Urbashi Satpathy

Inspirational Tragedy

3  

Urbashi Satpathy

Inspirational Tragedy

ଶେଷ ପ୍ରଶ୍ନ

ଶେଷ ପ୍ରଶ୍ନ

4 mins
326


-----ଜେଜେ , ଜେଜେ , ହେଇ ମୁଁ ଆସିଗଲି ।

-----ଆସ ବାବା, ମୋ ପାଖକୁ ଆସ ।

-----ଜେଜେ , ତୁମ ପାଖରେ ପରା ଠିଆ ହେଇଛି ।

-----ସେଠି ନୁହେଁ ବାବା , ମୋ କୋଳକୁ

ଆସ । ଫକ୍ କିନା ଡେଇଁ ପଡି ଜେଜେଙ୍କ କୋଳରେ ବସି ପଡିବା ପରେ ପୁଣି.....

----ଜେଜେ ଜେଜେ , ତୁମେ ଖାଇଲଣି ? ଆଜି କଣ ସବୁ ଖେଳିଲ? ତୁମ ନିଉ ଫ୍ରେଣ୍ଡ ସହ ମୋତେ ପରିଚିତ କରେଇ ଦେଉନା ଜେଜେ ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ର ଅସରନ୍ତି ସମାହାର ।

ଜେଜେ ହସନ୍ତି , ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି । ମନେ ମନେ ଈଶ୍ବରଙ୍କୁ ଡାକନ୍ତି ଶେଷ ପ୍ରଶ୍ନ ଟା ନ ପଚାରୁ ବାବା ।କିନ୍ତୁ ନା , ତାଙ୍କ ଭାବନା ଭୁଲ୍ ହେଇଯାଏ ।

ଶେଷ ଆଡକୁ ବାବା ର ସବୁଦିନ ଭଳି ସେଇ ଶେଷ ପ୍ରଶ୍ନ ,

-------ଜେଜେ , ତୁମେ ଏଠାରେ କାଇଁ

ରହୁଛ ?

-----ଆଜି କଣ ପଢାହେଲା ବାବା ?

-----ଜେଜେ କୁହନା , ତୁମେ ଏଇଠି କାଇଁ ରହୁଛ ?

-----ଆଜି ମୋ ବାବା ର ମୁହଁ କାଇଁ ଶୁଖି ଯାଇଛି ?

-----ଜେଜେ , ତୁମେ ଭାରି ମିଛୁଆ , କୁହନା , ଏଇଠି ତୁମେ କାଇଁ ରହୁଛ ?

ଜେଜେଙ୍କର ଗାଲ ପାଖକୁ ମୁହଁ ନେଇ ନିଜ ଗାଲକୁ ଘଷେ ବାବା । ତାଙ୍କ ବେକ ରେ ଦି 'ହାତ ଛନ୍ଦି ଦେଇ ପିଠି ପାଖେ ନାଉ ହେଇ ଝୁଲିପଡ।ଆଉ ପୁଣି ପଚାରେ , ତୁମେ କହିଲନି ତ ଜେଜେ , ଏଇଠି କାଇଁ ରହୁଛ ?ଯାଃ...... ତୁମେ ଭାରି ମିଛୁଆ , ମୁଁ ଆଉ କାଲିଠାରୁ ତୁମ ପାଖକୁ ଆସିବିନି ।

ପିଠି ଆଡକୁ ହାତ ଲମ୍ବେଇ ବାବାକୁ କୋଳକୁ ଟାଣି ଆଣି ଛାତିରେ ଚାପି ଧରନ୍ତି ଜେଜେ । ଆଖି ବନ୍ଦ କରି ସ୍ବଗୋତ୍ବକ୍ତି କରନ୍ତି , ଆଃ ...... କି ଶାନ୍ତି ....କି ତୃପ୍ତି ..... , ହେ ଈଶ୍ୱର , ସଭିଙ୍କୁ ଖୁସିରେ ରଖ ।

କିଛି ସମୟ ପରେ........

___ହଉ ଜେଜେ , ତୁମେ ନ କୁହ , ସ୍କୁଲ ଟାଇମ୍ ହେଇ ଗଲାଣି , ମୁଁ ଯାଉଛି , କାଲି ପୁଣି ଆସିବି ।

-----ହଉ ବାବା , ଯାଅ । ମନ ଲଗେଇ ପାଠ ପଢିବ । ବାପା ମାଆଙ୍କ କଥା ମାନିବ । ତାପରେ ଶେଷ ଆଡକୁ କହନ୍ତି , ବାବା , ତୁମେ ବଡ ହେଇଗଲେ ତୁମ ଶେଷପ୍ରଶ୍ନ ର ଉତ୍ତର ତୁମେ ପାଇଯିବ ।

କାଲି କାଲି ହେଇ କେତେ କାଲି ଆସେ ଆଉ ଯାଏ ।ବାବା ମଧ୍ୟ ଜେଜେ ପାଖକୁ ଆସେ , ଗପ , କାହାଣୀ , ଶୁଣେ ।ଶିବାଜୀ , ବିବେକାନନ୍ଦ , ରାମକୃଷ୍ଣ ପରମହଂସ , ରାମଦାସ ଙ୍କ ବିରତ୍ବ କଥା ଶୁଣେ ।ମହାଭାରତ ଆଉ ରାମାୟଣ କଥା ଶୁଣେ । ଲବକୁଶ କଥା ଆଉ ହନୁମାନ ଙ୍କ ସାହସିକତା ବିଷୟରେ ଅନେକ କିଛି ଜାଣି ଯାଇଥାଏ। ହେଲେ ତା'ର ଶେଷପ୍ରଶ୍ନ ର ଉତ୍ତର ଟି କେବେ ପାଏନା ।ତାର ଜିଜ୍ଞାସା ଆହୁରି ଆହୁରି ବଢେ ।

######

ସହରର ଶେଷ ମୁଣ୍ଡରେ ଚାରିଛକ ଆଉ ଠିକ ଛକ ଉପରେ ଗୋଟିଏ ଇଗ୍ଲିସ୍ ସ୍କୁଲ ଆଉ ତାର ଗୋଟିଏ କଡରେ ବୃଦ୍ଧାଶ୍ରମ ।ବୋଧହୁଏ କେହି ସହୃଦୟ ତଥା ଦୂରଦର୍ଶୀ ଭଦ୍ରବ୍ୟକ୍ତି ଦୁଇଟି ଯାକ ଅନୁଷ୍ଠାନ ପାଖାପାଖି ଗଢିଥିଲେ ।ସମ୍ଭବତଃ ହଜି ହଜି ଯାଉଥିବା ଆଉ ଭାଙ୍ଗି ଯାଉଥିବା ରକ୍ତ କୁ ଯୋଡିବା ପାଇଁ ।

***********

ପନ୍ଦର ବର୍ଷ ପରେ ........

ସେଇ ଚିରାଚରିତ ଆଉ ଶିଶୁସୁଲଭ କଣ୍ଠରେ .....

----ଜେଜେ ଜେଜେ। , ହେଇ ଦେଖ ମୁଁ ଆସିଗଲି ।

-------ଜେଜେ ଜେଜେ , କୋଉଠି ତୁମେ ?

ଜେଜେ.......ଜେଜେ..........

-----ଜେଜେ ଏଠାରେ ନାହିଁ ବାବା ।ସେ ଭୀଷଣ ଅସୁସ୍ଥ ।ବୃଦ୍ଧାଶ୍ରମର କେହି ଜଣେ ଅନ୍ତେବାସୀ ଙ୍କ ର ଉତ୍ତର ଥିଲା ।ସେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି ।

ଓଃ........କାଳବିଳମ୍ବ ନକରି ବାବା ଜେଜେ ଙ୍କ ପାଖକୁ ଡାକ୍ତରଖାନା କୁ ଧାଇଁ ଗଲା ।ଜେଜେଙ୍କ ପଶି ଯାଇଥିବା ଗାଲ , ନିଷ୍ପ୍ରଭ ଆଉ କୋଟରଗତ ଆଖି , ପଞ୍ଜରା ଗଣି ହେଉଥିବା ଛାତିକୁ ଦେଖି ବାବା ବିକଳ ହେଇ ଉଠିଲା । ଅନ୍ତର ତାର ହାହାକାର କରି ଉଠିଲା।ଜେଜେ ଙ୍କ ପାଦ ଦୁଇଟି ଜାବୁଡି ଧରି କାନ୍ଦି ଉଠିଲା ।ମନେ ମନେ ଖାଲି ଠାକୁର ଙ୍କୁ ଡାକୁଥାଏ , ମୋ ଜେଜେ ଙ୍କୁ ଭଲ କରିଦିଅ ପ୍ରଭୁ , ମୋର ଆଉ କିଛି ଲୋଡା ନାହିଁ ।

ବାବା ର ସ୍ପର୍ଶ ରେ ଜେଜେ ଙ୍କ ଶରୀରରେ ଏକ ଶୀହରଣ ଖେଳିଗଲା । ସାମାନ୍ୟ ଆଖି ଖୋଲି ଅସ୍ପଷ୍ଟ କଣ୍ଠରେ ଖାଲି , କି....ଏ.......,? ବୋଲି କହିଲେ ।

ଗୋଡ ପାଖରୁ ଉଠି ଦୌଡ଼ି ଯାଇ ଜେଜେଙ୍କ ଗାଲ ରେ ଗାଲ ଘଷି କାନ ପାଖରେ ମୁହଁ ଲଗେଇ , ହେଇ ଦେଖ ଜେଜେ , ମୁଁ ବାବା , ତୁମ ବାବା ,ଆଖି ଖୋଲ ଜେଜେ ....ଦେଖ ମୋତେ .....ମୁଁ ବଡ ହେଇ ଯାଇଛି .....ବହୁତ୍ ବଡ........ମୋ ଶେଷ ପ୍ରଶ୍ନ ର ଉତ୍ତର ମୁଁ ପାଇ ଯାଇଛି ଜେଜେ । ତୁମକୁ ଆଉ କହିବାକୁ ପଡିବନି ।

#####

ଏକମାସ ପରେ ......

ବାବାର ସେବା ଶୁଶ୍ରୁଷା , ସ୍ନେହ ମମତା ଆଉ ଅନାବିଳଭଲପାଇବା ରେ ଜେଜେ ସମ୍ପୂର୍ଣ୍ଣ ସୁସ୍ଥ । ଡାକ୍ତରଙ୍କ ରିପୋର୍ଟ , କେବଳ ନିଃସଙ୍ଗତା ଆଉ ଆଉ ମାନସିକ ଅଶାନ୍ତି ଯୋଗୁଁ ଏପରି ଅବସ୍ଥା ।

#######

ଆଶ୍ଚର୍ଯ୍ୟ ହେଇଗଲେ ଭବେଶ୍ ଚୌଧୁରୀ ।ସରକାରୀ ଚିଠିକୁ ଛାଡିଦେଲେ କୌଣସି ପ୍ରାଇଭେଟ୍ ଚିଠି କେବେ ତାଙ୍କ ପାଖକୁ ଆସେନା । ଏ ଫୋନ ଯୁଗରେ କିଏ ବା କାହିଁକି ଚିଠି ଲେଖିବ ଯେ ।ତରତର ହେଇ ଚିଠି ଟି ପଢିଲେ .......

ବାପା ,

ପ୍ରଣାମ ।

ମୋତେ କ୍ଷମା କରିଦବ । ମୋ ସରକାରୀ କ୍ବାର୍ଟର ରେ ମୁଁ ଏବେ ଜେଜେଙ୍କ ପାଖରେ ରହୁଛି । ଜେଜେଙ୍କ ଦେହରେ କଣ ଟିକେ ଧଳାଛଉ ଦେଖି ତୁମେ ଆଉ ମାଆ ଦୂରେଇ ଦେଲ ।ଜେଜେ ଙ୍କୁ ଭୁଲ ବୁଝିବନି ବାପା ।କେବେବି ତୁମ ବିରୁଦ୍ଧରେ ପଦଟିଏ କହି ନାହାନ୍ତି ।ଏପରିକି ତୁମେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡିବା କଥା ।ବର୍ଷ ବର୍ଷ ଧରି ଜେଜେ ଙ୍କୁ ପଚାରିଛି, ଗୋଟିଏ ଉତ୍ତର " ବଡ ହେଲେ ତୁମେ ଜାଣିବ "।ଜାଣିଛ ବାପା , ମୁଁ ଦିନେ ଜେଜେଙ୍କୁ ପଚାରିଲ , ମୋ ନାଁ ତ ଦୀପକ୍ , ତୁମେ ବାବା କଣପାଇଁ ଡାକ ? ଜେଜେ କଣ କହିଲେ ଜାଣିଛ ବାପା , କହିଲେ ,ମୋ ବାବାଟାକୁ ( ପୁଅ ) ଆଉ ବାବା ଡାକି ପାରୁନି କି ସେ ଆଉ ଏବେ ମୋ ପାଖରେ ନାହିଁ । ତୋତେ ବାବା ଡାକିଦେଲେ ମୋ ବାବାକୁ ତୋ ଭିତରେ ପାଇଯାଏ । ହୃଦୟର କୋଉ ଗୋଟେ ଅଜଣା କୋଣରେ ରହି ଯାଇଥିବା ଅତୃପ୍ତତା ତୃପ୍ତି ର ପରିପୂର୍ଣ୍ଣତା ପାଇଯାଏ ।ଜେଜେ କେତେ ଦୁଃଖ , କଷ୍ଟ ଆଉ ଯନ୍ତ୍ରଣା ରେ ସେଦିନ ଏକଥା କହିଥିଲେ ଆଜି ମୁଁ ବୁଝି ପାରିଛି ବାପା ।ମୋ ଜେଜେ ଙ୍କ ପାଖରେ କେହି ନାହିଁ ବାପା । ତୁମ କଥା ବୁଝିବା ପାଇଁ ତ ମାଆ ଅଛନ୍ତି ।ଜେଜେ ଙ୍କୁ ଏପରି ଅବସ୍ଥାରେ ମୁଁ ଏକୁଟିଆ ଛାଡି ପାରିବିନି । ବାପା , ଏ ଜୀବନରେ ମୁଁ ତୁମକୁ ଭୁଲି ପାରିବିନି କି ଜେଜେ ଙ୍କୁ ଛାଡି ରହି

ପାରିବିନି ।

ତୁମକୁ କଷ୍ଟ କି ଆଘାତ ଦବାକୁ ମୁଁ ଚାହେଁନି ବାପା ।ଜେଜେ ଏବେ ପୁରାପୁରି ସୁସ୍ଥ । ତାଙ୍କ ଦେହରେ ସେ ଧଳାଛଉ ମଧ୍ୟ ଆଉ ନାହିଁ । ବାପା , ତୁମେ ଚାହିଁ ଲେ ମାଆଙ୍କୁ ନେଇ ଜେଜେ ଙ୍କ ପାଖକୁ ଆସି ପାରିବ ନହେଲେ ଜେଜେ ଆଉ ମୁଁ ତୁମ ପାଖକୁ ଚାଲିଯିବୁ ।ସମସ୍ତେ ଏକାଠି ମିଶି ହସ ଖୁସିରେ

ରହିବା । ତୁମ ଇଚ୍ଛା ଯାହା ବାପା , ମୋର କୌଣସି ଆପତ୍ତି ନାହିଁ ।

ତୁମର

"ଦୀପକ"।

ହଠାତ ପାଟିଟା ଲୁଣିଆ ଲାଗିବାରୁ ସମ୍ବିତ୍ ଫେରି ପାଇଲେ ଭବେଶ୍ ଚୌଧୁରୀ।ତାଙ୍କ ଅଜାଣତରେ ଦି' ଧାର ଲୁହ ଗାଲ ଦେଇ ଓଠ ଯାଏଁ ବହି ଆସିଥିଲ । ଯାହାର ସ୍ବାଦ ଜୀବନରେ ପ୍ରଥମଥର ନିଜ ଅଜାଣତରେ ସେ ଚାଖି ନେଇଥିଲେ । ହଠାତ ଚିତ୍କାର କରି ଉଠିଲେ , ବାପା.........

ସେତେବେଳକୁ ଅନୁତପ୍ତା ଚିନ୍ମୟୀ ଦେବୀ ଗାଡି ବାହାର କରିବାକୁ ଡ୍ରାଇଭରକୁ ଡାକି ସାରିଥିଲେ ।

*********************************


Rate this content
Log in

Similar oriya story from Inspirational