧାରେ ଆଉଟି ପଉଟି ହେଉଥିବା କେଇଗୋଟି ପ୍ରେମୀ ଯୁଗଳ। ଯେମିତି ଯୋଜନ ଯୋଜନ ବର୍ଷର ଏ କ୍ଷୁଧା - ନିବାରଣ କରିବା ପାଇଁ ଏହା ହିଁ ଥିଲା ପ୍ରକୃଷ୍ଠ ଓ ଉତ୍ତମ ସ୍ଥାନ। ହେଲେ ଫେରିଲା ବେଳକୁ ଏ କି ଶୁଣିଲା ବିଭତ୍ସତାର ଅସୁମାରି ଗାଥା । ସମୁଦ୍ରର ଲେଲିହାନ ଶିଖା।ଅନ୍ତିମ ଅନନ୍ତ ସେ ଯାତ୍ରା। କ୍ଷୁଧାତୁର ସମୁଦ୍ରର କ୍ଷୁଧା।


Rate this content
Log in

Similar oriya story from Tragedy