Urbashi Satpathy

Tragedy

5.0  

Urbashi Satpathy

Tragedy

ସନ୍ଦେହ

ସନ୍ଦେହ

2 mins
517


ସକାଳୁ ସକାଳୁ ଗାଁ ରେ ହୁରି ପଡିଗଲା ,ନେତ ନାନୀ ଆଉ ନାହିଁ । ଯିଏ ଶୁଣିଲା ଅବିଶ୍ୱାସ କଲା । କାଲି ରାତି ଦଶଟା ଯାଏଁ ତ ଗାଁ ଲୋକେ ତାକୁ ଦେଖିଥିଲେ ।ହଠାତ ରାତିରେ ତାର କଣ ହେଇଗଲା ? ତାର ତ ଦେହ ଖରାପ କଥା କେହି କେବେ ଶୁଣିନି ।

କିଏ ଏଇ ନେତନାନୀ ? କଣ ତାର ପରିଚୟ ? ତା ମଲା କଥା ଶୁଣି ଗାଁ ଟା ସାରା ତାକୁ ଝୁରି ହେଉଛନ୍ତି କଣପାଇଁ ?

ଛୁଆଏ ସେଦିନ ଇସ୍କୁଲ ଗଲେନାହିଁ କି କାହାଘରେ ରନ୍ଧା ବଢା ବି ହେଲାନି ।

ପାଞ୍ଚ ହାତିଆ ବିଧବା ମାଇପିଟାଏ ଏଇ ନେତନାନୀ । ଯୁବାକାଳରେ ଗେରସ୍ତକୁ ହରେଇ ଏକୁଟିଆ ରହି ଆସିଛି । ପିଲାଝିଲା ତ ନଥିଲେ । ଶାଶୁ ଶଶୁର ,ଆମ ଭେଣ୍ଡା ପୁଅକୁ ଖାଇଛୁ , କହି ଘରୁ ବାହାର କରିଦେଲେ ।

ସେଇଦିନ ଠାରୁ ବାପଘର ଗାଁ ରେ ଝାଟିମାଟି ବଖରାଏ କରି ରହେ ।ଭାଇ ଭାଉଜ ଉପରେ ବୋଝ ନହେଇ ସ୍ବାଭିମାନୀ ଭାବରେ ସେ ବଞ୍ଚି ବା ଶିଖିଥିଲା ।

ସେଇ ଦିନଠାରୁ ସେ ଗାଁ ଟା ସାରା ନେତନାନୀ ଭାବରେ ପରିଚିତା । ବାପ, ପୁଅ ,ନାତି , ଟୋକା ,ଭେଣ୍ଡିଆ , ବୁଢା ସଭିଙ୍କର ସେ ନେତନାନୀ । ସକାଳ ହେଉ ହେଉ ସଭିଙ୍କର ଖୋଜା ପଡେ ନେତନାନୀ କୁ । କାହାଘରେ ମୁଢିଭଜା ହବ , କାହାଘରେ ଧାନ ଉଷୁଆଁ ହାଣ୍ଡି ବସିବ,କାହାର ଦୁଧିଆଳୀ ଗାଈ ଟା ବୋଲ ମାନୁନି ,କାହାଘର ଛୁଆ ଚାଟଶାଳୀ ଯିବାକୁ ମଙ୍ଗୁନି, କୋଉ ଗେରସ୍ତ ଭାରିଯା ଭିତରେ ଅପଡ ହେଇଛି ,ଏସବୁର ଗଦ ଥାଏ ଏଇ ନେତନାନୀ ପାଖରେ।

ଛୁତକ ,ମୃତକ ସବୁ କାମରେ ଆଗରେ ଠିଆ ନେତନାନୀ । ଛୁତକ ଘରେ ଉଠିଆରୀ ଠାରୁ ଆରମ୍ଭ କରି ଏକୋଇଶା ଯାଏଁ ତାକୁ ତର ନଥିବ ପ୍ରସୂତି ମାଇପିଟା ପାଇଁ ଶୁଣ୍ଠିଗୁଣ୍ଡ ଠାରୁ ଆରମ୍ଭ କରି ଗୁଆଘିଅ ଯାଏଁ ସବୁ ଖଞ୍ଜି ଦବ ।

ଏସବୁ ଭିତରେ ବେଶୀ ଖୋଜାପଡେ ତାକୁ ପଧାନ ବୁଢା ଘରେ । ଶାଶୁ ନଥିବା ତିନି ତିନିଟା ଅଯୋଗା ବୋହୂକୁ ନେତନାନୀ ସବୁ ସଣ୍ଠଣା ଶିଖେଇବା ପାଇଁ ସେଠକୁ ଯାଏ ।

ୟା ଭିତରେ ଛଅମାସ ବିତି ଯାଇଥିଲା । ନେତନାନୀ ତା ମୂର୍ଖ ବୁଦ୍ଧିରେ ଅନୁଭବ କଲା , ପଧାନ ଘର ଚାକର ଦାମ ଆଉ ତାକୁ ନେଇ ଗାଁ ଲୋକେ ଫୁସୁରୁଫାସର, ଟୁପୁରୁଟାପୁରୁ ହେଉଛନ୍ତି। ସେ ବିଶ୍ୱାସ କଲାନି ।ସତରେ କଣ ଲୋକେ ଏ କଥାକୁ ସତ ଭାବିଛନ୍ତି ।

ଧୀରେ ଧୀରେ ଏକଥା ବେଶୀ ବଢ଼ିବାରୁ ଗାଁରେ ଭଦ୍ରଲୋକ ଡକାହେଲା ନେତନାନୀକୁ ମଧ୍ୟ ଡକାହେଲା । କୌଣସି କଥା ପୁରା ନଶୁଣି ସେଦିନ ଗାଁ ମହାଜନେ , ଶେଷରେ ନେତନାନୀକୁ ଦୋଷୀ ସାବ୍ୟସ୍ତ କରିଦେଲେ । ତାର କୁଆଡେ ଦାମ ସହିତ ଖରାପ ସମ୍ପର୍କ ଅଛି ।

ଏତେବଡ ନିନ୍ଦା ,ଅପବାଦ ଲଜ୍ଯା ଆଉ ଅପମାନକୁ ସେ ସହି ପାରିଲା ନାହିଁ । ସବୁଦିନ ପରି ସେଦିନ ସକାଳୁ ନେତନାନୀ କୁଡିଆର କବାଟ ଖୋଲିଲା ନାହିଁ ।କବାଟ ଭାଙ୍ଗି ଭିତରେ ପଶି ଲୋକମାନେ ଯାହା ଦେଖିଲେ ,ସେମାନଙ୍କର ହୋସ ଉଡିଗଲା ।ନେତନାନୀ ଗୋଟେ ଦଉଡିରେ ମଥାନରୁ ଝୁଲୁଛି । କିଛି ଲୋକ ପୁଲିସକୁ ଖବର ଦେଲେ ।ପୁଲିସ ଆସି ଘର ଖାନତଲାସି କଲାପରେ ନେତନାନୀର ଭଙ୍ଗା ଦସ୍ତା ଟ୍ରଙ୍କ ଭିତରୁ ଗୋଟେ ନୂଆ ଲୁଙ୍ଗି ,ଗେଞ୍ଜି ଓ ପାଞ୍ଚ ହାତିଆ ଖୋର୍ଦ୍ଧା ଗାମୁଛା ମିଳିଲା ।

ତା ହାତରୁ ଯୋଉ କାଗଜ ଖଣ୍ଡିକ ମିଳିଲା , ତାର ସାରମର୍ମ ହେଲା ,

ଦାମଟା ମୋ ପୁଅ ।। ତା ପାଇଁ ଅଷ୍ଟମୀକୁ ଏସବୁ କିଣି ରଖିଥିଲି । ତାକୁ ଦେଇଦବ । ମାଆ ଆଉ ପୁଅର ସମ୍ପର୍କକୁ ଯୋଉ ଦୁନିଆ ସନ୍ଦେହ ଆଖିରେ ଦେଖେ ,ସେଭଳି ଦୁନିଆ ମୋର ଆବଶ୍ୟକ ନାହିଁ ।


Rate this content
Log in

Similar oriya story from Tragedy